Unknown

 

 

 

 

 

 

 

 

 

ଅନ୍ତରୀକ୍ଷର ଆଖି

ଶୈଳେନ୍ଦ୍ର ଦ୍ୱିବେଦୀ

 

ସୂଚୀପତ୍ର

 

୧.

ଭାରତୀୟ ଅର୍ଥନୀତି ଏବଂ ଚକ୍ରବ୍ୟୂହ ଉପାଖ୍ୟାନ

୨.

ଏକ ଅଜବ ଉଡ଼ାଣ ସମ୍ପର୍କରେ

୩.

ଅଭିବୃଦ୍ଧି: ମାୟା ଓ ବାସ୍ତବିକତା

୪.

ଅନ୍ଧମାନଙ୍କ ମୁଲକରେ ଏକଆଖିଆ ରାଜା

୫.

ସ୍ଵାମୀଙ୍କ ହିତୋପଦେଶ

୬.

ଗାଁ ନାଁ ନଗଡ଼ା, ସେନ୍‌ସେସ୍‌ କୋଡ୍‌ ୪୦୦୫୧୪

୭.

ଭୋକର ଭୂଗୋଳ, ଅର୍ଥନୀତିର ନଗଡ଼ାକରଣ

୮.

ଅନାବୃଷ୍ଟି, ମରୁଡ଼ି ଓ ଜୀବନ

୯.

ପରିସଂଖ୍ୟାନର ପ୍ରେତ

୧୦.

ଦୁଇଟି ମେରୁର କାହାଣୀ

୧୧.

ଅନ୍ତରୀକ୍ଷର ଆଖି

୧୨.

ସମୁଦ୍ର ମଶାଣି

୧୩.

ସହର, ସ୍ଵାସ୍ଥ୍ୟ ଏବଂ ସବୁଜ ଚକଡ଼ା

୧୪.

ହିଂସା ଜିନ୍‌ରେ ଅଛି

୧୫.

ପିଟ୍ରୋଡ଼ାଙ୍କ ପେଡ଼ି

୧୬.

ପିଟ୍ରୋଡ଼ାଙ୍କ ପିଲାଦିନ

୧୭.

ଜଣେ ସଫଳ ବ୍ୟବସାୟୀ–ବାବା ରାମଦେବ

୧୮.

ଏକ ପ୍ରତିକ୍ରିୟାର ବ୍ୟବଚ୍ଛେଦ

୧୯.

ଓଡ଼ିଶା ଜ୍ଞାନ ବିଜ୍ଞାନ ନିଗମ

୨୦.

ସବୁଜ ବିପ୍ଳବ : ଦ୍ୱିତୀୟ ସଂସ୍କରଣ

୨୧.

କର୍କଟକ୍ରାନ୍ତି : ଯନ୍ତ୍ରଣା ଓ ଆଶା ଚିରହରିତ୍‌

୨୨.

ମୃତ୍ୟୁର ଗଣତନ୍ତ୍ର

୨୩.

ଯୁଦ୍ଧ, ଆତଙ୍କବାଦ ଓ ମହିଳା

୨୪.

ଆଉଥରେ ନିୟମଗିରି

୨୫.

ଚା’ କପ୍‌ରେ ଝଡ଼

୨୬.

ନାପାମ୍‌ର ନିଆଁ, ଭିଏତନାମର ନୂଆ ଚେହେରା

୨୭.

ଈଶ୍ୱରଙ୍କର ସହର

୨୮.

ସିନ୍ଧୁ ସଭ୍ୟତା : ଏକ ନୂଆ ପ୍ରକରଣ

୨୯.

ପାଶ୍ଚାତ୍ୟର ମୃତ୍ୟୁ

୩୦.

ତୁଳସୀଦାସଜୀ, ପ୍ରଣାମ

୩୧.

ଜୀବନ ଏଇଠି, ଏଇ ମୁହୂର୍ତ୍ତରେ ଅଛି

୩୨.

ଜିହେଜା ଦିଗାଲ୍‌ର ପ୍ରଥମ ଏବଂ ଶେଷ ଖେଳନା

Image

 

ଭାରତୀୟ ଅର୍ଥନୀତି ଏବଂ ଚକ୍ରବ୍ୟୂହ ଉପାଖ୍ୟାନ

 

ମହାଭାରତ ଯୁଦ୍ଧରେ ଚକ୍ରବ୍ୟୂହ ରଚନା ଏବଂ ସପ୍ତରଥୀଙ୍କ ପ୍ରଚଣ୍ଡ ଆକ୍ରମଣରେ ଅଭିମନ୍ୟୁଙ୍କ ମୃତ୍ୟୁ ଉପାଖ୍ୟାନ ବାବଦରେ ପ୍ରାୟ ସମସ୍ତେ ଜାଣିଛନ୍ତି । କୌରବମାନେ ରଚିଥିବା ଚକ୍ରବ୍ୟୁହ ଭିତରକୁ ପ୍ରବେଶ କରିବାର ଉପାୟ ଅଭିମନ୍ୟୁ ଜାଣିଥିଲେ, ତେବେ ସେଥିରୁ ମୁକୁଳିବା ବାଟ ତାଙ୍କୁ ଜଣା ନଥିଲା । ପରିଣତି ଏୟା ହେଲା- ଅପୂର୍ବ ସାହସିକତା ପ୍ରଦର୍ଶନ ପୂର୍ବକ ଯୁଦ୍ଧ କରିଥିଲେ ହେଁ ଏକ ଅନ୍ୟାୟ ଆକ୍ରମଣରୁ ନିଜକୁ ରକ୍ଷା କରି ଚକ୍ରବ୍ୟୁହ ବାହାରକୁ ଆସିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରକାଶିତ ‘ଅର୍ଥନୈତିକ ସର୍ଭେ’- ୨୦୧୫-୧୬ ରେ ଏକ ସ୍ଵତନ୍ତ୍ର ଅଧ୍ୟାୟରେ ଦର୍ଶାଯାଇଛି ଯେ ଭାରତୀୟ ଅର୍ଥନୀତି ପାଇଁ ଚକ୍ରବ୍ୟୂହ ଆହ୍ଵାନ ଯଥେଷ୍ଟ ଚିନ୍ତାଜନକ । ଅର୍ଥାତ୍‌, ଲୋକ କଲ୍ୟାଣ ପାଇଁ ଢେର୍ଯୋଜନା ସ୍ଵାଧୀନୋତ୍ତର ଭାରତରେ ହାତକୁ ନିଆଯାଇଥିଲେ ହେଁ ଇପ୍‌ସିତ ପ୍ରଗତି ହାସଲ ହୋଇପାରି ନାହିଁ-। ଅନେକ ପଞ୍ଚବାର୍ଷିକ ଯୋଜନା ଭୋଗ ହୋଇସାରିଛି, ଲକ୍ଷ ଲକ୍ଷ କୋଟି କୋଟି ବିନିଯୋଗ ହୋଇଛି; ଏକ ମସ୍ତବଡ଼ ବରଗଛ ପରି ବହୁ ବର୍ଷ ଆସ୍ଥାନ ଜମାଇ ବସିବା ପରେ ଯୋଜନା କମିଶନଙ୍କ ସ୍ଥାନରେ ନୀତି ଆୟୋଗ ଆସିଛନ୍ତି । ତଥାପି ପରିସ୍ଥିତି ବଦଳି ନାହିଁ । ସ୍ଵାଧୀନତା ଉପରାନ୍ତ ନେହେରୁ ଶାସନାଧୀନ ଅର୍ଥନୈତିକ ମଡେଲରେ ସମାଜବାଦ ସକଳ ଯୋଜନାର ମୂଳାଧାର ଥିଲେ । ସରକାରୀ ଉଦ୍ୟୋଗମାନଙ୍କୁ ଏବଂ ସେଇ କ୍ରମରେ ସେଇସବୁ ଉଦ୍ୟୋଗରେ ସର୍ବାଧିକ ରାଷ୍ଟ୍ରୀୟ ପୁଞ୍ଜ ବିନିଯୋଗକୁ ଗୁରୁତ୍ୱ ଦିଆଯାଉଥିଲା । ଅର୍ଥନୀତି ବିଶାରଦମାନଙ୍କ ଭାଷାରେ ଲାଇସେନ୍‌ସ‌ ଓ କୋଟା ରାଜ୍‌ ବିସ୍ତୃତ ଥିଲା ଗତ ଶତାବ୍ଦୀର ନବମ ଦଶମ ଶେଷ ପର୍ଯ୍ୟନ୍ତ । ଏକ ବିକାଶଶୀଳ ଅର୍ଥନୀତି, ବିଶେଷକରି ବ୍ରିଟିଶ ସାମ୍ରାଜ୍ୟବାଦରୁ ସଦ୍ୟ ମୁକ୍ତି ପାଇଥିବା ଉପନିବେଶ ନିମନ୍ତେ ସମାଜବାଦୀ ଅର୍ଥନୈତିକ ମଡେଲ ଖୁବ୍‌ ସମ୍ଭବ ଏକ ଆବଶ୍ୟକତା ଥିଲା । ତେବେ ଏହାର ନିରବଛିନ୍ନ ବିସ୍ତୃତି କ୍ରମଶଃ ଭାରତୀୟ ଅର୍ଥନୀତିକୁ ରୁଗ୍‌ଣ କରିବାରେ ଲାଗିଲା । ସରକାରୀ ଉଦ୍ୟୋଗରେ ପ୍ରତିଷ୍ଠିତ ପ୍ରାୟ ୯୦ ପ୍ରତିଶତ ବୃହତ୍ତ ଶିଳ୍ପ କଙ୍କାଳସାର ହେଲେ । ଲାଭ ତ ଦୂରର କଥା, ସେମାନଙ୍କ କ୍ରମାଗତ କ୍ଷତି ଆଶ୍ଚର୍ଯ୍ୟଜନକ ଭାବେ ଅଧିକ ଥିଲା । ସେ ସମୟରେ ଲୋକଙ୍କ ଅବସ୍ଥାକୁ ଦେଖି ଏବଂ କିଛି କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ମନସ୍ଥ କରି ସରକାର ସବ୍‌ସିଡି ବ୍ୟବସ୍ଥା କରିଥିଲେ । ଉଦ୍ଦେଶ୍ୟ ଥିଲା ଯେ ଠିକଣା ଲୋକଙ୍କ ପାଖରେ ଏ ସୁବିଧା ପହଞ୍ଚିବ । କିନ୍ତୁ ତାହା ସେତେବେଳେ ସମ୍ଭବ ହୋଇନଥିଲା ଏବଂ ଏବେ ବି ହୋଇନାହିଁ । ୧୯୯୧ରେ ଅର୍ଥନୈତିକ ଉଦାରୀକରଣ, ଅନ୍ୟ ଅର୍ଥରେ ମୁକ୍ତ ଅର୍ଥନୀତିର ମୂଳଦୁଆ ପଡ଼ିଲା । ସରକାର ବୁଝି ସାରିଥିଲେ ଯେ ଲାଇସେନ୍ସ ରାଜ୍‌ ସର୍ବାଧିକ କ୍ଷତି ଘଟାଇ ସାରିଛି ସରକାରୀ ଉଦ୍ୟୋଗ ନାଁରେ ସର୍ବସାଧାରଣ ସ୍ଵାର୍ଥର ଦ୍ୱାହି ଦେଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନେ ଦେବାଳିଆ ହୋଇ ସାରିଛନ୍ତି ଏବଂ ଭାରତକୁ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଆସୁନାହିଁ । ଏକଥା ସତ ଯେ ଉଦାରୀକରଣ ଆମ ପାଇଁ ଏକ ବିଶାଳ ବାତାୟନ ଖୋଲି ଦେଇଛି । ବିଗତ ୨୫ ବର୍ଷ ଭିତରେ ଆମେ ଆଗକୁ ଆସିଛୁ, କିନ୍ତୁ ଅନେକ କିଛି ଅସଜଡ଼ା ହୋଇ ରହିଛି । ସରକାର ଏବେ ଅନୁଭବ କରୁଛନ୍ତି, ଚକ୍ରବ୍ୟୂହକୁ ପ୍ରବେଶ ନ୍ୟାୟରେ ଉଭୟ ସରକାରୀ ଏବଂ ଘରୋଇ ଉଦ୍ୟୋଗରେ ଏଯାଏଁ ଯେତିକି ପୁଞ୍ଜି ବିନିଯୋଗ ହୋଇଛି, ସେତକ ଅନେକାଂଶରେ ଅକାରଣ ସାବ୍ୟସ୍ତ ହୋଇଛି । ଅର୍ଥାତ୍‌, ତହିଁରୁ ଯାହା ଲାଭ ଗଣଜୀବନକୁ ମିଳିବା କଥା, ଯେତିକି ଅନ୍ତର୍ଭୁକ୍ତୀ ବିକାଶ ହେବା କଥା, ସେତକ ହୋଇପାରିନାହିଁ । ଆମେ ଚକ୍ରବ୍ୟୁହ ଭିତରକୁ ପଶି ତ ଯାଇଛୁ, କିନ୍ତୁ ସେଥିରୁ ବାହାରିବା ରାସ୍ତା (ଭାରତୀୟ ଅର୍ଥନୀତିକୁ) ଜଣା ନାହିଁ । ଏହା ପ୍ରକୃତରେ ଏକ ଗମ୍ଭୀର ସମସ୍ୟା । ତେବେ ଏକଥା ମଧ୍ୟ କୁହାଯାଇଛି ଯେ ପ୍ରାୟତଃ ପାରମ୍ପରିକ କ୍ଷେତ୍ରରେ ଏମିତି ସ୍ଥିତି ଉପୁଜିଛି, କାରଣ ସୂଚନା ବିଜ୍ଞାନ ପରି କ୍ଷେତ୍ର ଏହି ପ୍ରଭାବରୁ ମୁକ୍ତ ରହିଛନ୍ତି ।

ଅର୍ଥନୈତିକ ସର୍ଭେରେ ସରକାର ସ୍ଵୀକାର କରିଛନ୍ତି ଯେ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଉଥିବା ସବ୍‌ସିଡ଼ି (ରିହାତି)ର ଏକ ବୃହତ୍‌ ଅଂଶ ଭୁଲ୍‌ ହାତରେ ପଢୁଛି । ତେବେ ଦୁଃଖ ହେଉଛି, ସବ୍‌ସିଡ଼ିତନ୍ତ୍ରର ନିଜସ୍ୱ ପରମ୍ପରା ଏତେ ଅନ୍ୟାୟ ଭାବେ ପ୍ରଭାବଶାଳୀ ଯେ ବର୍ଷ ପରେ ବର୍ଷ ରାଜନୈତିକ ଦଳମାନେ ସେକଥା ଜାଣିଥିଲେ ହେଁ ନିଜ ସରକାରଙ୍କୁ ମୁକ୍ତ ରଖି ପାରନ୍ତି ନାହିଁ । ଦର୍ଶାଯାଇଛି, ୨୦୧୩-୧୪ ଆର୍ଥିକ ବର୍ଷରେ କେବଳ ରାସାୟନିକ ସାର କ୍ଷେତ୍ରରେ ସବ୍‌ସିଡିର ପରିମାଣ ଥିଲା ୨୩,୦୧୩ କୋଟି ଟଙ୍କା । ବେସାମରିକ ବିମାନ ଚଳାଚଳରେ ଧାରାବାହିକ ଭାବେ ସପ୍ତମ ବର୍ଷ ପାଇଁ କ୍ଷତିର ପରିମାଣ ଥିଲା ୨୪୦୦ କୋଟି ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରେ ୨୦୦୯- ୧୦ରୁ ୨୦୧୫- ୧୬ ପର୍ଯ୍ୟନ୍ତ ସରକାରୀ ପୁଞ୍ଜନିବେଶ ୧.୦୨ ଲକ୍ଷ କୋଟି କୋଟି ଟଙ୍କା ଥିଲା । ରାଜ୍ୟ ସରକାରମାନଙ୍କର ନିୟନ୍ତ୍ରଣରେ ଥବା ବିତରଣ କମ୍ପାନୀ (ବିଦ୍ୟୁତ୍‌ ଶକ୍ତି) ମାନଙ୍କର ମିଳିତ କ୍ଷତି (୨୦୦୮-୦୯ ରୁ ୨୦୧୩-୧୪) ଥିଲା ୨.୦୩ ଲକ୍ଷ କୋଟି ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ ଥବା ରାଷ୍ଟ୍ରୀୟର ଉଦ୍ୟୋଗମାନଙ୍କ କ୍ଷେତ୍ରରେ କ୍ଷତିର ପରିମାଣ ୧.୦୪ ଲକ୍ଷ କୋଟି ଟିଙ୍କା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାରୀ ପରିସଂଖ୍ୟାନ ହିସାବରେ ଉପରୋକ୍ତ ଉଦ୍ୟୋଗମାନଙ୍କରେ ନିଯୁକ୍ତି ପାଇଥିଲେ ସର୍ବାଧିକ ୭,୬୪, ୦୦୦ ଲୋକ ଯାହା ପୁଞ୍ଜି ବିନିଯୋଗ ତୁଳନାରେ ଆଦୌ ପର୍ଯ୍ୟାପ୍ତ ନଥିଲା ।

 

ରିପୋର୍ଟରେ ସ୍ପଷ୍ଟ କରାଯାଇଛି, ଭାରତରେ ଇସ୍ପାତ କ୍ଷେତ୍ରରେ ଅଧିକାଂଶ ଉଦ୍ୟୋଗ କ୍ଷତିରେ ଚାଲୁଥିଲେ । ଆନ୍ତର୍ଜାତିକ ଉତ୍ପାଦନ ‘ମାନ’ ଏମାନଙ୍କର ନଥିଲା । ବିଶ୍ଵ ବଜାରରେ ଇସ୍ପାତ ଉତ୍ପାଦନ ଯେଉଁ ଖର୍ଚ୍ଚରେ ହେଉଥିଲା, ତାହାଠାରୁ ଭାରତୀୟ ଇସ୍ପାତ ଉତ୍ପାଦନ ୫୦ ରୁ ୭୫ ପ୍ରତିଶତ ମହଙ୍ଗା ଥିଲା । ସରକାର ସ୍ଵୀକାର କରିଛନ୍ତି ଯେ ଉଦ୍ୟୋଗମାନଙ୍କୁ ପଛୁଆ କରିବାରେ ସବୁଠୁ ବଡ଼ ଭୁମିକା ରହିଛି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀର ଏବଂ ସେଇଥି ପାଇଁ ଉଦାରୀକରଣ ଅନେକାଂଶରେ ଫର୍ଚ୍ଚା ହୋଇପାରି ନାହିଁ । ଅର୍ଥନୀତିରେ ନିଶୁଣି ଚଢ଼ି ଯେଉଁ କିଛି ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ଆଗକୁ ଚାଲି ଆସିଛନ୍ତି, ସେମାନେ ଆଦୌ ଚାହୁଁ ନାହାନ୍ତି ଯେ ଅନ୍ୟମାନେ ଉପକୃତ ହୁଅନ୍ତୁ ଏବଂ ଉପରକୁ ଉଠନ୍ତୁ । ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଉଦାହରଣ ଦେଇ କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଏକ ବୃହତ୍‌ଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମ, କିନ୍ତୁ ଏଥିରୁ ମଧ୍ୟ ଆବଶ୍ୟକୀୟ ସୁଫଳ ମିଳିପାରି ନାହିଁ । ଗଳାବାଟ ଏବେ ବି ରହିଛି । ସବୁ ଅନ୍‌ଲାଇନ୍‌ ହେବା ପରେ ମଧ୍ୟ ଟଙ୍କା ବାଟମାରଣା ହେଉଛି । ସେହିପରି ପ୍ରଶାସନିକ ଯୋଜନାମାନଙ୍କରେ ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ଅନ୍ୟମାନଙ୍କ ପାଇଁ ବଜାର ସୃଷ୍ଟି ନକରି ନିଜର ବ୍ୟବସାୟ ବଢ଼ାଉଛନ୍ତି । ଏହା ବାଦ୍‌ ରହିଛି ଅମଲାତାନ୍ତ୍ରିକ ସ୍ଥାଣୁତା । ସରକାରଙ୍କର ଅନେକ ଯୋଜନା ରହିଛି ଯାହାର ପରିବର୍ତ୍ତନ ଲୋଡ଼ା; କିଛି ଯୋଜନା ବାଦ୍‌ ପଡ଼ିବା ମଧ୍ୟ ଲୋଡ଼ା । ଅଥଚ ସରକାରୀ ବାବୁମାନେ ସେ ଉପରେ ଧ୍ୟାନ ଦେଉ ନାହାନ୍ତି । କେବଳ ଚିରାଚରିତ ପନ୍ଥାରେ ଖର୍ଚ୍ଚ ଚାଲିଛି । ଏକ ଅଗ୍ରଣୀ ଅର୍ଥନୀତି ପାଇଁ ଏହା ସ୍ପୃହଣୀୟ ନୁହେଁ ।

 

ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏଥିରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବ୍ୟାଙ୍କମାନେ ମଧ୍ୟ ମୁକ୍ତ ନୁହଁନ୍ତି । ଲକ୍ଷଲକ୍ଷ କୋଟି ଟଙ୍କାର ରଣ ଅନାଦାୟ ହୋଇ ରହିଛି ଏବଂ ସେଥିରୁ ଏକ ବୃହତ୍‌ଅଂଶ ବୁଡ଼ିଯିବାର ସମ୍ଭାବନା ଉଜ୍ଜଳ । ୨୦୧୪-୧୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏମିତି ରାଶିର ପରିମାଣ ହେଉଛି ୪ ଲକ୍ଷ କୋଟି ଟଙ୍କା ବିଡ଼ମ୍ବନା ହେଉଛି, ଯେଉଁ ବ୍ୟକ୍ତିବିଶେଷ ବା ସଂସ୍ଥାଗୁଡ଼ିକ ରଣ ପରିଶୋଧ କରିବାର ସାମର୍ଥ୍ୟ ରଖନ୍ତି ନାହିଁ ସେମାନଙ୍କୁ ରଣ ଦିଆଯାଉଛି । ଗରିବ ଲୋକମାନଙ୍କ ପାଇଁ ଯାହାକୁ ଆମେ ସବ୍‌ସିଡି କହୁଛୁ, ଧନୀମାନଙ୍କ କ୍ଷେତ୍ରରେ ସେଇ ଏକା ରିହାତିକୁ ଇନ୍‌ସେଣ୍ଟିଭ୍‌ କୁହାଯାଉଛି । ଅନ୍ୟ ପକ୍ଷରେ, ଚାଷୀମାନଙ୍କୁ ଯେତିକି ଆନୁଷାନିକ ରଣ ମିଳିବା କଥା, ସେତିକି ମିଳି ପାରୁନାହିଁ (ଓଡ଼ିଶାରେ ୨୦୧୫ରେ ୧୦୦ ରୁ ଅଧିକ କୃଷକ ଆତ୍ମହତ୍ୟା ଏହାର ଅନ୍ୟତମ କାରଣ) । ରିପୋର୍ଟରେ ଏ କଥା ମଧ୍ୟ ଦର୍ଶାଯାଇଛି ଯେ ଅର୍ଥନୀତିକୁ ପ୍ରଗତିଶୀଳ କରିବା ପାଇଁ ଯେଉଁ ‘ମାନ’ ର ପ୍ରଯୁକିବିଦ୍ୟା ଆବଶ୍ୟକ, ଭାରତରେ ତାହା ଏଯାଏଁ ସମ୍ପୂର୍ଣ୍ଣ ଭାବେ ଉପଯୋଗ ହୋଇପାରିନାହିଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦୁଇଟି ଉପାୟରେ ଅର୍ଥନୀତିର ହିତ ସାଧନ କରିପାରେ । (୧) ମନୁଷ୍ୟକୃତ ତ୍ରୁଟି କମ୍‌ହେବ, (୨) ପାରମ୍ପରିକ ବ୍ୟବସାୟିକ ମଡେଲରୁ ଉପରକୁ ଯାଇ ହେବ । ଏହା ବାଦ୍‌ ଆମ ଶାସନତନ୍ତ୍ରରେ ପାରଦର୍ଶିତାର ଅଭାବ ଏବେ ବି ରହିଛି । ସୂଚନା ଅଧିକାର ଆଇନ୍‌, ପ୍ରଶାସନିକ ସଂସ୍ଥାର ଏବଂ ଇ-ଶାସନ ପରେ ମଧ୍ୟ ଢେର୍ ସାଧାରଣ ନାଗରିକ ସରକାରଙ୍କ ଅଧିକାଂଶ ଯୋଜନା ବାବଦରେ ବିଲ୍‌କୁଲ୍‌ କିଛି ଜାଣନ୍ତି ନାହିଁ । ଏହା ଉଭୟ ଲଜ୍ଜା ଓ ଚିନ୍ତାର ବିଷୟ ।

 

ଏକ ପ୍ରଗତିଶୀଳ ଅର୍ଥନୀତି କେବଳ ମୋଟ ଘରୋଇ ଉତ୍ପାଦନ ବା ଜିଡ଼ିପିର ବାର୍ଷିକ ମାନସାଙ୍କକୁ ଗୁରୁତ୍ୱ ଦେଲେ ଚଳିବ ନାହିଁ, ସମସ୍ତଙ୍କୁ ସାଙ୍ଗରେ ଧରି ଆଗକୁ ଯିବାକୁ ହେଲେ ଚକ୍ରବ୍ୟୂହରୁ ‘ପ୍ରସ୍ଥାନ’ କୁ ମଧ୍ୟ ଉପଯୁକ୍ତ ଗୁରୁତ୍ୱ ଦେବାକୁ ପଡ଼ିବ।

(ନିତିଦିନ, ତା ୪/୩/୨୦୧୬)

Image

 

ଏକ ଅଜବ ଉଡ଼ାଣ ସମ୍ପର୍କରେ

 

କିଙ୍ଗଫିସର୍‌ ଏୟାରଲାଇନ୍‌ସ୍‌ ପଛକେ ବରବାଦ୍‌ ହୋଇ ଯାଇଥାଉ, ଏହାର ମାଲିକ ବିଜୟ ମାଲ୍ୟାଙ୍କର ସେଥପାଇଁ ଚିନ୍ତା ନାହିଁ । ୟୁ.ବି. ଗ୍ରୁପ୍‌ର ବ୍ୟାପକ ପ୍ରଭାବ ଯୋଗୁଁ ଏକଦା ‘ମଦ ସମ୍ରାଟ୍‌’ ଭାବରେ ପରିଚିତ ମାଲ୍ୟାଙ୍କୁ ଏବେ ‘ରଣ ସମ୍ରାଟ୍‌’ ପଦବୀ ମିଳିଥିଲେ ହେଁ ବାବୁଙ୍କ ବିନ୍ଦାସ୍‌ ଜୀବନଚର୍ଯ୍ୟାରେ କିଛି ଫରକ ପଡ଼ି ନାହିଁ । ମାଲ୍ୟା ମହାଶୟ ୯,୦୦୦ କୋଟି ଟଙ୍କା ଋଣ ନେଇ ଏବଂ ଇଚ୍ଛାକୃତ ଭାବରେ ରଣ ଖିଲାଫ କରି ଦେଶ ଛାଡ଼ି ଚାଲିଯିବା ପରେ ଏବେ ସେ ଋଣ ନେଇଥିବା ୧୭ଟି ବ୍ୟାଙ୍କକୁ ଭିତ୍ତି କରି ଗଢ଼ା ହୋଇଥିବା କନ୍‌ସର୍ଟିୟମ୍‌ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ପ୍ରାର୍ଥନା କରାଯାଇଛି, ମାଲ୍ୟାଙ୍କୁ ତୁରନ୍ତ ଗିରଫ କରି ବିଦେଶରୁ ଅଣାଯାଉ-। ଏକଥା ମଧ୍ୟ ପ୍ରକାଶ ପାଇଛି ଯେ ଗତ ଅକ୍ଟୋବର ମାସରୁ ତାଙ୍କ ବିରୋଧରେ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି ହେବା ପରେ ଏବଂ ୨୦ରୁ ଅଧିକ ମାମଲା ରୁଜୁ ହେବା ପରେ ତାଙ୍କର ୪ ଥର ବିଦେଶ ଯାତ୍ରା ସମ୍ଭବ ହେଲା କିପରି ? (ଭାରତରେ ସବୁ ସମ୍ଭବ) । ପାଠକମାନଙ୍କ ନିମନ୍ତେ ସ୍ପଷ୍ଟ କରୁଛି ଯେ ମାଲ୍ୟାଙ୍କ ୯,୦୦୦ କୋଟି ଟଙ୍କା ଅପରିଶୋଧ ଋଣରାଶି ଭିତରୁ ରାଷ୍ଟ୍ରାୟତ୍ତ ପ୍ରମୁଖ ବ୍ୟାଙ୍କ ‘ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ଇଣ୍ଡିଆ’ ର ଋଣ କେବଳ ୧୬୦୦ କୋଟି ଟଙ୍କା । ତେବେ ମଜାର କଥା ହେଉଛି, ବୃହତ୍‌ରଣ ଖିଲାଫି ତାଲିକାରେ କେବଳ ମାଲ୍ୟା ମହାଶୟ ନାହାନ୍ତି । କୁହାଯାଉଛି, ଅନୀଲ ଅମ୍ବାନୀ, ଅନୀଲ ଅଗ୍ରଓ୍ୱାଲ, ଗୌତମ ଆଦାନୀ ଏବଂ ମନୋଜ ଗୌଡ଼ାଙ୍କ ବକେୟା ରଣରାଶି ମାଲ୍ୟାଙ୍କଠୁ ଅଧିକ ।

 

ନିକଟରେ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ବ୍ୟକ୍ତି / ସଂସ୍ଥାମାନଙ୍କ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ୫୦୦ କୋଟି ଟଙ୍କାରୁ ଅଧିକ ଋଣ ବାକି ଅଛି, ସେମାନଙ୍କ ତାଲିକା ଦାଖଲ କରାଯାଉ । ଖବର ମଧ୍ୟ ପ୍ରକାଶ ପାଇଛି ଯେ ଡିସେମ୍ବର ୨୦୧୫ ସୁଦ୍ଧା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ୭ ଲକ୍ଷ କୋଟି ଟଙ୍କାର ଋଣ ଅଚଳ ହେବାକୁ ବସିଛି । ବ୍ୟାଙ୍କଗୁଡ଼ିକ ତେଣୁ ପ୍ରଚଣ୍ଡ ଚାପରେ ଅଛନ୍ତି । ତେବେ ଯାହା ଦୁର୍ଭାଗ୍ୟଜନକ, ତାହା ହେଉଛି, ବେଶ୍‌ କ୍ଷେତ୍ରରେ ଋଣ ଖିଲାଫ ଇଚ୍ଛାକୃତ । ରିଜର୍ଭ ବ୍ୟାଙ୍କର ସୂତ୍ର ଅନୁଯାୟୀ ଏସବୁ ବ୍ୟାଙ୍କଗୁଡ଼ିକର ଅନ୍ତତଃ ଏକ ତୃତୀୟାଂଶ ଅଚଳ ସମ୍ପତ୍ତି ନିମନ୍ତେ ଦେଶର ମାତ୍ର ୩୦ ଜଣ ମହାବୃହତ୍‌ଋଣ ଖିଲାଫି ହିଁ ଦାୟୀ । ବିଡ଼ମ୍ବନା ଦେଖନ୍ତୁ । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, କାନାରା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ବରୋଦାର ମାତ୍ର ୪୪ ଜଣ ରଣ ଗ୍ରହୀତାଙ୍କ ପାଖରେ ଅନାଦେୟ ଥିଲା ୪,୮୭,୫ ୨୨ କୋଟି ଟଙ୍କା ଏବଂ ଏଇ ତାଲିକାର ସବା ଉପରେ ଥିଲା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ । (୩୯ ଜଣ ଋଣ ଗ୍ରହୀତାଙ୍କ ପାଖରେ ଅନାଦେୟ ରାଶି ୪,୪୨,୨୬୭ କୋଟି ଟଙ୍କା) । ସଚେତନ ଭାରତୀୟ ନାଗରିକଙ୍କୁ ଅସ୍ଥିର କରିଦେବା ପାଇଁ ଯଥେଷ୍ଟ ଏଇ ଖବର ।

 

ପାଠକେ, ୨୦୧୨ରୁ ୨୦୧୫ ମଧ୍ୟରେ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌୧.୧୪ ଲକ୍ଷ କୋଟି ଟଙ୍କା ଋଣ ମାଫ୍‌କରି ସାରିଛନ୍ତି । କେବଳ ୨୦୧୪- ୧୫ ଆର୍ଥକ ବର୍ଷରେ ପୂର୍ବ ବର୍ଷ ତୁଳନାରେ ଋଣ ମାଫିରେ ୫୩% ବୃଦ୍ଧି ଘଟିଛି, ଯାହା ଚିନ୍ତାଜନକ । ସ୍ପଷ୍ଟ କରୁଛି ଯେ କେବଳ ୨୦୧୪-୧୫ରେ ଏଇ ବ୍ୟାଙ୍କମାନେ ୫୨,୫୪୨ କୋଟି ଋଣ ଛାଡ଼ି ଦେଇଛନ୍ତି । ପୁଣି ଏଇ ସମୟ ଭିତରେ ବ୍ୟାଙ୍କଗୁଡ଼ିକରେ ଅଚଳ ସମ୍ପତ୍ତି (ଏନ୍‌ପିଏ) ବୃଦ୍ଧି ପାଇଥିଲା ୨,୬୭,୦୬୫ କୋଟି ଟଙ୍କାକୁ । ଅଧିକାଂଶଙ୍କ ଅତିପ୍ରିୟା / ନିର୍ଭରଯୋଗ୍ୟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨୧,୩୧୩ କୋଟି ଟଙ୍କାର ଅନାଦେୟ ଋଣ ଛାଡ଼ କରି ନିଜର ଭାବମୂର୍ତ୍ତିକୁ ନିର୍ମଳ ରଖିବା ପାଇଁ ଚେଷ୍ଟା କରିଛନ୍ତି । ସଂଯୋଗକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ପରାମର୍ଶ ଥିଲା ଯେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ହିସାବ ଖାତା ନିର୍ମଳ ରଖନ୍ତୁ । ସେ ଆଶାବ୍ୟକ୍ତ କରିଛନ୍ତି ଯେ ବ୍ୟାଙ୍କଗୁଡ଼ିକର ସଙ୍କଟ ସତ୍ତ୍ୱେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବ୍ୟାହତ ହେବନାହିଁ । ଗତବର୍ଷ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ବିଗିଡ଼ି ଯାଇଥିବା ସ୍ଵାସ୍ଥ୍ୟରେ ସୁଧାର ପାଇଁ ‘ଇନ୍ଦ୍ରଧନୁଷ୍‌’ ଯୋଜନାରେ ୭୦,୦୦୦ କୋଟି ଟଙ୍କାର ଫ୍ୟାକେଜ୍‌ ଘୋଷଣା କରିଥିଲେ ଏବଂ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏଇ ମର୍ମରେ ୧୩ଟି ରାଷ୍ଟାୟର ବ୍ୟାଙ୍କକୁ ୨୦,୦୮୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ବ୍ୟାଙ୍କ ଅଫ୍‌ ବରୋଦା ଏ ସାହାଯ୍ୟ ଯଦିଓ ନେଇନାହିଁ, ମାତ୍ର ହିସାବରୁ ଜଣାପଡ଼ିଛି ଯେ ଅକ୍ଟୋବର ରୁ ଡ଼ିସେମ୍ବର ୨୦୧୫ ମଧ୍ୟରେ ୟାର କ୍ଷତି ୩,୩୪୨ କୋଟିରେ ପହଞ୍ଚିଛି, ଯାହା ଏକ ରେକର୍ଡ଼ । ସେହିପରି ଅକ୍ଟୋବର ୨୦୧୪ ରୁ ଡିସେମ୍ବର ୨୦୧୪ ଭିତରେ ଷ୍ଟେଟ୍‌ ବ୍ୟାଙ୍କର ଲାଭ ୨୯୧୦ କୋଟି ହୋଇଥିବା ସ୍ଥଳେ ଅକ୍ଟୋବର-ଡିସେମ୍ବର ୨୦୧୫ରେ ତାହା ୬୨% ହ୍ରାସ ପାଇଁ ପହଞ୍ଚିଛି ୧୧୧୫ କୋଟି ଟଙ୍କାରେ ।

 

ଏକଥା ମଧ୍ୟ ଜଣାପଡ଼ିଛି, କୃଷିଋଣ ତୁଳନାରେ ଅନାଦେୟ କର୍ପୋରେଟ୍‌ ଋଣ ଯଥେଷ୍ଟ ଅଧିକ (ଅନାଦେୟ କର୍ପୋରେଟ୍‌ ଋଣ ୨୦୧୫ ସୁଦ୍ଧା–୨୭,୭୦,୯୩୧ କୋଟି) । ପାଠକେ ଜାଣନ୍ତି ଯେ ନାମକୁ ମାତ୍ର ଋଣ ନେଇ ଦେଶରେ (ଓଡିଶା ସମେତ) ହଜାର ହଜାର କୃଷକ ଆତ୍ମହତ୍ୟା କରୁଛନ୍ତି, ଯଦିଓ ସରକାର ଏକଥା ଜମାରୁ ମାନିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଏଣେ କିଙ୍ଗ୍‌ଫିସର ମାର୍କା ବଡ଼ ବ୍ୟବସାୟୀମାନେ ସେମାନଙ୍କ ଭବ୍ୟ ଉଡ଼ାଣ ଜାରି ରଖିଛନ୍ତି ।

 

ଅର୍ଥନୀତିଜ୍ଞମାନଙ୍କ ମତ ଯେ କେଇ ବର୍ଷ ଆଗରୁ ଛୋଟ ଋଣ ଗ୍ରହୀତାମାନଙ୍କୁ ଲଜ୍ଜିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଫଟୋ ସହିତ ବିଜ୍ଞାପନ ଛାପୁଥିଲେ ଯାହା କଦାପି କୌଣସି ବଡ଼ଲୋକଙ୍କ ବିରୋଧରେ ଅଭିପ୍ରେତ ନଥିଲା ଏବଂ ଅଜ୍ଞାତ କାରଣ ଯୋଗୁଁ ଏବେ ବନ୍ଦ ହୋଇସାରିଛି । ଅତୀତରେ କେନ୍ଦ୍ରୀୟ ସୂଚନା କମିଶନ ଋଣ ଖିଲାଫିଙ୍କ ବାବଦରେ ବ୍ୟାଙ୍କଗୁଡ଼ିକ ସୂଚନା ଅଧିକାର ଆଇନରେ ତଥ୍ୟ ଦେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ପରିସ୍ଥିତିରେ ସୁଧାର ଆସିନାହିଁ । ସ୍ଵୟଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି । ରଘୁରାମ ରାଜନ୍‌ (ଆର୍‌,ବି.ଆଇ.ଗଭର୍ଣ୍ଣର) ଋଣ ଗ୍ରହୀତାଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ନିଜର ଚଳଣିରେ ସଂଯମତା ଅବଲମ୍ବନ କରନ୍ତୁ, କାରଣ ଦେଶ ଉପରେ ୟାର ଖରାପ ପ୍ରଭାବ ପଡ଼ୁଛି । ତେବେ ମହାମାନ୍ୟ ମାଲ୍ୟାଙ୍କ ପରି ବ୍ୟବସାୟୀଙ୍କର ଚିନ୍ତା ନାହିଁ । ଭା.ଜ,.ପା. ସରକାର ଶାସନକୁ ଆସିବା ଆଗରୁ ବିଦେଶରୁ କଳାଟଙ୍କା ଫେରାଇ ଆଣିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ, ଯାହା ଏଯାଏଁ ମାଟି ଉପରକୁ ଉତୁରି ପାରିନାହିଁ । ଆକଳନ ମୁତାବକ, ବିଦେଶରେ ଗଛିତ ଭାରତୀୟ କଳାଟଙ୍କାର ମୁଲ୍ୟ ପାଖାପାଖି ୧୦ ଲକ୍ଷ କୋଟି । ମାଲ୍ୟାଙ୍କ ବିଦେଶ ଗସ୍ତ ଉପରେ ମତ ରଖି ଜଣେ ସ୍ତମ୍ଭକାର ଲେଖୁଛନ୍ତି ଯେ ମାଲ୍ୟାଙ୍କୁ ଫେରାଇ ଆଣିବା ପାଇଁ ସରକୀର ଯେତିକି ବ୍ୟସ୍ତ ନୁହେଁ, ସେତିକି ଅଥୟ କହ୍ନେୟା କୁମାରଙ୍କୁ ‘ରାଷ୍ଟ୍ରଦ୍ରୋହୀ’ ପ୍ରମାଣିତ କରିବା ପାଇଁ । ଆଉ ଜଣଙ୍କ ମତ ହେଉଛି, ଅନାଦେୟ ଋଣ ଆଦାୟ ନିମନ୍ତେ ଭାରତରେ କଠୋର ଆଇନ୍‌ ବ୍ୟବସ୍ଥା ଖାସ୍‌ ଏଥିପାଇଁ ନାହିଁ ଯେ ଖିଲାଫିମାନଙ୍କ ତାଲିକାରେ ସବୁ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ଅଛନ୍ତି । ପାଠକେ, ଉଭୟ ମତ ଠିକ୍‌ ମନେ ହେଉଛି ।

(ନିତିଦିନ, ତା ୧/୪/୨୦୧୬)

Image

 

ଅଭିବୃଦ୍ଧି: ମାୟା ଓ ବାସ୍ତବିକତା

 

ଏକ ନିର୍ଦ୍ଦିଷ୍ଟ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହିତ ଏହାର ଅର୍ଥନୈତିକ ସାମ୍ୟର ଯେ ଆନୁପାତିକ ସମ୍ପର୍କ ନାହିଁ ଏବଂ ସମ୍ପୃକ୍ତ ଅର୍ଥନୀତିର ସାମଗ୍ରିକ ଅଭିବୃଦ୍ଧି ଜାରି ରହୁ ବା ନରହୁ, ଯେ କୌଣସି ସ୍ଥିତିରେ ଧନୀମାନେ ଅଧିକ ଧନବାନ୍‌ ହେବାର ସମ୍ଭାବନା ଉଜ୍ଜଳ, ଏକଥା ଚମତ୍କାର ଭାବରେ ଉପସ୍ଥାପନ କରିଛନି ପ୍ୟାରିସ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସ୍‌ର ପ୍ରଫେସର ଥୋମାସ୍‌ ପିକେଟି–ତାଙ୍କର ପ୍ରସିଦ୍ଧ ତଥା ବିତର୍କିତ ପୁସ୍ତକ ‘କ୍ୟାପିଟାଲ୍‌ ଇନ୍‌ ଦ ଟ୍ୱେଣ୍ଟିଫାଷ୍ଟ୍‌ ସେଞ୍ଚିରୀ’ରେ । ୨୦୧୩ରେ ଫରାସୀ ଭାଷାରେ ପ୍ରକାଶିତ ଏଇ ପୁସ୍ତକ ୨୦୧୪ ରେ ଇଂରାଜୀ ଭାଷାରେ ପ୍ରକାଶ ପାଇବା ପରେ ହିଁ ଚର୍ଚ୍ଚା ଜୋର୍‌ ଧରିଥିଲା । ଅର୍ଥନୈତିକ ବୈଷମ୍ୟ ସଂକ୍ରାନ୍ତ ଗବେଷଣାରେ ପାଣ୍ଡିତ୍ୟ ହାସଲ କରିଥବା ପିକେଟି ତାଙ୍କ ପୁସ୍ତକରେ ୨୫୦ ବର୍ଷର ତଥ୍ୟକୁ ନେଇ ଅନୁଶୀଳନ କରିଛନ୍ତି ଏବଂ ଉଲ୍ଲେଖନୀୟ ହେଉଛି ଯେ ବିଭିନ୍ନ ଦେଶର ଟ୍ୟାକ୍ସ୍‌ରିଟର୍ଣ୍ଣକୁ (ଧନୀମାନଙ୍କର) ଭିତ୍ତି କରିଛି ତାଙ୍କର ଅଧ୍ୟୟନ, ଯାହା ସ୍ଵୟଂ ଏକ ବିରଳ ସଫଳତା । ପିକେଟିଙ୍କ ମତ ଯେ ଅର୍ଥନୈତିକ ବୈଷମ୍ୟ ଆଦୌ ଏକ ଦୁର୍ଘଟଣା ନୁହେଁ, ପୁଞ୍ଜିବାଦର ଏହା ଏକ ସ୍ଵାଭାବିକ ପ୍ରକ୍ରିୟା । ସେ ସ୍ପଷ୍ଟ କରିଛନ୍ତି, ଗତ ୨୦୦ ବର୍ଷ ଭିତରେ ଉଭୟ ୟୁରୋପ ଏବଂ ଆମେରିକାରେ ଅର୍ଥନୈତିକ ବୈଷମ୍ୟ ଉତ୍କଟ ଥିଲା । ଘରୋଇ ସମ୍ପଦ ବୃଦ୍ଧି ତୁଳନାରେ ସାମଗ୍ରିକ ଅର୍ଥନୈତିକ ବିକାଶ ପଛରେ ପଡ଼ିଥିଲା । ଧନୀକ ଶ୍ରେଣୀ କିନ୍ତୁ ବାରିହୋଇ ପଡ଼ୁଥିଲା । ଶିଳ୍ପ ବିପ୍ଳବ ଉପରାନ୍ତ ଯଦିଓ ଖାଲଖମା ସମାନ ହେବା ଆରମ୍ଭ ହୋଇ ସାରିଥିଲା; ମୂଲ ମଜୁରୀ ବଢ଼ୁଥିଲା, ଚଳିବା ଟିକେ ଫର୍ଚ୍ଚା ହେଉଥଲା, ତେବେ ଏହା ସେମିତି ପ୍ରଭାବଶାଳୀ ନଥବଲା । ସ୍ଥିତିରେ କେବଳ ଆଖିଦୃଶିଆ ପରିବର୍ତ୍ତନ ଆସିଥିଲା ବିଂଶ ଶତାବ୍ଦୀରେ, ଯେତେବେଳେ ଧନପତିମାନଙ୍କର ସମ୍ପଦ ଗଦାର ଉଚ୍ଚତା ସାମାନ୍ୟ କମିଲା। ଏହା ମୂଳରେ ଥିଲା ସଂସ୍କାର ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି । ତେବେ ପରିସ୍ଥିତି ବଦଳିଗଲା ୧୯୭୦ ପରେ ପରେ। ଧନକୁବେରଙ୍କ ଧନ ଭଣ୍ଡାର ପୁଣି ବଢ଼ିଲା । କେବଳ ଯୁକ୍ତରାଷ୍ଟ୍ର ଏବଂ ଯୁରୋପରେ ଏହା ଘଟିନଥିଲା, ସାରା ପୃଥିବୀରେ ଊଣା ଅଧିକେ ଏୟା ହିଁ ହୋଇଥିଲା । ପିକେଟି ଲେଖୁଛନ୍ତି ଯେ ୧୯୭୭ରୁ ୨୦୦୭ ପର୍ଯ୍ୟନ୍ତ କେବଳ ଯୁକ୍ତରାଷ୍ଟ୍ରରରେ ବର୍ଦ୍ଧିତ ଜାତୀୟ ଆୟର ୬୦% ଯାଇଥିଲା ବିତ୍ତଶାଳୀଙ୍କ ପକେଟ୍‌କୁ । ଆଗକୁ ଏହାର ପୁନରାବୃତ୍ତି ହେବ । ଏବେ ସାମାନ୍ୟ ବିସ୍ତାରରେ ଆସିବା ଆଲୋଚନାକୁ । ପିକେଟିଙ୍କ ଯୁକ୍ତି ହେଉଛି– ୦ରୁ ୧୭୦୦ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ତମାମ୍‌ ପୃଥିବୀରେ ଅଭିବୃଦ୍ଧି ନଥିଲା କହିଲେ ଚଳେ । ଉତ୍ପାଦକତା ୦.୧% ଥିଲା (ଜନସଂଖ୍ୟା ବୃଦ୍ଧି ୦.୦୬%+ ମୁଣ୍ଡପିଛା ଉତ୍ପାଦନ ୦.୦୨%) । ୧୭୦୦ରୁ ୨୦୧୨ ପର୍ଯ୍ୟନ୍ତ ଅଭିବୃଦ୍ଧି ହାର ୧.୬% ଥିଲା ଯାହା ଅଧିକ ନିର୍ଦ୍ଦିଷ୍ଟ ଭାବରେ ୧୭୦୦ ରୁ ୧୮୨୦ ମଧରେ ୦.୫%, ୧୮୨୦ ରୁ ୧୯୧୩ ଭିତରେ ୧.୫% ଏବଂ ୧୯୧୩ରୁ ୨୦୧୨ ମଧ୍ୟରେ ୩% ଥିଲା । ୧୯୧୩ରୁ ୨୦୧୨ ଭିତରେ ମୁଣ୍ଡପିଛା ଜିଡ଼ିପି ହାର ଥିଲା ୧.୬% । ୧୭୦୦ରେ ପୃଥିବୀର ଜନସଂଖ୍ୟା ୬୦୦ ନିୟୁତ ଥିବାବେଳେ ୨୦୧୨ରେ ତାହା ପହଞ୍ଚି ଥିଲା ୭ ବିଲିୟନ୍‌ରେ । ଜନସଂଖ୍ୟା ବୃଦ୍ଧି ବାବଦରେ ଲେଖକ କହିଛନ୍ତି ଯେ ୟୁରୋପ ପାଇଁ ୧୭୦୦ ରୁ ୧୯୧୩ ପର୍ଯ୍ୟନ୍ତ ସମୟ ଗୁରୁତ୍ଵପୂର୍ଣ୍ଣ ଥିଲା (ସର୍ବାଧିକ ବୃଦ୍ଧି) କାରଣ ୟା ପରେ ଜନସଂଖ୍ୟା ଅଭିବୃଦ୍ଧି ହାର ଖସିଥିଲା ୦∙୪%କୁ । ଅନ୍ୟ ପକ୍ଷରେ, ଏସିଆ ଓ ଆଫ୍ରିକାରେ ଜନସଂଖ୍ୟା ଏଇ ଶହେବର୍ଷ ଭିତରେ ପାଖାପାଖି ୫ ଗୁଣ ବଢ଼ିଥଲା । ଇଜିପ୍ଟ, ନାଇଜେରିଆ, ଭାରତ, ପାକିସ୍ତାନ- ସବୁଠି । ଆମେରିକାରେ ୧୭୮୦ରେ ଜନସଂଖ୍ୟା ତିନି ନିୟୁତ ଥିବାବେଳେ ୨୦୧୦ ରେ ନାଟକୀୟ ଭାବେ ବଢ଼ିଥିଲା ୩୦୦ ନିୟୁତକୁ । ୟା ପଛରେ କାରଣ ମଧ୍ୟ ଥିଲା ଲକ୍ଷଲକ୍ଷ ଲୋକ ଅନ୍ୟ ଦେଶରୁ ଏଠିକୁ ଆସୁଥିଲେ ଜୀବିକା ପାଇଁ, ଯାହା ଏସିଆ ଏବଂ ଆଫ୍ରିକା ପାଇଁ ସମାନ ନଥିଲା । ୧୯୧୩ରୁ ୨୦୧୬ ଭିତରେ ବିଶ୍ୱ ଜନସଂଖ୍ୟା ବୃଦ୍ଧି ହାର ୧.୪% ଥିଲା ଯାହା ଜାତିସଂଘ ଆକଳନ ମୁତାବକ ୨୦୧୨ରୁ ୨୦୫୦ ମଧ୍ୟରେ ୦.୭% ଏବଂ ୨୦୫୦ରୁ ୨୧୦୦ ଭିତରେ ୦.୨% ରହିବ । ସେଇ ଆକଳନ ଅନୁସାରେ ୨୦୨୦ ସୁଦ୍ଧା ଭାରତ ହେବ ପୃଥିବୀର ସବୁଠୁ ଜନବହୁଳ ରାଷ୍ଟ୍ର । ପିକେଟିଙ୍କ ମତ ଯେ କେବଳ ଅର୍ଥନୀତିର ସାମଗ୍ରିକ ବିକାଶ ନୁହେଁ, ବ୍ୟକ୍ତିଗତ ଆର୍ଥକ ସ୍ଥିରତା ସହିତ ସଂଯୁକ୍ତ ହୋଇ ରହିଛି ଜନସଂଖ୍ୟା ଅଭିବୃଦ୍ଧି । ଉତ୍ତରାଧିକାର କ୍ରମରେ ଜଣେ ପାଇଥିବା ସମ୍ପତ୍ତି ଜନସଂଖ୍ୟା ବୃଦ୍ଧି ସ୍ଥିତିରେ ବିଖଣ୍ଡିତ / ବିପନ୍ନ ହେବ ଏବଂ କ୍ରମଶଃ ‘ପୁଞ୍ଜି’ ଭାବରେ ତା’ ର ଗୁରୁତ୍ୱ ହରେଇ ବସିବ । ପରିବର୍ତ୍ତିତ ସ୍ଥିତିରେ ଜଣେ ନିର୍ଭର କରିବା ପାଇଁ ବାଧ୍ୟ ହେବ ଆପଣା ଉପାର୍ଜନ / ସଞ୍ଚୟ ଉପରେ । ଅଧ୍ୟୟନ କ୍ରମଶଃ ସ୍ପଷ୍ଟ କରୁଛି, ଉପାର୍ଜନ ପାଇଁ ସ୍ଥାନାନ୍ତରିତ ହେଉଥିବା ପରିବାର ସେମାନଙ୍କ ପୈତୃକ ସମ୍ପତ୍ତି ଉପରେ ସେତେ ନିର୍ଭରଶୀଳ ନୁହନ୍ତି । ଅନ୍ୟ ପକ୍ଷରେ, ଯେଉଁ ପରିବାର ଉତ୍ତରାଧିକାର ସୂତ୍ରରେ ପ୍ରଭୂତ, ସମ୍ପଦର ଅଧିକାରୀ ଏବଂ ସମାନ୍ତରାଳ ଭାବରେ ସମ୍ପତ୍ତିର ସଦୁପଯୋଗ ନିମନ୍ତେ ପ୍ରୟାସୀ ସେମାନେ ସବୁଠି ବାରି ହୋଇ ରହିଛନ୍ତି ଧନୀ ଭାବରେ । ଏମିତି ଅଧିକାଂଶ ଧନୀଙ୍କ ଭାଗରେ ଯାହା ରହିଛି, ସେସବୁ ଭିତରେ ଗୁରୁତ୍ୱ ପୂର୍ଣ୍ଣ ଭୂସମ୍ପତ୍ତି / ରିଅଲ ଇଷ୍ଟଟ୍‌ ଏବଂ ପାରିବାରିକ ବ୍ୟବସାୟ !

ପାଠକେ, ତମାମ୍‌ ପୃଥିବୀରେ ଦୃଶ୍ୟମାନ ଅର୍ଥନୈତିକ ବୈଷମ୍ୟ ବାବଦରେ କିଛି ତଥ୍ୟ ଉପରେ ନଜର ପକାନ୍ତୁ । ପୃଥିବୀ ଜନସଂଖ୍ୟାରେ ୭୦ ପ୍ରତିଶତଙ୍କ ପାଖରେ ରହିଛି ମୋଟ (ପୃଥିବୀ) ସମ୍ପଦର ମାତ୍ର ୩% । ଅନ୍ୟ ପକ୍ଷରେ ମୋଟ ସମ୍ପଦର ପାଖାପାଖି ୮୪% ଅଛି କେବଳ ୮.୧% ଙ୍କ ପାଖରେ ଯେଉଁମାନେ ସର୍ବାଧିକ ଧନୀ । ତଥ୍ୟ ମୁତାବକ, ଏମାନଙ୍କ ସର୍ବନିମ୍ନ ସମ୍ପତ୍ତି ଏକଲକ୍ଷ ଆମେରିକୀୟ ତଲାର୍‌ ନଚେତ୍‌ ତଦୁର୍ଦ୍ଧ । ତାରତମ୍ୟର ଖସଡ଼ା ସାମାନ୍ୟ ଏବେ ବିସ୍ତାରରେ । (୧) ବିଶ୍ୱର ସର୍ବାଧିକ ଧନୀ ଆମେରିକାରେ (ମୋଟ ଧନୀଙ୍କ ୪୬%) । ତା’ ପଛକୁ ୟୁ.କେ. (ୟୁନାଇଟେଡ଼ କିଙ୍ଗଡ଼ମ୍‌) ଓ ଜାପାନ (ଯଥାକ୍ରମେ ୭% ଓ ୬%) । (୨) ୩୦୦ ନିୟୁତ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ ହେଉଛନ୍ତି ହାତଗଣତି । ତେବେ ଅବାକ୍‌ କରିବା ପରି ଖବର ହେଉଛି, ସେମାନଙ୍କ ପାଖରେ ଅଛି ବିଶ୍ୱ ସମ୍ପତ୍ତିର ୧୨.୮% । (୩) ୨୦୧୬ରେ ପ୍ରକାଶିତ ଖବର ମୁତାବକ ପୁଥିବୀର ସର୍ବାଧିକ ୧୦ ଜଣ ଧନୀଙ୍କ ମୋଟ ସମ୍ପତ୍ତି ୬,୫୦୬ ବିଲିୟନ୍‌ ଡଲାର ଯାହା ଅଧିକାଂଶ ଅର୍ଥନୀତିଙ୍କ ମୋଟ ଘରୋଇ ଉତ୍ପାଦନ (ଜିଡିପି)ଠୁ ଅଧିକ । (୪) ଆମେରିକାରେ ତାରତମ୍ୟର ସ୍ଥିତି ସବୁଠୁ ସଙ୍ଗୀନ, କାରଣ ୟାର ସବୁଠୁ ବିତ୍ତଶାଳୀ ୫% ପରିବାରଙ୍କ ପାଖରେ ଅଛି ମୋଟ ସମ୍ପଦର ୯୦% । (୫) ବିକଶିତ ବିକାଶଶୀଳ ଏବଂ ଅନୁନ୍ନତ ଅର୍ଥନୀତିର ବୈଷମ୍ୟର ଚେହେରା ! ଭୟଙ୍କର ତାରତମ୍ୟ ପ୍ରାୟ ଏକା ପରି । (୬) ବିପୁଳ ସମ୍ପତ୍ତି ଥରେ ହାତକୁ ଆସିଲେ ତେଣିକି କେମିତି ବଢ଼େ, ଏ ନେଇ ଫ୍ରାନ୍ସ, ଜାପାନ, ଯୁକ୍ତରାଷ୍ଟ, ଡେନ୍‌ମାର୍କ, ଇଟାଲୀ ଏବଂ ଅନ୍ୟ ୭ଟି ଦେଶକୁ ନେଇ କରା ଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଏସବୁ ଦେଶରେ ଧନୀଙ୍କ ପାଖରେ ୧୯୬୦ ସୁଦ୍ଧା ଥିବା ସମ୍ପର୍କ ୨୦୧୨ ସୁଦ୍ଧା ଅତି କମ୍‌ରେ ୧୦୦ ଗୁଣରୁ ୨୦୦ ଗୁଣ ବଢ଼ିଛି । ପ୍ରଫେସର ପିକେଟିଙ୍କ ମତ ଯେ ସମଗ୍ର ପୃଥିବୀରେ ବିଂଶ ଶତାବ୍ଦୀରେ ପ୍ରଥମ ୭୦ ବର୍ଷ ଯୁଗାନ୍ତକାରୀ ଥିଲା ଏଇ ଦୃଷ୍ଟିରୁ ଯେ ମୁଣ୍ଡପିଛା ଉତ୍ପାଦନ ଜିଡ଼ିପି ଏଇ ସମୟରେ ହିଁ ବାର୍ଷିକ ୧.୬ ହାରରେ ବଢ଼ିଥିଲା । ତେବେ ଦୁର୍ଭାଗ୍ୟ, ଏକବିଂଶ ଶତାଦ୍ଦୀରେ ଏହା ଆଉ ବଢ଼ିବାର ସମ୍ଭାବନା ନାହିଁ । ଚୀନ୍‌ ଓ ଭାରତ ପରି କିଛି ବିକାଶଶୀଳ ଅର୍ଥନୀତିକୁ ବାଦ୍‌ଦେଲେ (ଏମାନଙ୍କ କ୍ଷେତ୍ରରେ ଅଭିବୃଦ୍ଧି ହାର ୪୪ରୁ ୫% ରହିବ) ଅବଶିଷ୍ଟ ପୃଥିବୀରେ ଏହା ବାର୍ଷିକ ୦.୫ରୁ ୧.୫% ହେବ ୧୯୮୦ରୁ ୨୦୧୬ ମଧରେ ମୁଣ୍ଡପିଛା ଅଭିବୃଦ୍ଧି ହାର ଯୁକ୍ତରାଷ୍ଟ୍ର ଓ ଆଫ୍ରିକା କ୍ଷେତ୍ରରେ ୧.୮%, ୧.୩% ଓ ୦.୮% ଥବା ସମୟରେ ଏସିଆ କ୍ଷେତ୍ରରେ ଏହା ୩.୧% ଥିଲା-। ତେବେ ପିକେଟି ଏକଥା ମଧ ଭବିଷ୍ୟବାଣୀ କରିଛନ୍ତି ଯେ ଆଗକୁ ବ୍ୟକ୍ତିଗତ ଅଭିବୃଦ୍ଧି ଉତ୍ତରାଧିକାର ସୂତ୍ରରେ ମିଳିଥିବା ସମ୍ପଦ ସହିତ ସଦା ସହବନ୍ଧିତ ହେବନାହିଁ । ଅର୍ଥାତ୍‌ ନୂଆ ଅର୍ଥନୀତି ଗୁରୁତ୍ୱ ଦେବ ଏକ ନୂଆ ପ୍ରଜାତିକୁ (ଏହା ଦୃଶ୍ୟମାନ) । ଯାହା ପାଖରେ ପୈତୃକ ସମ୍ପଦ ନାହିଁ, ମାତ୍ର ବୁଦ୍ଧିମତ୍ତା ଅଛି, ଆଗ୍ରହ ଅଛି, ଯୋଜନା ଅଛି ଏବଂ ଯୋଜନାକୁ ସାକାର କରିବାର ଦୃଢ଼ ଇଚ୍ଛାଶକ୍ତି ଅଛି ସିଏ ମଧ୍ୟ ଯଥେଷ୍ଟ ଆଗକୁ ଯିବ । ପାଠକେ, ଆମ ସମୟରେ ଚର୍ଚ୍ଚିତ ଢେର୍‌ ଆଇଟି କମ୍ପାନୀ / ଇ-କମର୍ସ ପୋର୍ଟାଲ୍‌ ଏଇ ବର୍ଗର ।

ଶିଳ୍ପ ବିପ୍ଳବଠୁ ପ୍ରଲମ୍ବିତ ଅର୍ଥନୈତିକ ବୈଷମ୍ୟର ଧାରାକୁ, ଅସନ୍ତୁଳନକୁ ପ୍ରଫେସର ପିକେଟି ପୁଞ୍ଜିବାଦର ଉପଜ ବୋଲି ସ୍ୱୀକାର କରିଥିଲେ ହେଁ ୟାର ବିବର୍ତ୍ତନକୁ ରୋକାଯାଇପାରିବ ବୋଲି ମଧ୍ୟ ମତ ଦେଇଛନ୍ତି । ଏହା ସମ୍ଭବ ହେବ ଧନୀମାନଙ୍କଠାରୁ ସେମାନଙ୍କ ସମ୍ପତ୍ତି ବାବଦରେ ଟିକସ ଆଦାୟ କରି, ଯାହା ନିରନ୍ତର ମୂଲ୍ୟାୟନଭିତ୍ତିକ ହେବ ଏବଂ ନିର୍ଦ୍ଦିଷ୍ଟ କୌଣସି ଦେଶ ପାଇଁ ଟିକସ ନହୋଇ ସାରା ପୃଥିବୀ ପାଇଁ ଟିକସ ହେବ। ଧନୀମାନଙ୍କ ତାଲିକା ବିଶ୍ଵସ୍ତରୀୟ ହେବ ।

୨୦୧୫ ଡିସେମ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭାରତ ଆସିଥିଲେ ପିକେଟି । ଗୋଟିଏ ସାକ୍ଷାତ୍‌କାରରେ ସେ କହିଥିଲେ, ସାରା ପୃଥିବୀରେ ଅର୍ଥନୈତିକ ସ୍ରୋତର ଗତି ତୀବ୍ର । ଅର୍ଥନୈତିକ ବୈଷମ୍ୟକୁ ହ୍ରାସ କରିବା ପାଇଁ ଜ୍ଞାନର ଗଣତାନ୍ତ୍ରିକୀକରଣ ଯେତିକି ଗୁରୁତ୍ଵପୂର୍ଣ୍ଣ, ସମାନ ମହତ୍ତ୍ଵପୂର୍ଣ୍ଣ ଜୀବିକା ନିମନ୍ତେ କୌଶଳର ବିକାଶ । ଭାରତରେ ଅର୍ଥନୈତିକ ବୈଷମ୍ୟ ବାବଦରେ ତାଙ୍କର ମତ ଥିଲା ଯେ ସ୍ଵାଧୀନତ୍ତର ଭାରତରେ ଯଦିଓ ଏହା ହ୍ରାସ ପାଇଥିଲା, ତେବେ ୧୯୮୦ ପରଠୁ ଏହା ପୁନଃ ସମ୍ପ୍ରସାରିତ ହୋଇ ପ୍ରାକ୍‌-ସ୍ଵାଧୀନତା ସ୍ଥିତିକୁ ଲେଉଟିଛି । ଅନ୍ତର୍ଭୁକ୍ତୀ ବିକାଶ ପାଇଁ ଏଠି ଅନେକ କିଛି କରିବା ବାକି ରହିଛି ।

(ନିତିଦିନ, ତା ୧୩/୫/୨୦୧୬)

Image

 

ଅନ୍ଧମାନଙ୍କ ମୁଲକରେ ଏକଆଖିଆ ରାଜା

 

ନିକଟରେ ନିଜ ମନ୍ତବ୍ୟ ପାଇଁ ବିତର୍କିତ ହୋଇପଡ଼ିଥି‌ଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ । ବିଦେଶୀ ସାମ୍ବାଦିକଙ୍କ ପ୍ରଶ୍ନ ଥିଲା ‘ବିଶ୍ଵ ଅର୍ଥନୀତି ପରିପ୍ରେକ୍ଷୀରେ ଭାରତର ଅର୍ଥନୈତିକ ସ୍ଥିରାବସ୍ଥାକୁ ଏକ ‘ଉଜ୍ଜଳ ଚକଡ଼ା’ ଭାବରେ ଚିହ୍ନଟ କରାଯାଉଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ହିସାବରେ ତାଙ୍କର ପ୍ରତିକ୍ରିୟା କ’ଣ ? ରାଜନଙ୍କ ଉତ୍ତରରେ ଯେଉଁ ଅଂଶ ଚର୍ଚ୍ଚାକୁ ଆସିଥିଲା ଏବଂ କମ୍‌ ସମୟ ମଧ୍ୟରେ ବିବାଦୀୟ ହୋଇପଡ଼ିଥିଲା, ତାହା ଥିଲା ଏମିତି- ‘ଭାରତର ଅବସ୍ଥା ଅନ୍ଧମାନଙ୍କ ମୂଲକରେ ଏକଆଖିଆ ରାଜାଙ୍କ ଉପସ୍ଥିତି ପରି’ । ରାଜନ୍‌ ଦେଶ ବାହାରେ ଦେଇଥିବା ଏହି ମନ୍ତବ୍ୟର କଠୋର ସମାଲୋଚନା ହୋଇଥଲା ଭାରତରେ । ଏହାର ୩-୪ ଦିନ ପରେ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ବ୍ୟାଙ୍କ ମ୍ୟାନେଜମେଣ୍ଟ (ପୁଣେ)ର ସମାବର୍ତ୍ତନ ଉତ୍ସବରେ ରାଜନ୍‌ ତାଙ୍କର ଉପରୋକ୍ତ ମନ୍ତବ୍ୟ ବାବଦରେ କହିଥିଲେ, ସାରା ପୃଥିବୀରେ ପ୍ରଗତିଶୀଳ ଅର୍ଥନୀତିମାନଙ୍କ ମଧ୍ୟରେ ଭାରତ ଅନ୍ୟତମ ଅଗ୍ରଣୀ ଦେଶ । ତେବେ ମୋଟ ଘରୋଇ ଉତ୍ପାଦନ ଅଭିବୃଦ୍ଧି ହାର (ଜିଡିପି) ବିକାଶର ଏକମାତ୍ର ସୂଚକାଙ୍କ ହୋଇନପାରେ । ଆମକୁ ମୁଣ୍ଡପିଛା ଜିଡିପିକୁ ସମାନ ଗୁରୁତ୍ୱ‌ ଦେବାକୁ ପଡ଼ିବ । ଆଉ ମୁଣ୍ଡପିଛା ହିସାବ ଦେଖିଲେ ଏକଥା ସ୍ପଷ୍ଟ ହୋଇଯିବ ଯେ ଭାରତ ଏବେ ବି ବୃହତ୍‌ ଗରିବ ଦେଶମାନଙ୍କ ତାଲିକାରେ ରହିଛି । ଜୀବନରେ ଅସଲ ଉଜ୍ଜଳତା ଆଣିବା ପାଇଁ ତେଣୁ ଆମକୁ ବେଶ୍‌ କିଛି ପଥ ଅତିକ୍ରମ କରିବା ବାକି ଅଛି । ଆମକୁ ଚୀନ ସହିତ ତୁଳନା କରାଯାଉଛି । ୧୯୬୦ ବେଳକୁ ଚୀନ୍‌ ଅର୍ଥନୀତି ଆମଠୁ ନିମ୍ନରେ ଥିଲା, ଯାହା ଏବେ ଆମର ୫ ଗୁଣ ହୋଇସାରିଛି । ହାରାହାରି ଚୀନ୍‌, ନାଗରିକ ଭାରତୀୟଠୁ ଅନ୍ତତଃ ୪ ଗୁଣ ଧନୀ । ଏକଥା ସତ ଯେ, ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ନେଇ ଖୁସିହେବାର କାରଣ ରହିଛି। କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ । ପ୍ରତ୍ୟେକ ଭାରତୀୟଙ୍କୁ ଏକ ଗ୍ରହଣୀୟ ତଥା ସ୍ଵଚ୍ଛଳ ଜୀବନଧାରାକୁ ଆଣିବା ପାଇଁ ଅର୍ଥନୀତିକୁ ଆଗକୁ, ଅନ୍ତତଃ ୨୦ ବର୍ଷ ପର୍ଯନ୍ତ ଏହି କ୍ରମରେ କସରତ କରିବାକୁ ପଡ଼ିବ । ପରିପୋଷଣୀୟ ତଥା ଅନ୍ତର୍ଭୁକ୍ତୀ ବିକାଶ ନିମନ୍ତେ ଢ଼ାଞ୍ଚାଗତ ବ୍ୟବସ୍ଥାର କ୍ରମ ପରିବର୍ତ୍ତନ ଜାରି ରଖିବାକୁ ହେବ । ସେ ପୁଣି କହିଥିଲେ ‘ବ୍ରିକ୍‌ସ’ ଦେଶ (ବ୍ରାଜିଲ, ରୂଷିଆ, ଭାରତ, ଚୀନ୍‌ ଓ ଦକ୍ଷିଣଆଫ୍ରିକା) ମାନଙ୍କ ଭିତରେ ଆମ ସ୍ଥିତି ଆଦୌ ଭଲ ନୁହେଁ । ତେଣୁ ସାମଗ୍ରିକ ଅଭିବୃଦ୍ଧିକୁ ନେଇ ଭାସିଯିବାର ମୁହୂର୍ତ୍ତ ୟେ ନୁହେଁ । ସ୍ପଷ୍ଟ କରିଥିଲେ, ବିଦେଶରେ ଜଣେ ସାମ୍ବାଦିକ ଉତ୍ତର ଦେବାକୁ ଯାଇ ସେ ଅବଶ୍ୟ କହିଛନ୍ତି- ଭାରତୀୟ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି ଦୃଷ୍ଟିହୀନମାନଙ୍କ ମୁଲକରେ ଏକଆଖିଆ ରାଜାଙ୍କ ଉପସ୍ଥିତି ପରି । ଉଦ୍ଦେଶ୍ୟ ଥିଲା, ସାରା ପୃଥବୀରେ ଅର୍ଥନୈତିକ ସ୍ଥିରତା ବିଗିଡ଼ି ସାରିଥିବାବେଳେ ଭାରତର ଅଭିବୃଦ୍ଧି ଯଦିଓ ବାରି ହୋଇପଡ଼ୁଛି, କିନ୍ତୁ ଅଧିକ ଅଭିବୃଦ୍ଧି ନିମନ୍ତେ ଆମେ ତଥାପି କ୍ଷୁଧାର୍ତ୍ତ । ଉଦାରବାଦୀ ଅର୍ଥନୈତିକ ସଂସ୍କାର ଭାରତରେ ଜାରି ରହିଛି, ତଥାପି ଇପ୍‌ସିତ ଲକ୍ଷ୍ୟଠୁ ଆମେ ଯଥେଷ୍ଟ ଦୂରରେ ଅଛୁ । ଦୃଷ୍ଟିହୀନ ବା ଭିନ୍ନକ୍ଷମମାନଙ୍କୁ କଦାପି ଉପହାସ କରିବା କିମ୍ବା ଭାରତର ଅର୍ଥନୈତିକ ସ୍ଥିତିକୁ ଅଣଦେଖା କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଭିନ୍ନକ୍ଷମମାନଙ୍କ ଭାବନାକୁ ଅତୀତରେ ଆଘାତ ଦେଇଥିବାରୁ ସେ କ୍ଷମାପ୍ରାର୍ଥୀ ବୋଲି କହିଥିଲେ ।

 

ଏବେ ଆସନ୍ତୁ ଆଖି ପକାଇବା ନିକଟ ଅତୀତରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଅଧ୍ୟକ୍ଷା ଭାରତ ସମ୍ପର୍କରେ ଯାହା କହିଥିଲେ । ‘ଯଦି ବିକାଶୋନ୍ମୁଖୀ ଅର୍ଥନୀତିମାନଙ୍କ କଥା ବିଚାର କରାଯାଏ, ତେବେ ଭାରତ ରହିବ ସବା ଆଗରେ ।’ ଆର.ଏମ୍‌.ଏଫ୍‌. ପକ୍ଷରୁ ଏକଥା ମଧ୍ୟ କୁହାଯାଇଥିଲା ଯେ ଭାରତୀୟ ଅର୍ଥନୀତିରେ ଉଲ୍ଲେଖନୀୟ ଅଗ୍ରଗତି ସମ୍ଭବ ହୋଇଛି, ଯାହା ମୁଳରେ ଅଛି ରାଜନୈତିକ ସ୍ଥିରତା, ବ୍ୟାବସାୟିକ ବିଶ୍ଵାସ / ଉତ୍ସାହ ଏବଂ ସାମଗ୍ରୀମାନଙ୍କର ଅପେକ୍ଷାକୃତ କମ୍‌ମୂଲ୍ୟ । ଜିଡିପିର ଅଭିବୃଦ୍ଧି ସ୍ଥିର ରହିଛି, ଉଭୟ ଘରୋଇ ଏବଂ ବୈଦେଶିକ କ୍ଷେତ୍ରରେ ଅନିଶ୍ଚିତତା ହ୍ରାସ ପାଇଛି, ବିତ୍ତୀୟ ସ୍ଥିତି ସୁଦୃଢ଼ ହୋଇଛି ଏବଂ ଏସବୁ ସହିତ ବୈଦେଶିକ ପୁଞ୍ଜି ବିନିଯୋଗ ବଢ଼ିବାରୁ ବୈଦେଶିକ ମୁଦ୍ରା ଭଣ୍ଡାର ଆକର୍ଷଣୀୟ ରହିଛି । ତେଣୁ ବିଶ୍ଵ ଅର୍ଥନୀତି ପ୍ରେକ୍ଷାପଟରେ ଭାରତ ଏକ ‘ଉଜ୍ନଳ ଚକଡ଼ା’ । ପାଠକେ, ଏବେ ‘ବ୍ରିକ୍‌ସ’ ର କେତୋଟି ସୂଚକାଙ୍କ ଉପରେ ନଜର ପକାନ୍ତୁ । ୨୦୧୫ ତଥ୍ୟ ଭିତ୍ତିରେ ଭାରତ ସମେତ ୫ ଟି ପ୍ରମୁଖ ଅର୍ଥନୈତିର ସ୍ଥିତି ଦିଆଯାଇଥିବା ସାରଣୀରେ ପ୍ରକାଶ କରାଯାଇଛି । ‘ବ୍ରିକ୍‌ସ’ ଆକଳନ ମୁତାବକ ୨୦୨୦ ସୁଦ୍ଧା ଚୀନ୍‌ରେ ସ୍ଵଚ୍ଛଳ ମଧ୍ୟବର୍ଗରେ ପ୍ରବେଶ କରିବେ ୧୦୦୦ ନିୟୁତ ଲୋକ, ଯାହା ଭାରତ କ୍ଷେତ୍ରରେ ୪୦୦ ନିୟୁତ ହେବ ।

 

ଦେଶ

ମୁଣ୍ଡପିଛା ଜିଡ଼ିପି
(ଡଲାର)

ସାକ୍ଷରତା ହାର
(%)

ହାରାହାରି ଆୟୁ

ବୈଦେଶିକ ମୁଦ୍ରାଭଣ୍ଡାର
(ବିଲିୟନ ଡଲାର)

ବ୍ରାଜିଲ

୮୮୦୨

୯୨.୦୬

୭୪

୩୬୨.୭୪୪

ଋୁଷିଆ

୮୪୪୭

୯୯.୦୭

୭୧

୩୫୮.୫୦

ଭାରତ

୧୬୮୮

୬୧.୦୨

୬୮

୩୫୨.୧୩୧

ଚୀନ୍‌

୮୨୮୦

୯୬.୦୪

୭୬

୩୮୯୯,୨୮୫

ଦକ୍ଷିଣ ଆଫ୍ରିକା

୫୬୮୪

୯୪.୦୩

୬୨

୪୭,୧୯୦

 

ପାଠକେ, ଏବେ ସାମାନ୍ୟ ବିସ୍ତାରରେ ଆଲୋଚନା । ବିଶ୍ଵରେ ଏକ ବୃହତ୍‌ ଅର୍ଥନୈତିକ ଶକ୍ତି ଭାବରେ ପ୍ରତିଷ୍ଠିତ ହେବାପାଇଁ ସବୁ ସାମର୍ଥ୍ୟ ଭାରତ ପାଖରେ ରହିଛି । ତେବେ ଆମ ଅର୍ଥନୀତିକୁ ଅସହାୟ କରି ରଖିଛି ଏକାଧିକ କାରଣ । ସ୍ଵାଧୀନତା ପରେ ଭାରତୀୟ ନେତୃତ୍ୱ ସମାଜବାଦୀ ବିକାଶ ଢ଼ାଞ୍ଚାକୁ ଆପଣେଇଥିଲା । ସର୍ବାଧିକ ଗୁରୁତ୍ୱ ଦିଆଯାଉଥିଲା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଉପରେ । ସାରା ପୃଥିବୀ ବଦଳୁଥିଲା, ମାତ୍ର ସମାଜବାଦୀ ସଂସ୍କାର ନାଁରେ ଆମ ଅର୍ଥନୀତି ନିଜ ପିଞ୍ଜରାରେ ଆବଦ୍ଧ ହୋଇ ଯାହା ରହିଥିଲା । ଜଗତୀକରଣ ଜମାନାରେ ନବ୍ୟଉଦାର ଅର୍ଥନୀତି ଆମକୁ ଛୁଇଁଲା ୧୯୯୧ରେ । ସେଇ ମର୍ମରେ ସଂସ୍କାର ଅଧିକ ବୈଦେଶିକ ପୁଞ୍ଜି ଆଣିବାରେ ସଫଳ ହେଲା । ମୁକ୍ତ ବଜାର ଅର୍ଥନୀତି ଅନେକ ବନ୍ଦ ଝରକା ଖୋଲିଲା ଏବଂ ଖୋଲା ଝରକା ବନ୍ଦ ବି କଲା । ଆପଣ କହିପାରନ୍ତି, ବ୍ୟାବସାୟିକ ଅଭିବୃଦ୍ଧି ଉଦାରୀକରଣର ୨୫ ବର୍ଷ ପରେ ବେଶ୍‌କିଛି ବଦଳିଛି । କିନ୍ତୁ ପ୍ରଗତି ଯେତିକି ଭେଦିବା କଥା, ଯେତିକି ଅନ୍ତର୍ଭୁକ୍ତ ହେବା କଥା, ସେତିକି ହୋଇପାରିନାହିଁ । ଲାଇସେନ୍ସ୍‌ରାଜ ଆଉ ହୁଏତ ନାହିଁ, କିନ୍ତୁ ଆମ ଦେଶ ସେଇ ଅଗ୍ରଣୀ ଦେଶ ତାଲିକା ଭିତରେ ବି ନାହିଁ, ଯେଉଁଠି ବ୍ୟବସାୟ ଆରମ୍ଭ କରିବା ସହଜ । ଇ-ପ୍ରଶାସନ ଅନେକ କିଛି କୁ ସହଜ କରିସାରିଛି, କିନ୍ତୁ ଏହାର ସୁଫଳ ନେବାପାଇଁ ଆମ ଜନସଂଖ୍ୟାର ଏକ ବୃହତ୍‌ ଅଂଶ ଆଜି ମଧ୍ୟ ସକ୍ଷମ ନୁହନ୍ତି । ବିକାଶ ଲକ୍ଷ୍ୟରେ ଏକାବେଳକେ ୫୦ କାର୍ଯ୍ୟକ୍ରମ ଆରମ୍ଭ କରିବା (ମୋଦି ସରକାରଙ୍କ ପରି) ଆମ ସମସ୍ୟାର ଉପଯୁକ୍ତ ସମାଧାନ ମଧ୍ୟ ନୁହେଁ । ଆଗ ପରି ଯୋଜନା ନିମନ୍ତେ ଅର୍ଥ / ସମ୍ବଳ ପ୍ରତିବନ୍ଧକ ହୋଇନପାରେ, ତେବେ ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ଏକ ଯୋଜନାର ସଫଳ ରୂପାୟନ । ପ୍ରଶାସନିକ ସଂସ୍କାର । ଏହାବାଦ୍‌ ଅଭିବୃଦ୍ଧିର ଅପହରଣ ହୋଇସାରିଛି ବୋଲି ସ୍ଵୀକାର କରିବାକୁ ପଡ଼ିବ । ଦୁଃଖଦ ହେଲେ ମଧ୍ୟ ଏକଥା ନିଃରାଟ ସତ ଯେ, ଆମ ସମ୍ପଦର ଏକ ବଡ଼ ଅଂଶ (ପାଖାପାଖି) ମାତ୍ର ୧୦% ଭାରତୀୟଙ୍କ କବ୍‌ଜାରେ ରହିଛି । ଅର୍ଥାତ୍‌, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟିରୁ ବଞ୍ଚିତ ହୋଇ ରହିଛନ୍ତି ଅନେକ । ଅର୍ଥନୈତିକ ବିକାଶର ଏହି ଧ୍ରୁବୀକରଣ ବୈଷମ୍ୟକୁ ସଂପ୍ରସାରିତ କରି ରଖିଛି । ତାହାହିଁ ସମ୍ଭବତଃ କାରଣ ଯେଉଁଥି ପାଇଁ ଏ ମହାନ୍‌ ଦେଶର ଅଧିକାଂଶ ପରିବାର ବିପିଏଲ୍‌ ମାନ୍ୟତା (?) ପାଇଁ ପ୍ରତିଯୋଗିତା କରୁଛନ୍ତି । ମଧ୍ୟାହ୍ନଭୋଜନ ସମେତ ଖାଦ୍ୟ ନିରାପତ୍ତା ବାବଦରେ ଠୋସ୍‌ କାର୍ଯ୍ୟକ୍ରମ ବାଦ୍‌ ଏବେ ବି ରାତିରେ ଅଧା ଭାରତ ଅଧା ପେଟରେ ଶୋଉଛି ।

 

ରଙ୍ଗୀନ୍‌ ମୋବାଇଲ ଏବଂ ଇଣ୍ଟରନେଟ୍‌ ବ୍ୟବହାରକୁ ସେଇ ଦେଶରେ ଆଦୌ କ୍ରାନ୍ତି କହିହେବ ନାହିଁ, ଯେଉଁ ଦେଶରେ ସାରା ପୃଥିବୀର ସର୍ବାଧିକ ପୁଷ୍ଟିହୀନ ରହୁଛନ୍ତି । ଖାଦ୍ୟ, ପାନୀୟଜଳ, ଶିକ୍ଷା, ସ୍ଵାସ୍ଥ୍ୟ, ଭିତ୍ତିଭୂମି, ପରିମଳ ଏବଂ ଲିଙ୍ଗଗତ ସାମ୍ୟ ପରି ମୌଳିକ କ୍ଷେତ୍ରରେ ଆମେ ଯଥେଷ୍ଟ ପଛରେ ପଡ଼ିରହିଛୁ । ମେଡ଼ିକାଲ, ପର୍ଯ୍ୟଟନ ପାଇଁ ଏବର ଭାରତ ପ୍ରସିଦ୍ଧ ହୋଇପାରେ, କିନ୍ତୁ ଏକଥା ବି ସତ–ଆମ ଜନସଂଖ୍ୟାର ୭୦ ପ୍ରତି ଶତଙ୍କ ପାଖରେ ସର୍ବ ନିମ୍ନ ସ୍ଵାସ୍ଥ୍ୟ ବୀମା ନାହିଁ । ଓଡ଼ିଶା ପରି ରାଜ୍ୟରେ ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚିବା ପାଇଁ ଭାରରେ ବୁହାହୋଇ ଏବେ ବି ଯାଉଛନ୍ତି । ସ୍ମାର୍ଟ ସିଟି ଗଢ଼ିବାରେ ମନା ନାହିଁ, କିନ୍ତୁ ଦେଶର ବିସ୍ତୃତ ଗ୍ରାମାଞ୍ଚଳ ମୌଳିକ ଭିତ୍ତିଭୂମି ଅପେକ୍ଷାରେ ରହିଛି । ହଜାର ହଜାର ଗାଁରେ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ । ବିଶୁଦ୍ଧ ପାନୀୟଜଳ ନାହିଁ । ଆମ ଶ୍ରମ ଶକ୍ତିର ୫୦ କୃଷି ଉପରେ ନିର୍ଭର କରୁଥିଲେ ହେଁ କୃଷି ଉତ୍ପାଦନ ସନ୍ତୋଷଜନକ ନୁହେଁ । ଭୂସଂସ୍କାର ଅଧାବାଟରେ ପଡ଼ିଛି ।

 

ପ୍ରତିଦିନ କେତେ ହଜାର ପରିବାର ଚାଷରୁ ମୁହଁ ମୋଡ଼ି ଦେଉଛନ୍ତି, କିନ୍ତୁ ବିକଳ୍ପ ବି ତ ନାହିଁ । ହଁ, ବିଶ୍ୱ ଯୁବଶକ୍ତିର ସିଂହଭାଗ କେବଳ ଭାରତରେ ଅଛନ୍ତି । କିନ୍ତୁ ସେଇ ସଂଖ୍ୟା ସାମର୍ଥ୍ୟ ଆମର ଭାଗ୍ୟ ବଦଳାଇବା ପାଇଁ ନିର୍ଣ୍ଣାୟକ ହୋଇପାରିବ ନାହିଁ, ଯେ ଯାଏ ସେମାନଙ୍କୁ ନିଯୁକ୍ତି ସୁଯୋଗ ନ ମିଳିଛି । ଭାରତୀୟ ଅର୍ଥନୀତି ସେ ଯାଏ ‘ଉଜ୍ଜ୍ୱଳ ଚକଡ଼ା’ ହୋଇପାରିବ ନାହିଁ, ଯେପର୍ଯ୍ୟନ୍ତ ପରିପୋଷଣୀୟ ତଥା ଅନ୍ତର୍ଭୁକ୍ତ ବିକାଶର ଗୁଳାରେ ନ ପଡ଼ିଛି । ଶ୍ରୀ ରାଜନ୍‌ ତାଙ୍କ ମନ୍ତବ୍ୟ ହୁଏତ ପ୍ରତ୍ୟାହାର କରିଛନ୍ତି, କିନ୍ତୁ ଆମ ଚାରିପଟେ ଅନ୍ଧାରର ରାଜତ୍ୱ ଅବ୍ୟାହତ ରହିଛି ।

(ପ୍ରମେୟ, ତା ୨/୬/୨୦୧୬)

Image

 

ସ୍ଵାମୀଙ୍କ ହିତୋପଦେଶ

 

ଭାଜପା ସାଂସଦ ଏବଂ ଅର୍ଥନୀତିଜ୍ଞରୁ ରାଜନେତା ପାଲଟିଥିବା ଶ୍ରୀ ସୁବ୍ରମଣ୍ୟନ୍‌ ସ୍ଵାମୀ ଏବେ ରୀତି ମତ ମାତିଛନ୍ତି । ପ୍ରଥମେ ତାଙ୍କ ଆକ୍ଷେପର ଶିକାର ହେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ରଘୁରାମ ରାଜନ୍‌ । ସ୍ଵାମୀ କହିଥିଲେ, ରଘୁରାମଙ୍କ ହୃଦୟ ଭାରତରେ ନାହିଁ ଓ ସେ ସିକାଗୋ ଫେରିବା ଉଚିତ ହେବ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଆଳରେ ସେ ତାଙ୍କ ସମୟରେ ସୁଧହାର ବଢ଼େଇ ଚାଲିଛନ୍ତି ଯାହା ଶିଳ୍ପ ଉତ୍ପାଦନକୁ ଏକଦମ୍‌ ମାନ୍ଦା କରିଦେଇଛି । ସେ ଦେଶରେ ବେରୋଜଗାରୀ ବଢ଼େଇଛନ୍ତି । ପାଠକେ ଜାଣନ୍ତି ଯେ ରଘୁରାମଙ୍କ ଉପରେ ଆକ୍ରମଣ ତୀଚ୍ର ହୋଇଥଲା, ସେ ବିଦେଶରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାପରେ । ସାଂପ୍ରତିକ ବିଶ୍ଵ ପ୍ରେକ୍ଷାପଟ୍ଟରେ ଭାରତୀୟ ଅର୍ଥ ନୀତି ଏକ ଉଜ୍ଜଳ କ୍ଷେତ୍ର-ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଏଇ ମତାମତ ଉପରେ ନିଜର ପ୍ରତିକ୍ରିୟା ରଖି ରାଜନ୍‌ କହିଥିଲେ ଯେ ଭାରତୀୟ ଅର୍ଥନୀତିର ସ୍ଥିତି ଅନ୍ଧମାନଙ୍କ ମୂଲକରେ ଏକ ଆଖିଆ ରାଜାଙ୍କ ପରି । ଉଦ୍ଦେଶ୍ୟ ଏୟା ଥିଲା ଯେ ଆଗକୁ ଆମକୁ ଢେର୍ କିଛି କରିବା ପାଇଁ ପଡ଼ିବ । ଅର୍ଥାତ୍‌, ଆମ ସ୍ଵାସ୍ଥ୍ୟ ପ୍ରକୃତରେ ଭଲ ନୁହେଁ । ବର୍ତ୍ତମାନ ସାରା ପୃଥିବୀରେ ଅର୍ଥନୈତିକ ସ୍ଥିତି ଯେହେତୁ ଭଲ ନାହିଁ, ତୁଳନାତ୍ମକ ଭାବେ ଭାରତ ଚମକିବା ପରି ମନେହଉଛି । ଅଥଚ, ବାସ୍ତବିକତା ହେଉଛି, ସମସ୍ତଙ୍କ ମୁହଁରେ ହସ ଫୁଟେଇବା ପାଇଁ ଆମକୁ ଅଧକ କରିବା ପାଇଁ ପଡ଼ିବ । ବର୍ତ୍ତମାନର ଅଭିବୃଦ୍ଧିକୁ ୧୦ / ୧୫ ବର୍ଷ ଅବ୍ୟାହତ ରଖିବା ପାଇଁ ପଡ଼ିବ । ଭାଜପା ରାଜନ୍‌ଙ୍କ ବାବଦରେ ସୁବ୍ରମଣ୍ୟନ୍‌ଙ୍କ ମନ୍ତବ୍ୟକୁ ‘ନିଜସ୍ଵ ମତାମତ’ କହି ଦଳର ଅସଂପୃକ୍ତିକୁ ପ୍ରଥମ ଅବଶ୍ୟ ସ୍ପଷ୍ଟ କରିଥଲା, ମାତ୍ର ଶ୍ରୀ ରାଜନ୍‌ ପ୍ରଧାନମନ୍ତ୍ରୀ ନଚେତ୍‌ ଅର୍ଥମନ୍ତ୍ରୀଙ୍କ ଠାରୁ ଯେଉଁ ପ୍ରଥମ ସମର୍ଥନ ଏ ସ୍ଥିତିରେ ଆଶା ରଖିଥିଲେ, ତାହା ମିଳିଲା ନାହିଁ । ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ରିଜର୍ଭ ବ୍ୟାଙ୍କରେ ନିଜର କାର୍ଯ୍ୟକାଳ ଶେଷ ହେବାପରେ ଅଧ୍ୟାପନା ନିମନ୍ତେ ସେ ସିକାଗୋ ବିଶ୍ୱବିଦ୍ୟାଳୟକୁ ଫେରିଯିବେ ବୋଲି ପ୍ରକାଶ କରିସାରିଛନ୍ତି । ରିଜର୍ଭବ୍ୟାଙ୍କରେ ନିଜର ସତୀର୍ଥମାନଙ୍କୁ ଇ-ମେଲ୍‌ରେ ସେ ଲେଖିଛନ୍ତି ଯେ ୨୦୧୩ ରେ କାର୍ଯ୍ୟରେ ଯୋଗଦେବା ବେଳେ ତାଙ୍କ ପାଇଁ ପ୍ରସଙ୍ଗ ଥିଲା ଅର୍ଥନୈତିକ ସ୍ଥିତିରେ ସ୍ଥିରତା ଆଣିବା, ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣରେ ରଖିବା ଏବଂ ଟଙ୍କାର ଅବମୂଲ୍ୟାୟନକୁ ରୋକିବା । ମୋଟ ଉପରେ ଅସନ୍ତୁଳନକୁ ଅତିକ୍ରମ କରିବା ଲକ୍ଷ୍ୟରେ ସେ ଆପାତତଃ ସଫଳ ହୋଇଛନ୍ତି । ‘ମୋର ୩ ବର୍ଷିଆ କାର୍ଯ୍ୟକାଳ ସହିତ ସିକାଗୋ ବିଶ୍ୱବିଦ୍ୟାଳୟରୁ ମୁଁ ନେଇଥିବା ଛୁଟି ଶେଷ ହେଉଛି । ତେଣୁ ଏପର୍ଯ୍ୟନ୍ତ କ’ଣ ହୋଇଛି ଏବଂ ଆଗକୁ କ’ଣ ହେବ, ସେ କଥା ଭାବିବାର ବେଳ ଆସିଛି ।” ଏଣେ ରାଜନ୍‌ଙ୍କ ଉରରାଧିକାରୀ ଚୟନ ପ୍ରଶାସନିକ ବ୍ୟାପାର ଏବଂ ନୂଆ ଗଭର୍ଣ୍ଣରଙ୍କ ଘୋଷଣା ଠିକଣା ସମୟରେ କରାଯିବ କହି ଭା.ଜ.ପା. ସରକାର ତାଙ୍କର ପୁନଃନିଯୁକ୍ତିର ସମ୍ଭାବନା ନାହିଁ ବୋଲି ଆପାତତଃ ସ୍ପଷ୍ଟକରି ଦେଇଛନ୍ତି । କଂଗ୍ରେସ କହିଛି, ଏମିତି ହେବ ବୋଲି ଆଗରୁ ଜଣାଥିଲା । ‘ରାଜନ୍‌ଙ୍କ ପରି ପ୍ରତିଭାବନ୍‌ ଅର୍ଥନୀତିଜ୍ଞକୁ ମୋଦି ସରକାର ସମ୍ଭାଳି ପାରିବେ ନାହିଁ ।’

 

ପାଠକେ, କେନ୍ଦ୍ରୀୟ ବ୍ୟାଙ୍କମାନଙ୍କରେ ଗଭର୍ଣ୍ଣର ଗୋଟିଏ ପାଳିରୁ ଅଧିକ ସମୟ ରହିବା ଅସାଧାରଣ ଘଟଣା ନୁହେଁ । ରାଜନ୍‌ ସେଇ ଦୃଷ୍ଟିରୁ ଅନ୍ତତଃ ଆଉ ୩ ବର୍ଷ ରହିପାରିଥାନ୍ତେ-। ନିକଟରେ ଏକ ଖବର କାଗଜ ତରଫରୁ କରାଯାଇଥିବା ସର୍ଭେରୁ ପାଠକମାନେ ରଘୁରାମଙ୍କ ସପକ୍ଷରେ ଦେଇଥିବା ମତକୁ ସଂକ୍ଷେପରେ ନିମ୍ନରେ ଉଦ୍ଧାର କରୁଛି। (୧) ରିଜର୍ଭ ବ୍ୟାଙ୍କ ଦାୟିତ୍ୱ ନେବା ପରେ ବୈଦେଶିକ ମୁଦ୍ରା ପାଣ୍ଠି ବଢ଼େଇବା ପାଇଁ ସେ ନେଇଥିବା ସ୍ଵତନ୍ତ୍ର ପଦକ୍ଷେପ ଯୋଗୁଁ ଏହା ପହଞ୍ଚିଲା ୩୪ ବିଲିୟନ୍‌ ଡଲାରରେ । (୨) ମୁଦାସ୍ଫୀତିର ସଫଳ ନିୟନ୍ତ୍ରଣ ଏବଂ ଅର୍ଥନୀତିରେ ସ୍ଥିରତା । (୩) ବ୍ୟାଙ୍କ ବାଲାନ୍ସସିଟ୍‌ର ସଂସ୍କାର । ବର୍ଷ ବର୍ଷ ଧରି ବ୍ୟାଙ୍କମାନେ ବସ୍ତୁତଃ ପୁରା ବୁଡ଼ି ସାରିଥିବା ସଂପତ୍ତିକୁ ଆପଣା ସଂପଦ ମଣୁଥିଲେ । ଏ ବାବଦରେ ସବୁ ଗୁପ୍ତ ହିଁ ଥିଲା । ରାଜନ୍‌ଙ୍କ ବୈପ୍ଲବିକ ପଦକ୍ଷେପ (ଆସେଟ୍‌ କ୍ଲାଲିଟି ରିଭ୍ୟୁ) ଅନେକ କିଛି ପରିଷ୍କାର କରିସାରିଛି । ରାଜନ୍‌ ଜାଣିଥିଲେ ଯେ ଋଣ ସଂପର୍କୀୟ ଗୋପନ ତଥ୍ୟ ଥରେ ପ୍ରକାଶ ପାଇଲେ ବ୍ୟାଙ୍କ ମାନଙ୍କ ତଥା କଥିତ ସାଫ୍‌ସୁତୁରା ସ୍ଥିତି ଲୋକଲୋଚନରେ କ୍ଷତିଗ୍ରସ୍ତ ହେବ: ପରିଚାଳନା ବ୍ୟବସ୍ଥାକୁ ଅମୁଳଚୂଳ ସଜାଡ଼ିବା ପାଇଁ ନେବ, ଉପଭୋକ୍ତାଙ୍କ ରେଟିଂରେ କିଛି ବ୍ୟାଙ୍କ ତଳକୁ ଖସିଯିବେ- ତେବେ ଏମିତି ଏକ ସଂସ୍କାର ଜରୁରୀ ଜାଣି ରାଜନ୍‌ ମହାଶୟ ବ୍ୟାଙ୍କମାନଙ୍କ ପିଛା ଛାଡ଼ିନଥିଲେ । ସମ୍ଭବତଃ ପ୍ରଥମଥର ପାଇଁ ଲୋକ ଜାଣିଲେ ଯେ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ଇଣ୍ଡିଆ ପରି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପଇସା କେମିତି ଫସିଛି । (୪) ନୂଆ ବ୍ୟାଙ୍କମାନଙ୍କୁ ବ୍ୟବସାୟ ନିମନ୍ତେ ଲାଇସେନ୍ସ । (୫) କ୍ରୋନି କ୍ୟାପିଟାଲିଜିମ୍‌ ବିରୋଧରେ ଯୁଦ୍ଧ ଡାକରା ।

 

କ’ଣ ତେବେ ରାଜନ୍‌ କଲେ ନାହିଁ ଯାହା ସରକାରଙ୍କୁ ଅସନ୍ତୁଷ୍ଟ କଲା ? ଅର୍ଥନୀତିଜ୍ଞମୀନଙ୍କ ମତ ଯେ ରାଜନ୍‌ ଅନେକାଂଶରେ ତାଙ୍କର ପୁର୍ବସୂରୀମାନଙ୍କ ଠାରୁ ନିଆରା । ପାଠପଢ଼ା, ଗବେଷଣା, ଆନ୍ତର୍ଜାତିକ ସଂସ୍ଥାରେ କାମ କରିବାର ଅଭିଜ୍ଞତା ରାଜନ୍‌ଙ୍କୁ ଅଲଗାକରି ଠିଆ କରାଇଥିଲା । ସେ କେବଳ ମାପିଚୁପି ମୁଦ୍ରାଜାତି ବାବଦରେ ତୁଣ୍ଡ ଖୋଲୁ ନଥିଲେ, ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ତାଙ୍କର ମତ ଥିଲା ଶାଣିତ, ଯାହା ଗାଦିରେ ଥିବା କେନ୍ଦ୍ର ସରକାରଙ୍କୁ ସୁହାଉ ନଥିଲା । ଅନ୍ୟ ଅର୍ଥରେ, କିଛି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ନିଜର ମତ ରଖି ଆଗରୁ ରାଜନ୍‌ ସରକାରୀ ସଭାକୁ ବରାବର ଅଣଦେଖା କରିଦେଉଥିଲେ । ଏଇ ମିଜାଜ୍‌ ତାଙ୍କୁ କେବଳ ଏକ ସଫଳ ଅର୍ଥନୀତିଜ୍ଞ ଭାବରେ ନୁହେଁ, ବରଂ ଜଣେ ମୁକ୍ତ ଓ ଉଦାରବାଦୀ ଚିନ୍ତକ ଭାବରେ ପରିଚିତ କରାଇଥଲା । ଭା.ଜ.ପା. ପାଇଁ ତାହା ମୁଣ୍ଡବ୍ୟଥାର କାରଣ ଥିଲା । ସିକାଗୋ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କଲାବେଳେ ରାଜନ୍‌ଙ୍କ ଉପରେ ଯେଉଁ ମୁକ୍ତ ପରମ୍ପରାର ପ୍ରଭାବ ପଡ଼ିଥିଲା, ସେଇ ପରମ୍ପରାର ସେ ଜଣେ ପ୍ରତିନିଧି ସ୍ଥାନୀୟ ଦାୟାଦ । କୁହାଯାଏ ଯେ ସିକାଗୋ ବୁଦ୍ଧିଜୀବୀମାନେ ଚାହୁଁଥିଲେ, ଅର୍ଥନୀତି ଉପରେ ପୁଞ୍ଜବାଦୀଙ୍କ ଏକାଧିପତ୍ୟ ଲୋପ ପାଉ, ବୈଷମ୍ୟ ହ୍ରାସ ପାଉ, ପୃଥିବୀ ଅଧିକ ଚଟକା (ଫ୍ଲାଟ୍‌) ହେଉ- ଅର୍ଥନୀତିରେ ପ୍ରତିଯୋଗିତାକୁ ପ୍ରୋତ୍ସାହନ ମିଳୁ; ମୁକ୍ତିର ନୂଆ ଡେଣା ମେଲୁ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ମୁଖ୍ୟ ଅର୍ଥନୀତିଞ୍ଚ ଭାବରେ ଯୋଗଦେବା ସମୟରେ ସେଇ ଶୃଙ୍ଖଳାରେ ରାଜନ୍‌ ଥିଲେ ସବୁଠୁ କମ୍‌ ବୟସ୍କ । ସେତେବେଳେ ଆଇ.ଏମ୍‌.ଏଫ୍‌.କୁ ଧରି ଏକ ଧାରଣା ବସା ବାନ୍ଧିଥିଲା ଯେ ନବ୍ୟ ଉଦାର ଅର୍ଥନୀତି ଜମାନାରେ ଏ ସଂସ୍ଥାଟି ରକ୍ଷଣଶୀଳତାର ପ୍ରତୀକ । ଏଇ ପରିଚୟ କ୍ରମଶଃ ବଦଳିଲା । କୁହାଯାଏ, ସୁଧ ହାର କମାଇବା ଯୋଗୁ ଅର୍ଥନୀତିରେ ଉତ୍ପନ୍ନ ହେଉଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ରାଜନ୍‌ କରିଥିବା ଭବିଷ୍ୟବାଣୀ ସତ୍ୟରେ ପରିଣତ ହୋଇଥିଲା । ସମସ୍ତେ ଚେତିଥିଲେ, ତାଙ୍କ ବିଚାରରେ ଦମ୍‌ ଅଛି । କ୍ରୋନି କ୍ୟାପିଟାଲିଜମ୍‌ ବାବଦରେ ରାଜନ୍‌ଙ୍କ ମତ ହେଉଛି, ବିଲିୟନ୍‌ ଟିଲିୟନ୍‌ପତିମାନଙ୍କ ଭିତରୁ ଅନେକ ଏଇଥିପାଇଁ ଅସମ୍ଭବ ଭାବେ ଧନୀ ନୁହଁନ୍ତ, ଯେ ଆଦର୍ଶ ବ୍ୟବସାୟରେ ସେମାନେ ଧନ ଉପାର୍ଜନ କରିଛନ୍ତି, ବରଂ ଏଇଥିପାଇଁ ଯେ ଏମାନେ ପ୍ରାକୃତିକ ସଂପଦ (ଯଥା–ଜମି, ଖଣିଖାଦାନ) ଏବଂ ସରକାରୀ କଳ ଉପରେ ଆଧିପତ୍ୟ ବିସ୍ତାର କରିଛନ୍ତି । ଉଗ୍ର ବୈଷମ୍ୟର ଏଇ ଅବତାରକୁ ଆଉ କେତେ କାଳ ବରଦାସ୍ତ କରାଯିବ ? ରାଜନ୍‌ ରାଜନୈତିକ ଜୀବନରେ ପାରଦର୍ଶିତା, ସାଧୁତା ଏବଂ ସହିଷ୍ଣୁତାକୁ ଅଗ୍ରାଧିକାର ଦେଇଆସିଛନ୍ତି ଏବଂ ପର୍ଯ୍ୟବେକ୍ଷମାନଙ୍କ ମତ, ନିଜର ଦୃଷ୍ଟି ଓ ଦର୍ଶନ ପାଇଁ ହିଁ ରାଜନ୍‌ ମୌଳବାଦୀମାନଙ୍କର ଚକ୍ଷୁଶୀଳ ହୋଇଛନ୍ତି ।

 

୨୦୧୪ ରେ ମୁମ୍ବାଇରେ ଥରେ ରାଜନ୍‌ କହିଥିଲେ ଯେ ଆମର ଦୁର୍ଭାଗ୍ୟ, ବ୍ୟବସ୍ଥା ଦୁର୍ନୀତ ତଥା ଦୁର୍ନୀତିଗସ୍ତ ନେତାଙ୍କୁ ସୁହାଉଛି । ଲୋକେ ଠିକ୍‌ ଠିକ୍‌ ଜାଣନ୍ତି, ସେମାନେ କୌଣସି ଆଦର୍ଶବାଦୀ ନେତାଙ୍କୁ ନିର୍ବାଚିତ କରୁନାହାନ୍ତି । ତେବେ ସେମାନେ ଏକଥା ମଧ୍ୟ ଜାଣି ଯେ ବର୍ତ୍ତମାନ ସ୍ଥିତିରେ ଠୋସ୍‌ କିଛି କରିବା ପାଇଁ ‘ଆଦର୍ଶବାଦୀ' ଅସମର୍ଥ । ଅର୍ଥାତ୍‌, ସାଂସ୍କୃତିକ ରାଜନୀତିର ବିଷବୃକ୍ଷ ସଭିଙ୍କ ଜ୍ଞାତସାରରେ ସକ୍ରିୟ ହୋଇ ରହିଛି । ଲୋକେ ତାଙ୍କ କାମ ପାଇଁ ଦୁର୍ନିତିଗ୍ରସ୍ତ ନେତାଙ୍କୁ ବାଛୁଛନ୍ତି ଏବଂ ଭୋଟ୍‌ ବେଳ ଆସିଲେ ନେତାମାନେ ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଖୋଜୁଛନ୍ତି । ପାରସ୍ପରିକ ନିର୍ଭରଶୀଳତାର ଏଇ ଚକ୍ରରୁ ଯେମିତି ରକ୍ଷାନାହିଁ । କେନ୍ଦ୍ର ସରକାରଙ୍କୁ ପରୋକ୍ଷ ଭାବରେ ସମାଲୋଚନା କରିବା ପାଇଁ ରଘୁରାମ ପଛାଉ ନଥିଲେ । ‘ମେକ୍‌ ଇନ୍‌ ଇଣ୍ଡିଆ’ ଅପେକ୍ଷା ‘ମେକ୍‌ ଫର୍‌ ଇଣ୍ଡିଆ’ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ତାଙ୍କର ମତ ଥିଲା । ପାଠକେ, ନିକଟରେ ପ୍ରକାଶିତ ଏକ ସମ୍ବାଦ ଅନୁସାରେ ସିକାଗୋ ତା’ର ପ୍ରିୟ ପ୍ରଫେସର୍‌ଙ୍କ ଲେଉଟାଣିକୁ ଆଗ୍ରହ ଏବଂ ଅନୁରାଗର ସହିତ ଅପେକ୍ଷା କରିଛି ।

 

ଏଣେ ସୁବ୍ରମଣ୍ୟନ୍‌ ସ୍ଵାମୀ ତାଙ୍କର ଶର ସଂଧାନ (ଟ୍ୱିଟର୍‌ବୋମା) ଅବ୍ୟାହତ ରଖିଛନ୍ତି-। ନିକଟରେ ତାଙ୍କର ଟାର୍ଗେଟ୍‌କୁ ଆସିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌, ଅର୍ଥସଚିବ ଶ୍ରୀ ଦାସ ଏବଂ ଶ୍ରୀ ଦାସଙ୍କ ସହିତ ଆଉ କିଛି ଅମଲା । ଅରବିନ୍ଦ କୁଆଡ଼େ ଆଇ.ଏମ୍‌. ଏଫ୍‌.ରେ ଥିବାବେଳେ ଭାରତର ବୌଦ୍ଧିକ ଆଇନକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଯୁକ୍ତରାଷ୍ଟ୍ରକୁ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଯଦିଓ ଶ୍ରୀ ଜେଟ୍‌ଲୀ ଉଭୟ ଶ୍ରୀ ଅରବିନ୍ଦ ଏବଂ ଶ୍ରୀ ଦାସଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ଓ ପରୋକ୍ଷରେ ଆକ୍ରମଣକାରୀ ଶ୍ରୀ ସ୍ଵାମୀଙ୍କୁ ଶୃଙ୍ଖଳା ତଥା ଅନୁଶାସନର ଅ, ଆ ପଢ଼େଇଛନ୍ତି, ସ୍ଵାମୀଙ୍କ ଟ୍ଵିଟ୍‌ ରସାୟନ ଅଧିକ ପ୍ରତିକ୍ରିୟାଶୀଳ ହୋଇଛି । ସେ କହିଛନ୍ତି, ‘ସେ ମାଗିନଥିବା ଅନୁଶାସନ ଓ ନିୟନ୍ତ୍ରଣର ପରାମର୍ଶ ଦେଉଥିବା ଲୋକେ ଏହା ଜାଣିନାହାନ୍ତି ଯେ ସେ ଅନୁଶାସନଙ୍କୁ ଉପେକ୍ଷା କରିବା ମାତ୍ରକେ ରକ୍ତ ବୋହିବ ।’ ସ୍ଵାମୀଙ୍କ ବୟାନବାଜି ଭା.ଜ.ପା.ରେ ଅସ୍ଵସ୍ତି ଆଣିବାବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମଧ୍ୟ କ୍ଷୁବ୍ଧ ହୋଇଛି ବୋଲି ଖବର ପ୍ରକାଶ ପାଇଛି । ଏଣେ କଟା ଘା’ରେ ଚୂନ ଦେବା ପରି ଶିବସେନା କହିଛି, ‘ନେସାନାଲ୍‌ ହେରାଲ୍‌ରଲ୍ଡ ରଙ୍କଭମଗ୍ଧକ୍ଟଦ୍ଭ ...‘‘ଡ’ ମାମଲାରେ ଗାନ୍ଧୀ ପରିବାରକୁ ସ୍ଵାମୀ ଟାର୍ଗେଟ୍‌ କଲାବେଳେ ଭା.ଜ.ପା. ତାକୁ ‘ବ୍ୟବହାର’ କରୁଥିଲା, ଆଉ ଏବେ ଅର୍ଥନୈତିକ ପରାମର୍ଶଦାତାଙ୍କୁ ନେଇ ସ୍ଵାମୀଙ୍କ ‘ଟ୍ଵିଟ୍‌’ ବାଧୁଛି କାହିଁକି ? କଂଗ୍ରେସର ଟ୍ଵିଟ୍‌ କିଛି କମ୍‌ ଚିତ୍ତାକର୍ଷକ ନୁହେଁ । ‘ଭାରତରେ ଅର୍ଥମନ୍ତ୍ରୀ ପ୍ରକୃତ କିଏ ? ସ୍ଵାମୀ ନା ଜେଟ୍‌ଲୀ ?’ ପାଠକମାନେ ଜାଣନ୍ତି ରାଜନ୍‌ଙ୍କ ପରି ଅରବିନ୍ଦ ମଧ୍ୟ ଖ୍ୟାତି ରହିଛି-। ମୁଦ୍ରାପାଣ୍ଠି ପାଇଁ ସିଏ ବି କାମ କରିଛନ୍ତି । ଗବେଷଣା ଓ ଅଧ୍ୟାପନା ସହିତ ସେ ମଧ୍ୟ ସଂପୃକ୍ତ । ବୁଦ୍ଧିଜୀବୀମାନଙ୍କ ମତ ଯେ ରଘୁରାମ, ଅରବିନ୍ଦ ଅନ୍ୟମାନଙ୍କୁ ସ୍ଵାମୀ ଯାହା କେବଳ ‘ମୋହରା’ କରୁଛନ୍ତି । ତାଙ୍କର ଅସଲ ଲକ୍ଷ୍ୟ ଅର୍ଥମନ୍ତ୍ରୀଙ୍କ ଚୌକି । ସେଇ କ୍ରମରେ ଏହା ‘ସ୍ଵାମୀଗିରି’ ।

(ସର୍ବସାଧାରଣ, ତା ୩/୭/୨୦୧୬)

Image

 

ଗାଁ ନାଁ ନଗଡ଼ା, ସେନ୍‌ସସ୍‌ କୋଡ୍ ୪୦୦୫୧୪

 

ଜିଲ୍ଲା-ଯାଜପୁର, ତହସିଲ / ବ୍ଲକ୍‌-ମୁନିନ୍ଦା, ଗ୍ରାମପଞ୍ଚାୟତ-ଚିଙ୍ଗୁଡ଼ିପାଳ, ରାଜସ୍ଵ ଗ୍ରାମ-ନଗଡ଼ା, ସେନ୍‌ସସ୍‌ କୋଡ୍‌- ୪୦୦୫୧୪ । ସମୁଦ୍ର ପତ୍ତନଠୁ ଉଚ୍ଚତା-୭୨ ମିଟର । ଉପର ନଗଡ଼ା, ମଝି ନଗଡ଼ା, ତଳ ନଗଡ଼ା, ଗୁହିଆଶାଳ ଓ ତଳ ଗୁହିଆଶାଳକୁ ମିଶେଇ ୨୦୧୧ ଜନଗଣନା ତଥ୍ୟ ଆଧାରରେ ମୋଟ୍‌ ପରିବାର ସଂଖ୍ୟା ୬୪ । ଜନସଂଖ୍ୟା–୫୪୩ । ଏମିତିରେ ନଗଡ଼ା ଆଦିମ ଜନଜାତି ରହୁଥିବା (ଜୁଆଙ୍ଗ) ଗାଁଟିଏ । ତେବେ ଏହା ହିଁ ସାଂପ୍ରତିକ ପରିସ୍ଥିତିରେ ନଗଡ଼ାର ଏକମାତ୍ର ପରିଚୟ ନୁହେଁ । ଗତ କେତେଦିନ ଧରି ଶିଶୁ ମଡକ ପାଇଁ ଚର୍ଚ୍ଚାକୁ ଆସିଥିବା ନଗଡ଼ା ଏବେ ଖବରକାଗଜମାନଙ୍କର ପ୍ରଥମ ପୃଷ୍ଠା ଅକ୍ତିଆର କରିନେଇଛି । ପ୍ରକାଶିତ ସମ୍ବାଦ ଅନୁଯାୟୀ, ଗତ ୩/୪ ମାସ ଭିତରେ ଏଇ ଗାଁରେ ଅନ୍ୟୂନ ୧୯ ଜଣ ଶିଶୁ ଭୀଷଣ ପୁଷ୍ଚିହୀନତା କାରଣରୁ ମୃତ୍ୟୁମୁଖରେ ପଡ଼ିଛନ୍ତି । ଏଣେ ସରକାରୀ ତଥ୍ୟ କହୁଛି, ଗୁହିଆଶାଳ ଗାଁରେ ୪୫ ଜଣ ଏବଂ ନଗଡ଼ାରେ ୫୫ ଶିଶୁ (୧ରୁ ୬ବର୍ଷ)ଙ୍କ ସମେତ ୬ରୁ ୧୮ ବର୍ଷ ମଧରେ ନଗଡ଼ା ଓ ଆଖପାଖର ୧୫୮ ଜଣ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ବରାବର ଯୋଗେଇ ଦିଆଯାଉଛି । ନାଗରିକ ସମାଜ ପ୍ରଶ୍ନ ଉଠେଇଛନ୍ତି, ଯଦି ସତରେ ବର୍ଷ ବର୍ଷ ଧରି ପୁଷ୍ଚିକର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗେଇ ଦିଆଯାଉଛି, ତେବେ ଏତେ ଭୟଙ୍କର ଶିଶୁ ମଡ଼କ ନଗଡ଼ାରେ ପଡ଼ିଲା କେମିତି ? ଯଦି ଜିଲ୍ଲାରେ ସରକାରୀ ଟୀକାଦାନ କାର୍ଯ୍ୟକ୍ରମ ଅବ୍ୟାହତ ରହିଥିଲା, ତେବେ ନଗଡ଼ାରୁ ଏବେ ଏବେ ସଂଗୃହୀତ ୧୨ ଜଣଙ୍କ ରକ୍ତ ନମୂନାରୁ ୧୧ ଜଣଙ୍କ ରକ୍ତରେ ମିଳିମିଳା ଠାବ ହେଲା କିପରି ? ପାହାଡ଼ ଚଢ଼ି, ଅପ୍ରଶସ୍ତ ପଥୁରିଆ, ପାଦଚଲା ରାସ୍ତାରେ ସରକାରୀ କର୍ମଚାରୀମାନେ କ’ଣ ସତରେ ପହଞ୍ଚିଛନ୍ତି ?

 

ନଗଡ଼ାକୁ ଏବେ ତୁଳନା କରାଯାଉଛି ଇଥିଓପିଆ ନଚେତ୍‌ ସୋମାଲିଆ ସହିତ । ଉଭୟ ଅଞ୍ଚଳର କଙ୍କାଳସାର ଶିଶୁଙ୍କ ମଧ୍ୟରେ ଅଜବ ସାଦୃଶ୍ୟ ଦୃଶ୍ୟମାନ ହୋଇଛି । ବିରୋଧୀ ଦଳମାନେ କହୁଛନ୍ତି ଯେ, ସମୃଦ୍ଧ କଳିଙ୍ଗନଗର ଶିଳ୍ପାଞ୍ଚଳଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ ଏକ ଗାଁରେ ଯଦି ଶିଶୁ ମଡ଼କ ପଡ଼ୁଛି, ତେବେ ଦୁର୍ଗମ ଅଞ୍ଚଳର ଚିତ୍ର ଆଶାତୀତ ଭାବରେ ବିପର୍ଯ୍ୟସ୍ତ ହୋଇସାରିଛି । ସ୍ଵାଧୀନୋତ୍ତର ଓଡ଼ିଶାର ଅଧିକାଂଶ ଗାଁକୁ ଅଳ୍ପ ବହୁତ ଛୁଇଁଥିବା ବିକାଶର ଛାଇ ବି ଏଠି ପଡ଼ିନାହିଁ । ରାସ୍ତାଘାଟ, ପିଇବା ପାଣି, ବିଜୁଳି ଓ ସ୍ଵାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ନଗଡ଼ାବାସୀ ବଞ୍ଚିତ ହୋଇ ରହିଛନ୍ତି । ଏଣେ ବିକାଶ ପାଇଁ ଅର୍ଥ ଆଉ ପ୍ରତିବନ୍ଧକ ହୋଇ ରହିନାହିଁ-। ନଗଡ଼ାକୁ ଏଇ ପରିପ୍ରେକ୍ଷୀରେ ‘ଅପାରଗତାର ଚକଡ଼ା' ବୋଲି କୁହାଯାଉଛି । ଖବରକାଗଜରେ ପ୍ରକାଶ ପାଇଛି, ଏଇ ଅଞ୍ଚଳରେ ରହୁଥିବା ଜୁଆଙ୍ଗ ଆଦିବାସୀଙ୍କ ସଂପର୍କରେ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ଜୁଆଙ୍ଗ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଖବର ନଥିଲା । ଏ ପ୍ରବନ୍ଧ ଲେଖାହେବା ବେଳକୁ ରାଜ୍ୟ ସରକାର ସଂପୃକ୍ତ ଅଞ୍ଚଳରେ ପାନୀୟଜଳ, ସଡ଼କ, ଯୋଗାଯୋଗ, ସ୍ଵାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ଏବଂ ପ୍ରତ୍ୟେକ ବିଭାଗ ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି । ପରିସ୍ଥିତିକୁ ପ୍ରଶାସନ ଗମ୍ଭୀରତାର ସହିତ ଗ୍ରହଣ କରିଛି ।

 

ପାଠକେ, ପୁଷ୍ଟିହୀନତା କେବଳ ନଗଡ଼ାରେ ସୀମିତ ନୁହେଁ । ଏ କ୍ଷେତ୍ରରେ ଦେଶର ପ୍ରମୁଖ ପଛୁଆ ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶା ସ୍ଥାନ ପାଇଛି । ଏଇ ତାଲିକାରେ ଓଡ଼ିଶା ବାଦ୍‌ ଅନ୍ୟାନ୍ୟ ରାଜ୍ୟମାନେ ହେଲେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ ଓ ରାଜସ୍ଥାନ । ଗତବର୍ଷ ପ୍ରକାଶ ପାଇଥିବା ଖବର ଅନୁସାରେ, ଭାରତରେ ୨.୩ କୋଟି ଶିଶୁ ପୁଷ୍ଟିହୀନତାର ଶିକାର । ୨୦୧୧ ଜନଗଣନା ତଥ୍ୟ ଆଧାରରେ ବେଶରେ ୬ ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ସଂଖ୍ୟା ୧୬ କୋଟି । ପରିପୂରକ ପୁଷ୍ଟି କାର୍ଯ୍ୟକ୍ରମରେ ସଂଯୁକ୍ତ ୧୩ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ର । ୨୦୧୩-୧୪ରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗ ୟୁନିସେଫ ସହିତ କରିଥିବା ମିଳିତ ସର୍ଭେ ଅଧ୍ୟୟନ ମୁତାବକ ଭାରତରେ ସ୍ଵାଭାବିକ ‘ମାନକ’ ଠାରୁ କମ୍‌ ଓଜନ ଥବା ପିଲାଙ୍କ ସଂଖ୍ୟା ୨୯.୪% ହୋଇଥିବାବେଳେ ବୟସ ଅନୁପାତରେ କମ୍‌ ଓଜନ (ଷ୍ଟଣ୍ଡିଂ) ପିଲାଙ୍କ ସଂଖ୍ୟା ୩୮.୭%। ପର୍ଯ୍ୟବେକ୍ଷକମାନଙ୍କ ମତ ଯେ, ୧୯୯୧ରେ ଅର୍ଥନୈତିକ ଉଦାରୀକରଣ ଉପରାନ୍ତ ଆମ ଜି.ଡି.ପି,ର (ମୋଟ ଘରୋଇ ଉତ୍ପାଦନ) ଚିତ୍ର ଓ ଚରିତ୍ର ଯଦିଓ ବଦଳୁଛି, ତଥାପି ଅପପୁଷ୍ଟିକୁ ନେଇ ଆମର ଦୁର୍ଭାଗ୍ୟଜନକ ପରିସ୍ଥିତି ଅପରିବର୍ତ୍ତିତ ରହିଛି । ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌), ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ, ପରିପୂରକ ପୁଷ୍ଟି ଯୋଜନା ଏବଂ ଜାତୀୟ ସ୍ଵାସ୍ଥ୍ୟ ମିଶନ ମାଧ୍ୟମରେ ପର୍ଯ୍ୟାପ୍ତ ଖର୍ଚ୍ଚ ପରେ ବି ସ୍ଥିତିରେ ଲକ୍ଷ୍ୟଣୀୟ ସୁଧାରଠାରୁ ଆମେ ଦୂରରେ । ବରଂ ଏ କ୍ଷେତ୍ରରେ ଆମର ଅବସ୍ଥା ଆଫ୍ରିକାର ଗରିବ ଦେଶମାନଙ୍କ ସହିତ ତୁଳନୀୟ । ୟୁନିସେଫ୍‌ ସୂତ୍ରକୁ ଉଦ୍ଧାର କରି ଖବରକାଗଜରେ ବାହାରିଛି ଯେ ଓଡ଼ିଶାରେ ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ଭିତରେ ୪୫% ପୁଷ୍ଟିହୀନତାର ଶିକାର ଏଵଂ ଜନଜାତିମାନଙ୍କ କ୍ଷେତ୍ରରେ ଏଇ ହାର ୫୭% । ପୁଣି ୧୮ରୁ ୨୩ ମାସ ବୟସ ବନ୍ଧନୀରେ ଜନଜାତିଙ୍କ କ୍ଷେତ୍ରରେ ବୟସ ଅନୁପାତରେ ଶାରୀରିକ ବିକାଶ (ଉଚ୍ଚତା ବୃଦ୍ଧି) ୮୩, କ୍ଷେତ୍ରରେ ପ୍ରଭାବିତ । ଗଜପତି, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ପରି ଅଞ୍ଚଳରେ ସ୍ଥିତି ଅଧିକ ସମ୍ବେଦନଶୀଳ । ରାଜ୍ୟର ସାଢ଼େ ଚାରିକୋଟି ଲୋକଙ୍କ ଭିତରୁ ୧.୪୦ କୋଟି ରକ୍ତହୀନତା ଓ ପୁଷ୍ଟିହୀନତା ଭୋଗୁଛନ୍ତି । ୫ ବର୍ଷ ବୟସରୁ କମ୍‌ ବାଳିକାମାନଙ୍କ ମଧ୍ୟରୁ ୬୨% ରକ୍ତହୀନତାର ଆକ୍ରାନ୍ତ ଥିବାବେଳେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ମଧ୍ୟରୁ ୬୨ ଉଭୟ ରକ୍ତହୀନତା ଓ ପୁଷ୍ଟିହୀନତାର ଶିକାର । ରାଜ୍ୟରେ ଅନ୍ତତଃ ୧୫, ୧୮୯୦ କ୍ୟାଲୋରାରୁ କମ୍‌ ଗ୍ରହଣ କରୁଛନ୍ତି । ୨୦୧୫-୧୬ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଦର୍ଶାଇଛନ୍ତି ଯେ ରାଜ୍ୟରେ ପୁଷ୍ଠିହୀନତା ଉଦ୍‌ବେଗଜନକ ।

 

ପାଠକେ, ତଥ୍ୟ ମୁତାବକ ଭାରତରେ ଅଛି ପୃଥିବୀର ସର୍ବାଧିକ ଭୋକିଲା ଲୋକ ଯାହା ମୋଟ କ୍ଷୁଧାର୍ତ୍ତଙ୍କ ଏକ- ଚତୁର୍ଥାଂଶ । ତେବେ ଶ୍ଳେଷ ହେଉଛି- ଭାରତ ଅପପୁଷ୍ଟି ସହିତ ଅତିପୁଷ୍ଟିକୁ ବି ସାମନା କରୁଛି । ସେଇ ମର୍ମରେ ସାରାପୃଥିବୀର ଏକ ତୃତୀୟାଂଶ ପୁଷ୍ଟିହୀନ / ରୁଗ୍‌ଣ ଶିଶୁ କେବଳ ଭାରତରେ ନାହାନ୍ତି, ଦେଶରେ ସଂଭ୍ରାନ୍ତ ପରି ବାରମାନଙ୍କର ଏକ- ତୃତୀୟାଂଶ ଶିଶୁ ‘ଅତିପୁଷ୍ଟ’ ର ଶିକାର ମଧ୍ୟ ପାଲଟିଛନ୍ତି । ଅର୍ଥାତ୍‌, ଉତ୍କଟ ଦାରିଦ୍ର୍ୟ ସହିତ ପ୍ରାଚୁର୍ଯ୍ୟ ବି ଆମ ସହିତ ଦୋଳି ଖେଳୁଛି । ଆଉ ନଗଡ଼ା କେବଳ ଯାଜପୁରରେ ନାହିଁ କି ମହାକାଳପଡ଼ାର ଲୁଣିମାଟିଆରେ ନାହିଁ । ଦେଶର ଅଧେ ଜିଲ୍ଲାରେ ଏମିତି ଗାଁ ଅଛି ଯେଉଁଠିକୁ ରାସ୍ତା ନାହିଁ, ପିଇବା ପାଣି ନାହିଁ, ଯେଉଁଠି ବିଜୁଳି ନାହିଁ, ଯେଉଁଠି ଲୋକେ ଡାଲି, ଅଣ୍ଡା କି ତେଲ କେହି ଦେଖୁନାହାନ୍ତି, ଯେଉଁଠି ସ୍ଵାସ୍ଥ୍ୟସେବା କହିଲେ ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କାକୁ ବୁଝାଏ; ଯେଉଠି ଗୋଟିଏ ଚୁଆରେ ମଣିଷ ଗାଧୋଇସାରି ସେଇଠୁ ପିଇବା ପାଇଁ ପାଣି ନିଏ, ଯେଉଁଠି ନୂଆଁଣିଆ ବଖୁରିକିଆ କୁଡ଼ିଆରେ ଘୁଷୁରି, ଛେଳି, କୁକୁଡ଼ା ସହିତ ଶୁଅନ୍ତି ରୋଗୀ ଓ ଶିଶୁ । ପାଠକେ, ନଗଡ଼ା ସେଇ ଦୃଷ୍ଟିରୁ ଏକ ନିର୍ଦ୍ଦିଷ୍ଟ ଗାଁ ନୁହେଁ । ବରଂ ଆମ, ବିପର୍ଯ୍ୟସ୍ତ ଅର୍ଥନୀତି ଓ ଜନଜୀବନର ଗ୍ରହଣ । ଆଉ ଏଥିପାଇଁ ଗୋଟାପଣେ ସରକାର ଦାୟୀ ନୁହଁନ୍ତି, ଅନେକ । ଦୃଷ୍ଟିରୁ ଆମେ ସମସ୍ତେ ଦାୟୀ । ସାଧାରଣ ନାଗରିକ, ସ୍ଵେଚ୍ଛାସେବୀ ସଂଗଠନ, ସାମ୍ବାଦିକ-ସମସ୍ତେ । ଗଣଜୀବନରେ ଆମକୁ ଗ୍ରାସି ସାରିଥିବା ସମ୍ବେଦନହୀନତା ନଗଡ଼ାର ନିର୍ମାଣ ପାଇଁ ଯେତିକି ଦାୟୀ, ସେତିକି ଦାୟୀ ଆମ ଅର୍ଥନୈତିକ ବ୍ୟବସ୍ଥା ଉପୁଜାଉଥିବା ବୈଷମ୍ୟ । ଅଧିକ ଦୁର୍ଭାଗ୍ୟ ଯେ ନଗଡ଼ା ଆମକୁ ଅନ୍ୟମନସ୍କ ଯେତିକି କରୁନାହିଁ, ସେତିକି ରୋମାଞ୍ଚିତ କରୁଛି । ଅବିକଳ ଏକ ଥ୍ରୀଲର୍‌ ପରି । ଅଥଚ ନିଜ ଭିତରେ ଏବଂ ବାହାରେ ଆମେ ହି ପରୋକ୍ଷରେ ନଗଡାର ପୃଷ୍ଠପୋଷକ ହୋଇ ରହିଛୁ ।

(ପ୍ରମେୟ, ତା ୨୩/୭/୨୦୧୬)

Image

 

Unknown

ଭୋକର ଭୂଗୋଳ, ଅର୍ଥନୀତିର ନଗଡ଼ାକରଣ

 

ଦେଶ ସ୍ଵାଧୀନ ହେବାର ୬୮ ବର୍ଷ ପରେ ପାହାଡ଼ ଉପର ଏକ ଗାଁରେ (ରାଜ୍ୟ ରାଜଧାନୀଠୁ ଖୁବ୍‌ ଦୂର ନୁହେଁ ଏବଂ ସମୃଦ୍ଧ କଳିଙ୍ଗନଗର ଶିଳାଞ୍ଚଳ ପାଖାପାଖି) ପ୍ରାଚୀନ ପ୍ରସ୍ତର ଯୁଗ ପ୍ରାୟ ଚଳଣିର ଆବିଷ୍କାର । ୪ ମାସରେ ୧୯ ଶିଶୁଙ୍କ ମୃତ୍ୟୁ- ମାତ୍ରାଧିକ ପୁଷ୍ଟିହୀନତା କାରଣରୁ । ଝିଅକୁ ଯେଉଁଠି ବୟସ ୧୪ ଡେଇଁଲେ ବୁଢ଼ୀର ଆଖ୍ୟା, ଅର୍ଥାତ୍‌ କିଶୋରୀ ବିବାହ । ବିବାହର ୧୫/୧୬ ବର୍ଷ ଭିତରେ (ଜଣେ ମହିଳାଙ୍କୁ ୩୦ ବର୍ଷ ହେବା ଆଗରୁ) ସେ ଜେଜେମା' । ଆଧୁନିକ ଚିକିତ୍ସାକୁ ଉପହାସ-ରୋଗାକ୍ରାନ୍ତ, କଙ୍କାଳସାର ଶିଶୁମାନଙ୍କ ପାଇଁ ଜଡ଼ିବୁଟି ଓ ବୈଦ୍ୟ ହିଁ ଭରସା । ଡାଲି, ତେଲ ସହିତ ପରିଚୟର ଅଭାବ । ବାହ୍ୟ ଜଗତ ସହିତ ଅସଂପୃକ୍ତ ଜୀବନ-ଏହା ହିଁ ନଗଡ଼ାର କାହାଣୀ । ତେବେ ନଗଡ଼ା ଏକ ବ୍ୟତିକ୍ରମ ନୁହେଁ । ପରେ ପରେ ଚର୍ଚ୍ଚାକୁ ଆସିଛି ମହାକାଳପଡ଼ାର ଲୁଣିମାଟିଆ ଏବଂ ନବରଙ୍ଗପୁରରେ ଶିଶୁ ମଡ଼କ । ଖବର ଅନୁଯାୟୀ, ଜାନୁଆରୀରୁ ଜୁନ୍‌ ମାସ ମଧ୍ୟରେ ଅପପୁଷ୍ଟିର ଶିକାର ହୋଇ ଜିଲ୍ଲାରେ ୩୫୫ ଶିଶୁ ମୃତ୍ୟୁବରଣ କରିଛନ୍ତି, ଯେଉଁମାନଙ୍କ ବୟସ ୦ରୁ ୧ ବର୍ଷ ଭିତରେ । ନିକଟରେ ଜଣେ ସମାଜକର୍ମୀ ଲେଖିଛନ୍ତି ନଗଡ଼ା ଘଟଣା ୩୦ ବର୍ଷ ତଳର ଅମଲାପାଲିର ଫାନସ୍‌ ପୁଞ୍ଜିଙ୍କ କଥା ମନେ ପକାଇ ଦେଉଛି । ପାଠକମାନଙ୍କୁ ସ୍ମରଣ କରାଇ ଦେଉଛି ଯେ ସମ୍ବାଦପତ୍ରରେ ସେତେବେଳେ ଖବର ପ୍ରକାଶ ପାଇଥିଲା- ଉତ୍କଟ ଦାରିଦ୍ର୍ୟ / ଖାଦ୍ୟାଭାବ ଯୋଗୁଁ ପୁଞ୍ଜି ତାଙ୍କ ନଣନ୍ଦଙ୍କୁ ଟେକି ଦେଇଥିଲେ ଅନ୍ୟ ଏକ ଗାଁର ଜଣେ ଦୃଷ୍ଟିହୀନଙ୍କ ହାତରେ । କଳାହାଣ୍ଡିର ଅମଲାପାଲି ଆନ୍ତର୍ଜାତିକ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ମନେ ହୋଇଥିଲା ‘ଦାରିଦ୍ର୍ୟ ପର୍ଯ୍ୟଟନ’ ଏକ ନୂଆ ଉପବିଭାଗ ହୋଇ ଯୋଡ଼ା ହେବ ରାଜ୍ୟ ପର୍ଯ୍ୟଟନରେ । ଆଉ ବିଡ଼ମ୍ବନା ହେଉଛି, ୩୦ ବର୍ଷ ତଳର ଏ ଦୃଶ୍ୟ ରାଜ୍ୟରୁ ଅପସରି ଯିବାର ନାଁ ଧରୁନାହିଁ । ଆଲୋଚନାରେ ସାମାନ୍ୟ ଆଗକୁ ଯିବା ପୂର୍ବରୁ ସୂଚାଇ ଦିଏ ଯେ ୨୦୧୧ ଜନଗଣନା ତଥ୍ୟ ଆଧାରରେ ଓଡ଼ିଶାର ଜନସଂଖ୍ୟା ୪,୧୯,୪୭,୩୫୮ । ଯଦିଓ ସରକାରୀ ତଥ୍ୟ ମୁତାବକ ଆମ ରାଜ୍ୟ ଜନସଂଖ୍ୟାର ୩୨.୫% ଦାରିଦ୍ର୍ୟ ସୀମାରେଖା ତଳେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଅନୁଯାୟୀ ଅନ୍ୟୂନ ୭୭.୮% ଅର୍ଥାତ୍‌ ୩,୨୬,୪୧, ୨୫୦ ଲୋକଙ୍କର ଖାଦ୍ୟ ନିରାପତ୍ତା ନାହିଁ । ଏମାନଙ୍କ ପାଇଁ ପଡ଼ିକାର୍ଡ଼ ଯୋଗାଇବା ସରକାରଙ୍କ ଲକ୍ଷ୍ୟ । ରାଜ୍ୟ ଜନସଂଖ୍ୟାର ୪୦% ଅନୁସୂଚିତ ଜାତି ଓ ଜନଜାତି, ଯେଉଁ ମାନଙ୍କ ମଧ୍ୟରୁ ଅନ୍ତତଃ ୯୦% ଅତି ଦରିଦ୍ର ଏବଂ ସ୍ଵତନ୍ତ୍ର ସହାୟତାର ଅପେକ୍ଷା ରଖନ୍ତି । ଗତବର୍ଷ ପ୍ରକାଶ ପାଇଥିବା ସାମାଜିକ- ଅର୍ଥନୈତିକ ଜନଗଣନା- ୨୦୧୧ ତଥ୍ୟ ମୁତାବକ ଓଡ଼ିଶାର ମୋଟ ୮୬, ୨୨,୮୨୭ ଗ୍ରାମୀଣ ପରିବାରର ୮୮ ପ୍ରତିଶତ ମାସକୁ ୫ ହଜାର ଟଙ୍କାରୁ କମ୍‌ ଆୟରେ ଚଳନ୍ତି-। ୨୭. ୨୮% ପରିବାର ବଖରାଏ ଘରେ ଚଳନ୍ତି ଏବଂ ୩୬. ୧୯% ଭୂମିହୀନ । ଅନ୍ୟ ଅର୍ଥରେ, ଆମ ଜନସଂଖ୍ୟାର ସିଂହଭାଗ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି । ନିଜ ରାଜ୍ୟର ଛବିକୁ ଆପଣ ଚିହ୍ନନ୍ତୁ ।

 

ଏବେ ସାମାନ୍ୟ ବିସ୍ତାରରେ ଆସିବା ଅର୍ଥନୈତିକ ବୈଷମ୍ୟ ସମ୍ପର୍କିତ ଆଲୋଚନାକୁ । ତଥ୍ୟ / ଅଧ୍ୟୟନ ମୁତାବକ ଭାରତର ସର୍ବାଧିକ ୧୦% ଧନୀ ସର୍ବାଧିକ ଗରିବ ୧୦%ଙ୍କ ନୁଳନାରେ ଆୟ କରୁଛନ୍ତି ୧୨ ଗୁଣ ଅଧିକ ଯାହା ପ୍ରାକ୍‌-ଉଦାରୀକରଣ ସମୟଠୁ ୬% ଅଧିକ । ଆଉ ଦେଶର ସର୍ବାଧିର୍କ ଧନୀଙ୍କ (୧%) ନିକଟରେ ଅଛି ଆମ ଜାତୀୟ ଆୟର ୧୦% । ବିଡ଼ମ୍ବନାକୁ ପାଠକେ ଧ୍ୟାନ ଦିଅନ୍ତୁ । ଧାରାବାହିକ ଜନହିତକର ଯୋଜନା, ଖାଦ୍ୟ ନିରାପତ୍ତା ଏବଂ ପରିପୂରକ ପୁଷ୍ଟି ପାଇଁ ଯଥେଷ୍ଟ କାର୍ଯ୍ୟକ୍ରମ ଉପରାନ୍ତ ଭାରତରେ ଜନ୍ମ ହେଉଥିବା ଅନ୍ତତଃ ୨୮% ଶିଶୁ ସ୍ଵାଭାବିକ ଓଜନଠୁ କମ୍‌ ଓଜନର । ୫ ବର୍ଷରୁ କମ୍‌ ୪୮% ଶିଶୁ ପୁତ୍ରହୀନତା ଏବଂ ଷ୍ଟଣ୍ଟିଂ (ବୟସ ଅନୁପାତରେ କମ୍‌ ଉଚ୍ଚତା)ର ଶିକାର, ମାତୃ ମୃତ୍ୟୁହାର (ପ୍ରତି ଏକଲକ୍ଷରେ) ୧୪୦ (ଓଡ଼ିଶା : ୨୨୨) ଓ ଶିଶୁ ମୃତ୍ୟୁହାର ୪୦ (ପତି ଏକ ହଜାରରେ) ଯାହା ଓଡ଼ିଶା କ୍ଷେତ୍ରରେ ୫୧ । ପାଖାପାଖି ବର୍ଷକ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ, ଦୁର୍ଗମ ଅଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ବାର୍ଷିକ ଅତିରିକ୍ତ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଅର୍ଥ ଶାସ୍ତ୍ରୀମାନଙ୍କ ମତ ଯେ ଆମ ବିକାଶ ଅନ୍ତର୍ଭୁକ୍ତୀ ନହୋଇ ବରଂ ଅର୍ଥନୈତିକ ବୈଷମ୍ୟକୁ ବହୁଗୁଣିତ କରିଛି । ଉଦାରୀକରଣ ଉପରାନ୍ତ ବୈଷମ୍ୟ ତେଜିଛି । ପରୋକ୍ଷରେ ଏହା ସ୍ପଷ୍ଟ କରୁଛି ଯେ ଅସମାନତାର ବୋଝ କେବଳ ଯାଇଛି ଗରିବମାନଙ୍କ ମୁଣ୍ଡକୁ । ଉତ୍ତର ଉଦାରୀକରଣ ଲଗ୍ନରେ ଧନୀରୁ ଲୋକେ ଅତି ଧନୀ ହୋଇଛନ୍ତି ଏବଂ ଗରିବରୁ ଅତି ଗରିବ ପାଲଟିଛନ୍ତି । ଆଉ ପରିବର୍ତ୍ତିତ ସ୍ଥିତିରେ ଜଳବାୟୁ ପରିବର୍ତ୍ତନ, ପର୍ଯ୍ୟାବରଣ ଏବଂ ଜଳ ସଙ୍କଟକୁ ଯେତିକି ଗୁରୁତ୍ୱ ଦିଆଯାଉଛି, ସମାନ ଗୁରୁତ୍ୱ ଦିଆଯାଉଛି ଅର୍ଥନୈତିକ ବୈଷମ୍ୟକୁ ।

 

ପର୍ଯ୍ୟବେକ୍ଷକମାନଙ୍କ ମତ, ଉଦାରୀକରଣ ଆମ ଗଣଜୀବନକୁ ଏଇଥି ପାଇଁ ଫର୍ଚ୍ଚା କରି ପାରି ନାହିଁ, କାରଣ ସମ୍ପଦର ନିଜସ୍ଵ ଅଭିବୃଦ୍ଧି ତତ୍ତ୍ୱ‌ ପରି ଦାରିଦ୍ର୍ୟର ବି ଆପଣା ତତ୍ତ୍ୱ / ଦର୍ଶନ ରହିଛି । ୟା ମୂଳରେ କେବଳ ଜଗତୀକରଣର ତଥାକଥିତ କୁପ୍ରଭାବ ନାହି, ବରଂ ରହିଛି ଏକାଧିକ ଐତିହାସିକ- ସାମାଜିକ କାରଣ: ଯଥା - ଜାତି ପ୍ରଥା, ଭୂସଂସ୍କାରର ଅଭାବ, ଗ୍ରାମାଞ୍ଚଳର ଦୁର୍ବଳ ଭିତ୍ତିଭୂମି, ନିରକ୍ଷରତା / ଶିକ୍ଷାର ଅଭାବ ଏବଂ ସର୍ବୋପରି ଆମର ଅଦୂରଦର୍ଶୀ ଆର୍ଥିକ ପରିଚାଳନା । ତେବେ ବୈଷମ୍ୟ କେବଳ ଯେ ଭାରତରେ ରହିଛି, ଏକଥା ବି ନୁହେଁ । ପୃଥିବୀର ସବୁଠୁ ଧନଶାଳୀ ୧%ଙ୍କ ପାଖରେ ରହିଛି ୟାର ମୋଟ୍‌ ସମ୍ପଦର ୯୯ ଭାଗ । ସେତିକି ପର୍ଯ୍ୟାପ୍ତ ନୁହେଁ । କାରଣ ଅତି ଧନଶାଳୀ ମାତ୍ର ୦.୧%ଙ୍କ ପାଖରେ ମହଜୁଦ୍‌ ସମ୍ପତ୍ତି ଶେଷ ୯୦ ଭାଗଙ୍କ ନିକଟରେ ଥିବା ସମ୍ପତ୍ତିଠୁ ଅଧିକ । ଆମ ଅଲକ୍ଷ୍ୟରେ ଏବଂ ଜ୍ଞାତସାରରେ ଏକ ପ୍ରକାଣ୍ଡ ଅସମାନ ପୃଥିବୀର ନିର୍ମାଣ ହୋଇ ସାରିଛି । ଏକ ବିକାଶଶୀଳ ଅର୍ଥନୀତି ଭାବରେ ଭରତରେ ମୁଣ୍ଡପିଛା ଖର୍ଚ୍ଚ ବାସ୍ତବିକ ଚିନ୍ତାଜନକ । ଆମକୁ ଏଠି ମନେ ରଖିବା ପାଇଁ ପଡ଼ିବ ଯେ ଦାରିଦ୍ର୍ୟ ଦୂରୀକରଣ ଓ ଜନକଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ଵାରା ଦିଆ ଯାଉଥିବା ସବ୍‌ସିଡି / ରିହାତି / ଛାଡ଼ ସ୍ୱାଧୀନତା ପରଠୁ ଅବ୍ୟାହତ ରହିଛି । ତଥାପି ପଡ଼ୋଶୀ ଚୀନ୍‌ ତୁଳନାରେ ଆମ ସ୍ଥିତି ଖରାପ । ଆଉ ଗୋଟିଏ ମତ ଯେ ଅର୍ଥନୈତିକ ଅସମାନତାକୁ ସମ୍ପ୍ରସାରିତ କରିବା ମୂଳରେ ରହିଛି ଜନସଂଖ୍ୟା ବୃଦ୍ଧି, ନିଯୁକ୍ତି ଉଦ୍ଦେଶ୍ୟରେ ସ୍ଥାନାନ୍ତରଣ, ପାରିବା ଲୋକେ ଆଇନ୍‌ କାନୁନ୍‌କୁ ଉଲ୍ଲଂଘନ କରିବା ନେଇ ବ୍ୟବସ୍ଥାର ପରୋକ୍ଷ ପ୍ରୋତ୍ସାହନ ଏବଂ ରାଜନୈତିକ ଆଗ୍ରହର ଅଭାବ । ଭାରତରେ ଅଧିକ ଆୟ କରୁଥିବା ବର୍ଗକୁ ଆହୁରି ଆଗକୁ ଯାଇ ଅଧିକ ରୋଜଗାର କରିବା ପାଇଁ ସୁଯୋଗ ତ ମିଳୁଛି, କିନ୍ତୁ ସେଇ ଅନୁପାତରେ ସୁଯୋଗ ଗରିବଙ୍କ ପାଖରେ ନାହିଁ । ଅନେକ ସମୟରେ ମଧ୍ୟ ବର୍ଗଙ୍କ ପାଖରେ ମଧ୍ୟ ନାହିଁ । କେତେବର୍ଷ ହେଲାଣି ଆମକୁ ଲାଗୁଛି, ରାସ୍ତା ପରିଷ୍କାର ହୋଇଗଲାଣି- ଆଗକୁ ବଢ଼ିବା ପାଇଁ କେବଳ ଅଧ୍ୟବସାୟ ଓ ଆଗ୍ରହ ଲୋଡ଼ା, ଯାହା କିନ୍ତୁ ସମ୍ପୂର୍ଣ୍ଣ ସତ ନୂହେଁ । ବରଂ ନିରାଟ ସତ ହେଉଛି, ଗରିବମାନଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ଯୋଜନାର ସୁଫଳ ସ୍ଵଚ୍ଛଳମାନେ ହିଁ ପାଉଛନ୍ତି ।

 

ଚାଷ ପାଇଁ ୠଣ ବ୍ୟବସ୍ଥା ବ୍ୟାଙ୍କମାନଙ୍କ ପାଖରେ ଅଛି, ସବ୍‌ସିଡି ଅଛି, ଅଥଚ କୃଷି ରଣର ସିଂହଭାଗ ସବୁବେଳେ ହାତେଇ ନେଇଛନ୍ତି ବଡ଼ ଚାଷୀ । ଛୋଟ / ନାମକୁ ମାତ୍ର ଚାଷୀ ସରକାରଙ୍କ ବିଜ୍ଞାପନରେ ସନ୍ତୁଷ୍ଟ, ଆତ୍ମହତ୍ୟାରେ ସନୁଷ୍ଟ (!) । କୁହାଯାଉଛି, ଜଗତୀକରଣକୁ ଉଦାର ହୃଦୟରେ ଆପଣେଇବା ନାଁରେ ଭାରତରେ ଯାହା ଘଟିଛି, ତାହା ହେଉଛି ପୁଞ୍ଜିବାଦର ମୁକ୍ତ ପୃଷ୍ଠପୋଷକତା; କ୍ରୋନି କ୍ୟାପିଟାଲିଜ୍‌ମ୍‌ର ବିକାଶ । ଆଉ ଆମର ଦୁର୍ଭାଗ୍ୟ ଯେ ଜନଜୀବନରେ ପରିତ୍ରାଣ ଆଣିବା ପାଇଁ ରାଜନୀତିର ମଙ୍ଗ ଯେଉଁମାନେ ଧରିଛନ୍ତି, ସେମାନେ ହୃଦୟର ସହିତ ଏକଥା ଚିନ୍ତା କରିବା ପାଇଁ ପ୍ରସ୍ତୁତ ନୁହନ୍ତି । ଆଉ ଯେଉଁମାନେ ଶିଡ଼ିର ତଳ ପାହାଚରେ ଠିଆ ହୋଇଛନ୍ତି, ଯେଉଁମାନେ ଅସଂଗଠିତ, ଯେଉଁମାନେ ଏଇ ଅଭାବନୀୟ ଉପେକ୍ଷା ବିରୋଧରେ ସ୍ଵର ଉତ୍ତୋଳନ କରିବା କଥା, ସେମାନେ ପରିସ୍ଥିତି ଚାପରେ ଏମିତି ବିଭାଜିତ / ବିଖଣ୍ଡିତ ଓ ଦୁର୍ବଳ ଯେ ସେମାନଙ୍କ ପ୍ରତିବାଦର ସ୍ଵର ଦୀର୍ଘସ୍ଥାୟୀ କି “ପ୍ରଭାବଶାଳୀ ନୁହେଁ । ପ୍ରତିବାଦ ଦାନା ବାନ୍ଧିବା ଆଗରୁ ୟାର ଯୋଜନାବଦ୍ଧ ହତ୍ୟା ମଧ୍ୟ ଆମରି ଶାସନ-ତନ୍ତ୍ରର ଭିଆଣ । ପାଠକେ, ଗୋଟିଏ ଯୋଡ଼ିଏ ନଗଡ଼ା ନୁହେଁ, ସାରା ଭାରତରେ ଅନ୍ତତଃ କେତେ ଶହ ନଗଡ଼ା ଖୁବ୍‌ ବାସ୍ତବ ହୋଇ ରହିଛି । ଅର୍ଥଶାସ୍ତ୍ରୀମାନଙ୍କ ବିଚାର, ଯଦି ଏଇ ଦୟନୀୟ ସ୍ଥିତି ଆଗକୁ ଜାରି ରହେ, ତେବେ ଆମ ଜି.ଡି.ପି. ଗଣିତର ବିଲକୁଲ୍‌ କିଛି ଅର୍ଥ ରହିବ ନାହିଁ ! ପାଠକମାନଙ୍କୁ ସ୍ମରଣ କରାଇ ଦଏ ଯେ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ରାଜନ୍‌ ନିକଟରେ କହିଥିଲେ, ସବୁ ଭାରତୀୟଙ୍କ ମୁହଁରେ ହସ ଫୁଟେଇବା ପାଇଁ ଆମକୁ ଯଥେଷ୍ଟ ଅଧିକ କରିବା ପାଇଁ ପଡ଼ିବ । ଆତ୍ମସନ୍ତୋଷର ଦିନ ଆସିନାହିଁ ! ଅସମାନତା ବାବଦରେ ଆଉ ଏକ ମତ ମଧ୍ୟ ରହିଛି, ଯାହା ଦକ୍ଷିଣପନ୍ଥୀମାନଙ୍କ ମତ । ସେମାନଙ୍କ କହିବା କଥା- ଧନୀମାନଙ୍କୁ ନିରୁତ୍ସାହିତ କଲେ ପୁଞ୍ଜିନିବେଶ / ଶିଳ୍ପାୟନ ବ୍ୟାହତ ହେବ ଓ ଗରିବମାନେ ଅଳସୁଆ ହେବେ, ଯାହା ଅଥର୍ନୀତି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ । ତେବେ ଏହା ଆଉ ପ୍ରମୁଖ ମତ ନୁହେଁ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ସମେତ ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାମାନଙ୍କ ମତ ହେଉଛି, ସମ୍ପଦର ପୁନଃବଣ୍ଟନ ନହେବା କେବଳ ‘ଅନୈତିକ ! ନୁହେଁ, ବରଂ କୌଣସି ଏକ ଅର୍ଥନୀତି ନିମନ୍ତେ ‘ଅସୁସ୍ଥ’ ପରମ୍ପରା ।

 

ପାଠକମାନଙ୍କ ପାଇଁ ସ୍ପଷ୍ଟ କରୁଛି, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆଗରୁ ସାରା ପୃଥିବୀରେ ବୈଷମ୍ୟ ଉଗ୍ର ହୋଇ ରହିଥିଲା । ସେତେବେଳେ ଅର୍ଥଶାସ୍ତ୍ରୀମାନଙ୍କର ଧାରଣା ଥିଲା, ଅର୍ଥନୀତିରେ ଅଭିବୃଦ୍ଧି ସକ୍ରିୟ ରହିଲେ ବୈଷମ୍ୟ କ୍ରମଶଃ ଅପସରି ଯିବ ପ୍ରାକ୍‌-ଶିଳ୍ପ ବିପ୍ଲବ ସମୟରୁ ଶିଳ୍ପ ବିପ୍ଳବରେ ପ୍ରବେଶ ପରେ ଯେଉଁ ବୈଷମ୍ୟ ଉପସ୍ଥିତ ଥିଲା, ତାହା କେତେବର୍ଷ ସ୍ଥିର ରହିବା ଉତ୍ତାରୁ ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା । ଆଶା ଥିଲା, ଭାରତ ପରି ଅର୍ଥନୀତିରେ ଏଇ ପରିବର୍ତ୍ତନ କିଛିଟା ବିଳମ୍ବରେ ହେଲେ ବି ଆସିବ। ଅର୍ଥାତ୍‌, ବୈଷମ୍ୟର ହ୍ରାସ ପ୍ରାୟତଃ ଆନୁପାତିକ ହେବ ଅର୍ଥନୈତିକ ଅଭିବୃଦ୍ଧି ସହିତ । ୧୯୫୫ ରେ ହୋଇଥିବା ଏଇ ଭବିଷ୍ୟବାଣୀ କିନ୍ତୁ ସତ୍ୟରେ ପରିଣତ ହୋଇ ପାରିନଥିଲା । ଯୁକ୍ତରାଷ୍ଟ୍ର ପରି ବିକଶିତ ଏବଂ ଭାରତ ପରି ବିକାଶଶୀଳ ଅର୍ଥନୀତିରେ ବୈଷମ୍ୟର ସ୍ଥିତି ଏଇ ସମୟ ଭିତରେ ସମ୍ଭବତଃ ଅଧିକ ବିମର୍ଷକର ପାଲଟିଛି । ଯାହା ଏଇ ଅବଧି ଓ କ୍ରମରେ ସମ୍ଭବ ହୋଇଛି, ତାହା ହେଉଛି–ଗୋଟାଏ ନୂଆ ପ୍ରଜାତିର ଉପନିବେଶବାଦ ।

 

ପର୍ଯ୍ୟବେକ୍ଷକମାନଙ୍କ ମତ, ଏବେ ଅସଲ ସ୍ଥିତିକୁ ଠିକ୍‌ ଠିକ୍‌ ଆକଳନ କରିବାର ସମୟ ଆସିଛି । କେବଳ ଯୋଜନାର ସଂଶୋଧନ ନୁହେଁ, ୟାର ରୂପାୟନକୁ ଗୁରୁତ୍ୱ ଦେବାକୁ ହେବ । ଏକଥା ନୁହେଁ ଯେ ପ୍ରତିଯୋଗିତା ରହିବ ନାହିଁ, ତେବେ ସମସ୍ତଙ୍କ ପାଇଁ ସୁଯୋଗର ଭୂମି ରହିବ । ସମ୍ପଦର ପୁନଃବଣ୍ଟନ ବୈଷମ୍ୟର ଏକମାତ୍ର ଉତ୍ତର ମଧ୍ୟ ନୁହେଁ, କାରଣ କେବଳ ଉପାର୍ଜନ ବୃଦ୍ଧି ସବୁ ସମସ୍ୟାର ସମାଧାନ ଆଣି ପାରିବ ନାହିଁ । ଏକ ଦୀର୍ଘ ସମୟ ଖଣ୍ଡ, ପିଢ଼ି ପିଢ଼ି ଧରି ତିଷ୍ଠି ରହିଥିବା ବୈଷମ୍ୟକୁ ନେଇ ଆପଣାର ଅଜବ ଅଭିଧାନ ଲେଖି ସାରିଛି । ଭୋକ ଆମ୍ମାକୁ କୋଉ କାଳୁ ହତ୍ୟା କରି ସାରିଲାଣି । ଦୁର୍ଭାଗ୍ୟର ଇମାରତ୍‌ ତଳେ ଶିକ୍ଷା, ସ୍ଵାସ୍ଥ୍ୟ ଓ ଗୁଣାତ୍ମକ ଜୀବନ ଚାପି ହୋଇ ରହିଛନ୍ତି । ସେଥି ପାଇଁ ଥରେ ଥରେ ମନେ ହେଉଛି, ଅସୂର୍ଯ୍ୟ ଉପନିବେଶରୁ ଯେମିତି ମୁକ୍ତି ନାହିଁ । ଆପଣ ନଗଡ଼ାର ଉଦାହରଣ ନେଇ ପାରନ୍ତି, ଯେଉଁଠି ପ୍ରଶାସନ ପୁଷ୍ଟିହୀନତା ଭୋଗୁଥିବା ଶିଶୁମାନଙ୍କୁ ପୁଷ୍ଟି ସାଧନ କେନ୍ଦ୍ରରେ ଦାଖଲ କରିବା ପରେ ସେମାନଙ୍କ ବାପାମା ‘ସେମାନଙ୍କୁ ନେଇ ଯାଉଛନ୍ତି । ଦୀର୍ଘ ଅବହେଳା ସେମାନଙ୍କୁ ଅସାଡ଼ କରି ସାରିଛି । ପ୍ରଶାସନ ଉପରୁ ସେମାନେ ଆସ୍ଥା ତୁଟେଇ ସାରିଛନ୍ତି । ଅନ୍ଧବିଶ୍ଵାସ ଓ ଅଭାବ ଅଭ୍ୟାସରେ ପରିଣତ ହୋଇସାରିଛି-। ଡାକ୍ତରଖାନାରେ / ପୁଷ୍ଟି ସାଧନ କେନ୍ଦ୍ରରେ ତେଣୁ ଗୁଣିଆ ପହଞ୍ଚୁଛି ; ଅସୁସ୍ଥ ଶିଶୁଙ୍କୁ ଚେରମୁଳି ଦେଇ ଗାଁ ବୈଦ୍ୟ ଓଝା ଭଲ କରିଦେବ ବୋଲି ପ୍ରତିଶ୍ରୁତି ଦେଉଛି । ଆମକୁ ମୌଳିକ ସୁବିଧାସୁଯୋଗ ସଭିଙ୍କ ପାଖରେ ପହଞ୍ଚାଇବା ପାଇଁ ପଡ଼ିବ (ଶିକ୍ଷା, ସ୍ୱାସ୍ଥ୍ୟ); ଭିତ୍ତିଭୂମିର ବିକାଶ କରିବା ପାଇଁ ହେବ । ନଗଡ଼ା କେବଳ ଯାଜପୁର ଜିଲ୍ଲାର ଏକ ଅବହେଳିତ ଗାଁର କାହାଣୀ ନୁହେଁ, ଆମ ବାସ୍ତବିକତାର ଜଳଛବି; ଆମ ଅପରିଣାମଦର୍ଶିତାର ବୃତ୍ତଚିତ୍ର । ନଗଡ଼ା ଆମ ଅର୍ଥନୈତିକ ଅସୁସ୍ଥତାର ସଙ୍କେତ ।

(ନିତିଦିନ, ତା ୨୯/୭/୨୦୧୬)

Image

 

ଅନାବୃଷ୍ଟି, ମରୁଡ଼ି ଓ ଜୀବନ

 

ଦୁଇ ବର୍ଷ ଧରି ଅନିୟମିତ ମୌସୁମି / ଅନାବୃଷ୍ଟି ଦେଶରେ କୃଷିର ମେରୁଦଣ୍ଡ ଦୋହଲାଇ ଦେଇଛି । ଆଗକୁ ଯେ ଅନିଶ୍ଚିତତାର ଅନ୍ତ ଘଟିବ, ଏ ନେଇ ଭବିଷ୍ୟବାଣୀ ସମ୍ଭବ ନୁହେଁ । (ପାଣିପାଗବିତ୍‌ମାନଙ୍କ ଆକଳନ ଢେର୍ ଥର ଅପ୍ରମାଣିତ ରହିଛି) ।

 

ରାଜ୍ୟସଭାରେ କେନ୍ଦ୍ର ସରକାର ରଖିଥିବା ଉତ୍ତର ଆଧାରରେ, ଗତ ଏପ୍ରିଲରେ ପ୍ରକାଶିତ ଏକ ରିପୋର୍ଟ ଦର୍ଶାଇଛି ଯେ ଦେଶର ୧୦ ଟି ରାଜ୍ୟ ଏ ବର୍ଷ ଭୟଙ୍କର ମରୁଡ଼ି ପରିସ୍ଥିତିର ସାମ୍ନା କରିଛନ୍ତି । କର୍ଣ୍ଣାଟକର ୫୦ ଜିଲ୍ଲା, ଛତିଶଗଡ଼ର ୨୫, ମଧ୍ୟ ପ୍ରଦେଶର ୪୨, ମହାରାଷ୍ଟ୍ରର ୨୧, ଓଡ଼ିଶାର ୨୬, ତେଲେଙ୍ଗାନାର ୭, ଉତ୍ତରପ୍ରଦେଶର ୫୦, ଆନ୍ଧ୍ରପ୍ରଦେଶର ୧୦, ଝାଡ଼ଖଣ୍ଡର ୨୪ ଓ ରାଜସ୍ଥାନର ୧୯ ଜିଲ୍ଲା ମରୁଡ଼ି ଯୋଗୁଁ ପ୍ରଭାବିତ ହୋଇଛନ୍ତି । ପାଠକମାନଙ୍କର ସ୍ମରଣ ଥିବ ଯେ ନିକଟ ଅତୀତରେ ସୁପ୍ରିମକୋର୍ଟ ମରୁଡ଼ି ପ୍ରେକ୍ଷାପଟ୍ଟରେ ଏକ ମାମଲାର ଶୁଣାଣିବେଳେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ–ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏସ୍‌.ରେ କାମ ଯୋଗାଇବା ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ହେଉ । ରିପୋର୍ଟରୁ ଜଣାପଡ଼ିଛି, ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ୧୦ ଟି ରାଜ୍ୟକୁ କେନ୍ଦ୍ର ସରକାର ଏଯାବତ୍‌ ଟ ୧୩,୦୦୦ କୋଟି ଯୋଗାଇ ଦେଇଛନ୍ତି । ଦାବୀ ଥିଲା ଟ ୪୨,୦୦୦ କୋଟି । ୨୦୧୪–୧୫ରେ ଅନ୍ୟୂନ ପାଞ୍ଚଟି ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥଲା ଏବଂ ସେମାନେ ଟ ୧୮,୦୦୦ କୋଟି ସାହାଯ୍ୟ ମାଗିଥିବାବେଳେ କେନ୍ଦ୍ର ଦେଇଥିଲା ଟ୩,୩୫୦ କୋଟି । ତଥ୍ୟ ଅନୁଶୀଳନରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଖର୍ଚ୍ଚ ବଢ଼ିବଢ଼ି ଚାଲିଛି । ୨୦୦୧–୦୨ରେ ଏ ବାବଦରେ ଟ୫, ୦୧୨ କୋଟି ଖର୍ଚ୍ଚ ହୋଇଥିବାବେଳେ ୨୦୧୪–୧୫ର ତାହା ବୃଦ୍ଧି ପାଇଛି ଟ ୨୦,୨୨୦ କୋଟିକୁ । ଅର୍ଥନୀତିଜ୍ଞମାନଙ୍କ ଆଶଙ୍କା, ପ୍ରାକୃତିକ ବିପର୍ଯ୍ୟୟଜନିତ ସ୍ଥିତିର ମୁକାବିଲା ନିମନ୍ତେ ବ୍ୟାପକ ବ୍ୟୟବରାଦ ଯୋଗୁଁ ଆଗକୁ ଅନ୍ୟାନ୍ୟ ଯୋଜନା ପ୍ରଭାବିତ / କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଧିକ । ଦେଶରେ ଫସଲ ବୀମା ନିରୁତ୍ସାହଜନକ । କମ୍‌ ପାଣିରେ ଅଧିକ ଫସଲ ଉତ୍ପନ୍ନ, (ମୋଦିଙ୍କ ଡାକରା : ପ୍ରତ୍ୟେକ ବୁନ୍ଦାରେ ଅଧିକ ଫସଲ ଅମଳ) ଉଭୟ କମ୍‌ ଏବଂ ଅଧିକବର୍ଷା ସହିତ ଯୁଝିପାରୁଥିବା ଫସଲଠୁ ଆମେ ଏଯାଏଁ ଯଥେଷ୍ଟ ଦୂରରେ । ବର୍ଷାଳଳ ସଂରକ୍ଷଣରେ ଆହୁରି ପଛରେ ।

 

ପାଠକେ, ଅନାବୃଷ୍ଟି କେବଳ କୃଷିକୁ ବିପନ୍ନ କରୁନାହିଁ । ଦେଶରେ ପାନୀୟଜଳ ସମସ୍ୟାକୁ ଅଧିକ୍‌ ଉତ୍କଟ କରିଛି । ଭାରତୀୟ ‘ମାନକ’ ବା ଷ୍ଟାଣ୍ଡାର୍ଡ ଅନୁସାରେ ମୁଣ୍ଡପିଛା ଦୈନିକ ୪୦ ଲିଟର ପାଣିର ବ୍ୟବହାର ସ୍ୱଚ୍ଛଳ ସ୍ଥିତି । ତେବେ ଏ ଭାଗ୍ୟ ବେଶ୍‌ କିଛି ଭାରତୀୟଙ୍କର ନାହିଁ । ସାରା ପୃଥିବୀରେ ଥବା ପାଣିର ୪ ପ୍ରତିଶତ କେବଳ ଆମ ଦେଶରେ ଥିଲେ ହେଁ ୨୦୨୦ ସୁଦ୍ଧା ଆମେ ‘ଜଳକ୍ଳିଷ୍ଟ ଦେଶ’ ତାଲିକାଭୁକ୍ତ ହେବା । ଉପଲବ୍ଧ ବିଶୁଦ୍ଧ ପାନୀୟ ଜଳକ୍ରମରେ ୧୨୨ଟି ଦେଶ ଭିତରେ ଭାରତର ସ୍ଥାନ ୧୨୦ ରେ, ଅର୍ଥାତ୍‌ ତଳଆଡ଼ୁ ୨ରେ । ସେତିକି ନୁହେଁ, ଦେଶର ୧,୯୫,୦୦୦ ଗାଁରେ ପିଇବା ପାଣି ଦୂଷିତ, ସଂକ୍ରମିତ ହୋଇ ସାରିଛି । ମୁଖ୍ୟ କାରଣ-ରାସାୟନିକ । ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ପାନୀୟ ଜଳରେ ଫ୍ଲୋରାଇଡ୍‌ର ମାତ୍ରା ୩୨ ମିଲିଗ୍ରାମରୁ ୪୮ ମି.ଗ୍ରା (ନିରାପଦ ମାତ୍ରା: ୧ ମି.ଗ୍ରା) । ଏ ସବୁ ରାଜ୍ୟକୁ ମିଶେଇ ମୋଟ ୨୦ ଟି ରାଜ୍ୟ ଫ୍ଲୋରାଇଡ଼ ସମସ୍ୟାର ସମ୍ମୁଖୀନ । ପ୍ରଭାବିତ ଜନସଂଖ୍ୟା: ୭୦ ନିୟୁତ । ମୁର୍ସିଦାବାଦ, ନଦୀୟା, ୨୪ ପ୍ରଗଣା, ବର୍ଦ୍ଧମାନ ଏବଂ ପଶ୍ଚିମବଙ୍ଗର ଆଜ କିଛି ଅଞ୍ଚଳରେ ପାନୀୟ ଜଳରେ ଭୟଙ୍କର ଆର୍ସେନିକ ଠାବ ହୋଇଛି । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା, କର୍ଣ୍ଣାଟକ ଏବଂ ତାମିଲନାଡୁରେ ନାଇଟ୍ରେଟ୍‌ ସଂକ୍ରମଣ ବାଦ୍‌ ଅଧିକାଂଶ ଅଞ୍ଚଳରେ ମାତ୍ରାତିରିକ୍ତ ଲୌହ ଓ ଲବଣତ୍ଵ ରହିଛି । ଦୂଷିତ ପାନୀୟଜଳ ଏବଂ ପାନୀୟଜଳର ଅଭାବ ଦେଶଭିତରେ ସ୍ଥାନାନ୍ତରକୁ କ୍ଷିପ୍ର କରିଛି । ଦେଶରେ ୨୦% ରୋଗ ପାଇଁ ଦୂଷିତ ପିଇବା ପାଣି ହିଁ ଦାୟୀ । ଆଉ ଏ ଅବସ୍ଥା କେବଳ ଗ୍ରାମାଞ୍ଚଳରେ ସୀମିତ ହୋଇ ରହିନାହିଁ-। ସହରରେ ପାନୀୟ ଜଳର ଅଭାବ ମଧ୍ୟ ଗୁରୁତ୍ଵପୁର୍ଣ୍ଣ ସମସ୍ୟା । ସମ୍ଭବତଃ କେବଳ ତିରୁଅନନ୍ତପୁରମ୍‌କୁ ବାଦ ଦେଲେ ଦେଶର ଅନ୍ୟ କୌଣସି ସହରରେ ୨୪ ଘଣ୍ଟିଆ ପାଇପ୍‌ ଜଳଯୋଗାଣ ନାହିଁ । ବଡ଼ବଡ଼ ୨୦ଟି ସହରରେ ପାଣି ମିଳେ ସର୍ବାଧିକ ୪ ଘଣ୍ଟା । ପରିସ୍ଥିତିକୁ ବିଗାଡ଼ିଛି ନଦୀଜଳ, ଯାହା ନଦୀରେ ଦୂଷିତ ହୋଇ ସାରିଛି । ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି । ୧୯୮୨ରୁ ୨୦୦୧ ଭିତରେ ଜଳସ୍ତର କମିଛି ୪ ମିଟର। ୧୯୪୭ରେ ବାର୍ଷିକ ମୁଣ୍ଡପିଛା ପାଣିର ପରିମାଣ ୬,୦୪୨ ଘନମଟର ଥିବାବେଳେ ୨୦୧୧ରେ ଏହା ହ୍ରାସ ପାଇଛି ୧୫୪୫ ଘ.ମି.କୁ । ୨୦୨୦ ବେଳକୁ ଏହା ଖସିବ ୧୩୪୦ ଘ.ମି..କୁ । ବର୍ଷାଜଳଳର ସଂରକ୍ଷଣ ଅଭାବରୁ ଆମେ ପାଉଥିବା ଜଳର ୬୫% ସମୁଦ୍ରକୁ ବୋହି ଯାଉଛି ! ଜଳର ସର୍ବାଧିକ ଉପଯୋଗ ପାରମ୍ପରକ କୃଷି ପାଇଁ ତ ହେଉଛି, ତେବେ ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ ମଧ୍ୟ ପାଣିର ପରପୋଷଣୀୟ ଉପଯୋଗ ହୋଇପାରୁନାହିଁ । ପରିସ୍ପିତିକୁ ଜଟିଳ କରୁଛି ଦେଶର ସମସ୍ତ ତାପଜ ବିଦ୍ୟୁତ କେନ୍ଦ୍ର (ଶୀତଳୀକରଣ ପାଇଁ ଏମାନେ ପର୍ଯ୍ୟାପ୍ତ ପାଣି ଲୋଡ଼ନ୍ତି) ! ବିକଳ୍ପ ଶକ୍ତି ଉତ୍ସର ତଲାସରେ ଆମେ ଯେଣୁ ମନ ଦେଇନାହୁଁ, ଆମର ମୋଟ ଉତ୍ପାଦିତ ବିଦ୍ୟୁତ୍‌ ୭୫% କେବଳ ଆସୁଛି ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ । ଜଣେ ସ୍ତମ୍ଭକାର ଲେଖୁଛନ୍ତି, ଭାରତରେ କ୍ଷୀରଠୁ ପାଣି ମହଙ୍ଗା ହୋଇ ସାରିଛି । ତାହା ଯେତେ ବଡ଼କଥା ନୁହେଁ, ବଡ଼ ହେଉଛ ପାଣିର ପରିପୋଷଣୀୟ ଉପଯୋଗ ନହେଲେ ଆଗକୁ ୧୫/୨୦ ବର୍ଷ ପରେ ପିଇବା ପାଣି ଆଉ ମିଳିବ ନାହିଁ । ପାଣି ପାଇଁ ତୃତୀୟ ବିଶ୍ୱଯୁଦ୍ଧ ନହୋଇପାରେ, କିନ୍ତୁ ଘର-ଘର ଭିତରେ, ସାହିବସ୍ତିରେ ଏବଂ ସହରରେ ମୁଖ୍ୟରାସ୍ତା ଉପରେ ନିଶ୍ଚୟ ସଂଘର୍ଷ ହେବ ।

 

ନିକଟରେ ନୋବେଲ୍‌ ବିଜେତା କୈଳାସ ସତ୍ୟାର୍ଥୀ ଲେଖିଛନ୍ତି, ଏ ବର୍ଷର ମରୁଡ଼ି ଗତ ୧୦୦ ବର୍ଷ ଭିତରେ ସବୁଠୁ ବଡ଼ ମରୁଡ଼ି । ଦେଶର ୨୫୪ ଜିଲାରେ ପ୍ରଭାବିତ ହୋଇଛନ୍ତି ୩୩.୫ କୋଟି ଯେଉଁମାନଙ୍କ ଭିତରୁ ୧୬.୩ କୋଟି ପିଲା । ତେଲେଙ୍ଗାନାରେ ୨ ଜଣ ପିଲା ଶୋଷରେ ଟଳି ପଡ଼ିଛନ୍ତି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମରୁଡ଼ି ଯୋଗୁଁ ଗରିବ ଲୋକେ ଝିଅମାନଙ୍କୁ ‘ଦେବଦାସୀ ! ହେବାପାଇଁ ମନ୍ଦିରରେ ଛାଡ଼ି ଦେଇଛନ୍ତି । ଖବରକାଗଜରେ ପ୍ରକାଶ ପାଇଛି ଯେ ମରୁଡ଼ି ଯୋଗୁଁ (ପାଣିଅଭାବ) ନାବାଳିକାମାନଙ୍କୁ ବେଶ୍ୟାବୃତ୍ତିକୁ ଅଣାଯାଉଛି-। ଫସଲହାନି ଯୋଗୁଁ କୃଷକ ଆତ୍ମହତ୍ୟା ଯଥେଷ୍ଟ ବଢ଼ିଛି । (ମହାରାଷ୍ଟ୍ରରେ ୧୪୩୦, ଓଡ଼ିଶାରେ ବେସରକାରୀ ଭାବେ ପାଖାପାଖି୨୦୦/ସରକାରୀ ଭାବରେ) । ପାନୀୟଜଳ ଅଭାବ ଯୋଗୁଁ ବାଲ୍ୟ ବିବାହ ବଢ଼ୁଛି । ବୁନ୍ଦେଲଖଣ୍ଡରେ ୨୨ ପରିବାର ସେମାନଙ୍କ ଛୋଟ ପିଲାକୁ କାମ କରିବା ପାଇଁ ପଠାଉଛନ୍ତି । ଏନ.ସି.ଆର.ବି ତଥ୍ୟ ମୁତାବକ ୨୦୧୬ରେ ନିରୁଦ୍ଦିଷ୍ଟ ହୋଇଥିବା ଅଧିକାଂଶ ପିଲା ମରୁଡ଼ି ଭୋଗୁଥିବା ୧୦ଟି ରାଜ୍ୟର ।

 

ଆସିବା ଆମ ରାଜ୍ୟକୁ । ଦେଶର ସବୁଠୁ ସ୍ମାର୍ଟ ସହର ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଦାନା ବାନ୍ଧିଛି ବିକ୍ଷୋଭ: ଦୀର୍ଘ ୧୬ ବର୍ଷ ଗାଦିରେ ଥିବା ସରକାର ଏଯାଏଁ ସମସ୍ତଙ୍କ ପାଇଁ ପିଇବାପାଣି ଯୋଗେଇ ପାରୁନାହାନ୍ତି । ଏହା ଏକାବେଳକେ ଭିତ୍ତିହୀନ ବୋଲି କୁହାଯାଇପାରିବ ନାହିଁ । ୨୦୧୧ ଜଣଗଣନା ତଥ୍ୟ ଆଧାରରେ ରାଜ୍ୟର ମାତ୍ର ୧୩.୮% ପରିବାର ପାଇପ୍‌ ପାଣି ପାଉଛନ୍ତି ଏବଂ ପାଇପ୍‌ପାଣିର ଏକ ତୃତୀୟାଂଶ ଅଶୋଧିତ । ସହରାଞ୍ଚଳରେ ପାଇପ୍‌ ପାଣି ମିଳୁଛି ମାତ୍ର ୪୮% ବାସିନ୍ଦାଙ୍କୁ ଯେଉଁଥିରୁ ୬% ଅଶୋଧିତ । ଗ୍ରାମାଞ୍ଚଳରେ ପାଣି ପାଇଁ ୩/୪ କି.ମି. ଚାଲିଚାଲି ଯିବାକୁ ପଡ଼ୁଛି । ୨୦୦୧ ଜନଗଣନା ତଥ୍ୟମୁତାବକ ୩୨.୫% ଲୋକେ (ଗ୍ରାମାଞ୍ଚଳ) ପାଣିପାଇଁ ୫୦୦ ମିଟର ଯାଉଥିବା ବେଳେ ୨୦୧୧ରେ ଏଇ ସଂଖ୍ୟା ୩୮.୫%କୁ ବଢ଼ିଛି । ପାନୀୟଜଳ ଯୋଗାଣରେ ଓଡ଼ିଶା ଦେଶର ୨୨ ନମ୍ବର ରାଜ୍ୟ ।

 

ସାରା ପୃଥିବୀରେ ଜଳସଂକଟକୁ ନେଇ ବିଶ୍ୱବ୍ୟାଙ୍କ ନିକଟରେ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଜନସଂଖ୍ୟା ବୃଦ୍ଧି, ସହରୀକରଣ ଏବଂ ବର୍ଦ୍ଧିଷ୍ଣୁ ଆୟ ସହିତ ତାଳଦେଇ ଆଗକୁ ଏହା ଜଟିଳ ରୂପନେବ। ଦକ୍ଷିଣଆଫ୍ରିକା ଏବଂ ପୂର୍ବ ଏସିଆ, ଯେଉଁଠି କଳାଭାବ ନାହିଁ, ସେସବୁ ଅଞ୍ଚଳର ସ୍ଥିତି ୨୦୫୦ ଆଡ଼କୁ ଖରାପ ହେବ ଏବଂ ମଧ୍ୟପ୍ରାଚ୍ୟ ପରି ଅଞ୍ଚଳ ଭୟଙ୍କର ଦୁଃସ୍ଥିତିର ସମ୍ମୁଖୀନ ହେବ । ଜଳସମସ୍ୟା ପରୋକ୍ଷ ଭାବରେ କ୍ଷତିଗ୍ରସ୍ତ କରିବ ଜିଡିପିକୁ (ମୋଟ ଘରୋଇ ଉତ୍ପାଦନ) । ଅଗ୍ରାଧି‌କାର ଭିତ୍ତିରେ କିଛି କରାନଗଲେ ୨୦୫୦ ଆଡ଼କୁ ଭାରତ ସମେତ ଆଉ କିଛି ଦେଶର ଜିଡିପି ହାର–୬% ହେବ । ଜଳାଭାବ ସମସ୍ୟାର ସମ୍ମୁଖୀନ ହେବାକୁ ଥିବା ଅର୍ଥନୀତି / ଦେଶରେ କେବଳ ସ୍ଥାନାନ୍ତରଣ ସମସ୍ୟା ହେବନାହିଁ, ଅଧିକ ଭୟାବହ ସାବ୍ୟସ୍ତ ହେବ ଜଳଜନିତ ହିଂସା । ପାଠକେ, ଜଳଚକ୍ର ସହିତ କେବଳ କୃଷି ଖାଦ୍ୟ ନିରାପତ୍ତା, ସହରୀକରଣ ଏବଂ ଅର୍ଥନୀତି ସଂଯୁକ୍ତ ନୁହେଁ, ସଂଯୁକ୍ତ ଆମର ଜୀବନ । ଅର୍ଥାତ୍‌, କେବଳ ସରକାରଙ୍କୁ ଦାୟିତ୍ୱ ଦେଇ ବସିଗଲେ ଚଳିବ ନାହିଁ ଅନେକକିଛି ବ୍ୟକ୍ତିଗତ ସ୍ତରରେ ଆମକୁ ହିଁ କରିବାପାଇଁ ପଡ଼ିବ ।

(ସମାଜ, ତା ୪/୬/୨୦୧୬)

Image

 

ପରିସଂଖ୍ୟାନର ପ୍ରେତ

 

ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ରଘୁରାମ ରାଜନ୍‌ଙ୍କୁ ତୀବ୍ର ସମାଲୋଚନାର ଶିକାର ହେବା ପାଇଁ ପଡ଼ିଥିଲା, ଯେତେବେଳେ ବିଦେଶରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଭାରତୀୟ ଅର୍ଥନୀତିର ସାଂପ୍ରତିକ ସ୍ଥିତି ‘ଅନ୍ଧ ମୁଲକରେ କଣା ରାଜାଙ୍କ ଅସ୍ତିତ୍ୱ’ ପରି । ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ଶ୍ରୀ ରାଜନ୍‌ ତାଙ୍କର ମନ୍ତବ୍ୟରେ ଭାରତର ସ୍ଥିତିକୁ ଗୌଣ କରିବା ପାଇଁ ଚାହୁଁ ନଥିଲେ । ଉଦ୍ଦେଶ୍ୟ କେବଳ ଏୟା ଥିଲା ଯେ, ଏବେ ଅଧିକାଂଶ ଅଗ୍ରଣୀ ଅର୍ଥନୀତି ମାନ୍ଦା ଅବସ୍ଥା ଭୋଗୁଥିବା ବେଳେ ଆନ୍ତର୍ଜାତିକ ସମୁଦାୟକୁ (ବିଶେଷକରି ଆନ୍ତର୍ଜାତିକ ମୁଦ୍ରାପାଣ୍ଠିକୁ) ଭାରତର ଯେଉଁ ଚେହେରା ତୋଫା / ଉଜ୍ଜଳ ଦେଖାଯାଉଛି, ତାହା ଖୁବ୍‌ ବେଶୀରେ ଏକ ତୁଳନାତ୍ମକ ଉଜ୍ଜ୍ୱଳତା । ଅସଲରେ ଭାରତ ପାଇଁ ଅନେକ କିଛି ବାକି ରହିଛି । ଏପରିକି ‘ବ୍ରିକ୍‌ସ୍’ ଦେଶମାନଙ୍କ ଶୃଙ୍ଖଳାରେ ଭାରତର ସାମାଜିକ-ଅର୍ଥନୈତିକ ସୂଚକାଙ୍କ ନିମ୍ନରେ । ଶ୍ରୀ ରାଜନ୍‌ ଭାରତରେ ପହଞ୍ଚି ସ୍ପଷ୍ଟୀକରଣ ଦେଇଥିଲେ ଯେ ଭାରତୀୟ ଅର୍ଥନୀତିର ସାମାନ୍ୟତମ ଅବମାନନା କିମ୍ବା ଭିନ୍ନକ୍ଷମଙ୍କୁ ଉପହାସ ତାଙ୍କର ଉଦ୍ଦେଶ୍ୟ ନଥିଲା । ତେବେ ପାଠକେ, କୌଣସି କାରଣରୁ ବିବାଦ ରାଜନ୍‌ଙ୍କ ପିଛା ଛାଡ଼ୁ ନଥିଲା । ସାମାନ୍ୟ ପରବର୍ତ୍ତୀ ସମୟରେ ନିଜର ବକ୍ତବ୍ୟ ତଥା ଆଭିମୁଖ୍ୟ ନିମନ୍ତେ ନିରନ୍ତର ଚର୍ଚ୍ଚାରେ ରହୁଥିବା ସୁବ୍ରମଣ୍ୟନ୍‌ ସ୍ଵାମୀ ମୋଦିଙ୍କୁ ଚିଠି ଲେଖି ଜଣାଇ ଥିଲେ ଯେ ଶ୍ରୀ ରାଜନ୍‌ ନିଜର ରାସ୍ତା ଦେଖନ୍ତୁ । ଅର୍ଥାତ୍‌, ରିଜର୍ଭ ବ୍ୟାଙ୍କରେ ତାଙ୍କର ପାଳି ସରିବା ପରେ (ସେପ୍ଟେମ୍ବର ୨୦୧୬) ସରକାର ତାଙ୍କୁ ପୁନଃ ନିଯୁକ୍ତି ନ ଦିଅନ୍ତୁ । ସୁବ୍ରମଣ୍ୟନ୍‌ଙ୍କ ବକ୍ତବ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଅନେକ ଚାହାନ୍ତି, ଶ୍ରୀ ରାଜନ୍‌ ଆଉ ପାଳିଏ ରିଜର୍ଭ ବ୍ୟାଙ୍କ୍‌ ଦାୟିତ୍ୱରେ ରହନ୍ତୁ । ଏଣେ ସୁବ୍ରମଣ୍ୟନ୍‌ଙ୍କ ମତ ତାଙ୍କ ‘ନିଜସ୍ଵ ମତ’ ଏବଂ ଏହା ‘ଭା.ଜ.ପା.ର. ନୁହେଁ’ ବୋଲି ଦଳୀୟ କର୍ମକର୍ତ୍ତା ସଫେଇ ଦେଇ ସାରିଛନ୍ତି ଏହା ଏକ ‘ଫାଶୀବାଦୀ ଆକ୍ରମଣ’ ବୋଲି କଂଗ୍ରେସ କହିଛି ଏବଂ ଏକଥା ବି ଯୋଡ଼ିଛି ଯେ ରାଜନ୍‌ଙ୍କ ପରି ଜଣେ ଆନ୍ତର୍ଜାତିକ ପ୍ରତିଭାଧରଙ୍କୁ ସମ୍ଭାଳିବା ପାଇଁ ମୋଦି ସରକାରଙ୍କ ଦମ୍‌ ନାହିଁ । ଶ୍ରୀ ରାଜନ୍‌ ଏ ସମ୍ପର୍କରେ ଅବଶ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ନିକଟରେ ଗଣମାଧ୍ୟମକୁ କହିଛନ୍ତି ଯେ ଶ୍ରୀ ରାଜନ୍‌ଙ୍କ ପୁନଃନିଯୁକ୍ତି ମୂଳତଃ ଏକ ପ୍ରଶାସନିକ ପ୍ରସଙ୍ଗ ହୋଇଥିବାରୁ ସେ ବାବଦରେ ମିଡିଆ ଉତ୍ସାହୀ (ବରଂ ଅତ୍ୟୁତ୍ସାହୀ) ହେବାର କାରଣ ନାହିଁ ।

 

ପାଠକେ, ନିକଟରେ ମୋଦି ସରକାର ଶାସନର ୨ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି । କିଛିଦିନ ଆଗରୁ ଉଭୟ ପ୍ରିଣ୍ଟ୍‌ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆରେ ଏନ୍‌.ଡି.ଏ ସରକାରଙ୍କୁ ଯୋଜନାମାନଙ୍କର ଭବ୍ୟ ବିଜ୍ଞାପନ ଆରମ୍ଭ ହୋଇସାରିଛି । ସରକାର କୁଆଡ଼େ ଦୁଇ ବର୍ଷ ଭିତରେ ଢେର୍‌ କରିଛନ୍ତି, ଯାହା ଗତ ୫୦ ବର୍ଷ ଧରି ସମ୍ଭବ ହୋଇନଥିଲା । ଯୁବପିଢ଼ିଙ୍କୁ ସ୍ଵାବଲମ୍ବୀ କରିବା ପାଇଁ, ମହିଳାମାନଙ୍କ ବିକାଶ ପାଇଁ, ଚାଷୀଭାଇଙ୍କ ପାଇଁ ଓ ଶିଳ୍ପୋଦ୍ୟୋଗୀଙ୍କ ପାଇଁ କେବଳ ଗୁରୁତ୍ୱପୂର୍ଣ ଯୋଜନା ପ୍ରଣୟନ ହୋଇନାହିଁ, ସେସବୁର ସଫଳ ରୂପାୟନ ହୋଇଛି । ଅର୍ଥାତ୍‌, ଗତ ୨ ବର୍ଷ ଭିତରେ ଆମର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଚମକିଛି । ବିଜ୍ଞାପନ / ପ୍ରଚାର ଆଗକୁ କେମିତି ଆହୁରି ଜୋର୍‌ ଧରିବ, ସେଥିପାଇଁ କେବଳ ମୋଦି ସରକାର ନୁହନ୍ତି, ସରକାରଙ୍କ ସହିତ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ସମ୍ପୃକ୍ତ ବିଭିନ୍ନ ସଂସ୍ଥା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ୨୦୧୯ରେ, କିନ୍ତୁ କାହିଁକି କେଜାଣି ଲାଗୁଛି, ଯେମିତି ଅଳ୍ପ ଆଗକୁ ନିର୍ବାଚନ ଅଛି, ନଚେତ୍‌ ୨୦୧୬ ରେ ଭା.ଜ.ପା. ଏକ ଅଜ୍ଞାତ ଲୋକସଭା ନିର୍ବାଚନରେ ବାଜିମାତ୍‌ କରିଛି । ତା’ରି ମହୋତ୍ସବ ଏବେ ପାଳନ ହେଉଛି।

 

ପାଠକେ, ସରକାର ଅର୍ଥନୈତିକ ଅଭିବୃଦ୍ଧି ବାବଦରେ ଯେଉଁ ହାଇଟେକ୍‌ ପ୍ରଚାର ଜାରି କରିଛନ୍ତି ତାହା ପାଖାପାଖି ଏମିତି– (୧) ଭାରତ (ପୃଥିବୀରେ) ସର୍ବାଧିକ ଦ୍ରୁତଗତିରେ ବଢ଼ୁଥିବା ଅର୍ଥନୀତି (୨) ଖାସ୍‌ ମୋଦିଙ୍କ ଜ୍ଞାନଗର୍ଭକ ଭାଷଣରେ ତଥା ନେତୃତ ପ୍ରଭାବରେ ଭାରତକୁ ବିଦେଶୀ ନିବେଶକଙ୍କ ସୁଅ ଛୁଟିଛି (୩) ୨୦୨୫ ଆଡ଼କୁ ଭାରତରେ ଥିବେ ପୁଥିବୀରେ ସର୍ବାଧିକ ତରୁଣ / ଯୁବକ (୪) ଦେଶର ସମର୍ଥ ମଧ୍ୟବର୍ଗ ୨୦୨୦ ସୁଦ୍ଧା ବୃଦ୍ଧି ପାଇବେ ୨୦୦ ନିୟୁତକୁ (୫) ଭାରତର ଡିଜିଟାଲ ଅର୍ଥନୀତି ଏବେ ଘୁ ଘୁ ଗର୍ଜନ କରି ବଢ଼ୁଛି । ଆଉ ବର୍ଷକ ଭିତରେ ସ୍ମାର୍ଟ ଫୋନ୍‌ ବ୍ୟବହାର ୫୦୦ ନିୟୁତ ଛୁଇଁବ (୬) ଭାରତର ଷ୍ଟାର୍ଟଅପ୍‌ କ୍ଷେତ୍ର କେବଳ ୨୦୧୫ରେ ୯ ବିଲିୟନ ଡଲାର ପୁଞ୍ଜି ଆଣିପାରିଛି, ଯାହା ପ୍ରମାଣ କରିଛି ଯେ ଉଭୟ ବିଦେଶୀ ଏବଂ ଘରୋଇ ପୁଞ୍ଜି ନିବେଶକମାନେ ସରକାରଙ୍କ ଉପରେ ଭରସା କରୁଛନ୍ତି । (୭) ୨୦୧୫ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୫% ।

 

ଏବେ ଆସିବା ଆଲୋଚନାକୁ–ସାମାନ୍ୟ ବିସ୍ତାରରେ । ନିରାଟ ସତ ହେଉଛି, ସରକାରଙ୍କ ଅଭିବୃଦ୍ଧି ସମ୍ପର୍କିତ ପରିସଂଖ୍ୟାନ ପ୍ରେତ ସମସ୍ତଙ୍କୁ ଗ୍ରାସ କରିପାରି ନାହିଁ । କାରଣ, ଜିଡିପିର ନୂଆ ଗଣିତ ସମସ୍ତେ ବୁଝିବା ପାଇଁ ଏବଂ ଗ୍ରହଣ କରିବା ପାଇଁ ଜମାରୁ ପ୍ରସ୍ତୁତ ନୁହନ୍ତି । ଗତ ଏପ୍ରିଲ୍‌ ୨୦୧୬ ରେ ‘ଇକୋନୋମିଷ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଦେଶରେ ଉତ୍ପାଦନ ହ୍ରାସ, ମରୁଡ଼ି ସ୍ଥିତି, ରପ୍ତାନିର ମାନ୍ଦା ସ୍ଥିତି ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ଦୁର୍ବଳ ସ୍ଥିତି ଜଳଜଳ ଦିଶିଯାଉଥିବା ବେଳେ ୨୦୧୫ରେ ଜିଡିପି ଅଭିବୃଦ୍ଧି ହାର କେମିତି ୭.୫% ହେଲା, ତାହା ଏକ ବିସ୍ମୟ । ଗତବର୍ଷଠାରୁ ଜି.ଡି.ପି. ହିସାବ ପାଇଁ ଏକ ନୂଆ ପଦ୍ଧତି ଆପଣେଇବା ପରେ ଭାରତ ଚୀନ୍‌କୁ (ଅଭିବୃଦ୍ଧିରେ) ଟପିଯାଇଛି । କିନ୍ତୁ ଆନୁପାତିକ ହୋଇ ବଢ଼ିଛି ଅସଲ ଅଭିବୃଦ୍ଧିକୁ ନେଇ ଆନ୍ତର୍ଜାତିକ ଆଶଙ୍କା । ସ୍ଵାଭାବିକ କ୍ରମରେ ଅଭିବୃଦ୍ଧି ହାର ଏମିତି ହିସାବ ହୁଏ–ଏକ ନିର୍ଦ୍ଦିଷ୍ଟ ଅବଧି / ବର୍ଷ ପାଇଁ ଅର୍ଥନୈତିକ ଉତ୍ପାଦର ମୂଲ୍ୟ ସ୍ଥିର ହୁଏ ଯାହା ପୂର୍ବ ବର୍ଷ ସହିତ ତୁଳନା କରାଯାଏ । ଦୁଇ ବର୍ଷ ଭିତରେ ଥିବା ତଫାତ୍‌ / ତାରତମ୍ୟ (ମୁଦ୍ରାସ୍ଫୀତି ପାଇଁ କୋହଳ କରାନଯାଇ) ଅଭିବୃଦ୍ଧି ହାରକୁ ସୂଚିତ କରେ । ଭାରତର ଅର୍ଥଶାସ୍ତ୍ରୀ ଏବଂ ପରିସଂଖ୍ୟାନବିତ୍‌ମାନେ ଏ ପାଠରେ ଧୁରନ୍ଧର । ତେବେ ସମସ୍ୟା ହେଉଛି, ଜିଡିପି ହିସାବ କଲାବେଳେ ମୁଦ୍ରାସ୍ଫୀତିକୁ ନେଇ । ମୁଦ୍ରାସ୍ତୀତି ଅଧିକ ହେଲେ ଯେଉଁ ଅଭିବୃଦ୍ଧି ଠାବ କରାଯାଏ, ତାହା ମୂଳରେ ପ୍ରକୃତରେ ଅଧିକ ଉତ୍ପାଦନ ନଥାଏ, ବରଂ ଥାଏ ଅହେତୁକ ମୂଲ୍ୟବୃଦ୍ଧି ।

 

ଭାରତ ଜି.ଡି.ପି. ଗଣିତ କଷିବା ବେଳେ ୨ଟି ଜିନିଷ ହିସାବ ନିଏ– (୧) ହୋଲ୍‌ସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ (ଡବ୍ଲୁପିଆଇ) ବା ପାଇକାରୀ ମୂଲ୍ୟସୂଚୀ (୨) କଞ୍ଜୁମର୍‌ ପ୍ରାଇସ୍‌ ଇଣ୍ଡେକ୍ଟ ବା ଉପଭୋକ୍ତା ଖାଉଟି ମୂଲ୍ୟସୂଚୀ । ପ୍ରଥମ ସୂଚୀ କାରଖାନାରେ ସାମଗ୍ରୀ ଉତ୍ପାଦନର ଠିକ୍‌ ପରବର୍ତ୍ତୀ ଅବସ୍ଥାର ମୂଲ୍ୟ ଏବଂ ଦ୍ୱିତୀୟ ଉପଭୋକ୍ତା ସମାନ ସାମଗ୍ରୀ ପାଇଁ ପ୍ରକୃତରେ ଦେଉଥିବା ମୂଲ୍ୟ। ‘ଇକୋନୋମିଷ୍ଟ’ର ମତ ଯେ ୨୦୧୫ ରେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ୍‌ ଦର କମିଲା, ପାଇକାରୀ ମୂଲ୍ୟ ହ୍ରାସ ବି ପାଇଥିଲା । ତେବେ ଏହାର ସୁଯୋଗ ବେଶ୍‌ କିଛି କ୍ଷେତ୍ର ପାଇପାରି ନଥିଲେ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର କମିବାର ନାଁ ଧରୁ ନଥିଲା । ଏସବୁ ହିସାବକୁ ନେଇ ତେବେ ଜିଡିପି ଅଭିବୃଦ୍ଧି ହାର କେମିତି ଆକଳନ ହେଲା ୭.୫% ? ଆମର ଉତ୍ପାଦକତା ହ୍ରାସ ପାଉଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହେଲା କେମିତି ? ସରଳ ଅର୍ଥରେ, ପ୍ରଗତିର ଏ ତଥାକଥୂତ ତୋଫା ଜହ୍ନକିରଣ ସାଧାରଣ ଭାରତୀୟ ଉପରେ ଜମାରୁ ପଡ଼ିନାହିଁ । କୁହାଗଲାଣି, ପରିସଂଖ୍ୟାନକୁ ମୋଡ଼ ମାଡ଼ି ଅଭିବୃଦ୍ଧିର ଅଙ୍କ କେମିତି କଷାଯାଏ, ସେଥିପାଇଁ ଭାରତରେ ଏକ କୁଟୀର ଶଳ୍ପ (ପରିସଂଖ୍ୟାନ ଶିଳ୍ପ) ଗଢ଼ି ଉଠିଲାଣି ଏବଂ ଏକଥା ଭାରତୀୟ ଅର୍ଥଶାସ୍ତ୍ରୀମାନେ ମଧ୍ୟ ଜାଣନ୍ତ । ତେଣେ ଭୂଇଁରୁ ଆଖି ତରାଟି ଚାହୁଁଥିବା ସତଟି ହେଉଛି, ଭାରତୀୟ ଶ୍ରମଶକ୍ତିର ସଂହଭାଗ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି । ୟାର ଅବଶ୍ୟ ଅର୍ଥ ନୁହେଁ ଯେ ଆମ ଅର୍ଥନୈତିକ ଅଭିବୃଦ୍ଧି ଏକାବେଳକେ ଏକ ଭେଳିକି । ତେବେ ପରିସଂଖ୍ୟାନର ଆପେକ୍ଷିକ ଶୁଦ୍ଧତା ମଧ୍ୟ ସମାନ ତାତ୍ପର୍ଯ୍ୟପୂର୍ଣ୍ଣ । ମୋଦି ସରକାର ଧ୍ୟାନ ଦେଇପାରନ୍ତି ।

(ନିତିଦିନ, ତା ୨୪/୬/ ୨୦୧୬)

Image

 

ଦୁଇଟି ମେରୁର କାହାଣୀ

 

ପୃଥିବୀର ଦୁଇ ମେରୁରେ ବରଫ ତରଳିବା ପୁଣିଥରେ ଚର୍ଚ୍ଚାକୁ ଆସିଛି । ବିଶ୍ୱ ଉତ୍ତପ୍ତୀକରଣ ପ୍ରଭାବରେ କ୍ରମାଗତ ଉଭୟ ମେରୁ ସାଗରରେ ବରଫ ତରଳିବା ଏବଂ ସମୁଦ୍ର ପତ୍ତନ ବୃଦ୍ଧି ଅବ୍ୟାହତ ରହିବା ବେଶ୍‌ କିଛି ବର୍ଷ ଧରି ଆଲୋଚନାକୁ ଆସିଥି‌ଲେ ହେଁ ସାଂପ୍ରତିକ ସ୍ଥିତି ନୂଆ ତଥ୍ୟ ସାମ୍‌ନାକୁ ଆଣିଛି । ଗବେଷଣାକୁ ଆଧାର କରି ବିଜ୍ଞାନୀମାନେ ନିକଟରେ ସ୍ପଷ୍ଟ କରିଛନ୍ତି ଯେ ଆଣ୍ଟାର୍କଟିକାର ପୂର୍ବ ସ୍ଥିତିରେ କିଛିଟା ସୁଧାର ଆସିଛି । ସେଠି ବରଫ ତରଳିବା କେଇବର୍ଷ ଧରି ନିର୍ଦ୍ଦିଷ୍ଟ ସ୍ଥିତିରେ ରହିନାହିଁ, ବରଂ ବରଫ ବଢ଼ୁଛି । ଅନ୍ୟ ପକ୍ଷରେ, ଉତ୍ତର ମେରୁସାଗର ସ୍ଥିତି ଉଦ୍‌ବେଗଜନକ । ଏଠି ଯଥେଷ୍ଟ କ୍ଷିପ୍ର ଗତିରେ ସମୁଦ୍ର ବରଫ କ୍ଷୟ ପରିବେଶର ପାଇଁ ସତର୍କ ଘଣ୍ଟି ବଜାଇସାରିଛି ।

 

ପାଠକମାନଙ୍କ ପାଇଁ ସ୍ପଷ୍ଟ କରୁଛି ଯେ ସାରା ପୃଥିବୀରେ ରହିଥିବା ସମୁଦ୍ର ବରଫର ଆୟତନ ପାଖାପାଖି ୨୫ ନିୟୁତ ବର୍ଗକିଲୋମିଟର ଏବଂ ବରଫ ଚଟାଣ ଓ ହିମବାହ ଅକ୍ତିଆର କରିଛନ୍ତି ୧୫ ନିୟୁତ ବର୍ଗ କି.ମି. । ଆମ ଗ୍ରହରେ ଉପଲବ୍ଧ ଜଳର ୯୭ ପ୍ରତିଶତ ଲବଣାକ୍ତ । ମାତ୍ର ୩ ଭାଗ ମଧୁରଜଳର ୭୭% ହେଉଛି ମେରୁ ଦୁଇଟିର ବରଫ ଚଟାଣ ଏବଂ ହିମବାହ, ୨୨% ଭୂତଳ ଜଳ ଏବଂ ୧% ନଦୀ ଓ ହ୍ରଦର ଜଳ। (ମଧୁର ଜଳର ବିପୁଳ ଅଂଶ ଆଣ୍ଟାର୍କଟିକାର ବରଫ ଚଟାଣ) । ପ୍ରଥମେ ଆସିବା ଦକ୍ଷିଣ ମେରୁକୁ ।

 

ଆଣ୍ଟାର୍କଟିକା ଭୂତାତ୍ତ୍ୱିକ ଦୃଷିକୋଣରୁ ଏକ ଅଜବ ମହାଦେଶ । ଏହାର କ୍ଷେତ୍ରଫଳ ୧୪ ନିୟୁତ ବର୍ଗ କି.ମି. । ଦକ୍ଷିଣରେ ଅବସ୍ଥିତ ଅଷ୍ଟ୍ରେଲିଆଠୁ ଆକାରରେ ସାମାନ୍ୟ ବଡ଼ । ଏହା କିଛି କମ୍‌ ପାହାଡ଼ିଆ ବି ନୁହେଁ । ଉଚ୍ଚତା ୨,୩୦୦ ମିଟର । ସର୍ବୋଚ୍ଚ ଶୃଙ୍ଗ ‘ଭିନ୍‌ସେଣ୍ଟ ମାସିଫ୍‌’ ଅବସ୍ଥିତ ପଶ୍ଚିମ ଭାଗରେ, ଯାହାର ଉଚ୍ଚତା ୪,୮୭ ୭ ମିଟର । ୧୦୦ ନିୟୁତ ବର୍ଷ ପ୍ରାଚୀନ ପର୍ବତ ଶୃଙ୍ଖଳା ଆଣ୍ଟାର୍କଟିକାର ପୂର୍ବ ଓ ପଶ୍ଚିମଭାଗକୁ ଦୁଇଟି ପୃଥକ୍‌ ଅଞ୍ଚଳରେ ପରିଣତ କରିଛି । ପୂର୍ବ ଆଣ୍ଟାର୍କଟିକା ସମୁଦ୍ର ପତ୍ତନଠାରୁ ୪୮୮ ମିଟର ଉଚ୍ଚରେ ଏବଂ ବୈଜ୍ଞାନିକମାନଙ୍କ ଆକଳନ, ୫୫୦ ନିୟୁତ ବୟସ୍କ ପଥରରେ ଗଢ଼ା ଏହାର କଳେବର । ତେବେ ମଜା କଥା ହେଉଛି, ପୃଥିବୀର ସବୁଠୁ ଶୀତଳତମ ସ୍ଥାନରେ ଏକ ପ୍ରକାଣ୍ଡ ବରଫ ଚଟାଣ ଧାରରେ ଠାଏ ଠିଆ ହୋଇଛି ଜୀବନ୍ତ ଆଗ୍ନେୟଗିରିଟିଏ । ନାଁ ତା’ର ‘ମାଉଣ୍ଟ ଏରେବସ୍‌’ । ଭୁତତ୍ତ୍ୱବିତ୍‌ମାନଙ୍କ ମତ, ପ୍ରାୟ ୨୦୦ ନିୟୁତ ବର୍ଷ ପୂର୍ବେ ଆଣ୍ଟାର୍କଟିକା ଅଧୁନା ବିଲୁପ୍ତ ବୃହତ୍‌ ମହାଦେଶ ଗଣ୍ଡଓ୍ୱାନାର କେନ୍ଦ୍ର ଥି‌ଲା, ଯାହା ଭିତରେ ରହିଥିଲା ଦକ୍ଷିଣ ଆମେରିକା, ଆଫ୍ରିକା, ଭାରତ ଓ ଅଷ୍ଟ୍ରେଲିଆର କିଛି ଅଂଶ ।

 

୧୮୦ ନିୟୁତବର୍ଷ ତଳେ ଆରମ୍ଭ ହୋଇଥଲା ଭୂତାତ୍ତ୍ୱିକ ବିଖଣ୍ଡନା / ଚଳନ ପ୍ରକ୍ରିୟା ଯେଉଁଥିରେ ଆଫ୍ରିକାର ଦକ୍ଷିଣ ଆମେରିକାରୁ ବିଛିନ୍ନ ହୋଇଥିଲା, ଦକ୍ଷିଣ ଆଟଲାଣ୍ଟିକ ଉଦ୍ଭବ ହେଲା ଏବଂ ବର୍ତ୍ତମାନ ଆମେ ‘ଭାରତ’ କହୁଥିବା ଭୌଗୋଳିକ ଚକଡ଼ା ଏସିଆ ମୁହାଁ ହେଲା । ସେଇ କ୍ରମରେ ହିମାଳୟ ପର୍ବତ ଶୃଙ୍ଖଳାର ଉଚ୍ଚତା ମଧ୍ୟ ବଢ଼ିଲା ଏବଂ ଆଣ୍ଟାର୍କଟିକା ଦକ୍ଷିଣ ମୁହାଁ ହେଲା । କୁହାଯାଏ, ଉନବିଂଶ ଶତାବ୍ଦୀ ପୂର୍ବରୁ କେହି ପ୍ରକୃତରେ ଆଣ୍ଟାର୍କଟିକାକୁ ଦେଖିନଥିଲେ, ଯଦିଓ ଭୂଗୋଲକର ଦକ୍ଷିଣତମ ଅଞ୍ଚଳର (ଟେରା ଅଷ୍ଟ୍ରାଲିସ) ପରିକଳ୍ପନା ଅନ୍ୟୂନ ୨,୦୦୦ ବର୍ଷ ପୁରୁଣା । ଏହା ସମ୍ଭବତଃ ଏଇଥିପାଇଁ କରାଯାଇଥିଲା ଯେ ପୃଥିବୀରେ ସ୍ଥଳଭାଗରେ ଭାରସାମ୍ୟ ରକ୍ଷା ପାଇଁ ଏକଦମ୍‌ ଦକ୍ଷିଣରେ ଏମିତି ଏକ ଅଞ୍ଚଳର ଭୌଗୋଳିକ ସ୍ଥିତି ଅବଶ୍ୟମ୍ଭାବୀ ।

 

ତଥ୍ୟ ମୁତାବକ, ୨୦୦୨ ରୁ ୨୦୧୪ ଭିତରେ ଆଣ୍ଟାର୍କଟିକାର ସମୁଦ୍ର ବରଫ ବଢ଼ିଛି-। ୨୦୧୪ ରେ ସ୍ଥିତି ସବୁଠୁ ଭଲଥିଲା ଯେତେବେଳେ ବରଫାବୃତ ସମୁଦ୍ର ଛୁଇଁଥିଲା ୭.୭୮ ନିୟୁତ ବର୍ଗମାଇଲକୁ । ଗୋଟିଏ ମଡେଲ ଅନୁସାରେ ଆଣ୍ଟାର୍କଟିକା ଯାହା ହରେଇଥିଲା ତାହା କୁଆଡ଼େ ପାଇସାରିଛି । ଏଥିରେ ଯୋଗ ହୋଇଛି ୭,୩୦୦ ବର୍ଗମାଇଲ । ତେବେ ସଭିଙ୍କ ନିଷ୍କର୍ଷ ଏକା ନୁହେଁ, ଯାହା ଅଧିକାଂଶ ସମୟରେ ପର୍ଯ୍ୟାବରଣ ସମସ୍ୟାକୁ ନିରୋଳା ବୌଦ୍ଧିକ କସରତ୍‌ ପର୍ଯ୍ୟାୟଭୁକ୍ତ କରି ରଖିଛି । ଅନ୍ୟ ଏକ ଅଧ୍ୟୟନ ଅନୁସାରେ ୧୯୭୦ ପରଠୁ ଉତ୍ତରମେରୁ ସାଗର ହରେଇଛି ହାରାହାରି ୨୦,୮୦୦ ବର୍ଗମାଇଲ । ସାନ୍ତ୍ୱନା ଦେଉଥି‌ବା ଆଉ ଏକ ଖବର ବି ଅଛି । ଜଣାପଡ଼ିଛି, ପ୍ରକୃତି ନିଜ ବାଟରେ ଆପଣା କ୍ଷତ ଓ କ୍ଷତିର ଭରଣା ଜାରି ରଖିଛି । ଶୀତଦିନେ ସାମୁଦ୍ରିକ ପବନର ଗତି ବଢ଼ିଲେ ଆଣ୍ଟାର୍କଟିକାର ସାମୁଦ୍ରିକ ବରଫ ଖଣ୍ଡ କୂଳକୁ ଏବଂ ଉତ୍ତର ଆଡ଼କୁ ଭାସି ଆସନ୍ତି । ଉପକୂଳ ସହିତ ସଂଘାତ ଯୋଗୁଁ ବଡ଼ବଡ଼ ବରଫ ଖଣ୍ଡ ଭାଙ୍ଗିଯାଆନ୍ତି ଏବଂ ପ୍ରାକୃତିକ ଭାବରେ ଏକ ବନ୍ଧ ନିର୍ମାଣ କରନ୍ତି ଯାହା କେବଳ ଭାରସାମ୍ୟ ରକ୍ଷାକରେ ନାହିଁ; ବନ୍ଧ କ୍ରମଶଃ ସ୍ଥୁଳ ହୁଏ ଏବଂ ନୂଆ ତିଆରି ହେଉଥିବା ବରଫକୁ ସାମୁଦ୍ରିକ ପବନ ଏବଂ ଢେଉମାନଙ୍କ ପ୍ରକୋପରୁ ରକ୍ଷା କରେ । ତଥାପି ସବୁ ଠିକ୍‌ ଠାକ୍‌ ନାହିଁ । ଆଣ୍ଟାର୍କଟିକାର ‘ଟୋଟେନ୍‌’ ହିମବାହ କ୍ଷୟ ଜୋର୍ ଧରିଛି । ବିଜ୍ଞାନୀମାନଙ୍କ ମତ ଯେ ୨୧୦୦ ଆଡ଼କୁ ଆଣ୍ଟର୍କାଟିକା କାରଣରୁ ସମୁଦ୍ରପତ୍ତନ ୧.୧୪ ମିଟର ବଢ଼ିଯିବ ।

 

ଉତ୍ତରମେରୁ କଥା ନିଆରା । ‘ନାସା’ ଏବଂ ‘ନେସନାଲ୍‌ ସ୍ନୋ ଆଣ୍ଡ ଡାଟା ସେଣ୍ଟର’ ତଥ୍ୟ ମୁତାବକ ୨୪ ମାର୍ଚ୍ଚ ୨୦୧୬ ସୁଦ୍ଧା ଏଠି ବରଫାବୃତ ସମୁଦ୍ର ଅତି ବେଶୀରେ ୧୪.୫୨ ନିୟୁତ ବର୍ଗ କି.ମି.ରେ ସୀମିତ ଥିଲା । ଶେଷ ୪୦ ବର୍ଷ ଭିତରେ ଉତ୍ତର ମେରୁ ହରେଇଛି ୧.୬ ନିୟୁତ ବର୍ଗ କି.ମି. ସମୁଦ୍ର ବରଫ । ସେଇ ଦୃଷ୍ଟିରୁ ୨୦୧୫ ଥିଲା ସମ୍ଭବତଃ ସବୁଠୁ ଉଷ୍ମ ବର୍ଷ ଯାହା ୧୯୭୯ ରୁ ଏଯାଏଁ ଏକ ରେ କକର୍ଡ଼ । ପରିସ୍ଥିତିକୁ ଏଠି ଅଧିକ ବିଗାଡ଼ିଛି ଗରମ ପବନ ଯାହା ମେ ମାସ ଶେଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ଥିଲା । ବିଜ୍ଞାନମାନଙ୍କ ମତ, ୨୦୦୭ରୁ ଲାଗି ରହିଥବା ସାମୁଦ୍ରିକ ବରଫ କ୍ଷୟ ଏବେ ସବୁଠୁ ସ୍ପର୍ଶକାତର ଏବଂ ଅଦୂର ଭବିଷ୍ୟତରେ ସ୍ଥିତି ସୁଧୁରିବାର ସମ୍ଭାବନା ନାହିଁ । ଉତ୍ତର ମେରୁ ବୁଝାଏ ମେରୁ ସାଗର, ଆଲାସ୍କା, କାନାଡ଼ା, ଗ୍ରୀନଲାଣ୍ଡ, ଫିନ୍‌ଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରଓ୍ୱେ‌ ଏବଂ ସ୍ଵିଡେନର କିଛି ଅଂଶକୁ । ସବୁଠୁ ଗରମ ସମୟରେ ଏଠି ହାରାହାରି ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ୍‌ । ୟାର ଜଳବାୟୁ ଅଧ୍ୟୟନକୁ ନେଇ ମଧ୍ୟ ବିଭିନ୍ନ ମଡେଲ ରହିଛି । ତେବେ ମୁଖ୍ୟ ମତ ହେଉଛି, ସାଂପ୍ରତିକ କ୍ଷୟର ଧାରା ଲାଗି ରହିଲେ ୨୧୦୦ ମସିହା ଆଡ଼କୁ ଏଠି ସମୁଦ୍ରରେ ନାମକୁ ମାତ୍ର ବରଫ ଯାହା ରହିଯାଇଥିବ । ବିଶେଷ କରି ଗ୍ରୀନ୍‌ଲ୍ୟାଣ୍ଡ ଅଞ୍ଚଳରେ ବରଫ କ୍ଷୟକୁ ତ୍ୱରାନ୍ୱିତ କରୁଛି ଭୂକମ୍ପ ତରଙ୍ଗ । ୨୦୧୨ରୁ ୨୦୧୪ ମଧ୍ୟରେ ଏକ ସ୍ଥାନୀୟ ଅଧ୍ୟୟନରୁ ଏହାର ସଂକେତ ମିଳିଛି । ତଥାପି ଗ୍ରୀନଲ୍ୟାଣ୍ଡ ପ୍ରକୃତିର ବିସ୍ମୟ ହୋଇରହିଛି । ନୂତନ ଅଧ୍ୟୟନ ଇସାରା କରୁଛି ଯେ ହିମବାହମାନେ ସେମାନଙ୍କ ଗତି ସମୁଦ୍ରମୁହାଁ କରିଥାଇ ପାରନ୍ତି; ଉପରକୁ ଗ୍ରୀନଲ୍ୟାଣ୍ଡର ପାରିବେଶିକ ସନ୍ତୁଳନ ବିକ୍ଷୁବ୍ଧ ଲାଗୁଥାଇପାରେ, ମାତ୍ର ଏହାର ଅଭ୍ୟନ୍ତରରେ କଠିନ ବରଫସ୍ତର ଅପରିବର୍ତ୍ତିତ ରହିଛି । ଅନ୍ତତଃ ୪୦ ପ୍ରତିଶତ ପ୍ରାଚୀନ ବରଫ କେନ୍ଦ୍ରସ୍ଥଳକୁ ଯଥେଷ୍ଟ ମଳବୁତ୍‌ କରି ରଖିଛି । ତେବେ ପୂର୍ବାପେକ୍ଷା ବରଫପାତ କମ୍‌ ହେଉଛି ଏବଂ ସମୁଦ୍ରପତ୍ତନ ବୃଦ୍ଧି ପାଇଛି ବର୍ଷକୁ ୦.୬ ମି.ମି, । ଏ ସମସ୍ତ ପ୍ରତିଘାତ ସତ୍ତ୍ୱେ ଏଠି ଏତେ ବରଫ ରହିଛି ଯେ ସେସବୁ ତରଳିଲେ ସମୁଦ୍ର ପତ୍ତନ ୭ ମିଟର ବଢ଼ିଯିବ । ସୌଭାଗ୍ୟ, ସେମିତି ହୋଇନାହିଁ, ଯଦିଓ ମହାଦେଶର ମୋଟାମୋଟି ପ୍ରାକୃତିକ ସ୍ଥିତି ଭଲ ନୁହେଁ । ୧୯୮୦ ରୁ ୨୦୦୭ ଭିତରେ ଗ୍ରୀଷ୍ମରେ ମେରୁ ସାଗର ବରଫ ପରିମାଣ ଅଧା କମିଥିଲା, ଯାହା ସୁଧୁରିନାହିଁ । ଏଣେ ନିରନ୍ତର ବରଫ କ୍ଷୟ ଯୋଗୁଁ ସମୁଦ୍ର ନିଜ ଭିତରକୁ ଅଧିକ ଅଂଗାରକାମ୍ଳ ନେଉଛି ଯାହା ୧୯୯୬ ରୁ ୨୦୦୭ ଭିତରେ ବଢ଼ିଛି ବାର୍ଷିକ ୧ ମେଗାଟନକୁ (ସ୍ଵାଭାବିକ ସ୍ଥିତିରେ ଏହା ୫୮ ମେଗାଟନ) । ଆମେ ସୃଷ୍ଟି କରୁଥିବା ଯାନବାହନ ପ୍ରଦୂଷଣଠୁ ଅବଶ୍ୟ ମାରାତ୍ମକ ନୁହେଁ, ତେବେ ସମୁଦ୍ର କ୍ରମଶଃ ଶୀତଳତା ହରାଉଥିବାରୁ ଅଂଗାରକାମ୍ଳ ପାଣିରେ ଯେତିକି ମିଳେଇବା କଥା ତାହା ବାଧାପ୍ରାପ୍ତ ହୋଇଛି । ଭବିଷ୍ୟତରେ ପ୍ରାକୃତିକ ପ୍ରତିକ୍ରିୟା ଅବିକଳ କ’ଣ ହେବ, ସେ ନେଇ ସଠିକ୍‌ ଅନୁମାନ ସହଜସାଧ୍ୟ ନୁହେଁ । ତଥାପି ଏହା ନିଶ୍ଚିତ ଅର୍ଥରେ ପ୍ରତିକୂଳ ସ୍ଥିତି ।

 

ଉଭୟ ମେରୁରେ ବରଫ ତରଳିବା ଅସ୍ଵାଭାବିକ ରୀତିରେ ବଢ଼ିଲେ ସାରା ପୃଥିବୀରେ ସମୁଦ୍ରପତ୍ତନ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ୨ ଗୁଣ ବଢ଼ିବ- ସିଧାସଳଖ ଏତିକି ପର୍ଯ୍ୟାପ୍ତ ନୁହେଁ । ହଁ, ସମୁଦ୍ର ପତ୍ତନ କ୍ଷତିଗ୍ରସ୍ତ କରିବ ଜନବସତି, କୃଷି ଏବଂ ସେଇ କ୍ରମରେ ସଂପୃକ୍ତ କ୍ଷେତ୍ରମାନଙ୍କୁ । ତା’ର ଅର୍ଥନୀତିକୁ । କିନ୍ତୁ ଯାହା ଆମ ଅଲକ୍ଷ୍ୟରେ ବର୍ଷବର୍ଷ ଧରି ଘଟିଚାଲିଛି, ତାହା ହେଉଛି ଆମ ସୁନ୍ଦର ପୃଥିବୀର ସ୍ଵାସ୍ଥ୍ୟ ଓ ଆୟୁ ହାନି । ଉଭୟ ମେରୁ ନିୟୁତ ନିୟୁତ ବର୍ଷ ଧରି ପର୍ଯ୍ୟାବରଣରେ ଯେଉଁ ସୂକ୍ଷ୍ମ ଭାରସାମ୍ୟ ଅତୁଟ ରଖିଛନ୍ତି, ତାହା ବିପନ୍ନ ହୋଇସାରିଛି ଏବଂ ଏହା ପ୍ରଭାବିତ କରିବା ଆରମ୍ଭ କରିଛି ଆମର ଜୀବନକୁ । ଅଧିକ ବରଫ ତରଳିବା ଅର୍ଥ ଅଧିକ ଉତ୍ତପ୍ତୀକରଣ, ପୃଥିବୀର ଜଳବାୟୁ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ (ଅଲବିନୋ ଦୁର୍ବଳ) ସମୁଦ୍ର ପାଣିରେ କମ୍‌ ଲବଣତ୍ୱ, ଅଧିକ ଅମ୍ଳ, ବାୟୁମଣ୍ଡଳରେ ଅଧିକ ମିଥେନ୍‌, ଅଧିକ ସାମୁଦ୍ରିକ ଝଡ଼ ଏବଂ ଉତ୍ତାଳ ତରଙ୍ଗ; ଉପକୂଳ କ୍ଷୟ, ବିସ୍ଥାପନ / ସ୍ଥାନାନ୍ତରଣ, ପ୍ରଜାତି କ୍ଷୟ, (ମରୁଅଞ୍ଚଳରେ ଧଳା ଭାଲୁ, ସିଲ୍‌, ଓ୍ୱାଇରସ ଏବଂ ଜଳଚର ଜୀବଙ୍କ ସମ୍ବେଦନଶୀଳ କ୍ଷୟିଷ୍ଣୁ ସ୍ଥିତି) ଅଧିକ ମରୁଡ଼ି ଏବଂ ଅଧିକ ଅନିଶ୍ଚିତତା ।

(ସମାଜ, ତା ୧୦/୭/୨୦୧୬)

Image

 

ଅନ୍ତରୀକ୍ଷର ଆଖି

 

ଗତ ଫେବ୍ରୁଆରୀ ମାସର ଘଟଣା । ଯୁକ୍ତରାଷ୍ଟ୍ରର ସ୍ଥାପିତ ଲେଜର୍‌ ଇଣ୍ଟର ଫେରୋମିଟର ଗ୍ରାଭିଟେସନାଲ ଓ୍ୱେଭ ଅବଜରଭେଟରିକୁ (ଲିଗୋ) ମିଳିଥିବା ସଂକେତର ଅନୁଶୀଳନ ସ୍ପଷ୍ଟ କରିଛି ଯେ ଅନ୍ତରୀକ୍ଷ ସମୟ (ସ୍ପେସ ଟାଇମ) ଆମ ଅବଧାରଣାର ଉର୍ଦ୍ଧ୍ୱ‌ରେ ଏକ ତରଙ୍ଗାୟିତ ମହାଜାଗତିକ ସ୍ଥିତି । ପାଖାପାଖି ୧୦୦ ବର୍ଷ ପୂର୍ବେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ବିଜ୍ଞାନସିଦ୍ଧ ମତ ତତ୍କାଳୀନ ପୃଥିବୀରେ ବୈପ୍ଲବିକ ଥିଲା, ଯେତେବେଳେ ସେ କହିଥଲେ ଯେ ବ୍ରହ୍ମାଣ୍ଡ ଆମେ ଭାବୁଥିବା ନିସ୍ତରଙ୍ଗ ବିଶାଳ ମହାସାଗର ପରି ଆଦୌ ସ୍ଥିର ନୁହେଁ । ବରଂ ମହାକାଶରେ ବସ୍ତୁ ଓ ଶକ୍ତି ଏମାନଙ୍କ ସନ୍ତୁଳନ ବଦଳେଇବା ପାଇଁ ବେଶ ସମର୍ଥ । ନିଦରେ କମ୍ବଳ ଘୋଡ଼େଇ ହୋଇ ଶୋଇଥିବା ମଣିଷଟିଏ ଯେମିତି କମ୍ବଳକୁ ଶେଷରେ ଲୋଚାକୋଚା କରିଦିଏ, ଠିକ ସେମିତି ବସ୍ତୁ ଓ ଶକ୍ତି ଅନ୍ତରୀକ୍ଷରେ ଶାନ୍ତ ଅବସ୍ଥାକୁ ପ୍ରତିହତ କରନ୍ତି, ଯାହାକୁ ମାଧ୍ୟାକର୍ଷଣୀୟ ତରଙ୍ଗ କୁହାଯାଇପାରେ ।

 

ପାଠକେ, ପ୍ରାୟ ୧୩.୮ ବିଲିୟନ ବର୍ଷ ଆଗରୁ ‘ବିଗ ବ୍ୟାଙ୍ଗରୁ ସମ୍ଭବ ହୋଇଥିବା ବ୍ରହ୍ମାଣ୍ଡ ଏବେ ବି ଆମ ପାଇଁ ବିସ୍ମୟ ହୋଇ ରହିଛି । ଆକାଶକୁ ଚାହିଁ ସୂର୍ଯ୍ୟଙ୍କ ବନ୍ଦନା କରିବା, ଶୀତଳ ଜହ୍ନର କିରଣରେ ଭାବୁକ ହୋଇ କବିତା ଲେଖିବା ଆଉ ବ୍ରହ୍ମାଣ୍ଡର ରହସ୍ୟକୁ ଭେଦିବା ସମାନ କଥା ନୁହେଁ । ୨୦୦ ବର୍ଷ ଧରି ପ୍ରଲମ୍ବିତ ବ୍ରହ୍ନାଣ୍ଡର ଅଧ୍ୟୟନ ଜ୍ୟୋତିର୍ବିଜ୍ଞାନୀମାନଙ୍କ ପ୍ରକାଶ୍ୟ ଆଲୋକ, ଇନଫ୍ରାରେଡ଼, ଅଲଟ୍ରାଭାଓଲେଟ, ରେଡ଼ିଓ ତରଙ୍ଗ, ଏକ୍ସ-ରେ ଏବଂ ଗାମା-ରେ ବିଶ୍ଲେଷଣରେ ଶେଷ ହୋଇନଥିଲା । ବିଜ୍ଞାନୀମାନେ ଅନିସନ୍ଧିସୁ ଥିଲେ ନକ୍ଷତ୍ରମାନଙ୍କର ନିର୍ମାଣ ତତ୍ତ୍ୱ ଓ କାର୍ଯ୍ୟଶୈଳୀ ବାବଦରେ ଅଧିକ ଜାଣିବା ପାଇଁ; ଛାୟାପଥମାନଙ୍କର ବିବର୍ତ୍ତନ ସଂକ୍ରାନ୍ତରେ ବିଶଦ ଜ୍ଞାନ ପାଇଁ; ମାଧ୍ୟାକର୍ଷଣୀୟ ତରଙ୍ଗକୁ ଆବିଷ୍କାର କରିବା ପାଇଁ । ଶେଷୋକ୍ତ ଆବିଷ୍କାରକୁ ନେଇ ଅନ୍ତତଃ ଅର୍ଦ୍ଧଶତାବ୍ଦୀ ଧରି ଅଣନିଃଶ୍ଵାସୀ କରିପକାଉଥିବା ନୈରାଶ୍ୟର ଆପାତତଃ ଅନ୍ତ ଘଟିଛି । ମହାକାଶରେ ୧.୨ ବିଲିୟନ ଆଲୋକବର୍ଗ ଦୂରରେ ସଂଘାତ ଘଟିଥିବା ଦୁଇଟି ବ୍ଲାକ ହୋଲର ସଂକ୍ଷିପ୍ତ ଇତିହାସ ଏବେ ଆମ ଆଗକୁ ଆସିଛି । (ଗୋଟିଏ ବ୍ଲାକହୋଲ ସୂଯ୍ୟଙ୍କ ବସ୍ତୁତ୍ଵର ୩୫ ଗୁଣ ଏବଂ ଅନ୍ୟଟି ପ୍ରାୟ ସୂର୍ଯ୍ୟଙ୍କ ବସ୍ତୁତ୍ୱର ୨୯ଗୁଣ) । ଦୁଇଟି ବ୍ଲାକହୋଲର ସଂଘାତ ଶବ୍ଦ ବି ରେକର୍ଡ଼ ହୋଇପାରିଛି, ଯାହା ସମ୍ଭବ ହୋଇଛି ମାଧ୍ୟାକର୍ଷଣୀୟ ତରଙ୍ଗର ଉପସ୍ଥିତି ଯୋଗୁ ।

 

‘ଲିଗୋ’ର ବୈଜ୍ଞାନିକମାନେ ଜଣାଇଛନ୍ତି ଯେ ଏଇ ସଂଘାତ ପ୍ରଥମେ ଭୀଷଣ ଝଡ଼ ସୃଷ୍ଟ କରିଥି‌ଲା, ଯେଉଁ କାରଣରୁ ଅନ୍ତରୀଷରେ ସମୟର ଗତି ପହିଲେ କ୍ଷୀପ୍ର ହେବା ପରେ ପୁଣି ହ୍ରାସ ପାଇଥି‌ଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପୁନଃ କ୍ଷୀପ୍ର ହୋଇଥଲା । ଅର୍ଥାତ୍‌, ମହାଜାଗତିକ କ୍ଷେତ୍ରରେ ଖୋଦ୍‌ ସମୟ ମଧ୍ୟ ପ୍ରଭାବିତ (ଏହାର ଗତି ପରିବର୍ତ୍ତନୀୟ) ଏକଥା ବୁଝିହେଲା । ସ୍ପଷ୍ଟ କରୁଛି ଯେ, ଫେବୃଆରୀରେ ‘ଲିଗୋ’ ପକ୍ଷରୁ ହୋଇଥିବା ମାଧ୍ୟାକର୍ଷଣୀୟ ତରଙ୍ଗର ଉପସ୍ଥିତି ପ୍ରକୃତରେ ଜଣାପଡ଼ିଥିଲା ସେପ୍ଟେମ୍ବର ୧୪,୨୦୧୫ରେ ଯେତେବେଳେ ଆଧୁନିକୀକରଣ ଉପରାନ୍ତ ‘ଲିଗୋ’ର ‘ଏଲ୍‌’ ଆକୃତିର ଆଣ୍ଟେନା ଭୋର୍‌ ୪ଟାରେ ଠାବ କରିଥିଲା ମାଧ୍ୟାକର୍ଷଣୀୟ ତରଙ୍ଗକୁ-ଲିଭିଂଷ୍ଟୋନରେ । ଏହାର ସାତ ମିଲିସେକେଣ୍ଡ ପରେ ହାନଫୋର୍ଡ଼ରେ ସ୍ଥାପିତ ‘ଲିଗୋ’ ୨ ୟୁନିଟ ରେକର୍ଡ଼ କରିଥଲା ଏହି ତରଙ୍ଗକୁ । ଅନ୍ୟ ଅର୍ଥରେ, ପୃଥିବୀ ଶୋଇଥବା ବେଳେ ହିଁ ଇତିହାସ ସୃଷ୍ଟି ହୋଇଥିଲା । ତେବେ ‘ଲିଗୋ’ର ତଥ୍ୟ ଅନୁଶୀଳନ ପାଇଁ ୬ ମାସ ସମୟ ଲାଗିଥିଲା । ବୈଜ୍ଞାନିକମାନେ ଜାଣିପାରିଥିଲେ ଯେ ସଂଘାତର ଠିକ ଆଗରୁ ଉଭୟ ବ୍ଲାକ୍‌ ହୋଲ ଅକଳ୍ପନୀୟ ଫୁର୍ତ୍ତିରେ ପରସ୍ପରକୁ ପ୍ରଦକ୍ଷିଣ କରୁଥିଲେ- ସେକେଣ୍ଡ ପିଛା ୨୫୦ ଥର । ଆଉ ସେଇ ପ୍ରଚଣ୍ଡ ଗତିରେ ସମୟ କ୍ରମଶଃ ଆପଣାର ଅସ୍ତିତ୍ୱ ବଦଳାଉଥିଲା । ଆକଳନ ମୁତାବକ, ପୁଥିବୀ ସମୟର ଏକ ସେକେଣ୍ଡର ଏକ-ପଞ୍ଚମାଂଶ ଭିତରେ ସଂଘାତ ଉପରାନ୍ତ ଦୁଇଟି ବ୍ଲାକ ହୋଲ୍‌ ପରିବର୍ତ୍ତିତ ହୋଇଥିଲେ ଗୋଟିଏ ସତ୍ତାରେ । ପରିଣତି ହେଲା ମହାକାଶରେ ବେଶ କିଛିକୁ ନିମିଷକେ ଢୋକି ଦେବା ପରି ଏକ ମହାସତ୍ତା, ଯାହା ୬୨ଟି ସୂର୍ଯ୍ୟର ବସ୍ତୁତ୍ଵ ସହିତ ତୁଳନୀୟ । ଆକଳନ ଅନୁଯାୟୀ, ଏଇ ମହାଜାଗତିକ ପ୍ରକ୍ରିୟା ପାଇଁ ଉତ୍ପନ୍ନ ଶକ୍ତିକୁ ପ୍ରକାଶ୍ୟ ଆଲୋକ ସହିତ ତୁଳନା କଲେ ତାହା କେଇ ଶହ କୋଟି ସୂର୍ଯ୍ୟଙ୍କ ଉଜ୍ଜ୍ୱଳତାଠାରୁ ଅଧିକ ହେବ । ଅଥଚ, ମୁହୂର୍ତ୍ତର ଭଗ୍ନାଂଶରେ ଯାହା ସମ୍ଭବ ହେଲା, ମହାକାଶର ସେଇ ହସ୍ତାକ୍ଷରକୁ (ମାଧ୍ୟାକର୍ଷଣୀୟ ତରଙ୍ଗ) ଚିହ୍ନିବା ପାଇଁ ଆମେ ଅନ୍ତତଃ ଏବେ ସମର୍ଥ ହୋଇପାରିଛୁ । ‘ଟାଇମ୍‌ ମେସିନ’ର ‘ଟାଇମ୍‌ ଟ୍ରାଭେଲର’ ପରି ସମୟରେ ପଛକୁ ଫେରିବା / ଆଗକୁ ଯିବା, ଆମ ପାଇଁ ଯଦିଓ ଅଦୂର ଭବିଷ୍ୟତର ପ୍ରକଳ୍ପ ନୁହେଁ, ତେବେ ସମୟର ଚରିତ୍ର ଏବଂ ଇତିହାସକୁ ଜାଣିବା ଆମ ପାଇଁ ସହଜ ହେବ ଏଇ ଆବିଷ୍କାର ଯୋଗୁଁ ।

 

ପାଠକେ, ‘ଲିଗୋ’ ଆବିଷ୍କାର ପରିପ୍ରେକ୍ଷୀରେ ଆପଣଙ୍କୁ ମୁଁ ନେଉଛି ଷ୍ଟିଫେନ ହକିଂଙ୍କ ଏକ ପ୍ରସିଦ୍ଧ ବକ୍ତୃତାକୁ । ହକିଂ ୧୯୯୯ରେ କହିଥିଲେ ଯେ, ସମୟ ଓ ଅନ୍ତରୀକ୍ଷ ଅଖଣ୍ଡ ନୁହେଁ, ଏମାନଙ୍କ ଗତି / ଆକୃତି ସ୍ଥିରୀକୃତ / ଅପରିବର୍ତ୍ତିତ ନୁହେଁ । ଏଠି ମଧ୍ୟ ପ୍ରାକୃତିକ ଭାବରେ ଅସଙ୍ଗତି / ବିଶୃଙ୍ଖଳା ବିଦ୍ୟମାନ, ଯାହାକୁ ନେଇ ଆମର ଧାରଣା ଅପେକ୍ଷାକୃତ ନୂଆ । ଅନ୍ୟ ଅର୍ଥରେ, ଅନ୍ତରୀକ୍ଷ ସମୟର ଗତି ସଦା ସରଳରୈଖିକ/ଚଟକା ନୁହେଁ- ଖାଲ ଢିପ / ତୀର୍ଯ୍ୟକ / ବକ୍ର / ତରଙ୍ଗାୟିତ ଗତି ଏଠି ବି ବେଶ୍‌ ସମ୍ଭବ । ସେ ଏକଥା ମଧ୍ୟ କହିଥିଲେ, ବିଜ୍ଞାନ ଆଧାରିତ କାହାଣୀମାନଙ୍କରେ ଆଲୋକର ଗତି ପରି ଗତି କରି ଆମେ ନକ୍ଷତ୍ରରୁ ନକ୍ଷତ୍ରକୁ, ଛାୟାପଥରୁ ଛାୟାପଥକୁ ଯାତ୍ରା କରୁଛୁ ଏବଂ ବିଜ୍ଞାନ ଯଦିଓ ଆମର କଳ୍ପନା ସହିତ ତାଳ ଦେଇପାରିନାହିଁ, ତଥାପି ଗତକାଲି ଯାହା ନିରୋଳା କଳ୍ପନା ଥିଲା, ଆଜି ତାହା ବାସ୍ତବିକତାର ସ୍ପର୍ଶ ପାଇଛି । ୧୯୧୫ରେ ଆଇନଷ୍ଟାଇନ୍‌ଙ୍କ ଆପେକ୍ଷିକତା ତତ୍ତ୍ୱ ଏକ ବିପ୍ଲବ ଥିଲା । ଆଇନଷ୍ଟାଇନ୍‌ ବୁଝି ସାରିଥିଲେ, ଅନ୍ତରୀକ୍ଷ ଏବଂ ସମୟ ପରସ୍ପର ସହିତ ନିବିଡ଼ ଭାବେ ସଂଯୁକ୍ତ । ଉଭୟଙ୍କୁ ୪ର୍ଥ ପ୍ରସ୍ତ-/ ଅସ୍ତତ୍ୱ ଭାବରେ ଚିହ୍ନିବା ହିଁ ବିଜ୍ଞତା । ଜଣେ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ସେମିତି ଦେଖୁଛି ଅନ୍ୟ ଜଣକ ପାଇଁ ସମାନ ଘଟଣାର ଅନୁଭୂତି ଅବିକଳ ହୋଇପାରିବ ନାହିଁ, କାରଣ ଉଭୟଙ୍କ ସ୍ଥିତି ଓ ଗତି ଭିନ୍ନ ହୋଇପାରେ । ପାଠକେ । ଆଇନଷ୍ଟାଇନଙ୍କ ଅଧ୍ୟୟନ ସହ ଅନୁମାନକୁ ଡେଣା ଦେବା ପାଇଁ ୧୦୦ ବର୍ଷ ତଳେ ପ୍ରଚଣ୍ଡ ଶକ୍ତିମାନ ଓ ବେଗବାନ ରକେଟ୍‌ ହୁଏତ ନଥିଲା । ସେଥିପାଇଁ ସମୟରେ ପଛକୁ ବି ଫେରିହେବ, ଏକଥା ସେ ଚିନ୍ତା କରିପାରିନଥିଲେ । ତାଙ୍କର ଧାରଣା ଥିଲା ଯେ ତତ୍କାଳୀନ ଜ୍ଞାନକୌଶଳ ଆଧାରରେ ଗୋଟିଏ ନକ୍ଷତ୍ରରୁ ଆଉ ଗୋଟିଏ ନକ୍ଷତ୍ର ରେ ପହଞ୍ଚିବା ପାଇଁ ଅନ୍ୟୂନ ୮ ବର୍ଷ ଲାଗିଯିବ ଏବଂ ମହାକାଶର କେନ୍ଦ୍ରରେ ପହଞ୍ଚିବା ପାଇଁ ସେଇ ହିସାବରେ ଲାଗିଯିବ ୮୦,୦୦୦ ବର୍ଷ । ଆଲୋକର ଗତିଠୁ ଆମ ଯାନର ଗତି ଅଧି‌କ ନ ହେଲେ ବିଜ୍ଞାନ ଗଳ୍ପ ସେମିତି ଗଳ୍ପ ହୋଇ ରହିଯିବ । ହକିଂଙ୍କ ମତ ଯେ, ଅତୀତକୁ ଯାତ୍ରା କରିବା ପାଇଁ ଆଶା ଆମେ ଅନ୍ତତଃ ବଞ୍ଚେଇ ରଖିବା, ଯଦିଓ ସୁଦୂର ଭବିଷ୍ୟତରେ ଉଭୟ ଅତୀତ / ଭବିଷ୍ୟ ଯାତ୍ରା ଏକ ଅତ୍ୟନ୍ତ ସୀମିତ ବାସ୍ତବିକତା ହୋଇ ରହିବ । ପଦାର୍ଥ ବିଜ୍ଞାନର ନିଜସ୍ଵ ନିୟମ ଏହାକୁ ବୃହତ୍ତର ବାସ୍ତବିକତାରେ ପରିଣତ କରାଇ ହେବ ନାହିଁ–ଷଡ଼ଯନ୍ତ୍ର ରଚିବ । ଅର୍ଥାତ, ଅନ୍ତରୀକ୍ଷରେ ଅତୀତକୁ ସୁଡ଼ଙ୍ଗ ଖୋଜିବା କଦାପି ଏତେ ସହଜ ହେବ ନାହିଁ । କିନ୍ତୁ ଆମେ ନିରାଶ ହେବାର କାରଣ ନାହିଁ । ଅନ୍ତରୀକ୍ଷରେ ଅଜସ୍ର ସମ୍ଭାବନା । ଅୟୁତ ଆଖିର ଇସାରା ।

(ପ୍ରମେୟ, ତା ୭/୪/୨୦୧୬)

Image

 

ସମୁଦ୍ର ମଶାଣି

 

ସମୁଦ୍ରକୁ ନେଇ ଆମ ଅଧିକାଂଶଙ୍କ ଧାରଣା ଏତେ ଉଦାର ଏବଂ ଗଭୀର ଯେ ସମୁଦ୍ରର କୌଣସି କ୍ଷତି ପହଞ୍ଚିପାରିବ, ସନ୍ତୁଳନ ବିଗିଡ଼ିଯିବ ଏବଂ ସମୁଦ୍ର ଏକ ମହାମଶାଣିରେ ପରିଣତ ହେବ–ଏ ସବୁ ଆମ କଳ୍ପନାର ବାହାରେ । ତେବେ ନିରାଟ ସତ ହେଉଛି, ସମୁଦ୍ର ରସାୟନ ବିପନ୍ନ ହୋଇସାରିଛି ଏବଂ ବର୍ତ୍ତମାନର ସ୍ଥିତି ଅବ୍ୟାହତ ରହିଲେ ଆଗକୁ ସମୁଦ୍ର ତା’ର ଆକର୍ଷଣ ଏବଂ ଭୂମିକା ହରେଇ ବସିବ । ଗତ ଫେବୃଆରୀ ମାସରୁ ଅନ୍ତତଃ ଆମ ରାଜ୍ୟରେ ଏ ସଂକେତ ମିଳିସାରିଲାଣି । ପୁରୀ, କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲାର ସମୁଦ୍ର ଉପକୂଳରେ ୪ଟି ମଲା ତିମି ଲାଗିବା ପରିବେଶବିତ୍‌ମାନଙ୍କୁ ବ୍ୟଥିତ କରିଛି । (ପୁରୁଣା ବନ୍ଧ, ପଦମପେଟା, ଚିଞ୍ଚିରିଆ ଏବଂ ମୋଟଗାଁ) । ଗହୀରମଥାରେ ଅଲିଭ୍‌ ରିଡଲେଙ୍କ ଅସ୍ୱାଭାବିକ ମୃତ୍ୟୁ ସମ୍ୱାଦ ମଧ୍ୟ ପ୍ରକାଶ ପାଇଛି । କେବଳ ଓଡିଶା ନୁହେଁ, ଡିସେମ୍ବର ୨୦୦୫ ରୁ ଜାନୁଆରୀ ୨୦୧୬ ମଧ୍ୟରେ ତାମିଲନାଡ଼ୁ ଉପକୂଳରେ ୬୦ ତିମିଙ୍କ ମୃତଦେହ ଠାବ କରାଯାଇଥଲା । ସ୍ୱେଚ୍ଛାସେବୀଙ୍କ ଉଦ୍ୟମ ଯୋଗୁ ତାମିଲନାଡୁ (ତୁତିକୋରିନ) ଉପକୂଳରେ ପାଖାପାଖି ୪୫ଟି ତିମିକୁ ଗଭୀର ସମୁଦ୍ରରେ ଛାଡ଼ିବା ସମ୍ଭବ ହୋଇଥଲା । ମଲା ତିମି ମହାରାଷ୍ଟ୍ର ଓ ଗୋଆ ଉପକୂଳରେ ମଧ୍ୟ ମିଳିଥିଲେ ସମାନ ସମୟରେ । ଉପଲବ୍ଧ ପ୍ରମାଣ ଆଧାରରେ ଏହା ଆଗରୁ ୧୯୭୩ ରେ ତାମିଲନାଡ଼ୁ ଉପକୂଳରେ ଲାଗଥି‌ଲେ ୧୪୭ ମଲା ତିମି । ତା’ଆଗରୁ ପଶ୍ଚିମବଙ୍ଗ ଉପକୂଳରେ ୧୮୫୨ ମସିହାରେ ।

 

ସମୁଦ୍ର ବିଜ୍ଞାନୀମାନଙ୍କ ମତ ଯେ ମହାସମୁଦ୍ର / ସମୁଦ୍ରମାନଙ୍କର ରାସାୟନିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଜଳବାୟୁ ପରିବର୍ତ୍ତନ ମଧ୍ୟ ଏଥି‌ପାଇଁ ଦାୟୀ । ପାଠକମାନେ ଜାଣନ୍ତି ଯେ ପୃଥିବୀରେ ୭୦ ଭାଗ କେବଳ ମହାସମୁଦ୍ର । ପୃଥିବୀର ଜଳବାୟୁ ବ୍ୟବସ୍ଥା ଅବିକଳ କେଉଁ ମଡେଲରେ କାମ କରେ ସେ ନେଇ ଅନେକ ପ୍ରଶ୍ନର ଉତ୍ତର ଯଦିଓ ମିଳିପାରିନାହିଁ, ତେବେ ଜଳବାୟୁକୁ ପ୍ରଭାବିତ କରୁଥିବା ତତ୍ତ୍ୱ ମଧ୍ୟରେ ଅଛନ୍ତି ବିକିରଣ (ସୌର), ପବନ ଏବଂ ସାମୁଦ୍ରିକ ସ୍ରୋତ । ପୃଥିବୀର ବାତାବରଣକୁ ପୃଥକ ଭାବରେ ବିଚାର କରାଯାଇପାରିବ ନାହିଁ, କାରଣ ଏହା ମୂଳତଃ ଏକ ଅନୁବନ୍ଧିତ ପ୍ରକିୟା । ତେବେ ମନୁଷ୍ୟକୃତ କାରଣରୁ ତମାମ ପୃଥିବୀରେ ଜୈବ-ରାସାୟନିକ ଶୃଙ୍ଖଳା କ୍ଷତିଗ୍ରସ୍ତ ହୋଇସାରିଛି । ଯଦି ଅକ୍ଳାନ୍ତ ଚେଷ୍ଟା କରି ଆଗାମୀ ଦିନରେ ଅଙ୍ଗାରକାମ୍ଳ ନିର୍ଗମନକୁ କମେଇ ଦିଆଯାଏ , ତେବେ ଯେତିକି କ୍ଷତି ବାତାବରଣରେ ହୋଇସାରିଛି, ତା’ର ଭରଣା କରିବା ଲାଗି ପ୍ରକୃତିକୁ ଲାଗିଯିବ ଶହ ଶହ ବର୍ଷ । ଅର୍ଥାତ୍‌ ଉତ୍ତପ୍ତୀକରଣ ଯେଉଁ ସ୍ଥିତିରେ ପହଞ୍ଚି ସାରିଛି, ସେଇ ସ୍ଥିତିରେ ଆଗକୁ ଅନେକ ବର୍ଷ ପର୍ଯ୍ୟନ୍ତ ସମୁଦ୍ର ପତ୍ତନ ବୃଦ୍ଧି ଅବ୍ୟାହତ ରହିବ ଏବଂ ଅଙ୍ଗାରକାମ୍ଳ ତା’ର ପୂର୍ବ ସନ୍ତୁଳନ ଫେରିପାଇବା ପାଇଁ ଲାଗିଯିବ ୧୦୦ ରୁ ୩୦୦ ବର୍ଷ । ଏଣେ ସମୁଦ୍ର ଯେ ଆଉ ଅଧିକ ଅତ୍ୟାଚାର ବରଦାସ୍ତ କରିପାରିବ–ସେ ସମ୍ଭାବନା ମଧ୍ୟ ନାହିଁ । ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ଗ୍ୟାସ ଭିତରେ ଅଛି ଅଙ୍ଗାରକାମ୍ଳ, ମିଥେନ ଓ ନାଇଟ୍ରସ ଅକ୍ସାଇଡ଼୍-ଯେଉଁଥିରୁ ସର୍ବାଧିକ ବିପଦ ରହିଛି ଅଙ୍ଗାରକାମ୍ଳରୁ । ଜଳବାୟୁର ଏକାଧି‌କ ମଡ଼େଲର ଅଧ୍ୟୟନରୁ ଜଣାପଡ଼ିଛି ଯେ ଆଣ୍ଟାର୍କଟିକା ଏବଂ ଗ୍ରୀନଲ୍ୟାଣ୍ଡରେ (ଆରମ୍ଭ ହୋଇସାରିଥିବା) ବରଫ ଚଟାଣ ତରଳିବାକୁ ସମ୍ଭବତଃ ଆଉ ରୋକିହେବ ନାହିଁ । ଏଥିପାଇଁ ଅବକ୍ଷୟର ଧାରାବାହିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଯଦି ପରିସ୍ଥିତି ଅଧିକ ଖରାପ ହୁଏ, ତେବେ ଏଇ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ପତ୍ତନ ପାଖାପାଖି ୧ ମିଟର ବଢ଼ିବ–ଯାହା ସ୍ଥାନୀୟ ଭାବେ ଅଧିକ ମଧ୍ୟ ହୋଇପାରେ । ବିଜ୍ଞାନୀମାନଙ୍କ ମତ ଯେ, ମେରୁ ଅଞ୍ଚଳରେ ବରଫ ଚଟାଣ କ୍ରମଶଃ ହ୍ରାସ ପାଇବା ଯୋଗୁଁ ସାମୁଦ୍ରିକ ଉତ୍ତାପ ବଢ଼ୁଛି ଯାହା ପରିଣାମରେ ଅଧିକ ବରଫ ତରଳାଉଛି ।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଉତ୍ତପ୍ତୀକରଣ ତିମି ସମେତ ଅନ୍ୟାନ୍ୟ ପ୍ରଜାତିଙ୍କ ପ୍ରାକୃତିକ ଖାଦ୍ୟ ଶୃଙ୍ଖଳକୁ କ୍ଷତି ପହଞ୍ଚାଇ ସାରିଛି । ସ୍ଥାନାନ୍ତରଣ, (ପ୍ରଜନନ ମୁଖ୍ୟ କାରଣ) ଯାହା ତିମିମାନଙ୍କ ପାଇଁ ଏକ ସ୍ଵାଭାବିକ ପ୍ରକ୍ରିୟା, ପ୍ରଭାବିତ ହୋଇସାରିଛି । ନିଜ ପିଲାଙ୍କୁ ଧରି ତିମି ଖେଳୁଥିବାର ଦୃଶ୍ୟ କ୍ରମଶଃ ଅନ୍ତର୍ହିତ ହେଉଛି ଏବଂ ଜୀବବିଜ୍ଞାନୀଙ୍କ ମତ, ଅଧିକାଂଶ କ୍ଷେତ୍ରରେ ଉଭୟ ମା’ ଓ ପିଲା ରୁଗଣ- କଙ୍କାଳସାର ହୋଇସାରିଛନ୍ତି । ସାମୁଦ୍ରିକ ପର୍ଯ୍ୟାବରଣ ପ୍ରତିହତ ହେବାରୁ ପ୍ରଜନନ ପାଇଁ ହଜାର ହଜାର କିଲୋମିଟର ଅତିକ୍ରମ କରି ଜୁଲାଇ ମାସରେ ଆଣ୍ଟାର୍କଟିକାରେ ପହଞ୍ଚୁଥିବା ହମ୍ପ ବ୍ୟାକ୍‌ ତିମି ଏବେ ମେ ମାସରେ ପହଞ୍ଚୁଛନ୍ତି । ସମୁଦ୍ରରେ ଅମ୍ଳ ଏବଂ ଅଙ୍ଗାରକାମ୍ଳର ଅସ୍ୱାଭାବିକ ବୃଦ୍ଧି ଏହାର ଏକ କାରଣ ବୋଲି ଅନୁମାନ କରାଯ଼ାଉଛି । ନିକଟରେ ଦକ୍ଷିଣ ଚିଲିର ଏକ ଉପକୂଳରେ ୩୩୭ ତିମିଙ୍କ ମୃତଦେହ ଠାବ କରାଯାଇଛି, ଯାହା ଏକ ରେକର୍ଡ । ଗାଲାପାଗୋସ୍‌ ଅଞ୍ଚଳ, ଯାହାର ଜୈବ ବିବିଧତା ନିମନ୍ତେ ଆନ୍ତର୍ଜାତିକ ଖ୍ୟାତି ରହିଛି ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ମୁକ୍ତ ନୁହେଁ । ଏ ଅଞ୍ଚଳରେ ୯୦% ଇଗୁଆନା, ୫୦% ସି-ଲାୟନ ଏବଂ ୭୫% ପେଙ୍ଗୁଇନ ଆଉ ଦେଖାଯାଉନାହାନ୍ତି । ପୁଣି ପରିବେଶବିତମାନଙ୍କ ଚିନ୍ତାର କାରଣ ପାଲଟିଛି ନୀଳ ତିମି (ସର୍ବବୃହତ ପ୍ରାଣୀ) । ଏମାନଙ୍କୁ ପାଇବା କଷ୍ଟ ହୋଇପଡ଼ିଲାଣି । ତେବେ, ତାଲିକାରେ କେବଳ ତିମି ନାହାନ୍ତି-ଡଲଫିନ, ଅନ୍ୟାନ ସାମୁଦ୍ରିକ ପ୍ରଜାତି ଏବଂ ବିଶେଷ କରି ସାମୁଦ୍ରିକ ପଷୀ ମଧ୍ୟ ଅଛନ୍ତି । ଗୋଟିଏ ମତ ହେଉଛି, ଏସବୁ ପ୍ରାଣୀମାନଙ୍କ ଅକାଳ ମୃତ୍ୟୁ ପଛରେ କେବଳ ରାସାୟନିକ କାରଣ ନାହିଁ–ସମୁଦ୍ରକୁ ଜିଣିବାର ଏବଂ ଗୋଟାପଣେ ଘରୋଇ ସମ୍ପତ୍ତିରେ ପରିଣତ କରିବାର ମାନସିକତା ମଧ୍ୟ ଦାୟୀ । ସମୁଦ୍ରର ରହସ୍ୟକୁ ଭେଦିବା ନାଁରେ ଆମେ ସମୁଦ୍ରରେ ନାନା ପରୀକ୍ଷା କରୁଛୁ, ବିସ୍ଫୋରଣ ଘଟାଉଛୁ ଏବଂ ତୀବ୍ର ତରଙ୍ଗ ବ୍ୟବହାର କରୁଛୁ । ଏଣେ ଉଭୟ ତିମି ଓ ଡଲଫିନ ଖାଦ୍ୟ ସଂଗ୍ରହ ଓ ପାରସ୍ପରିକ ସଂକେତର ବିନିମୟ ପାଇଁ ଆପଣା ଶବ୍ଦ ତରଙ୍ଗ (ସୋନାର) ବ୍ୟବହାର କରନ୍ତି । ବିଭିନ୍ନ ପରୀକ୍ଷା ପାଇଁ ଆମେ ବ୍ୟବହାର କରୁଥିବା ସୋନାର ସେମାନଙ୍କୁ ଭୁଲ ସଂକେତ ଦେଉଛି ଏବଂ ପଥଭ୍ରଷ୍ଟ କରୁଛି । ଗଭୀର ସମୁଦ୍ରରୁ ହଠାତ ଅଗଭୀର ଉପକୂଳକୁ ତିମିମାନେ ଆସି ମୃତ୍ୟୁ ମୁଖରେ ପଡ଼ିବା ମୂଳରେ ଏହା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହୋଇପାରେ ।

 

ପାଠକେ, ପ୍ରାକ୍‌ ଶିଳ୍ପ ବିପ୍ଳବ ସ୍ଥିତିଠୁ ବର୍ତ୍ତମାନ ସମୟ ମଧ୍ୟରେ ସମୁଦ୍ର ତାପମାତ୍ରା ୦.୭ ଡିଗ୍ରୀ ସେଲସିୟସ୍‌ ବଢ଼ି ସାରିଛି ଏବଂ ଆଇ.ପି.ସି.ସି. ଆକଳନ ମୁତାବକ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଏହା ୧.୪୪ ଡିଗ୍ରୀ ସେଲସିୟସରୁ ୫.୮ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବଢ଼ିବ । ଆଉ କେବଳ ତିମି, ଡଲଫିନ, ପେଙ୍ଗୁଇନ, ଓ୍ୱାଲରସ ଓ ସି ଲାୟନ ନୁହନ୍ତି, ସର୍ବାଧିକ କ୍ଷତି ଘଟିଛି ପ୍ରବାଳ କ୍ଷେତ୍ରରେ । ହଜାର ହଜାର କିଲୋମିଟର ପରିବ୍ୟାପ୍ତ ପ୍ରବାଳ ଦ୍ଵୀପ ମଶାଣିରେ ରୂପାନ୍ତରିତ ହୋଇସାରିଛି–କୋରାଲ ବ୍ଲିଚିଂ ଯୋଗୁ । କୁହାଯାଉଛି, ବର୍ତ୍ତମାନ ଆମେ ବିଶ୍ଵସ୍ତରରେ ତୃତୀୟ ସର୍ବବୃହତ୍‌ କୋରାଲ ବ୍ଲିଚିଂକୁ ସାମନା କରୁଛୁ । ନିକଟ ଅତୀତରେ ୭୦୦ଟି କ୍ଷେତ୍ରରେ ସାମୁଦ୍ରିକ ଜୀବମାନଙ୍କ ଗଣମୃତ୍ୟୁକୁ ଅଧ୍ୟୟନ ପରେ ନ୍ୟାସନାଲ ଏକାଡେମୀ ଅଫ୍‌ ସାଇନସେସର ନିଷ୍କର୍ଷ ହେଉଛି ଯେ ଏଥରୁ ୯୦% ପ୍ରଜାତି ନିଶ୍ଚିହ୍ନ ହୋଇସାରିଛନ୍ତି ନଚେତ୍‌ ସେମାନେ ଆସନ୍ନ ବିଲୋପର ଦ୍ୱାରଦେଶରେ । ଅର୍ଥାତ୍‌ ପ୍ରକୃତି, ବିଶେଷ କରି ସମୁଦ୍ର ଉପରେ ଆମର ନିରନ୍ତର ଆକ୍ରମଣ ସାମୁଦ୍ରିକ ଜୀବଜଗତକୁ ଯଥେଷ୍ଟ କ୍ଷତିଗ୍ରସ୍ତ କରିସାରିଛି । ଏଣେ ଆମର ଏକ ଅଜବ ଧାରଣା ବି ରହିଛି ଯେ ସାମୁଦ୍ରିକ ପର୍ଯ୍ୟାବରଣରେ ପରିବର୍ତ୍ତନ ଆଣିବା ସାଧାରଣ ମଣିଷର କାମ ନୁହେଁ । ଏହା ଅବଶ୍ୟ ଏଇଥିପାଇଁ ଠକ୍‌ ନୁହେଁ ଯେ ସମୁଦ୍ର / ମହାସମୁଦ୍ର ପୃଥିବୀର ପର୍ଯ୍ୟାବରଣ ବାହାରେ ନୁହେଁ । ଅର୍ଥାତ୍‌, ଆମ ସମସ୍ତଙ୍କର ଭୂମିକା ରହିଛି । ଏକଥା ସତ ଯେ, ପ୍ରାକୃତିକ ସନ୍ତୁଳନ (ବିଶେଷ କରି ମହାସାଗର ପର୍ଯ୍ୟାବରଣ) ଥରେ ଅସ୍ଥିର ହେଲେ ତା’ର ମରାମତି ସହଜସାଧ୍ୟ ନୁହେଁ । ମଣିଷ ତା’ର ଅଭ୍ୟାସ ବଦଳାଇପାରେ, ଗ୍ରୀନ ହାଉସ୍‌ ଗ୍ୟାସ ନିର୍ଗମନ କମେଇପାରେ, କିନ୍ତୁ ପ୍ରକୃତିର କ୍ଷତକୁ ଆରୋଗ୍ୟ କରିବା ଦୁରୂହ ବ୍ୟାପାର । ତେବେ ଆମର ସମ୍ମିଳିତ ଚେଷ୍ଟା ଅଧିକ କ୍ଷତିକୁ ଅନ୍ତତଃ ରୋକି ତ ପାରିବ ! ସମୁଦ୍ର ମଶାଣି ନ ହେଉ ।

(ପ୍ରମେୟ, ତା ୨୨/୪/୨୦୧୬)

Image

 

ସହର, ସ୍ଵାସ୍ଥ୍ୟ ଏବଂ ସବୁଜ ଚକଡ଼ା

 

ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନ ମୁତାବକ ଆମ ସମୟରେ ସବୁଠୁ ଅଧିକ ଲୋକ ସହରମୁହାଁ ହେଉଛନ୍ତି ଏବଂ ଆକଳନ ଇଙ୍ଗିତ କରିଛି ଯେ ପୃଥିବୀ ଜନସଂଖ୍ୟାର ଅଧାରୁ ଅଧିକ ସହରର ବାସିନ୍ଦା ହୋଇ ସାରିଲେଣ । ବିକଶିତ ଓ ବିକାଶଶୀଳ ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଭାରତରେ ସହରୀକରଣ ଅବଶ୍ୟ ସେମିତି କ୍ଷୀପ୍ର ନୁହେଁ । ୨୦୧୧ ଜନଗଣନ୍ୟ ତଥ୍ୟ ଆଧାରରେ ଆମ ଜନସଂଖ୍ୟାର ୩୧ ପ୍ରତିଶତ ଖୁବ୍‌ ବେଶୀରେ ସହରାଞ୍ଚଳରେ ରହନ୍ତି, ତଥାପି ଏହା ୨୦୦୧–ଜନଗଣନାଠାରୁ ୪% ଅଧିକ । ତେବେ ଅଭିବୃଦ୍ଧି ସବୁ ରାଜ୍ୟକୁ ସମାନ ଭାବରେ ଭେଦି ନାହିଁ । ଗତ ୧୦ ବର୍ଷ ଭିତରେ କେରଳରେ ସହରାଞ୍ଚଳ ୨୦% ବଢ଼ିଥିବାବେଳେ ହିମାଚଳ ପ୍ରଦେଶରେ ୧୦ ବର୍ଷ ତଳର ସ୍ଥିତି ଅପରିବର୍ତ୍ତିତ ରହିଛି । ତାମିଲନାଡ଼ୁ, କେରଳ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା ଓ ଆନ୍ଧ୍ରପ୍ରଦେଶରେ ସହରାଞ୍ଚଳ ଜନସଂଖ୍ୟା ସେମାନଙ୍କ ମୋଟ ଜନସଂଖ୍ୟାର ଯଥାକ୍ରମେ ୫୦, ୪୮, ୪୫, ୪୩, ୩୮, ୩୭, ୩୫ ଏବଂ ୩୩% । ଆମ ରାଜ୍ୟରେ ଏହା ଖୁବ୍ ବେଶୀରେ ୧୭% ।

 

ଜାତୀୟ ସ୍ତରରେ ପ୍ରାୟ ୧୦ ପ୍ରତିଶତ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସହରରେ ରହୁଥିବା ବେଳେ ୧୦ ପ୍ରତିଶତ ରହନ୍ତି ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟାବିଶିଷ୍ଟ ସହରରେ ଏବଂ ଆଉ ୧୦ ପ୍ରତିଶତ ୧ ଲକ୍ଷରୁ କମ୍‌ ଲୋକ ଥିବା, ସହରରେ । ତେବେ ବଡ଼କଥା ହେଉଛି, ୨୦୦୧ରୁ ୨୦୧୧ ଭିତରେ ସହରାଞ୍ଚଳ ଲୋକସଂଖ୍ୟା ଅଭିବୃଦ୍ଧି ଗ୍ରାମାଞ୍ଚଳ ଜନସଂଖ୍ୟା ଅଭିବୃଦ୍ଧିଠୁ ଅଧିକ । ୧୯୬୧ରେ ଦେଶରେ ସହର ବାସିନ୍ଦାଙ୍କ ସଂଖ୍ୟା ୭୮.୯୪ ନିୟୁତ ଥିବାବେଳେ ୨୦୧୧ରେ ତାହା ପହଞ୍ଚିଛି ୩୭୭.୧୦ ନିୟୁତରେ । ଯୋଜନାବିତ୍‌ଙ୍କ ମତରେ ଏଇ ଅଭିବୃଦ୍ଧି ସମ୍ଭବ ହୋଇଛି ୩ଟି ମୁଖ୍ୟ କାରଣରୁ–(୧) ସହରରର ସ୍ଵାଭାବିକ ବୃଦ୍ଧି, (୨) ନିର୍ଦ୍ଦିଷ୍ଟ ମାନଦଣ୍ଡ (ମୁଖ୍ୟତଃ ଲୋକସଂଖ୍ୟା)କୁ ଭିତ୍ତି କରି ନୂତନ ସହର ସୃଷ୍ଟି / ବଜ୍ଞପ୍ତି, (୩) ଗ୍ରାମାଞ୍ଚଳରୁ ସହରକୁ ସ୍ଥାନାନ୍ତର । ୨୦୦୧ ରେ ଦେଶରେ ମୋଟ ସହର ସଂଖ୍ୟା ୫,୧୬୧ ଥିବାବେଳେ ୨୦୧୧ରେ ତାହା ପହଞ୍ଚିଛି ୭,୯୩୫ରେ । ଯେଉଁ ରାଜ୍ୟମାନେ ସହରାଞ୍ଚଳ ଜନସଂଖ୍ୟାରେ ଖୁବ୍‌ ପଛରେ ରହି ଯାଇଛନ୍ତି, ଓଡ଼ିଶାକୁ ମିଶେଇ ସେମାନେ ହେଲେ ବିହାର, ହିମାଚଳ ପ୍ରଦେଶ ଏବଂ ଆସାମ । ଜାତିସଂଘର ଆକଳନ ଯେ ୨୦୩୦ ସୁଦ୍ଧା ଭାରତରେ ସହରାଞ୍ଚଳ ଜନସଂଖ୍ୟା ୫୩୮ ନିୟୁତରେ ପହଞ୍ଚିବ ।

 

ତେବେ ସହରର ସଂଖ୍ୟା ଅଭିବୃଦ୍ଧିର ଅର୍ଥ ନୁହେଁ ଯେ ସବୁକିଛି ଠିକ୍‌ଠାକ୍ ଅଛି । ଯାହା ପ୍ରକୃତରେ ଗୁରୁତ୍ଵପୂର୍ଣ୍ଣ, ତାହା ହେଉଛି ଜୀବନ ଧାରଣର ମାନ । ପାଠକମାନଙ୍କ ପାଇଁ ସ୍ପଷ୍ଟ କରୁଛି, ସହରାଞ୍ଚଳ ଜନସଂଖ୍ୟାର ଏକ ତୃତୀୟାଂଶ (ପାଖାପାଖି ୧୦୦ ନିୟୁତ) ସ୍ଲମ ବା ବସ୍ତିରେ ରହନ୍ତି ଏବଂ ତହିଁରୁ ଅନେକ ବସ୍ତିର ପରିମଳ ଅବସ୍ଥା ଶୋଚନୀୟ । ପରିସ୍ଥିତିକୁ ଯାହା ଅଧିକ ସମ୍ବେଦନଶୀଳ କରିଛି, ତାହା ହେଉଛି ସ୍ଵାସ୍ଥ୍ୟ । ଅଧିକାଂଶ କ୍ଷେତ୍ରରେ ସୀମିତ ଜାଗାରେ ବେଶୀ ଲୋକ ଏବଂ ଭୀଷଣ ଅସ୍ଵାସ୍ଥ୍ୟକର ପରିଦେଶ- ସ୍ଵାସ୍ଥ୍ୟ ସମସ୍ୟା ମୂଳରେ । ଏକ ସର୍ଭେରୁ ଜଣାପଡ଼ିଛି ଯେ ବସ୍ତିରେ ପତି ୧୦ ପିଲାରେ ଜଣେ ତାକୁ ପାଞ୍ଚବର୍ଷ ହେବା ଆଗରୁ ଆଖି ବୁଜନ୍ତି । ସରକାରଙ୍କ ପ୍ରାଥମିକ ଟୀକାକରଣ କାର୍ଯ୍ୟକ୍ରମରେ ମାତ୍ର ୪୨% ବସ୍ତି ପିଲା ଅନ୍ତର୍ଭୁକ୍ତ । ୫୬% ପ୍ରସବ ଆନୁଷ୍ଠାନିକ ବ୍ୟବସ୍ଥାରେ ହୁଏନାହିଁ । ଦୁଇ ତୃତୀୟାଂଶ ବାସିନ୍ଦାଙ୍କର ପାଇଖାନା ନାହିଁ ଏବଂ ଅନ୍ୟୁନ ୪୦%ଙ୍କ ପାଖରେ ପାଇପ୍‌ ପାଣି ପହଞ୍ଚି ନାହିଁ । ଦୁର୍ଭାଗ୍ୟ ସେତିକିରେ ସୀମିତ ନୁହେଁ । ସ୍ମାର୍ଟ ସିଟି ପାଇଁ ଚିହ୍ନିତ ପ୍ରମୁଖ ସହରମାନଙ୍କ ସମେତ ଅନ୍ୟାନ୍ୟ ସହରାଞ୍ଚଳରେ ବେଶ୍‌ କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବସ୍ତି ବି ଜୁଟିନାହିଁ । ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଫୁଟ୍‌ପାଥ୍‌ ଏମାନଙ୍କ ଘର । ଏକଥା ବି ଜଣାପଡ଼ିଛି ଯେ ଶିଶୁ ପୁଷ୍ଟିହୀନତା ଗ୍ରାମାଞ୍ଚଳଠୁ ସହରରେ ବସ୍ତିମାନଙ୍କରେ ଅଧିକ (ଗ୍ରାମାଞ୍ଚଳରେ ଏହା ୪୫% ହୋଇଥବା ସ୍ଥଳେ ସହରରେ ୪୭.୧% । ମାତୃ ଓ ଶିଶୁ ମୃତ୍ୟୁହାର ମଧ୍ୟ ଉଦ୍‌ବେଗଜନକ । ଏକଥା ନୁହେଁ ଯେ ସହରାଞ୍ଚଳ ପାଇଁ ସରକାରଙ୍କ ସ୍ଵାସ୍ଥ୍ୟ ଯୋଜନା ନାହିଁ । ତେବେ ତାହା ପର୍ଯ୍ୟାପ୍ତ ନୁହେଁ । ଏଣେ ସମସ୍ୟାର ସମାଧାନ କେବଳ ଚିକିତ୍ସାରେ ନିହିତ ନୁହେଁ, କାରଣ ସବୁର ମୂଳରେ ରହିଛି ଭିତ୍ତିଭୂମିର ବିକାଶ ଏବଂ ପରିବେଶ ।

 

ଗତ ୧୦ ବର୍ଷ ଭିତରେ କେବଳ ବାଛିବାଛି ସହରାଞ୍ଚଳରେ ହିଁ ଭଲ ଘରୋଇ ହସ୍‌ପିଟାଲ୍‌ ଖୋଲୁଛି । ପାଖରେ ପଇସା ଥିଲେ ପଞ୍ଚତାରକା ଚିକିତ୍ସା ମିଳୁଛି । କିନ୍ତୁ ଅଧ୍ୟୟନରୁ ଜଣାପଡ଼ିଛି ଯେ କେବଳ ଉନ୍ନତ ଚିକିତ୍ସା ସ୍ଵଚ୍ଛଳମାନଙ୍କ ସ୍ଵାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ସହରର ଶରୀର ସିନା ବଢ଼ୁଛି, ସେଇ ଅନୁପାତରେ ୟାର ଆତ୍ମାର ସ୍ଵାସ୍ଥ୍ୟ ନିରନ୍ତର ବିଗିଡ଼ିବାରେ ଲାଗିଛି । କୁହାଯାଉଛି, ଜଣେ ସ୍ୱଚ୍ଛଳ ସହର ବାସିନ୍ଦାର ଜୀବନଚର୍ଯ୍ୟା କେବଳ ତା’ କାର୍‌ ଚାରିପାଖରେ ସୀମିତ ହୋଇ ରହିଯାଇଛି । ଆଉ ଚଲାବୁଲା ନାହିଁ; ଜୀବନ ଯାନ୍ତ୍ରିକ ହୋଇସାରିଛି-। ବିର୍ଦ୍ଧିଷ୍ଣୁ ସହର ଆକାଶ ରେଖାକୁ ଗ୍ରାସ କରି ସାରିଥିବା ବେଳେ ଏଣେ ଆହୁରି ଆଗକୁ ଯିବାର ଉପକ୍ରମ ମୁଖ୍ୟ ସହରଠୁ ଯଥେଷ୍ଟ ଦୂର ଗାଁମାନଙ୍କୁ ଗିଳି ସରିଛି । ୟା ସହିତ ତାଳଦେଇ ବଢ଼ିଛି ମାନସିକ ଅବସାଦ; ଅସ୍ଵସ୍ତି । ସହରରୁ ସବୁଜ ଚକଡ଼ା, ଯଥା ଖୋଲା ପଡ଼ିଆ, ଉଦ୍ୟାନ / ପାର୍କ୍‌ ଇତ୍ୟାଦି କ୍ରମଶଃ ନିଶ୍ଚିହ୍ନ ହେବାକୁ ବସିଲାଣି । ଗାଡ଼ି ମଟର କେବଳ ଅନିୟନ୍ତ୍ରିତ ହୋଇ ବଢ଼ୁନାହିଁ, ବଡ଼ ବଡ଼ ସହରରେ ଯାନବାହନଜନିତ ପ୍ରଦୂଷଣ (ଯଥା ଦିଲ୍ଲୀ) ଭୟଙ୍କର ସାବ୍ୟସ୍ତ ହୋଇଛି । ସମାଜତତ୍ତ୍ୱବିତ୍‌ମାନଙ୍କ ମତ, ଗାଁଗଣ୍ଡା କଥା ଭିନ୍ନ । କୌଣସି ଏକ ବଡ଼ ସହରକୁ ଶୃଙ୍ଖଳିତ କରିବା ଜମାରୁ ସହଜସାଧ୍ୟ ନୁହେଁ । ସହରର ନିର୍ମାଣ ଜଟିଳ । ସହରରେ କେବଳ ଅଧିକ ଲୋକ ନଥାନ୍ତି, ସାଂସ୍କୃତିକ, ସାମାଜିକ ଏବଂ ଅର୍ଥନୈତିକ କାରଣରୁ ସେମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଥାଆନ୍ତି । ସହର ଯେତେ ବଢ଼େ, ସେଇ କ୍ରମରେ ବଢ଼େ ଅସଂଲଗ୍ନତା-। ତେଣୁ ସହରମାନେ ସବୁବେଳେ ଏକ ଜଟିଳ ନମୂନା ଭାବରେ ଉଭା ହୋଇଥାନ୍ତି । ସାର୍ବଜନୀନ ବିକାଶ ପାଇଁ ସହରରେ ଗାଁ ପରି ସହମତି ମିଳେନାହିଁ । ଏକ ବ୍ୟବସ୍ଥ୍ୟ ନାଁରେ ଏବଂ ଆଇନ ନାଁରେ ଉପରୁ ବେଶ୍‌ କିଛି ଲଦି ଦିଆଯାଏ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଏମିତି ଯୋଜନାମାନଙ୍କୁ ଗ୍ରହଣ କରିବାରେ ଖୁବ୍‌ ବେଶୀ ଲୋକ ଆପତ୍ତି ମଧ୍ୟ ଉଠାନ୍ତି ନାହିଁ । ସହରରେ କୁଆଡ଼େ ଗଣଚେତନା ଜୀବନ୍ତ ନଥାଏ ।

 

ଉଲ୍ଲେଖଯୋଗ୍ୟ ଯେ ନୋବେଲ୍‌ ବିଜେତା ପଦାର୍ଥ ବିଜ୍ଞାନୀ ଫିଲିପ୍‌ ଆଣ୍ଡରସନ୍‌ ‘ଅଧିକ ହିଁ ଅଲଗା’ ଶିରୋନାମାରେ ୧୯୭୭ରେ ଏକ ତତ୍ତ୍ୱର ଅବତାରଣା କରିଥିଲେ ଯାହା ଗୁଣାତ୍ମକ ଭିନ୍ନତାକୁ ସୂଚାଉ ଥିଲା । ମୂଳତଃ ଏହା ଆଧାରିତ ଥିଲା ମୌଳିକ କଣିକା ତତ୍ତ୍ୱ ଉପରେ । ଆଣ୍ଡରସନ୍‌ ମହାଶୟ ଦର୍ଶାଇଥିଲେ ଯେ କଣିକାମାନଙ୍କ ବିଶ୍ଳେଷଣରେ ପ୍ରତ୍ୟେକ ସ୍ତରରେ ଭେଟ ହେବ କିଛି ନୂଆ ଗୁଣ / ବ୍ୟବହାର ସହିତ ଏବଂ ସେଇ କ୍ରମରେ ପ୍ରତ୍ୟେକ ସ୍ତରରେ ହିଁ ଆପଣ ଅବଧାରଣାର ନୂଆ ନିର୍ମାଣ ଆବଶ୍ୟକ ହେବ । ଅଣୁ ଏକାକୀ ଏକ ଭିନ୍ନ ସତ୍ତା । କିନ୍ତୁ ଅନ୍ୟ କଣିକାଙ୍କ ମେଳରେ ଉଭୟ ଗଠନ ଓ ଚରିତ୍ରରେ ତାହା ସମ୍ପୂର୍ଣ୍ଣ ଭିନ୍ନ । ସମାନ ବିଚାର ଲାଗୁ ସହର ଜୀବନରେ । ଜଣେ ସହର ବାସିନ୍ଦାର ପାରିବାରିକ ଜୀବନ ନିଆରା ହୋଇପାରେ, କିନ୍ତୁ ତା’ର କଲୋନୀ / ଫ୍ଲାଟ୍‌, ଓ୍ୱାର୍ଡ଼୍, କ୍ଲବ୍‌ ଓ ପାଖ ସହରରେ ପରିଚୟ, ବ୍ୟବହାର ଏବଂ ଆଭିମୁଖ୍ୟ (ସହର ଜୀବନକୁ ନେଇ) ଜଟିଳ । ପଦାର୍ଥ ବିଜ୍ଞାନର ମଡେଲ୍‌ ଅନୁସରଣ କରି ଏବେ ଯୋଜନାବିତ୍‌ମାନେ ବୁଝିଲେଣି ଯେ ସହରାଞ୍ଚଳରେ ଗୁଣାତ୍ମକ ଜୀବନ ନିର୍ଭର କରେ ଏକାଧିକ କ୍ଷେତ୍ର ଉପରେ ଯଥା- ସହରର ଆୟତନ, ଜନସଂଖ୍ୟାର ଆକାର, ନଗର ପ୍ରଶାସନ, ପରିବହନ, ନାଗରକ ଭାଗୀଦାରୀ ଏବଂ ସର୍ବୋପରି ପରିବେଶ ଉପରେ । ଏ ସମସ୍ତଙ୍କୁ ନେଇ ସବୁଠୁ ଗୁରୁତ୍ଵପୂର୍ଣ୍ଣ ପରପୋଷଣୀୟ ଯୋଜନା । ଏହା ଏତେ ସହଜ ନୁହେଁ ।

 

ଅଧ୍ୟୟନ ସ୍ପଷ୍ଟ କଲାଣି ଯେ ଅଧିକାଂଶ ସହରରେ ଗଣ ଆଭିମୁଖ୍ୟ / ଚରିତ୍ର ଅବକ୍ଷୟମୁଖୀ ହୋଇ ସାରିଛି । ନିଜ ସହରକୁ ନିଜର କହିବା ମନୋବୃତ୍ତି ଆମେ ହରେଇ ବସିଛୁ । ଏହି କାରଣରୁ ହିଁ ସ୍ଵାସ୍ଥ୍ୟ ଏବଂ ପାନୀୟ ଜଳ ପରି ମୌଳିକ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ସହର ଅବିକଳ ଏକ ଯୌଗିକ ସତ୍ତା ଯାହା ପରସ୍ପରଠୁ ପୃଥକ୍‌ କ୍ଷେତ୍ରମାନଙ୍କ ସହିତ ସମ୍ପର୍କରେ ରହିଛି ଏବଂ ସକଳ ଅସଂଲଗ୍ନତା ଭିତରେ ଆପଣା ଜୀବନ ପାଇଁ ସମନ୍ଵୟର ସୂତ୍ର ତଲାସ କରୁଛି ।

 

ପ୍ରବନ୍ଧର ଶେଷ ଚରଣରେ ପୁଣି ଫେରିବା ସ୍ଵାସ୍ଥ୍ୟ ସମସ୍ୟାକୁ । ଅଧିକ ହସ୍‌ପିଟାଲ୍‌, ଉନ୍ନତ ଚିକିତ୍ସା ଏବଂ ସ୍ଵାସ୍ଥ୍ୟବୀମା–ଏସବୁ ବାଦ୍‌ ଯାହା ସହରବାସୀଙ୍କ ପାଇଁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଉଛି–‘ସବୁଜ ହସ୍ତକ୍ଷେପ’ ଜଣେ ଯୋଜନାବିତ୍‌ଙ୍କ ମତ ଯେ ସାରା ପୃଥିବୀରେ ଅଧିକାଂଶ ସହରରେ ଗୁଣାତ୍ମକ ଜୀବନ ଏବଂ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଯାହା ଲୋଡ଼ା, ତାହା ପ୍ରକୃତରେ ଖୁବ୍‌ ଅଧକ ବ୍ୟୟ ବରାଦର ଅପେଷା ରଖେନାହିଁ–(୧) ଚାଲିବା ପାଇଁ ଓ ସାଇକେଲ୍‌ ଚଲେଇବା ପାଇଁ ଅଧିକ ରାସ୍ତା-ସହର ପାଇଁ ଅଧିକ କାର୍‌ ନୁହେଁ (୨୦୫୦ ସୁଦ୍ଧା ପୁଥିବୀରେ କାର୍‌ ସଂଖ୍ୟା ୨.୩ ବିଲିୟନ ହେବ) ବା କାର୍‌କୈନ୍ଦ୍ରିକ ଯୋଜନା ନୁହେଁ । ଏହା ସହିତ ଗଣ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ । ଯେଉଁ ସହରରେ କାର୍‌ ଚାଲିବା ପାଇଁ ଯେତେ ଅଧିକ ଲେନ୍‌, ସେ ସରରରେ ସ୍ୱାସ୍ଥ୍ୟ ଓ ପରିବେଶ ସେତିକି ବିପନ୍ନ । (୨) ସହରରେ ସବୁଜ ଚକଡ଼ାର ସମ୍ପ୍ରସାରଣ, ଅର୍ଥାତ୍‌ ଅଧିକ ବୃଷ ରୋପଣ; ଅଧିକ ଉଦ୍ୟାନ, ଅଧିକ ଜଳାଶୟ । ସବୁଜିମାକୁ (ପ୍ରକୃତି) ଥରେ ଆମ ମାନସିକ ସ୍ୱାସ୍ଥ୍ୟର ଦାୟିତ୍ୱ ଦିଆଯାଉ, କାରଣ ସହରରେ କେବଳ ଦେହ ନୁହେଁ, ଯାହା ବେଶୀ ଭାଙ୍ଗି ପଡ଼ୁଛି, ତାହା ହେଉଛି ମନ ।

(ନିତିଦିନ, ତା ୧୦/୬/୨୦୧୬)

Image

 

ହିଂସା ଜିନ୍‌ରେ ଅଛି

 

ନିକଟରେ ‘ନେଚର୍‌’ ପତ୍ରିକା ସମେତ ଅନ୍ୟାନ୍ୟ ଖବରକାଗଜରେ ପ୍ରକାଶିତ ହୋଇଛି ଏମିତି ଏକ ଖବର: ‘‘ମଣିଷ ସମାଜରେ ସଂଗଠତ ହିଂସା / ଯୁଦ୍ଧ ୧୦,୦୦୦ ବର୍ଷ ପ୍ରାଚୀନ ।’’ କେନିଆର (ନାଟାରୁକ୍‌) ହ୍ରଦ କୂଳରୁ ମିଳିଛି ୨୭ ଟି ମୃତଦେହର ଅବଶେଷ ଯାହା ୧୦,୦୦୦ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି । ଗୋଟିଏ ଜାଗାରେ ୨୭ଟି ଦେହାବଶେଷ ସାଧାରଣ ଅର୍ଥରେ ଗଣସମାଧି ମନେ ହୋଇପାରେ । ତେବେ ପାଠକେ, କଥାଟି ଅବିକଳ ତାହା ନୁହେଁ । ବିଖଣ୍ଡିତ କଙ୍କାଳ / ଅସ୍ଥି ଅଧ୍ୟୟନରୁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଆପାତତଃ ଏଇ ନିର୍ଣ୍ଣରେ ପହଞ୍ଚୁଛନ୍ତି ଯେ ମୋଟ ୨୭ ଜଣଙ୍କ ମଧ୍ୟରୁ ୮ ଜଣ ମହିଳା ଏବଂ ୬ ଜଣ ଶିଶୁ । ଏ ସମସ୍ତଙ୍କର ମୃତ୍ୟୁ ହିଂସାକାଣ୍ଡଜନିତ । ଅତୀତରେ ଏମାନେ ଗୋଟିଏ ବସତିରେ ରହୁଥିଲେ ଏବଂ କୌଣସି କାରଣରୁ ଏମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଏଇ ଗଣହତ୍ୟା କେବଳ ବର୍ବରୋଚିତ ନଥିଲା–ଯୋଜନାଦ୍ଧ ମଧ୍ୟ ଥିଲା । ମିଳିଥିବା କଙ୍କାଳରୁ ୧୨ଟି ଅପେକ୍ଷାକୃତ ସାମାନ୍ୟ ଭଲ ଅବସ୍ଥାରେ ଅଛି । ପରୀକ୍ଷା ଉତ୍ତାରୁ ଜଣାପଡ଼ିଛି ଯେ ତୀକ୍ଷ୍‌ଣ ଅସ୍ତ୍ରରେ ସେମାନଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରାଯାଇଛି । ଗବେଷକମାନଙ୍କ ଅନୁମାନ ଯେ ଏଇ ୨୭ ଜଣ ସମ୍ଭବତଃ ଏକ ସଂପ୍ରସାରିତ ପରିବାରର ସଦସ୍ୟ / କୁଟୁମ୍ବ ହୋଇଥାଇପାରନ୍ତି ଏବଂ ସାମୟିକ ଭାବରେ (କେଇ ମାସ ଆଗରୁ) ସେମାନେ ସେଇ ଅଞ୍ଚଳରେ ରହିପାରନ୍ତି । ସେ କାଳରେ ଚଳିବାପାଇଁ ଶିକାର ହିଁ ପ୍ରାୟତଃ ସାଧନ ଥିଲା । ସେ ଯାଏଁ କୃଷି ସଂଗଠିତ ହୋଇନଥିଲା । ଆଦିମ ଅଧିବାସୀମାନେ ଦଳରେ ରହୁଥିଲେ । ଗୋଟିଏ ଦଳର ମୁକାବିଲା ଆଉ ଗୋଟିଏ ଦଳ ସହିତ ହେଉଥଲା ଏଇଥିପାଇଁ: ଏକ ନିର୍ଦିଷ୍ଟ ଅଞ୍ଚଳର ଆଧ୍ୟପତ୍ୟ / ଚାରଣଭୂମି / ପଶୁ / ଖାଦ୍ୟ ଏବଂ ମହିଳା-। ନ୍ୟାୟ, ନୀତି ଭିତ୍ତିରେ ସାମାଜିକ ଜୀବନ/ଚଳଣିର ସିନ୍ଦୂରା ଫାଟି ନଥିଲା, ନଚେତ୍‌ ସେଇ ମର୍ମରେ ସମାଜର ସଂରଚନା ଏକଦମ୍‌ ପ୍ରାଥମିକ ସ୍ତରରେ ଥିଲା । ଏମିତି ଏକ ଦଳର ଦଳପତି ବୋଇଲେ ବୁଝାଉଥିଲା ନିଜ ଦଳ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ । ସେଇ ଦୃଷ୍ଚିରୁ ନାଟାରୁକ୍‌ ଘଟଣା ଏକ ଯୋଜନାବଦ୍ଧ ଆକ୍ରମଣ ହେବାରେ ଅସ୍ୱାଭାବିକତା ନାହିଁ, କିନ୍ତୁ ତଫାତ୍‌ ହେଉଛି ଏଠି ଦୃଶ୍ୟମାନ ହୋଇଥିବା ବୀଭତ୍ସତା । ଛୋଟଛୋଟ ପିଲାମାନଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣ । ମୋଟ ଉପରେ ହଂସାର ମାତ୍ରା । ସ୍ପଷ୍ଟ କରୁଛି ଯେ ଏ ସମୁଦାୟ ପ୍ରକରଣରେ ଯାହା ସର୍ବାଧିକ ସ୍ପର୍ଶକାତର, ତାହା ହେଉଛି ଏକ ଅନ୍ତଃସତ୍ତ୍ୱା ମହିଳାଙ୍କ ଅବଶେଷର ଆବିଷ୍କାର। ଆକ୍ରମଣରେ ଉଭୟ ଧନୁତୀର ଏବଂ ମୋଟା ବାଡ଼ି ବ୍ୟବହାର ହୋଇଥିବା ଜଣାପଡ଼ିଛି । ପାଠକେ, ନାଟାରୁକ୍‌ର ଜୀବାଶ୍ମ ସ୍ପଷ୍ଟ କରିବାକୁ ଯାଉଛି ଯେ ମଣିଷର ବିକାଶକ୍ରମରେ ‘ସଂଗଠିତ କୃଷି’ଠୁ ଅଧିକ ପ୍ରାଚୀନ ହେଉଛି ‘ସଂଗଠିତ ହିଂସା’ ।

 

ମତାନୈକ୍ୟ ମଧ୍ୟ ରହିଛି, କାରଣ ପୂର୍ବ ଅଧ୍ୟୟନ ମୁତାବକ କୃଷି ସଂଗଠିତ ହେବା ଆଗରୁ ହିଂସା, ବିଶେଷକରି ଗଣହତ୍ୟାର ଆନୁଷ୍ଠାନିକ ଗୃହ ପ୍ରବେଶ ଘଟିନଥି‌ଲା । ପ୍ରକୃତି ଥିଲା ଆରଣ୍ୟକ ଏବଂ ଅପୂର୍ବ । କୃଷି ପାଇଁ ଉର୍ବର ଭୂଇଁର ତଲାସ ଏବଂ ସେଇ ଭୂଇଁ ବା ଇଲାକା ଉପରେ ଆଧିପତ୍ୟ ବିସ୍ତାର କରିବାର ମନୋବୃତ୍ତି ସେତେବେଳେ ଦାନା ବାନ୍ଧି ନଥିଲା । ସେଇ ପ୍ରେକ୍ଷାପଟ୍ଟରେ ଭ୍ରାମ୍ୟମାଣ ଦଳ ସ୍ଵାଭାବିକ ସେତେ ହିଂସ୍ର ନଥିଲେ । ଅର୍ଥାତ, ହିଂସା କାଁଭାଁ ଥିଲା । ତେବେ ଏକଥା ନୁହେଁ ଯେ ନାଟାରୁକ୍‌ ଆଗରୁ ଗଣସମାଧିର ଆବିଷ୍କାର ହୋଇନଥିଲା । ଜର୍ମାନୀରେ ମିଳିଥିବା ସମାଧି ପାଞ୍ଚହଜାର ବର୍ଷ ପୁରୁଣା ଥିଲା, ଅର୍ଥାତ୍ ହିଂସାର କ୍ଷତ ସେଇ ଆବିଷ୍କାର ଅନୁଯାୟୀ ସମ୍ଭବ ହୋଇସାରିଥିଲା । ଆନୁଷ୍ଠାନିକ କୃଷିର ମୂଳଦୁଆ ପଡ଼ିବା ପରେ ପରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହୋଇଥଲା ଉତ୍ତର ସ୍ପେନରେ । ପ୍ରତ୍ନାତ୍ତ୍ୱିକ ଭୂଖନନରୁ ମିଳିଥିଲା ୨୮ଟି ଖପୁରୀ । ଜଣାପଡ଼ିଥିଲା ଯେ, ୪,୩୦,୦୦୦ ବର୍ଷ ଆଗରୁ ମଧ୍ୟ ହିଂସାକାଣ୍ଡ ହେଉଥିଲା । ତେବେ ସ୍ପେନ୍‌ରେ ମିଳିଥିବା ଦେହାବଶେଷ (୨୮)ରୁ ମାତ୍ର ଜଣଙ୍କ ଖପୁରିରେ (କ୍ରାନିୟମ୍‌–୧୭) ହିଂସାତ୍ମକ ଆକ୍ରମଣର ଚିହ୍ନ ଥିଲା । ସେତେବେଳେ ଆଲୋଚନା ହୋଇଥଲା ଯେ ପାରସ୍ପରିକ ହିଂସା ମଣିଷ ସହିତ ମିତ ବସିଛି–ଆରମ୍ଭରୁ । ଅନ୍ୟ ଅର୍ଥରେ, ଜୈବିକ ବିବର୍ତ୍ତନ ସହିତ ସମକାଳୀନ ହୋଇରହିଛି ତା’ର ହିଂସ୍ରତା । ଲକ୍ଷଲକ୍ଷ ବର୍ଷର କ୍ରମବିବର୍ତ୍ତନ ଆମକୁ ଯେତିକି ପରିମାଣରେ କୋମଳ କରିଛି, ସମାନ ପରିମାଣରେ ହିଂସ୍ର କରି ବି ତିଆରିଛି । ଆମ ଉପରେ ଅବକ୍ଷୟର (ଚେତନା ସ୍ତରରେ) ଧାରାବାହିକ ଆକ୍ରମଣ ତେଣୁ ଅବ୍ୟାହତ ରହିଛି । ୨୦୧୧ରେ ସମାନ ପ୍ରମାଣ ମଳିଥିଲା ଚୀନ୍‌ରେ ଆବିଷ୍କୃତ ଏକ ଦେହାବଶେଷରୁ ଯାହା ବୈଜ୍ଞାନିକମାନଙ୍କୁ ବିଶ୍ଵାସ କରାଇବାପାଇଁ ବାଧ୍ୟ କରିଥିଲା ଯେ ପାଖାପାଖିଁ ୨ ଲକ୍ଷ ବର୍ଷ ତଳେ ଆଦିମ ଜୀବନଚର୍ଯ୍ୟାରେ ପାରସ୍ପରିକ ହିଂସା ଏକାବେଳକେ ଆକସ୍ମିକ ନଥିଲା । ତେବେ ନାଟାରୁକ୍‌ ଆବିଷ୍କାର ସ୍ଵତନ୍ତ୍ର, କାରଣ ଏହା ଯୋଜନାବଦ୍ଧ ଗଣହତ୍ୟା ଥିଲା ।

 

ପାଠକମାନେ ଜାଣନ୍ତି, ଆମର ପୂର୍ବଜମାନେ ପୃଥିବୀରେ ବିଚରଣ କରିବା ଆରମ୍ଭ କରିଥିଲେ ପ୍ରାୟ ୬ ନିୟୁତ ବର୍ଷ ଆଗରୁ । ତେବେ ଯେଉଁ ଜୈବିକ ଚେହେରାରେ ଆମେ ଏବେ ନିଜକୁ ପାଉଛୁ, ସେ ଶରୀରକୁ ବିବର୍ତ୍ତନ ଢେର୍‌ ଘଷିମାଜି ଆମକୁ ଭେଟି ଦେଇଥିଲା ମାତ୍ର ୨ ଲକ୍ଷ ବର୍ଷ ତଳେ । କିନ୍ତୁ ସଭ୍ୟତାର ଖଡ଼ିପାଠ ସେତେବେଳେ ଆରମ୍ଭ ହୋଇନଥିବା, ଯାହା ଆରମ୍ଭ ହେଲା ପାୟ ୬୦୦୦ ବର୍ଷ ପୂର୍ବେ । ପ୍ରତିକୂଳ ପ୍ରାକୃତିକ ସ୍ଥିତି ସହିତ ନିରନ୍ତର ଯୁଝି ‘ଯୋର ଯା’ର ମୂଲକ ତା’ର’ ତତ୍ତ୍ୱକୁ ଅତିକ୍ରମି ସଭ୍ୟ, ସମ୍ବେଦନଶୀଳ ଏବଂ ଶାନ୍ତିପ୍ରିୟ ସମାଜର ନିର୍ମାଣ ଆଗରୁ ଆଙ୍ଗୁଠି ସନ୍ଧିରୁ ନିଗିଡ଼ି ଯାଉଥଲା ଯଥେଷ୍ଟ ସମୟ । ଆମର ‘ମୂଳ’ ଆରଣ୍ୟକ ଅବଶ୍ୟ ଥିଲା, ତେବେ ଏତେ ଦୀର୍ଘ ଯାତ୍ରା ପରେ ହିଂସା-ଯାହା ଜନ୍ତୁମାନଙ୍କ ଜଗତରେ ସ୍ଵାଭାବିକ ଭାବେ ଉପସ୍ଥିତ, ତାହା ମଣିଷ ସହିତ କେମିତି ସ୍ୱାଭାବିକ ହୋଇ ତିଷ୍ଠି ରହିଲା, ଏବେ ବି ରହସ୍ୟାବୃତ୍ତ ହୋଇରହିଛି-। ବିତର୍କର ମହାମଞ୍ଚ ତେଣୁ ଆଜି ବି ଖୋଲା ଅଛି: ମଣିଷ ତୁଚ୍ଛା ପ୍ରବୃତ୍ତି ନା ପ୍ରବୃତ୍ତିର ଊର୍ଦ୍ଧ୍ୱରେ ଏକ ପରମ, ଦିବ୍ୟସତ୍ତା; ସେ ଜାନ୍ତବ ସତ୍ତା ନା ବିଶୁଦ୍ଧ ଚେତନା ? ନା ଉଭୟର ମଝିରେ ଠିଆହୋଇଥିବା ଅର୍ଦ୍ଧସତ୍ୟ ?

 

ଏବେ ଆସିବା କୃଷି ସମ୍ପର୍କରେ ଏକ ସଂକ୍ଷିପ୍ତ ଆଲୋଚନାକୁ । କୃଷି ସଂଗଠିତ/ ବ୍ୟବସ୍ଥିତ ଢାଞ୍ଚାରେ ଅବିକଳ କେତେହଜାର ବର୍ଷ ଆଗରୁ ଆରମ୍ଭ ହେଲା, ସେ ନେଇ ମଧ୍ୟ ମତ ପାର୍ଥକ୍ୟ ରହିଛି । ମାତ୍ର ଅନେକଙ୍କର ବିଶ୍ୱାସ ଯେ ସଂଗଠିତ କୃଷି ଅତିବେଶୀରେ ୭,୦୦୦–୮୦୦୦ ବର୍ଷ ପୁରୁଣା । ଭୂମଧ୍ୟସାଗରଠୁ ପାରସ୍ୟ ଉପକୂଳ ପର୍ଯ୍ୟନ୍ତ ବିସ୍ତୃତ ଉର୍ବର ଅଞ୍ଚଳରେ ଆମର ପୂର୍ବଜମାନେ ଚାଷ ଆରମ୍ଭ କରିଥଲେ । ଏଇ କ୍ରମରେ ମିଶର, ସିନ୍ଧୁ ଉପତ୍ୟକା ଏବଂ ଚୀନ ମଧ୍ୟ ବାଦ୍‌ ପଡ଼ିନଥିଲା । ଆଧୁନିକ ଜଳସେଚନ, ବିହନ, କୃଷି ପ୍ରଣାଳୀ ଓ ରାସାୟନିକର ବ୍ୟବହାର ଯଥେଷ୍ଟ ପରେ ଆସିଲା (ଶେଷ ଦୁଇ ଶହ ବର୍ଷ ଭିତରେ) । ଚାଷର ପ୍ରଥମ ଫସଲ ନିରୋଳା ଅରଣ୍ୟ ଫସଲ ମଧ୍ୟ ନଥିଲା, ଯଦି ଗହମ ଓ ବାର୍ଲିର ଜଙ୍ଗଲ ପ୍ରଜାତିରୁ ଆରମ୍ଭ ହୋଇଥିଲା ଆନୁଷ୍ଠାନିକ ଅଙ୍କୁରୋଦଗମ୍‌ । ଏଇ ୭୦୦୦ ବର୍ଷ ଭିତରେ ଆରଣ୍ୟକ ଶସ୍ୟଠୁ ଜି.ଏମ୍‌ ଫସଲ ପର୍ଯ୍ୟନ୍ତ ଆମେ ପହଞ୍ଚିସାରିଲୁଣି, କିନ୍ତୁ ଜଳବାୟୁ ପରିବର୍ତ୍ତନ ଏକଥା ସୂଚେଇ ସାରିଲାଣି ଯେ ଯଦି ପ୍ରାକୃତିକ ତତ୍ତ୍ୱମାନଙ୍କ ସହିତ ଲଢ଼ିବାପାଇଁ ପଡ଼ିବ ଏବଂ କୃଷକକୁ ପରିବର୍ତ୍ତିତ ସ୍ଥିତିରେ, ସକଳ ଅସାମଜସ୍ୟ ଭିତରେ ଫସଲ ଉପୁଜେଇବାକୁ ହେବ, ତେବେ ଖୁବ୍‌ ସମ୍ଭବ ଆଧୁନିକ ପରୀକ୍ଷାଗାର ଆମ ପାଇଁ ପର୍ଯ୍ୟାପ୍ତ ହେବନାହିଁ- ଆମକୁ ପଛକୁ ଚାହିଁବାକୁ ପଡ଼ିବ । କ୍ରମଶଃ ସ୍ପଷ୍ଟ ହେଉଛି ଯେ ଜଙ୍ଗଲ ପ୍ରଜାତିମାନେ ହିଁ ଜଳବାୟୁ ପରିବର୍ତ୍ତନଜନିତ ସ୍ଥିତିକୁ ବରଦାସ୍ତ କରିପାରିବେ । ଗବେଷକମାନଙ୍କ ମତ, ୬୦୦୦ରୁ ୧୦,୦୦୦ ବର୍ଷ ତଳେ ପୃଥିବୀରେ ଗୋଟିଏ ଦୁଇଟି ଅଞ୍ଚଳରେ ନୁହେଁ, ୧୦/୧୧ଟି ଭିନ୍ନଭିନ୍ନ ଅଞ୍ଚଳରେ କୃଷି ସଂଗଠିତ ହୋଇଥିବାର ଦୃଷ୍ଟାନ୍ତ ରହିଛି ଏବଂ ସେଇ ଦୃଷ୍ଟିରୁ ଆମର ଅଧ୍ୟୟନକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି । କିଏ ଜାଣେ, ଆଗକୁ ଚାଷକୁ ନେଇ ଆମର ଅଭିଜ୍ଞତା ବୈପ୍ଳବିକ ଭାବରେ ବଦଳି ଯାଇପାରେ ।

 

ଅନ୍ୟପକ୍ଷରେ, ଉତ୍ତର ଆଧୁନିକ ଜୀବନଶୈଳୀ ହିଂସାର ନୂଆ ଅଭିଧାନ ଲେଖିବା ଜାରି ରଖିଛି । ଆମର ତଥାକଥିତ ପ୍ରଗତି, ହରିବୋଲ ହୁଳହୁଳି ଦିଆ ସଂକୀର୍ତ୍ତନ ସଂସ୍କୃତି ଚେତନାର କ୍ରମ ଆରୋହଣକୁ ବରାବର ପ୍ରତିହତ କରିଆସୁଛି । ଆତଙ୍କର ଛାଇରେ ବାରୁଦର ଜୀବନ ଜ୍ଞାତସାରରେ ଆମେ ବାଛି ନେଇଛୁ । ଏଣେ ନାଟାରୁକ୍‌ ପରି ଆବିଷ୍କାର ଆମକୁ ସଂକେତ ଦେଇସାରିଲାଣି ଯେ ଆମର ଯାବତୀୟ ନୀତି ସଂହିତା, ଧର୍ମଶାସ୍ତ୍ର, ଆଧ୍ୟାତ୍ମିକତା ଏବଂ ଈଶ୍ଵର କଦାପି ପୂର୍ଣ୍ଣାଙ୍ଗ ବା ଅନ୍ତିମ ସତ୍ୟ ନୁହନ୍ତି । ମଣିଷ ପ୍ରାକୃତିକ ଭାବରେ ହିଂସ୍ର। ମନୋବିଜ୍ଞାନୀଙ୍କ ମତରେ ହିଂସା ବି ମଣିଷର ଏକ ବିଳାସ । ଅର୍ଥାତ୍‌, ନିଜ ଅନ୍ଧାରକୁ ଏକାବେଳକେ ଆଖିବୁଜିଦେଇ ଯୋଗନିଷ୍ଠ ହେବାର ଉପକ୍ରମ ମଧ୍ୟ ବିଶୁଦ୍ଧ ଛଳନା । ନିଜ ଭିତରର ଆକାଶ ଏବଂ ଅନ୍ଧାର ଭିତରେ ସମନ୍ୱୟ ଆଣିବାପାଇଁ ବିନମ୍ରତାର ସହିତ ଚେଷ୍ଟା କରିବାହିଁ ସେଇ ଦୃଷ୍ଟିରୁ ସମ୍ଭବତଃ ସର୍ବୋତ୍ତମ ସାଧନା । ପାଠକେ, ନିକଟରେ ପ୍ରକାଶିତ ଏକ ଖବର ଅନୁଯାୟୀ ପାରସ୍ପରିକ ହିଂସାରେ ପୃଥିବୀରେ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ୧.୬ ନିୟୁତ ଲୋକ ।

(ସମାଜ, ତା ୧୮/୨/୨୦୧୬)

Image

 

ପିଟ୍ରୋଡ଼ାଙ୍କ ପେଡ଼ି

 

ନିକଟରେ ରାଜ୍ୟ ସରକାର ସାମ୍‌ ପିଟ୍ରୋଡ଼ାଙ୍ଗୁ ବୈଷୟିକ ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ଦିଆଯାଇଛି । ସମ୍ବାଦପତ୍ରରେ ପ୍ରକାଶ ପାଇଛି ଯେ ୨୦୩୬ ମସିହାରେ ଓଡ଼ିଶା ରାଜ୍ୟର ଶତବାର୍ଷିକୀ ପାଳନ ଉପଲକ୍ଷେ ସରକାର ‘ଭିଜନ- ୨୦୩୬’ ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଛନ୍ତି । ଏଥିରେ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ହିଁ ମୁଖ୍ୟ ଭୂମିକା ନେବ । ଶ୍ରୀ ପିଟ୍ରୋଡ଼ା ସ୍ଵତନ୍ତ୍ର ଭାବେ ଏସବୁର ତଦାରଖ କରିବେ । ପାଠକମାନେ ଜାଣନ୍ତି, ୭୪ ବର୍ଷ ବୟସ୍କ ସତ୍ୟନାରାୟଣ ଗଙ୍ଗାରାମ ଓରଫ ସାମ୍‌ ପିଟ୍ରୋଡ଼ା ଗୁଜରାଟର ମୂଳବାସିନ୍ଦା ହୋଇଥିଲେ ହେଁ ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିଲାଦିନ ସେଇଠି ବିତିଥିଲା-। ଗତ ଅକ୍ଟୋବର ୨୭ରେ ତାଙ୍କ ଆତ୍ମଜୀବନୀ (ଡ୍ରିମିଂ ବିଗ୍‌, ମାଇଁ ଜର୍ଣ୍ଣି ଟୁ କନେକ୍ଟ ଇଣ୍ଡିଆ) ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ସେଇ ଅବସରରେ ପିଟ୍ରୋଡ଼ା କହିଥିଲେ, ସେ ଖୁବ୍‌ ଖୁସି ଯେ ତାଙ୍କ ଆତ୍ମଜୀବନୀ ଆପଣା ଜନ୍ମମାଟିରେ ଲୋକାର୍ପିତ ହେଉଛି । ଆଶାବ୍ୟକ୍ତ କରିଥିଲେ, ତାଙ୍କ ଜୀବନଯାତ୍ରାର ବିବରଣୀ ଯୁବପିଢ଼ିକୁ ଉତ୍ସାହିତ କରିବ । ପୁସ୍ତକ ଉନ୍ନୋଚନ ପରେ ପରେ ଓଡ଼ିଶାରେ ଯେଉଁ ଆଲୋଚନା ଅଳ୍ପ କିଛିଦିନ ପାଇଁ ଦାନା ବାନ୍ଧିଥିଲା, ତାହା ଥିଲା ପିଟ୍ରୋଡ଼ାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ବିଜେଡ଼ିର କଳ୍ପନାଜଳ୍ପନା । ତେବେ ସେମିତି କିଛି ହୋଇନଥିଲା । ଶ୍ରୀ ପିଟ୍ରୋଡ଼ା ଜାନୁଆରୀ ୨୭ ତାରିଖ ଦିନ ନିଜ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏକ ଅଗ୍ରଣୀ ସମ୍ବାଦପତ୍ରକୁ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘ଭିଜନ- ୨୦୩୬’ରେ ସାମିଲ ହେବା ସୌଭାଗ୍ୟର ବିଷୟ । ତାଙ୍କର ଲକ୍ଷ୍ୟ ରହିବ ଆସନ୍ତା ୩ ରୁ ୫ ବର୍ଷ ଭିତରେ କ’ଣ କରିହେବ ଏବଂ ସେଥିପାଇଁ ବୈଷୟିକ ଜ୍ଞାନକୁ କେମିତି ସବୁମନ୍ତେ ଉପଯୋଗ କରାଯାଇ ପାରିବ, ତା’ ଉପରେ ବିଶେଷ ଗୁରୁତ୍ୱ ଦେବା । ସେ ଏକଥା ମଧ୍ୟ କହିଛନ୍ତି, ୨୦୧୬ରୁ ୨୦୩୬ ଅର୍ଥାତ୍‌ ଆଗକୁ ୨୦ ବର୍ଷ ଏକ ଲମ୍ବା ସମୟ- ତେଣୁ ତା’ ଆଗରୁ କିଛି କରିବାକୁ ପଡ଼ିବ-। ଭଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କଲାବେଳେ ସେ ସର୍ବାଧିକ ଗୁରୁତ୍ୱ ଦେବେ ଲୋକଙ୍କ ଆଶା ଆକାଂକ୍ଷାକୁ । କେବଳ ସରକାରୀ ଅଧିକାରୀଙ୍କୁ ନୁହେଁ, ଅନ୍ୟମାନଙ୍କୁ ସେ ଭେଟବେ । ଅତୀତରେ ‘ସି-ଡଟ୍‌’, ‘ଜାତୀୟ କଲେଜ କମିଶନ’ ଏବଂ ‘ଜାତୀୟ ଇନୋଭେସନ କାଉନସିଲ’ ସହିତ ସଂପୃକ୍ତ ଏବଂ ଭାରତରେ ଟେଲିକମ୍‌ ବିପ୍ଲବର ନେତୃତ୍ୱ ନେଇଥିବା ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଏଇ ଟେକ୍ନୋକ୍ରାଟ ଓଡ଼ିଶା ପରି ଏକ ରାଜ୍ୟର ପରାମର୍ଶଦାତା ଦାୟିତ୍ୱ ତୁଲେଇବା ପାଇଁ ଆଦୌ ଦ୍ୱିଧାବୋଧ କରିନାହାନ୍ତି ଏବଂ ପ୍ରଯୁକ୍ତ ବଦ୍ୟାକୁ ସବୁଠୁ ସାଧାରଣ ଲୋକର କାମରେ ଲଗେଇବା ପାଇଁ ଚେଷ୍ଟା କରିବେ ବୋଲି ଆଶାବାଦୀ । ପିଟ୍ରୋଡ଼ା ପ୍ରଯୁକ୍ତି ବିଦ୍ୟା କହିଲେ କେବଳ ସୂଚନା ବିଜ୍ଞାନକୁ ବୁଝନ୍ତି ନାହିଁ, ବରଂ ଏଇ କ୍ରମରେ ସେ ଯୋଡ଼ନ୍ତି କୃଷି, ଜଙ୍ଗଲ, ଖାଦ୍ୟ ନିରାପତ୍ତା, ଶକ୍ତି ଏବଂ ବାୟୋଟେକ୍‌ନୋଲଜି ପରି ବ୍ୟାପକ କ୍ଷେତ୍ରକୁ । ତାଙ୍କର ଧାରଣା, ଗତ ୫୦ ବର୍ଷ ଧରି ରାଜ୍ୟରେ ଯାହା ପ୍ରଗତି ହୋଇଛି ତାହା ସମସ୍ତଙ୍କୁ ଭେଦିନାହିଁ । ସେ ଛୋଟ ଥିବାବେଳେ ଲୋକଙ୍କ ମୁଣ୍ଡରେ ଯାହା ଥଲା ଏବେ ବି ପ୍ରାୟ ସେୟା ଅଛି । ଆଉ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ସେଇମାନଙ୍କ କାମରେ ଲାଗିବା କଥା ଯେଉଁମାନେ ଅର୍ଥନୈତିକ ସ୍ଥିତିରେ ପିରାମିଡର ସବୁଠୁ ତଳେ ଅଛନ୍ତି । ନିଯୁକ୍ତି ସୁଯୋଗ ସେଇମାନଙ୍କ ପାଇଁ ସୃଷ୍ଟି ହେବା ଦରକାର; କୃଷି, ଶିକ୍ଷା, ସ୍ଵାସ୍ଥ୍ୟର ଉନ୍ନତି ସେଇମାନଙ୍କ ପାଇଁ ଜରୁରୀ ।

 

ପାଠକେ, ଏକ ସାକ୍ଷାତକାରରେ ପିଟ୍ରୋଡ଼ା ସ୍ପଷ୍ଟ କରିଛନ୍ତି, ଗତ ଶତାବ୍ଦୀର ୮୦ ଦଶକରେ ତାଙ୍କର ସ୍ଵପ୍ନ ଥିଲା ଭାରତକୁ ଯୋଡ଼ିବା ପାଇଁ । ସେତେବେଳେ ବର୍ତ୍ତମାନ ପରି ଟେଲିଫୋନ ଏବଂ ମୋବାଇଲର ସୁବିଧା ନଥିଲା । ପିସିଓର ବ୍ୟବସ୍ଥା ପ୍ରାୟ ନଥିଲା । ଅଥଚ ସବୁ ନିରାଶା ଭିତରେ ବି ତାଙ୍କର ବିଶ୍ଵାସ ଥିଲା ଯେ ଟେଲିଫୋନ୍‌ ବିପ୍ଳବ ସମ୍ଭବ ହେବ। ତାଙ୍କର ଚିନ୍ତା ଥିଲା ସାରା ଭାରତ ପାଇଁ କେମିତି ନମୁନା ପ୍ରସ୍ତୁତ ହେବ । ଗାଁଗହଳରେ ଟେଲିକମ୍‌ ଏକ୍‌ଚେଞ୍ଜ କେମିତି ସ୍ଥାପନ ହେବ ଏବଂ ଭାରତୀୟ ପରିସ୍ଥିତିକୁ ଆଖି ଆଗରେ ରଖି ଉତ୍ପାଦନ କେମିତି ସ୍ଥାନୀୟ ହେବ । ଏବେ ସେ ଅବସ୍ଥା ଆଉ ନାହିଁ । ‘ଡିଜିଟାଲ ଇଣ୍ଡିଆ’ ପାଇଁ ଯାହା ଏବେ ଗୁରୁତ୍ୱପୂର୍ଣ୍ଣ ସେସବୁ ଭିତରେ ରହିଛି ଜ.ଆଇ.ଏସ୍‌., କ୍ଲାଉଡ୍‌ କମ୍ପୁଟିଂ ଏବଂ କମ୍‌ ଖର୍ଚ୍ଚରେ ଟର୍ମିନାଲ ଇତ୍ୟାଦି । ‘ଡିଜିଟାଲ ଭାରତ’ କେବଳ ସବୁ ସ୍କୁଲ ଓ ସବୁ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ନୁହେଁ, ବରଂ ସୂଚନାର ଗଣତାନ୍ତ୍ରିକରଣ । ଏକ ପ୍ରଶ୍ନର ଉତ୍ତରରେ ପିଟ୍ରୋଡ଼ା କହିଛନ୍ତି ଯେ, ଉତ୍ତର-ଉଦାରୀକରଣ ଜମାନାରେ ବି ଭାରତରେ ବ୍ୟବସାୟ କରିବା ଖୁବ୍‌ କଷ୍ଟ । ନିଜର ଉଦାହରଣ ଦେଇ ସେ କହିଛନ୍ତି, ଥରେ ଏକ ଟ୍ରଷ୍ଟ ସଂକ୍ରାନ୍ତରେ ତାଙ୍କୁ ଫର୍ମ ପୂରଣ କରିବା ପାଇଁ ପଡ଼ିଥିଲା, ଯେଉଁଥିରେ ପଚରା ଯାଇଥିଲା ତାଙ୍କର ସବୁ ଭାଇଭଉଣୀ ଓ ସେମାନଙ୍କ ପିଲାମାନଙ୍କ ନା ଓ ଠିକଣା ଉଲ୍ଲେଖ କରିବା ପାଇଁ । ପୁଣି କୁହାଯାଇଥିଲା ଯେ ତାଙ୍କ ବୋହୂଙ୍କର ବ୍ୟକ୍ତିଗତ ସମ୍ପତ୍ତି କେତେ, ଯାହା ବିରକ୍ତିକର ଥିଲା । ଅନ୍ୟପକ୍ଷରେ, ଆମେରିକାରେ ଥିବା ତାଙ୍କର ୧୫ରୁ ଉର୍ଦ୍ଧ୍ୱ କମ୍ପାନୀ ପାଇଁ ଥରୁଟିଏ ମଧ୍ୟ ସରକାରୀ ଅଫିସ୍‌ ଯିବା ଆବଶ୍ୟକ ପଡ଼ିନଥିଲା ।

 

ଭାରତୀୟ ଅର୍ଥନୀତି ଉପରେ ନିଜର ମତ ରଖି ପିଟ୍ରୋଡ଼ା କହିଛନ୍ତି, ଭାରତକୁ ବଢ଼ିବା ପାଇଁ ପଡ଼ିବ, କାରଣ ଅନ୍ୟ କିଛି ବାଟ ନାହିଁ । ଯେଉଁ ଦେଶରେ ୬୦୦ ନିୟୁତ ଲୋକଙ୍କ ବୟସ ୩୫ ବର୍ଷ ବୟସ ବନ୍ଧନୀରେ ରହିଛି, ଆଗ ସେମାନଙ୍କ ପେଟ ପୂରେଇବାକୁ ହେବ ଚାକିରୀ ଯୋଗାଡ଼ କରିବାକୁ ପଡ଼ିବ । ଆଗକୁ ଭାରତର ଅଭିବୃଦ୍ଧି ହାର ୮ ପ୍ରତିଶତ ହୋଇପାରେ, ୧୦ ପ୍ରତିଶତ ବି ହୋଇପାରେ, ତେବେ ସେ ଅଭିବୃଦ୍ଧି ଅନ୍ତର୍ଭୁକ୍ତୀ ହେବା ପାଇଁ ପଡ଼ିବ । ଅର୍ଥାତ୍‌, ପ୍ରଶ୍ନ କେବଳ ଅର୍ଥନୈତିକ ପ୍ରଗତିର ନୁହେଁ, ପ୍ରଶ୍ନ କୋଟିପତି ତିଆରି କରିବାରେ ନୁହେଁ- ଅସଲ ପ୍ରସଙ୍ଗ ହେଉଛି କେମିତି ଅଧିକରୁ ଅଧିକ ଲୋକଙ୍କୁ ସ୍ଵଚ୍ଛଳ କରିବା । ପିଟ୍ରୋଡ଼ାଙ୍କ ମତ ଯେ, ପରମାଣୁ ବୋମାର ଆବିଷ୍କାର ଏବଂ ଦ୍ୱିତୀୟ ବିଶ୍ଵଯୁଦ୍ଧଠୁ ଅଧିକ ପ୍ରଭାବଶାଳୀ ହେଉଛି ଇଣ୍ଟରନେଟ୍‌ । ତାଙ୍କର ବିଶ୍ଵାସ, ପରିବର୍ତ୍ତିତ ସ୍ଥିତି ଏବଂ ଆଗାମୀ ସମୟକୁ ଆଖିଆଗରେ ରଖି ବେଶ୍‌ କିଛି ପ୍ରଚଳିତ ଢ଼ାଞ୍ଚା ବଦଳିବାକୁ ପଢ଼ିବ, ଯାହା ଭିତରେ ରହିଛି ଗଣତନ୍ତ୍ର, ମାନବିକ ଅଧିକାର, ଉପଭୋକ୍ତାବାଦ ଏବଂ ମୁକ୍ତବଜାର ଅର୍ଥନୀତି । ପିଟ୍ରୋଡ଼ାଙ୍କ କଳ୍ପନାର ପୃଥିବୀ (୨୦୫୦) ଏକ ନୂଆ ପୃଥି‌ବୀ ହୋଇ ଆସିବ, ଯେତେବେଳେ ହୁଏତ ୧୫୦ ବର୍ଷ ବୟସର ଜଣେ ଲୋକ ସ୍ଵଚ୍ଛନ୍ଦରେ ଚଳପ୍ରଚଳ ହେଉଥିବ, ଆଲୋକ ସୃଷ୍ଟି କରିପାରୁଥିବା ଗଛ ଆପଣଙ୍କ ପାଖରେ ଥିବା । ଜଣେ କାର୍‌ କିଣିବା ଅନାବଶ୍ୟକ ହୋଇପଡ଼ିବ; ଶିକ୍ଷକବିହୀନ ବିଦ୍ୟାଳୟ ଗାଁ ଗହଳରେ ଲୋକପ୍ରିୟ ହୋଇସାରିଥିବ, ଚାକିରୀ ପାଇଁ ଯଥେଷ୍ଟ କମ୍‌ ଲୋକ ସାମୟିକ ଭାବେ ଚେଷ୍ଟା କରିବେ, ପେନସନ ବ୍ୟବସ୍ଥା ଆଉ ନଥିବ ଏବଂ ଶକ୍ତିସଂକଟ ଦୂର ହୋଇସାରିଥିବ । ଆମର କାମନା ପିଟ୍ରୋଡ଼ା ମହାଶୟଙ୍କ ସ୍ଵପ୍ନ ସଫଳ ହେଉ ।

 

ପିଟ୍ରୋଡ଼ା କେବଳ ଭାରତରେ ନୁହେଁ, ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକଳ୍ପରେ ସଫଳତାର ସହିତ କାମ କରିଛନ୍ତି । କୁହାଯାଏ, ଥରେ ସେ ଭାରତରେ ଥି‌ବାବେଳେ ଯୁକ୍ତରାଷ୍ଟ୍ରରେ ଥିବା ତାଙ୍କ ପତ୍ନୀଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା କରିପାରିନଥିଲେ । ସେ ସ୍ଥିତି ଆଉ ଅବଶ୍ୟ ନାହିଁ । ଯେଉଁ ରାଜ୍ୟର ବୈଷୟିକ ପରାମର୍ଶଦାତା ଦାୟିତ୍ୱ ସେ ନେବାକୁ ଯାଉଛନ୍ତି, ସେଠି ଅଧିକାଂଶ ଗାଁରେ ଟେଲିଫୋନ୍‌ / ମୋବାଇଲ ସେବା ପହଞ୍ଚି ସାରିଛି । ତେବେ ଦୂର ଗାଁରେ ମୋବାଇଲ ବା ରଙ୍ଗୀନ ଟେଲିଭିଜନ ସେଟ୍‌ ଆମ ଅର୍ଥନୈତିକ ପ୍ରଗତିର ପ୍ରତିବିମ୍ବ କଦାପି ହୋଇପାରିବ ନାହିଁ । ଏ କଥାଟି ନିରାଟ ସତ ଯେ ଭାଷାଭିତ୍ତିରେ ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ପାଇବାର ୮୦ ବର୍ଷ ପରେ ଅଧାରୁ ଅଧିକ ଲୋକ ଘୋର ଅଭାବରେ ଏଠି ଦିନ କାଟୁଛନ୍ତି । ଆମର ସୁଦୀର୍ଘ ଉପକୂଳ ଅଛି, ଜଙ୍ଗଲ ଅଛି, ଜମି ଅଛି, ଖଣିଖାଦାନ ଅଛି, ଦୀର୍ଘ ୮୦ ବର୍ଷ ଧରି ରାଜ୍ୟରେ ଶାସନ ବି ଅଛି, ତଥାପି ଆମ ରାଜ୍ୟ ଏକ ପଛୁଆ ରାଜ୍ୟ ହୋଇ ରହିଛି । ବର୍ଷ ପରେ ବର୍ଷ ଆମେ ଭିକ୍ଷାଥାଳ ଧରି କେନ୍ଦ୍ର ସରକାରଙ୍କୁ ଗୁହାରି କରୁଛୁ, ଆମକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ । ପିଟ୍ରୋଡ଼ା ମହାଶୟ ଭିଜନ–୨୦୩୬ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାବେଳେ ସବା ଆଗ ଧ୍ୟାନ ଦେବାପାଇଁ ପଡ଼ିବ ଯେ ରାଜ୍ୟକୁ ପ୍ରକୃତି ଦେଇଥିବା ବିପୁଳ ସଂପଦ ସତ୍ତ୍ଵେ ଏ ଅଭାବନୀୟ ଦାରିଦ୍ର୍ୟ ଏତେ ବର୍ଷ ତିଷ୍ଠି ରହିଛି କେମିତି ଓ କାହିଁକି ? ପ୍ରାୟ ୮୦ ବର୍ଷର ସ୍ଵତନ୍ତ୍ରତା (ରାଜ୍ୟ ଗଠନର) ପରେ ରାଜ୍ୟର ୮୭.୮୮% ପରିବାରଙ୍କ ମାସିକ ଆୟ ୫ ହଜାର ଟଙ୍କାରୁ କମ୍‌ କେମିତି ? ଆଶା କରାଯାଉ, ଅଭିଜ୍ଞ ପିଟ୍ରୋଡ଼ାଙ୍କ ପେଡ଼ିରୁ ଏଇ ଅସାମଞ୍ଜସ୍ୟର ରହସ୍ୟ ବି ଉନ୍ମୋଚିତ ହେବ; ଯାହା ଆମ ଦୁର୍ଭାଗ୍ୟକୁ ଚିରହରିତ୍‌ କରି ରଖିଛି ଏବଂ ସମୃଦ୍ଧିର ଅନ୍ତର୍ଭୁକ୍ତୀ ସୂତ୍ର ବି ବାହାରିବ ।

(ପ୍ରମେୟ, ତା ୨୯/୧/୨୦୧୬)

Image

 

Unknown

ପିଟ୍ରୋଡ଼ାଙ୍କ ପିଲାଦିନ

 

ଗତ ଅକ୍ଟୋବର ୨୦୧୫ରେ ଲୋକାର୍ପିତ ହୋଇଛି ସାମ୍‌ ପିଟ୍ରୋଡ଼ାଙ୍କ ଆତ୍ମଜୀବନୀ ‘ଡ୍ରିମିଂ ବିଗ୍‌: ମାଇଁ ଜର୍ଣ୍ଣି ଟୁ କନେକ୍ଟ‌ ଇଣ୍ଡିଆ’ । ତାଙ୍କର ଜନ୍ମଭୂମି ଓଡ଼ିଶାରେ । ରାଜ୍ୟ ସରକାର ‘ଭିଜନ–୨୦୩୬’ ପସ୍ତୁତି ନମନ୍ତେ ଶ୍ରୀ ପିଟ୍ରୋଡ଼ାଙ୍କୁ ବୈଷୟିକ ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି । ପ୍ରବନ୍ଧ ଲେଖାହେବା ବେଳକୁ ପ୍ରିଟ୍ରୋଡା ଦାୟିତ୍ୱ ଗ୍ରହଣ କରି ସାରିଛନ୍ତି । ତେବେ ଟିଟିଲାଗଡ଼ରେ ଜନ୍ମିତ ସାମ୍‌ ତାଙ୍କ ଆତ୍ମଜୀବନୀରେ ଯେଉଁସବୁ ପ୍ରସଙ୍ଗର ମର୍ମସ୍ପର୍ଶୀ ଅବତାରଣା କରିଛନ୍ତି, ସେସବୁ ଯୁବପିଢ଼ି ପାଇଁ ଯଥେଷ୍ଟ ପ୍ରେରଣାଦାୟକ । ଏଥର ଆଲୋଚନାରେ ସେଇ କ୍ରମରେ ପିଟ୍ରୋଡ଼ାଙ୍କ ପିଲାଦିନ ।

 

ସାମ୍‌ଙ୍କ ଜେଜେ ଏବଂ ବାପା ଗୁଜରାଟ କଚ୍ଚ ଅଞ୍ଚଳର ମୂଳ ବାସିନ୍ଦା ଯାହା ସେତେବେଳେ ଏକ ଅନୁନ୍ନତ ଇଲାକା ଥିଲା । ନିଜ ପିତା ଗଙ୍ଗାରାମଙ୍କ ପିଲାଦିନ ସମ୍ପର୍କରେ ଏକ କୌତୂହଳପୂର୍ଣ୍ଣ ବାସ୍ତବ ବିବରଣୀରୁ ଆରମ୍ଭ ହୋଇଛି ଆତ୍ମଜୀବନୀ । ଗଙ୍ଗାରାମ ସେତେବେଳେ ଛୋଟ ପିଲା ! ଦିନେ ସେ ତାଙ୍କର ସାଥୀଙ୍କ ସହିତ ଖେଳୁଥିବା ବେଳେ ଖବର ମିଳିଲା ଯେ ସେମାନଙ୍କ ଗାଁଠୁ (ଟିକର) କିଛି ଦୂରରେ ଲୋକେ ‘ଆଗ୍‌ ଗାଡ଼ି’କୁ ଦେଖୁଛନ୍ତି । କଳା ମଚମଟ ଚେହେରା ଆଗ୍‌ ଗାଡ଼ିର । ନାକରୁ ଧୂଆଁ ବାହାରୁଛି ଏବଂ ପ୍ରବଳ ଗର୍ଜନ କରି ସେଇ ଗାଡ଼ି ତା ସହିତ ଯୋଡ଼ା ହୋଇଥିବା ଅନେକ ବଗିକୁ ସାଙ୍ଗରେ ଧରି ଧାଉଁଛି । ଗଙ୍ଗାରାମ ଏବଂ ତାଙ୍କ ବନ୍ଧୁମାନେ ଏକଥା ଶୁଣି ପରସ୍ପରର ମୁହଁକୁ ଚାହିଁଲେ । କଥାଟା ବୁଝିବା ଏତେ ସହଜ ନଥିଲା । ତେଣୁ ସେମାନେ ସ୍ଥିର କଲେ ଯେ ପରଦିନ ସ୍କୁଲ୍‌କୁ ନଯାଇ ଆଗ୍‌ ଗାଡ଼ି ଦେଖିବା ପାଇଁ ଯିବେ–ସେଇ ଷ୍ଟେସନ୍‌କୁ, ଯେଉଁଠି ଦିନରେ ଥରେ ସେ ଅଜବ ଗାଡ଼ି ଠିଆ ହେଉଛି । ସେ ପର୍ଯ୍ୟନ୍ତ ସେମାନଙ୍କର ଧାରଣା ଥିଲା ଆଗ୍‌ ଗାଡ଼ି ଖୁବ୍‌ ବଡ଼ ହେଲେ ଏକ ବଡ଼ ବଳଦ ଗାଡ଼ି ପରି ହୋଇଥିବ, ନଚେତ୍‌ ଆଉ ଟିକିଏ ବଡ଼–୪ଟା ବଳଦ ଟାଣିବା ପରି । ପରଦିନ ଢେର୍‌ ବିଲ, ଅପନ୍ତରା ଅତିକ୍ରମି ପିଲାମାନେ ଯେତେବେଳେ ଷ୍ଟେସନ୍‌ରେ ପହଞ୍ଚିଲେ ଓ କିଛି ସମୟ ପରେ ‘ଆଗ୍‌ ଗାଡ଼ି’ ଆସୁଥିବାର ଦେଖିଲେ, ସେମାନଙ୍କର ବିସ୍ମୟର ସୀମା ରହିଲା ନାହିଁ । ପ୍ରଥମେ ତ ଭୀଷଣ ଭୟ ଲାଗିଲା । ମସ୍ତବଡ଼ ଗାଡ଼ି । ତେବେ ସାହସ ସଞ୍ଚୟ କରି ପ୍ଲଟ୍‌ଫର୍ମରୁ ନିରିଖେଇ ସେମାନେ ଚାହିଁଲେ ସଁ ସଁ ଗର୍ଜୁଥିବା ଗାଡ଼ିକୁ । ଲକ୍ଷ୍ୟକଲେ, ସବୁ ବଗିରେ ବେଞ୍ଚ୍‌ ପଡ଼ିଛି ଏବଂ ଲୋକେ ବେଞ୍ଚ୍‌ରେ ବସିଛନ୍ତି । ସେମାନେ ପଢ଼ୁଥିବା ସ୍କୁଲରେ ବେଞ୍ଚ୍‌ ନଥି‌ଲା । ତଳେ ବସିବା ପାଇଁ ପଡ଼ୁଥିଲା । ପିଟ୍ରୋଡ଼ା ଲେଖୁଛନ୍ତି ଯେ ସେ ଟିକିଏ ବଡ଼ହେବା ପରେ ତାଙ୍କ ଭାଇ ଓ ଭଉଣୀମାନେ (ଭାଇ ଭଉଣୀ ମିଶି ଆଠଜଣ) ବାପାଙ୍କ ପାଖରେ ବସି ଥରେ ଥରେ ସନ୍ଧ୍ୟାବେଳେ ଏମିତି କଥାସବୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ବଡ଼ହେବା ପରେ ଗଙ୍ଗାରାମ ଏବଂ ତାଙ୍କର ପନ୍ନୀ (ଶାନ୍ତା) ଜୀବିକା ସନ୍ଧାନରେ ଓଡ଼ିଶା (ଟିଟିଲାଗଡ଼) ଆସିଲେ । ଗୁଜରାଟରୁ ପ୍ରାୟ ଦେଢ଼ହଜାର କିଲୋମିଟର ଏଇ ଯାତ୍ରା ସମ୍ଭବ ହୋଇଥିଲା ଟ୍ରେନ୍‌ ଏବଂ ଓଟ ସୌଜନ୍ୟରୁ । ବେଶ୍‌ କିଛିବାଟ ଚାଲିବା ପାଇଁ ମଧ୍ୟ ପଡ଼ିଥିଲା ।

 

ଟିଟିଲାଗଡ଼ରେ ଗଙ୍ଗାରାମ ଆରମ୍ଭ କରିଥିଲେ ଲୁହାକଣ୍ଟା ବ୍ୟବସାୟ । ବୃତ୍ତିରେ ସେ ଥଲେି କମାର (ପିଟ୍ରୋଡ଼ାଙ୍କ ଭାଷାରେ ବିଶ୍ଵକର୍ମା) । ଓଡ଼ିଶାକୁ ନ ଆସିଥିଲେ ଗଙ୍ଗାରାମ ହୁଏତ କୃଷକ ହୋଇଥାନ୍ତେ । ମାତ୍ର କ୍ରମାଗତ ମରୁଡ଼ି ଟିକରର ଅବସ୍ଥା ବିଗାଡ଼ି ସାରିଥିଲା । ଆଉ ଠିକ୍‌ ସେତିକି ବେଳକୁ ଗଙ୍ଗାରାମଙ୍କର ଜଣେ ସମ୍ପର୍କୀୟ (ଯିଏ ଆଗରୁ ଓଡ଼ିଶାରେ ପହଞ୍ଚି ସାରିଥି‌ଲେ) ଖବର ପଠାଇଲେ- ‘ଏଠି ଚଳି ହେବ।’ ଗୁଜରାଟ ଛାଡ଼ି ଟିଟିଲାଗଡ଼ ପହଞ୍ଚିବା ବେଳକୁ ଗଙ୍ଗାରାମଙ୍କୁ ହୋଇଥିଲା ମୋଟେ ୧୬ ବର୍ଷ ଏବଂ ତାଙ୍କ ପତ୍ନୀଙ୍କୁ (ପିଟ୍ରୋଡ଼ାଙ୍କ ମା) ୧୪ ବର୍ଷ । ସେତେବେଳେ ରେଳପଥ ନିର୍ମାଣ କାମ ଚାଲୁଥାଏ । ଗଙ୍ଗାରାମ ପହିଲେ ଶ୍ରମିକ ଭାବରେ କାମ ଆରମ୍ଭ କଲେ ଜଣେ ଠିକାଦାରଙ୍କ ପାଖରେ । ମାସକୁ ଦରମା କୋଡ଼ିଏ ଟଙ୍କା । ସେଇ ପଇସାରେ ଛୋଟିଆ ଜମି ଖଣ୍ଡେ ଭଡ଼ାରେ ନେଇଥିଲେ ସେ । ତାଙ୍କ ଘର ସଂସାର ସେଇଠି ଆରମ୍ଭ ହେଲା । ପିଟ୍ରୋଡ଼ାଙ୍କ ଆଠ ଭାଇଭଉଣୀଙ୍କ ଭିତରେ ସବୁଠୁ ବଡ଼ ଥିଲେ ମଞ୍ଜୁଳା (ଆଉ ନାହାନ୍ତି) । ତାଙ୍କ ପଛକୁ ବଡ଼ଭାଇ ମାନେକ୍‌ ଏବଂ ତୃତୀୟରେ ନିଜେ ସତ୍ୟନାରାୟଣ ଗଙ୍ଗାରାମ ପଟ୍ରୋଡା ଓରଫ୍‌ ‘ସତ୍ୟ’ । ଜନ୍ମ’ ୧୯୪୨ । (ସାମ୍‌ ନାଁ ତାଙ୍କୁ ଦିଆଯାଇଥିଲା ଆମେରିକାରେ) ଏଣେ ପରିବାର ବଢ଼ିବା ପରେ ଗଙ୍ଗାରାମଙ୍କ ଅଭାବ ବି ବଢ଼ିଲା । କିନ୍ତୁ ଦରମା ବଢ଼େଇବା ପାଇଁ ମାଲିକ ରାଜି ନଥିଲେ । ଗଙ୍ଗାରାମ ବି ରାଗିଗଲେ, କାରଣ ତାଙ୍କର ଦାବୀ ଅଯୌକ୍ତିକ ନଥିଲା । ଆଗକୁ କ’ଣ ହେବ, ସେକଥା ଚିନ୍ତା ନକରି ସେ ଚାକିରୀ ଛାଡ଼ିଦେଲେ–ନୂଆ କାମ ସନ୍ଧାନରେ । ସେତେବେଳେ ରେଳ ଧାରଣା ବିଛେଇବା ପାଇଁ ଲୁହାକଣ୍ଟାର ଆବଶ୍ୟକତା ଥିଲା ।

 

ଗଙ୍ଗାରାମ ସୁସ୍ଥ ସବଳ ଥିଲେ । ୬ ଫୁଟ ଉଚ୍ଚ । ତାଙ୍କର ଜଣେ ବନ୍ଧୁ କହିଲେ, ‘ଗଙ୍ଗାରାମ, କଣ୍ଟା ତିଆରି କାମ ତୁମେ ପାରବ’ । ପତ୍ନୀ ବାହାଘର ବେଳେ ଆଣିଥିବା ଗହଣା ବନ୍ଧା ରଖି ସାଜ ସରଞ୍ଜାମ କିଣି ଲୁହାକଣ୍ଟା ତିଆରି ହେଲା । ସେତକ ମୁଣ୍ଡରେ ଲଦି ଗଙ୍ଗାରାମ ଚାଲିଲେ ଟିଟିଲାଗଡ଼ଠାରୁ କେତେ ମାଇଲ୍‌ ଦୂର ବ୍ରିଟିଶ୍‌ ଅଉଟ୍‌ପୋଷ୍ଟକୁ ବିକିବା ପାଇଁ । ତେବେ ସମସ୍ୟା ହେଲା, ବିଲାତି ସାହେବମାନେ ନା ବୁଝୁଥିଲେ ଗୁଜରାଟୀ, ନା ଓଡ଼ିଆ । କଣ୍ଟାର ମୂଲ ତେଣୁ ଠିକ୍‌ଠାକ୍‌ ହୋଇପାରୁନଥିଲା । ସାହେବମାନେ ତାଙ୍କ ହିସାବରେ ଯାହା ପଇସା ଦେଇଥିଲେ, ସେତିକି ଆଣି ଗଙ୍ଗାରାମ ବାହୁଡୁଥିଲେ ଟିଟିଲାଗଡ଼- ପୁଣି ଆଉ ବାଲ୍‌ଟିଏ ଲୁହାକଣ୍ଟା ତିଆରିବା ପାଇଁ । ପିଟ୍ରୋଡ଼ା ଲେଖିଛନ୍ତି, ଏ ସ୍ଥିତିରେ ତାଙ୍କ ବାପା ହାତ ପତେଇ ସାହେବମାନଙ୍କୁ ପଇସା ଯାହା ମାଗୁଥିଲେ । ସବୁଥର କଣ୍ଟା ନେବାବେଳେ ସମାନ ଘଟଣା ଘଟୁଥିଲା ଏବଂ ଗଙ୍ଗାରାମ ସଙ୍କଳ୍ପ କରିଥିଲେ ଯେ ତାଙ୍କ ପିଲାମାନେ ଇଂରାଜୀ ପଢ଼ିବେ, କାରଣ ଇଂରେଜମାନଙ୍କର କ୍ଷମତା ଅଛି, ପଇସା ଅଛି, ଯାହା ତାଙ୍କର ନାହିଁ ।

 

ସାମ୍‌ ଏବଂ ତାଙ୍କ ଭାଇଭଉଣୀମାନେ ବଡ଼ ହେଉଥିଲେ । ଟିଟିଲାଗଡ଼ରେ ସେତେବେଳେ ସ୍କୁଲ ନଥିଲା । ପିଲାଙ୍କ ପଢ଼ିବା ପାଇଁ ଗଙ୍ଗାରାମ ସେ କାଳରେ ଠିକ୍‌ କରିଥିଲେ ଜଣେ ଘରୋଇ ଶିକ୍ଷକ । ସାମ୍‌ଙ୍କ ବଡ଼ଭାଇ, ଭଉଣୀ ଓ ପରେ ସାମ୍‌ ତାଙ୍କରି ପାଖକୁ ଯାଉଥିଲେ । ତେବେ ଘରୋଇ ଶିକ୍ଷକ ଇଂରାଜୀ ପଢ଼ାଇ ପାରୁନଥିଲେ । କିଛିବର୍ଷ ପରେ ହାତରେ ପଇସା ହେବାରୁ ରେଳ ଧାରଣା ପାଖରେ ଗଙ୍ଗାରାମ ଛୋଟ ଘରଟିଏ ତିଆରି କଲେ । ୩ଟି ଛୋଟ ଛୋଟ ବଖରା । ସେଥିରୁ ଗୋଟିଏରେ ସାମ୍‌ ଓ ତାଙ୍କର ସବୁ ଭାଇଭଉଣୀ ମଶିଣା ପକେଇ ଶୋଉଥିଲେ-। ଖରାଦିନେ ଆସୁଥଲେ ସାମ୍‌ଙ୍କ ବଡ଼ବାପାଙ୍କ ୮ ପୁଅଝିଅ । ସେଇ କେତେଦିନ ତେଣୁ ବଖରାଏ ଘରେ ଶୋଉଥିଲେ ୧୬ ଜଣ ଭାଇଭଉଣୀ । କ୍ରମେ ଗଙ୍ଗାରାମ କଣ୍ଟା ବ୍ୟବସାୟ ଛାଡ଼ି ଆରମ୍ଭ କଲେ କାଠ ବ୍ୟବସାୟ । ଆର୍ଥିକ ସ୍ଥିତି ସୁଧୁରୁଥିଲା, କାରଣ ସେମାନଙ୍କ ପାଖରେ ଥିଲେ ଗୋଟିଏ ଗାଈ ଓ ଗୋଟିଏ ମଇଁଷି । ମାଆ ଚମତ୍କାର ରୋଷେଇ କରୁଥିଲେ । ସେମାନେ ଥିଲେ ଶାକାହାରୀ-। ତାଙ୍କର ସବୁ ପଡ଼ୋଶୀ କିନ୍ତୁ ଶାକାହାରୀ ନଥିଲେ । ଆଦିବାସୀଙ୍କ ସହିତ ସାମ୍‌ଙ୍କ ଉତ୍ତମ ସମ୍ପର୍କର ମଞ୍ଜି ପଡ଼ିଥିଲା ଟିଟିଲାଗଡ଼ରେ । ତାଙ୍କ ଘରକୁ କାମ କରିବା ପାଇଁ ଆସୁଥିଲେ ଦୁଇଜଣ ସାନ୍ତାଳୀ ମହିଳା–ତାରା ଓ ବୁଧ୍‌ୱାରୀ । ପିଲାଙ୍କୁ ସେମାନେ ଖୁବ୍‌ ଭଲ ପାଉଥିଲେ। ପରିବାର ପ୍ରତି ସେ ଦୁଇଜଣଙ୍କର ଥିଲା ଅନାବିଳ ସ୍ନେହ । ପାଖରେ ଡାକ୍ତରଖାନା ନଥିଲା କି କେହି ଡାକ୍ତର ନଥିଲେ । ପାଣିକୁ ଫୁଟେଇ ପିଇଲେ ସ୍ଵାସ୍ଥ୍ୟ ପକ୍ଷେ ଭଲ–ଏକଥା ସେମାନେ ଜାଣିନଥିଲେ । କପଡ଼ାରେ ପାଣି ଛାଣିବା ବେଳେ ଥରେ ଥରେ ଛୋଟ ମାଛ ଭାସୁଥିଲେ । କୃମି ହେବା ଏବଂ ପାଟିରୁ ଜିଆ ବାହାରିବା ଅସ୍ଵାଭାବିକ ନଥିଲା । ସ୍ଵାସ୍ଥ୍ୟରକ୍ଷା ଏବଂ ଚିକିତ୍ସା ପାଇଁ ସେଇ ସ୍ଥିତିରେ ଜଡ଼ିବୁଟି ଏକମାତ୍ର ଭରସା ଥିଲା । ଖୁବ୍‌ ଯନ୍ତ୍ରଣା ହେଲେ ପିଲାଙ୍କ ପାଟିରେ ବୁନ୍ଦାଏ ଅଫିମ ପକେଇ ଦିଆଯାଉଥିଲା । ବାସ୍‌ ଗାଡ଼ିମଟର ବୋଇଲେ ପିଲାମାନେ ଯାହା ରାସ୍ତାରେ ଦେଖଥିଲେ, ତାହା ଥିଲା ସାଇକେଲ ଏବଂ ବଳଦ ଗାଡ଼ି । ପୁରୁଣା ସାଇକେଲ୍‌ ରିମ୍‌ ଗଡ଼େଇ ରାସ୍ତାରେ ଖେଳିବା ଥିଲା ସବୁଠୁ ପ୍ରିୟ ଖେଳ । ଥରେ ଥରେ ରିମ୍‌ରେ କନା ଗୁଡ଼େଇ ସେଥିରେ ନିଆଁ ଲଗେଇବା ପରେ ଜଣେ ଜଳନ୍ତା ରିମ୍‌କୁ ଆଙ୍କୁଡ଼ିରେ ଧରୁଥିଲା ଏବଂ ସର୍କସ୍‌ ପରି ଜଣେ ପରେ ଜଣେ ସେ ରିମ୍‌ ଭିତର ଦେଇ ଡେଉଁଥିଲେ ।

 

ପିଲାମାନଙ୍କ ପାଇଁ ସବୁଠୁ ବଡ଼ ମନୋରଞ୍ଜନ ଥିଲା ପାଖ ଟ୍ରେନ୍‌ ଲାଇନ୍‌ରେ ଟ୍ରେନ୍‌ ଯିବା ଆଗରୁ ପଇସାଟିଏ ଥୋଇବା ଏବଂ ଟ୍ରେନ୍‌ ଯିବା ପରେ ସେଇ ଚେପା ଏବଂ ଲମ୍ବା ପଇସାକୁ ଆଣିବା । ପିଟ୍ରୋଡ଼ା ଲେଖିଛନ୍ତି, ପଇସା ହେବାରୁ ତାଙ୍କ ବାପା ଘରକୁ ରେଡିଓ ଆଣିଥିଲେ । କିନ୍ତୁ ପାଖାପାଖି ଷ୍ଟେସନ୍‌ ନ ଥିବାରୁ ନବ୍‌ ଘୂରେଇଲେ ସେଥିରୁ ‘ପିଇ..’ ବ୍ୟତୀତ ଆଉ କିଛି ଶୁଭୁନଥିଲା-। ଅଥଚ ସେଇ ‘ପିଇ....’ କିଛି କମ୍‌ ସମ୍ମୋହକ ନଥିଲା । ପାଖରେ କିଛି ଖେଳନା ନଥିଲା ଏବଂ ସାମ୍‌ ସନ୍ତୁଷ୍ଟ ଥିଲେ ପାଖାପାଖି ମଣିଷ, ଜୀବଜନ୍ତୁ ଏବଂ ପିଲାଙ୍କୁ ଆପଣାଇବାରେ । ସ୍ଵାଧୀନତା ସଂଗ୍ରାମ ପାଇଁ ଲଢ଼େଇ ତ ଚାଲିଥିଲା, କିନ୍ତୁ ସାନ ବୟସରେ ସେସବୁ ପିଲାଙ୍କ ମୁଣ୍ଡରେ ପଶୁନଥିଲା । ତେବେ ଆତତାୟୀର ଗୁଳିରେ ଯେଉଁଦିନ ଗାନ୍ଧୀ ଟଳି ପଡ଼ିଲେ, ସେଦିନ ଗଙ୍ଗାରାମ ଶାନ୍ତାଙ୍କୁ ଜଣେଇ ଥିଲେ–‘ବାପୁ ଚାଲିଗଲେ।’ ସାମ୍‌ ଲେଖିଛନ୍ତି ଯେ ସେମାନେ ରହୁଥିବା ଗାଁରେ ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର ଥିଲା । ସେମାନେ ରଥଯାତ୍ରା ହେଲେ ଭାରି ଖୁସି ହେଉଥିଲେ । ଓଡ଼ିଆ, ମାରୱାଡ଼ି, ପଞ୍ଜାବୀ, ଗୁଜରାଟୀ, ବିହାରୀ ଏବଂ ଜନଜାତିଙ୍କୁ ନେଇ ଟିଟିଲାଗଡ଼ ଥିଲା ସବୁ ସଂପ୍ରଦାୟ ତଥା ଧର୍ମର ମହିମାନ୍ୱିତ ସୁରଭି । ଗାଁରେ ଲୋକେ ପୂଜାପାଠ କରୁଥିଲେ, ଉତ୍ସବ ପାଳୁଥିଲେ, କାଳିସୀ ବି ଲାଗୁଥି‌ଲା ଏବଂ କୁକୁଡ଼ାର କଞ୍ଚା ରକ୍ତ ପିଇ କାଳିସୀ ଶାନ୍ତ ହେଉଥିଲା । ଏସବୁ ମନେ ହେଉଥିଲା କୁହୁକ ପରି । ଏଣେ ଗଙ୍ଗାରାମ କାଠ ବ୍ୟବସାୟ କରିବା ପରେ ଶଗଡ଼ ନେଇ ଦିନଦିନ ଧରି ଜଙ୍ଗଲକୁ ଯାଉଥିଲେ । ସେତେବେଳେ ଜଙ୍ଗଲରେ ବାଘ ଥିଲେ । ବାପା କେବେ ଓ କେମିତି ଭଲରେ ଫେରବେ, ସେଥିପାଇଁ ପଲାମାନେ ବ୍ୟସ୍ତ ହୋଇ ପଡ଼ୁଥିଲେ । ଥରେ ଗଙ୍ଗାରାମଙ୍କୁ ଜଙ୍ଗଲରେ ଲାଗିଲା ଯେମିତି କେହି ତାଙ୍କ ପଛେ ପଛେ ଆସୁଛି । ବଳଦ ଗାଡ଼ିରୁ ପଛକୁ ଚାହିଁ ଦେଖନ୍ତି ତ ଅନ୍ଧାରରେ ଦୁଇଟି ଉଜ୍ଜ୍ୱଳ ଆଖି । ସେ କେବଳ ପ୍ରାର୍ଥନା କରିଥିଲେ–‘ରାମ, ରାମ, ରାମ !’ କିଛି ସମୟ ପରେ ବାଘ ଆଉ ନଥିଲା । ଗଙ୍ଗାରାମଙ୍କ କାଠ ବେପାର ତେଜୁଥିଲା ଏବଂ ପରିବାରକୁ ଘାରୁଥିଲା ମାନେକ୍‌ ଓ ସାମ୍‌ଙ୍କୁ ଇଂରାଜୀ ପଢ଼େଇବା ଚିନ୍ତା-। ମାନେକ୍‌ଙ୍କୁ ସେତେବେଳେ ୧୧ ଓ ସାମ୍‌ଙ୍କୁ ମାତ୍ର ୮ ବର୍ଷ । ସ୍ଥିର ହେଲା, ଦୁଇଭାଇ ଗୁଜରାଟ ଯିବେ–ପଢ଼ିବା ପାଇଁ । ନିଷ୍ପତ୍ତି କଷ୍ଟକର ଥିଲା । ଦିନେ ଦୁଇଭାଇଙ୍କୁ ଭୀଷଣ ଭିଡ଼ ହୋଇଥିବା ଏକ ‘ଆଗ୍‌ ଗାଡ଼ି’ (ଟ୍ରେନ୍‌) ବଗିରେ ବସେଇ ଦିଆଗଲା ।

(ନିତିଦିନ, ତା ୫/୨/୨୦୧୬)

Image

 

ଜଣେ ସଫଳ ବ୍ୟବସାୟୀ–ବାବା ରାମଦେବ

 

ଅନ୍ୟାନ୍ୟ ବୃହତ୍‌ ଏଫ୍‌.ଏମ୍‌.ସି.ଜି. କମ୍ପାନୀମାନଙ୍କ ପରି ବିଜ୍ଞାପନକୁ (ଖବରକାଗଜ ଓ ଟେଲିଭିଜନ) ପ୍ରାଧାନ୍ୟ ଦେଉନଥିଲେ ହେଁ ଏଥର ‘କାଡ୍‌ବରୀ’ ଏବଂ ‘ପାର୍ଲେ’ ପରି ସଂସ୍ଥାମାନଙ୍କୁ ପଛରେ ପକାଇ ଦେଇଛନ୍ତି ବାବା ରାମଦେବ । ନିକଟରେ ପ୍ରକାଶିତ ଏକ ଖବର ଅନୁଯାୟୀ ଏଫ୍‌.ଏମ୍‌.ସି.ଜି. କ୍ଷେତ୍ରର ସମସ୍ତ କମ୍ପାନୀଙ୍କୁ ଏଇ ସଂସ୍ଥା ବିଜ୍ଞାପନ ଦେବାରେ ଢେର୍‌ ପଛରେ ଛାଡ଼ିଯାଇଛି । ବ୍ରଡ୍‌କାଷ୍ଟ୍‌, ଅଡିଏନ୍ସ ରିସର୍ଚ୍ଚ କାଉନ୍‌ସିଲ୍‌ (ବି.ଏ.ଆର୍‌.ସି.) ପକ୍ଷରୁ ୪୫୦ ଟି ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ବିଜ୍ଞାପନ ଉପରେ ନଜର ରଖାଯାଇଛି । ଜାନୁୟାରୀ ୨୩ରୁ ୨୯ ମଧ୍ୟରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ୧୭,୦୦୦ ଥର ପ୍ରସାରିତ ହୋଇ ରେକର୍ଡ କରିଛି । ବିଜ୍ଞାପନ ବାବଦରେ ପତଞ୍ଜଳି ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ବିଶେଷଜ୍ଞମାନଙ୍କ ଅନୁମାନ । ପାଠକମାନଙ୍କ ନିମନ୍ତେ ଏଠି ସ୍ପଷ୍ଟ କରୁଛି–ବାବା ରାମଦେବ ଗତବର୍ଷ କହିଥିଲେ ଯେ ଆଗାମୀ ୫ ବର୍ଷ ଭିତରେ ତାଙ୍କ କମ୍ପାନୀ ୧ ନମ୍ବର ଏଫ୍‌.ଏମ୍‌.ସି.ଜି. ସଂସ୍ଥା ଭାବରେ ଉଭା ହେବ ।

 

ଏବେ ସାମାନ୍ୟ ବିସ୍ତାରରେ ଆସିବା ରାମଦେବଙ୍କ ଆୟୁର୍ବେଦ ସାମ୍ରାଜ୍ୟ ଉପରେ ଆଲୋଚନାକୁ । ‘ନ୍ୟୁୟର୍କ୍‌ ଟାଇମ୍‌ସ୍‌’ରେ ଗତବର୍ଷ ପ୍ରକାଶିତ ଲେଖାରେ ରାମଦେବଙ୍କୁ ବର୍ଣ୍ଣନା କରାଯାଇଥିଲା ଏମିତି- ‘ରାମଦେବ ଆଧୁନିକ ଭାରତର ଏକ ବିରଳ ଉତ୍ପାଦ ଏବଂ ସଂକେତ, ଯିଏ ଯୋଗକୁ ନେଇ ଏକ ବିଶାଳ ସାମ୍ରାଜ୍ୟ ନିର୍ମାଣ କରିବାରେ ସଫଳ ହୋଇଛନ୍ତି ।’ ଅନ୍ୟ ଏକ ଲେଖାରେ ଉଲ୍ଲେଖ କରାଯାଇଥିଲା ଯେ ବାବାଙ୍କ ପରିଚାଳନା କୌଶଳ / ଦକ୍ଷତାକୁ ଅତ୍ୟାଧୁନିକ ପରିଚାଳନାର କମାଲ୍‌ କୁହାଯାଇପାରିବ । ପାଠକେ, ସବୁ କିନ୍ତୁ ରାତାରାତି ହୋଇ ଯାଇନଥିଲା । ଆୟୁର୍ବେଦକୁ ନେଇ ବାବା ରାମଦେବ ବ୍ୟବସାୟ କରିବାରେ ନିହିତ ଥିଲା ଏକ ପ୍ରାଚୀନ ତଥା ପାରମ୍ପରିକ ଭାରତୀୟ କଳା–‘ଯୋଗ ବିଜ୍ଞାନ’, ଯାହାକୁ ଘଷିମାଜି, ଚିକ୍‌କଣ କରି ସେ ବଜାରକୁ ଓହ୍ଲାଇଥିଲେ । ତେବେ କେବଳ ଶାସ୍ତ୍ର ଅଧ୍ୟୟନ କରି ଯୋଗକୁ ପୁନଃ ବିଜ୍ଞାନସିଦ୍ଧ ସାବ୍ୟସ୍ତ କରିବା କରିବା କୌଣସି ଯାଦୁକରର ହାତ ସଫେଇ ନଥିଲା, ବରଂ ଜଣେ ନିଷ୍ଠାବାନ୍‌ର ସାଧନା ଥିଲା । ୨୦୧୨-୧୩ ରେ ପତଞ୍ଜଳି ଆୟୁର୍ବେଦର ବ୍ୟବସାୟ ଖୁବ୍‌ ବେଶୀରେ ୪୫୦ କୋଟି ଟଙ୍କାରେ ସୀମିତ ଥିବାବେଳେ ୨୦୧୪-୧୫ ରେ ତାହା ଲମ୍ଫ ଦେଇଥି‌ଲା ୨,୫୦୦ କୋଟି ଟଙ୍କାକୁ । ପତଞ୍ଜଳି ଆୟୁର୍ବେଦର ଉଭୟ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ଏବଂ ଆଇନତଃ ଏହି ସଂସ୍ଥା ସହିତ ରାମଦେବଙ୍କର ବ୍ୟବସାୟିକ ସମ୍ପର୍କ ନାହିଁ । ସଂସ୍ଥାର ୯୨ ପ୍ରତିଶତ ଅଂଶଧନ ବାଳକୃଷ୍ଣଙ୍କ ନୟନ୍ତ୍ରଣରେ, କିନ୍ତୁ ପତଞ୍ଜଳି ଯୋଗପୀଠ (ହରିଦ୍ୱାର, ଉତ୍ତରାଖଣ୍ଡ) ବାବା ରାମଦେବଙ୍କ ନିୟନ୍ତ୍ରଣରେ ।

 

ନିଜ ସ୍ଵୀକାରୋକ୍ତି ମୁତାବକ ବାବା କେବଳ ପତଞ୍ଜଳି ଆୟୁର୍ବେଦର ବ୍ରାଣ୍ଡ୍‌ ଆମ୍ବାସଡର-। (ଟିଭି ବିଜ୍ଞାପନରେ ଆପଣ ରାମଦେବ ଓ ବାଳକୃଷ୍ଣଙ୍କ ଛବି ଦେଖପାରିବେ) ପୃଥିବୀର ସବୁଠୁ ବଡ଼ ଫୁଡ୍‌ ପାର୍କ୍‌ ସ୍ପାପିତ ହୋଇଛି ହରିଦ୍ୱାରରେ–୫୦୦ କୋଟ ଟଙ୍କା ବ୍ୟୟରେ । ଏହା ହିଁ ସଂସ୍ଥାର ମୁଖ୍ୟ କେନ୍ଦ୍ର । ତଥ୍ୟ ଅନୁଯାୟୀ, କେବଳ ଫୁଡ୍‌ ପାର୍କ୍‌ରେ ନିୟୋଜିତ ୬,୫୦୦ କର୍ମଚାରୀ ଏବଂ ସାରା ଭାରତରେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିୟୋଜିତ ଦୁଇ ଲକ୍ଷ ଲୋକ । ୨୦୧୨ରେ ମାତ୍ର ୧୫୦ଟି ରିଟେଲ୍‌ ଆଉଟ୍‌ଲେଟରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ବିସ୍ତୃତ ହୋଇଛି ୪,୦୦୦ରୁ ଅଧିକ ପଞ୍ଜୀକୃତ ଆଉଟ୍‌ଲେଟ୍‌କୁ । ୨୦୨୦ ସୁଦ୍ଧା ଏହା ଏକ ଲକ୍ଷରେ ପହଞ୍ଚେଇବା ପାଇଁ ନକ୍ସା ପ୍ରସ୍ତୁତ ସରିଛି । ୟା ବାଦ୍‌ ଅଛି ୧,୦୦୦ ଘରୋଇ ଓ ଫ୍ରାଞ୍ଚାଇଜ୍‌ ଆଉଟ୍‌ଲେଟ୍‌ । ଫ୍ୟୁଚର୍‌ ଗ୍ରୁପ୍‌ ସହିତ ଆପୋଷ ବୁଝାମଣାପତ୍ର ସ୍ଵାକ୍ଷର ପରେ ରିଲାଏନ୍‌ସ୍‌ର ୪୦୦ ରୁ ଅଧିକ ଷ୍ଟୋର୍‌ରେ ପତଞ୍ଜଳି ଉତ୍ପାଦ କିଣିବାକୁ ମିଳୁଛି, ଯାହା ଭିତରେ ଅଛି ୫୦ ପ୍ରସାଧନ ସାମଗ୍ରୀ ଓ ୩୦ ଖାଦ୍ୟ ସାମଗ୍ରୀ । ସଂସ୍ଥାର ରହିଛି ୩୦୦ ରୁ ଅଧିକ ଆୟୁର୍ବେଦ ଔଷଧ । ସାମଗ୍ରୀର ବିକ୍ରି ପାଇଁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ ହୋଇଛି–‘ଆୟୁର୍ବେଦ ପୃଥିବୀକୁ ଭାରତର ନିଜସ୍ଵ ଉପହାର ଯାହା ମହାର୍ଘ । ଏହା ବିଶୁଦ୍ଧ, ପ୍ରାକୃତିକ, ପାର୍ଶ୍ଵ ପ୍ରତିକ୍ରିୟାରହିତ ଏବଂ ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ ।’ ଆଗରୁ ବିଜ୍ଞାପନ ଉପରେ ଆଦୌ ଜୋର୍‌ ଦେଉନଥିଲେ ହେଁ ବାବାଙ୍କ ନିଜସ୍ଵ ପ୍ରଚାର ଶୈଳୀ ଗ୍ରାହକ ସୃଷ୍ଟି କରିବାରେ ନିର୍ଣ୍ଣାୟକ ଭୂମିକା ତୁଲେଇ ଆସିଛି । ‘ଆସ୍ଥା’ ଚ୍ୟାନେଲ୍‌ ଉପରେ ରାମଦେବଙ୍କ କର୍ତ୍ତୃତ୍ୱ ବାବଦରେ ଊଣା ଅଧିକେ ସମସ୍ତେ ଜାଣନ୍ତି । ତେବେ ବାବାଙ୍କ ଯୋଗ ଶିବିର / ଯେଗାଭ୍ୟାସ / ତାଲିମ୍‌ର ବିବରଣୀ ଆଉ କେବଳ ‘ଆସ୍ଥା’ ଚ୍ୟାନେଲ୍‌ରେ ସୀମିତ ହୋଇ ରହିନାହିଁ । ବିଭିନ୍ନ ଚ୍ୟାନେଲ୍‌ ସୌଜନ୍ୟରୁ ଯୋଗ ଶିବିରର ଜନପ୍ରିୟତା ଆଶାତୀତ ଭାବରେ ବୃଦ୍ଧି ପାଇଛି । ଖବର ଅନୁଯାୟୀ ୨୧ କୋଟିରୁ କିଛି ଅଧିକ ଲୋକ କୌଣସି ନା କୌଣସି ଯୋଗ ଶିବିରରେ ଅଂଶଗ୍ରହଣ କରିସରିଛନ୍ତି । ଅର୍ଥାତ୍‌, ଖବରକାଗଜ ଏବଂ ଟେଲିଭିଜନରେ ସିଧାସଳଖ ବିଜ୍ଞାପନଠୁ ଅଧକ ସଫଳ ସାବ୍ୟସ୍ତ ହୋଇଛି ଯୋଗ ଶିବିର । ତେବେ ବାବା କେବଳ ଟେଲିଭଜନ ପର୍ଦ୍ଦାରେ ସୀମାବଦ୍ଧ ନୁହନ୍ତି । ସୂଚନା ବିଜ୍ଞାନର ଭରପୂର ଫାଇଦା ନେବାରେ ସେ ମଧ୍ୟ ଓସ୍ତାଦ୍‌ । ‘ଫେସ୍‌ବୁକ୍‌’ରେ ବାବାଙ୍କୁ ୬୦ ଲକ୍ଷ ନେଟିଜେନ୍‌ ‘ଲାଇକ୍‌’ ରହିବାର ଦୃଷ୍ଟାନ୍ତ ରହିଛି । ‘ୟୁ-ଟ୍ୟୁବ୍‌’ ରେ ତାଙ୍କର ଯୋଗ ଭିଡିଓ ନିୟମିତ ଦେଖନ୍ତି ୬୦,୦୦୦ । ‘ଟ୍ୱିଟର୍‌’ରେ ବାବାଙ୍କ ଅନୁଗାମୀ ୬ ଲକ୍ଷରୁ ଅଧିକ । ଯଥେଷ୍ଟ ଆଗରୁ ପତଞ୍ଜଳି ଆୟୁର୍ବେଦର ଅତ୍ୟାଧୁନିକ ୱେବ୍‌ସାଇଟ୍‌ ରହିଛି । ଅନ୍‌ଲାଇନ୍‌ ବେପାରକୁ ‘ବିଗ୍‌ ବାସ୍କେଟ୍‌’ ପରି ସାଇଟ୍‌ ମାଧ୍ୟମରେ ଲୋକପ୍ରିୟ କରବା ପାଇଁ ଚେଷ୍ଟା କରିବା ପରେ ବାବା ଏବେ ‘ଆମାଜନ୍‌’ ଉପରେ ଆଖି ପକାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସାରା ଭାରତରେ ପତଞ୍ଜଳି ଯୋଗପୀଠ ବ୍ରାଣ୍ଡରେ ଅଛନ୍ତି ୫ ଲକ୍ଷରୁ ଅଧିକ ତାଲିମପ୍ରାପ୍ତ ଯୋଗ ଶିକ୍ଷକ ଏବଂ ଦେଶରେ ୯୬ ପ୍ରତିଶତ ଜିଲ୍ଲାରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଗାଁରେ ସ୍ଵେଚ୍ଛାସେବୀ, ଯେଉଁମାନେ ଆୟୁର୍ବେଦ ସାମଗ୍ରୀ ବିକ୍ରି କରୁଛନ୍ତି ।

 

ନିଜର ଉପଭେୋକ୍ତାଙ୍କୁ ଚିହ୍ନିବାରେ ରାମଦେବ କୌଣସି ସମୟରେ ତ୍ରୁଟି କରିନାହାନ୍ତି । ସେ ଭଲଭାବେ ଜାଣନ୍ତି ଯେ ପରିବର୍ତ୍ତିତ ସ୍ଥିତିରେ ଭାରତର ମଧ୍ୟବର୍ଗ ସ୍ଵାସ୍ଥ୍ୟରକ୍ଷା / ଚିକିତ୍ସା କ୍ଷେତ୍ରରେ ଏକ ବିକଳ୍ପକୁ ଗୁରୁତ୍ଵ ଦେବେ । ସେଇ ବିକଳ୍ପ ହିଁ ଅୟୁର୍ବେଦ । ବାବାଙ୍କ ଉତ୍ପାଦର ବିଶେଷତ୍ୱ ଉପରେ ଆଖି ପକାନ୍ତୁ । ୧- ଦାମ୍‌ କମ୍‌, ୨- ପ୍ୟାକେଜିଂ ସାଧାରଣ, ୩- ରାସାୟନିକ ମୁକ୍ତ, ୪- ସର୍ବତ୍ର ଉପଲବ୍ଧ ୨୦୧୪-୧୫ ଆର୍ଥିକ ବର୍ଷରେ ରାମଦେବଙ୍କ ଆୟୁର୍ବେଦ ସାମ୍ରଜ୍ୟର ଉତ୍ପାଦନ ୨,୫୦୦ କୋଟି ଟଙ୍କାକୁ ଛୁଇଁବା ବେଳେ ‘ଇମାମି’ ଏବଂ ‘ଝଂଡୁ’ ପରି ପ୍ରତିଷ୍ଠିତ କମ୍ପାନୀମାନଙ୍କ ନିଦ ହଜିଯାଇଛି । ନିକଟ ଅତୀତରେ ଏକ ନୂଆ ‘ନୁଡ୍‌ଲ୍‌ସ୍‌’ ବଜାରଜୁ ଆଣି ଏବଂ ଯୋଗ ପୋଷାକ ବିକ୍ରି ଘୋଷଣା କରି ରାମଦେବ ‘ନେସ୍‌ଲେ’, ‘ନାଇକ୍‌’, ‘ରିବକ୍‌’ ଏବଂ ‘ଆଡିଡାସ୍‌’ ପରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସଂସ୍ଥାମାନଙ୍କୁ ଟକ୍କର ଦେଇଛନ୍ତି । ଏଣେ ବ୍ୟବସାୟକୁ ନେଇ ବାବାଙ୍କ ଚମତ୍କାର ଯୁକ୍ତି ଶୁଣନ୍ତୁ- ‘ଏ କାମ ମୁଁ ବେପାର ପାଇଁ ନୁହେଁ, କେବଳ ଲୋକ କଲ୍ୟାଣ ପାଇଁ ହାତକୁ ନେଇଛି।’ ବଜାର ଗବେଷକମାନଙ୍କ ମତ ଯେ କୌଣସି ଏକ ସାମଗ୍ରୀର ଡି-ବ୍ରାଣ୍ଡିଂ ପାଇଁ ଚେଷ୍ଟା କରିବା ଅର୍ଥ ପରୋକ୍ଷରେ ନୂଆ ବ୍ରାଣ୍ଡିଂ କରିବା । ବାବା ଓ ବାଳକୃଷ୍ଣଙ୍କ (ବାବାଙ୍କ ପରମ ସହଯୋଗୀ ସୁହୃଦ୍‌) ଯୁଗଳବନ୍ଦୀ ସେଇ ଦୃଷ୍ଟିକୋଣରୁ ‘ବସ୍ତୁବାଦୀ ଆଧ୍ୟାତ୍ମିକତା’ର ଏକ ନୂଆ ନମୂନା ବଜାରକୁ ଆଣିଛନ୍ତି । ପ୍ରକାଶିତ ଖବର ଅନୁଯାୟୀ, ଆଗାମୀ ଦିନରେ କେନ୍ଦ୍ର ସରକାର ସାରା ଦେଶରେ ବିଛେଇ ହୋଇ ରହିଥିବା ଓ ପ୍ରାୟତଃ ନିଷ୍କ୍ରିୟ ଥିବା ଖଦୀ ଭଣ୍ଡାରମାନଙ୍କରେ ଆୟୁର୍ବେଦ ଉତ୍ପାଦ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରି କରିବା ପାଇଁ ଅନୁମତି ଦେଇପାରନ୍ତି, ଯାହା ପତଞ୍ଜଳି ଆୟୁର୍ବେଦକୁ ବେଶ୍‌ ସୁହାଇବ । ପାଠକେ, ୧୯୬୫ରେ ହରିୟାଣାର ଏକ ଛୋଟ ଗାଁରେ ଜନ୍ମ ନେଇଥିବା ରାମକୃଷ୍ଣ ଯାଦବ ଓରଫ (ପରବର୍ତ୍ତୀ ‘ରାମଦେବ’) ଏଯାଏଁ ଆସିବା ପାଇଁ କିଛି କମ୍‌ ପରିଶ୍ରମ କରିନାହାନ୍ତି । ଅଳ୍ପ ବୟସରେ ସେ ଘର ଛାଡ଼ିଛନ୍ତି । ସଂସ୍କୃତ ଓ ଶାସ୍ତ୍ର / ଆୟୁର୍ବେଦ ଅଧ୍ୟୟନ କରିଛନ୍ତି ଏବଂ ସବୁଠୁ ବଡ଼ କଥା ହେଉଛି, ତାଙ୍କ ସମସାମୟିକ ଅନ୍ୟାନ୍ୟ ବାବା / ଗୁରୁମାନଙ୍କ ପରି ସେ ଜମାରୁ ବିତର୍କିତ ନୁହନ୍ତି । କେତେକାଂଶରେ ରାଜନୀତି, ଦୁର୍ନୀତି ନିବାରଣ ଅଭିଯାନ ଏବଂ ଜନଲୋକପାଳ ଆନ୍ଦୋଳନ ପରି ପ୍ରସଙ୍ଗ ସହିତ ସେ ଅବଶ୍ୟ ସମ୍ପୃକ୍ତ, ତେବେ ତାଙ୍କର ଅସଲ ଆଭିମୁଖ୍ୟ ଯୋଗର ପ୍ରସାର । କେଇବର୍ଷ ତଳେ ସ୍କଟ୍‌ଲ୍ୟାଣ୍ଡ୍‌ ଉପକୂଳରେ ‘ପତଞ୍ଜଳି ଯୋଗପୀଠ’ ନାଁରେ ୨ ନିୟୁତ ପାଉଣ୍ଡ ବିନିମୟରେ ଏକ ଦ୍ଵୀପ କିଣିବା ପରେ ନିକଟରେ ଯୁକ୍ତରାଷ୍ଟ୍ରରେ ‘ହର୍ବୋବେଦ’ ନାଁରେ ଏକ ଆୟୁର୍ବେଦ କମ୍ପାନୀ କିଣିଛନ୍ତି । ସେଥିପାଇଁ କେତେ ଟଙ୍କା ଦିଆଯାଇଛି, ତାହା ଜଣା ପଡ଼ିନାହିଁ । ତେବେ ଆକଳନ ଅନୁଯାୟୀ ପତଞ୍ଜଳି ଆୟୁର୍ବେଦର ବାର୍ଷିକ ବ୍ୟବସାୟ ଚଳିତ ଆର୍ଥିକ ବର୍ଷରେ ୫,୦୦୦ କୋଟି ଟଙ୍କାକୁ ଛୁଇଁବ ।

(ନିତିଦିନ, ତା ୧୯/୨/୨୦୧୬)

Image

 

ଏକ ପ୍ରତିକ୍ରିୟାର ବ୍ୟବଚ୍ଛେଦ

 

ଖବରକାଗଜରେ କେଇଦିନ ତଳେ ପ୍ରକାଶିତ ଏକ ସମ୍ୱାଦର ଶିରୋନାମା ଥିଲା ଏମିତି: ‘ଅଭିନୟକୁ ବଳିଗଲା ଅଶ୍ଳୀଳତା’, ‘ଭୁବନେଶ୍ୱର, ୧୨/୦୨/୨୦୧୬: ରଙ୍ଗମଞ୍ଚର ଆଖିଝଲସା ଆଲୁଅରେ ମହିଳା କଳାକାର ଉଲଗ୍ନା । ଦେହରେ, ମୁହଁରେ ଭାଷା ନାହିଁ । ଶରୀର ସଂପୂର୍ଣ୍ଣ ମୁକୁଳା ।’ ଅନ୍ୟ ଏକ ଖବରକାଗଜରେ ପ୍ରକାଶ ପାଇଥିଲା: ରବୀନ୍ଦ୍ର ମଣ୍ଡପରେ ନଗ୍ନ ନାଟକ, ଦର୍ଶକ ସ୍ତବ୍‌ଧ ।’ ପାଠକମାନଙ୍କୁ ମନେ ପକାଇଦିଏ ଯେ ପ୍ରଥମଥର ଭୁବନେଶ୍ୱରରେ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ସହଯୋଗରେ ଅନୁଷ୍ଠିତ ହୋଇଥିଲା ‘ଭାରତ ରଙ୍ଗ ମହୋତ୍ସବ’ର ସାଟେଲାଇଟ୍‌ ଫେଷ୍ଟିଭାଲ । ଛଅ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମର ସେଦିନ (୧ ୨.୦୨.୧୬) ଥିଲା ଉଦ୍‌ଯାପନୀ ସନ୍ଧ୍ୟା । ସେଇ ଅବସରରେ ପୋଲାଣ୍ଡର ୱେଗେରିକୋ ଥିଏଟର ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ନାଟକ ‘ସୋନ୍‌କା’ । ରଚନା: ଇଗ୍‌ନାସି କାର୍‌ପୋୱିଜ୍‌ । ନିର୍ଦ୍ଦେଶନା: କୋରିତ୍‌କୋୱାସ୍କା ମୁଜର । ନାଟକର ସଂକ୍ଷିପ୍ତ କାହାଣୀ: ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଭିତରେ ପୋଲାଣ୍ଡ ଏବଂ ବେଲାରୁଷର ସୀମାନ୍ତ ଏକ ଗାଁରେ ଗଢ଼ିଉଠିଥିଲା ଏକ ପ୍ରେମକାହାଣୀ, ଯାହା ଉପରକୁ ସ୍ୱାଭାବିକ ଲାଗୁଥିଲେ ହେଁ ଅନେକାଂଶରେ ଦିଗହରା ଥିଲା । ଜର୍ମାନୀର ନାଜି ସୈନ୍ୟବାହିନୀର ଜଣେ ପଦସ୍ଥ ଅଧିକାରୀ (ଗୁଇନ୍ଦା) ଏବଂ ଜଣେ ଗ୍ରାମ୍ୟ ଲଳନା ଭିତରେ ଗଢ଼ିଉଠିଥିବା ସଂପର୍କର ଦୃଶ୍ୟାୟନ ହୋଇଥିଲା ନାଟକରେ ।

 

ପ୍ରକାଶିତ ଖବର ଅନୁଯାୟୀ, କଳାକାରମାନେ ଖୋଲାଦେହରେ କୁଆଡ଼େ ଅଭିନୟ କରୁଥି‌ଲେ। ନାଟକର କଥାବସ୍ତୁ ଆଧାରରେ ଜର୍ମାନ ସୈନ୍ୟଙ୍କ କ୍ରୁର ନଜରରୁ ବର୍ତ୍ତିପାରିନଥିଲେ ନାୟିକା: ଯାହାକୁ ଶାଗୁଣା ଭଳି ବେଢ଼ିଯାଇଥିଲେ ଚରିତ୍ରମାନେ । ନାୟିକାଙ୍କୁ ଉଲଗ୍ନ କରିପକାଇଥିଲେ । ମଞ୍ଚରେ ଏଭଳି ଦୃଶ୍ୟ ଦେଖିବା ପରେ ଦର୍ଶକମାନେ ହତବାକ୍‌ ହୋଇଥିଲେ ଏବଂ ମହିଳାମାନେ ଲଜ୍ଜାରେ ମୁହଁ ଲୁଚେଇ ପଳାଇ ଆସିଥିଲେ ପ୍ରେକ୍ଷାଳୟ ବାହାରକୁ । ସଂସ୍କୃତି ବିଭାଗକୁ ଏମିତି ଅସଙ୍ଗତି ନିମନ୍ତେ ତୁରନ୍ତ ଆଙ୍ଗଳି ନିର୍ଦ୍ଦେଶ କରାଯାଇଥିଲା । କାରଣ, ଦର୍ଶକମାନଙ୍କ ମତରେ ଏହା ରାଜ୍ୟର ସଂସ୍କୃତି ତଥା ଐତିହ୍ୟ ଉପରେ ପ୍ରଚଣ୍ଡ ଆକ୍ରମଣ ଥିଲା । ପରଦିନ ରବୀନ୍ଦ୍ର ମଣ୍ଡପରେ ତାଲା ପଡ଼ିଲା, ବିକ୍ଷୋଭ ହେଲା, ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଗଲା ଓ ସରକାର ସ୍ୱଭାବସୁଲଭ ଭଙ୍ଗୀରେ ଏନ୍‌ଏସ୍‌ଡିଠୁ କୈଫିୟତ ତଲବ ସହିତ ଘଟଣାକୁ ‘ଦୁର୍ଭାଗ୍ୟଜନକ’ ବୋଲି ବିବୃତି ଦେଲେ । ସେଦିନ ସମାନ ଖବରକାଗଜରେ ଏକଥା ବି ପ୍ରକାଶ ପାଇଥିଲା ଯେ ‘ଏଇ କାର୍ଯ୍ୟକ୍ରମକୁ ନେଇ ତତ୍କାଳ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା । ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ ମୁଣ୍ଡ ଟେକିଛି ।’

 

ପଠକେ, ଏବେ ଚା’ କପ୍‌ରେ ଝଡ଼ ପରି ସବୁ ଥମିଗଲାଣି । ପ୍ରକାଶିତ ଖବର ଅନୁସାରେ, ଦିଲ୍ଲୀରେ ମଞ୍ଚସ୍ଥ ହେବାକୁ ଥିବା ‘ସୋନ୍‌କା’ ନାଟକ ଉପରେ ରୋକ୍‌ ଲଗାଯାଇଥିଲା । ତେବେ ଆଲୋଚନା ମଞ୍ଚସ୍ଥ ନାଟକ ଉପରେ ପ୍ରତିକ୍ରୟାକୁ ନେଇ, ଯାହା ପ୍ରତିବାଦ, ବିକ୍ଷୋଭ, ପୋଷ୍ଟର ଚିରା, ରବୀନ୍ଦ୍ର ମଣ୍ଡପ ଫାଟକରେ ତାଲାଠୁ ସ୍ଥାନୀୟ ଟିଭି ଚ୍ୟାନେଲମାନଙ୍କରେ ବିତର୍କ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏକଥା ନୁହେଁ ଯେ, କିଛି ଦର୍ଶକ ଏବଂ ନାଟ୍ୟକାର / ବୁଦ୍ଧିଜୀବୀ ପୋଲାଣ୍ଡ କଳାକାରଙ୍କ ନିଖୁଣ ଅଭନୟକୁ ତାରିଫ କରିନାହାନ୍ତି । ‘କଳାକୁ କଳା’ ଭାବରେ ଚିହ୍ନିବା ପାଇଁ ମତ ଦେଇନାହାନ୍ତି, ତେବେ ନିନ୍ଦୁକମାନଙ୍କଠୁ ସେମାନଙ୍କ ସଂଖ୍ୟା (ଅନ୍ତତଃ ଗଣମାଧ୍ୟମରେ) କମ୍‌ ଥିଲା-। ଏଠାରେ ସୂଚେଇଦିଏ ଯେ ବର୍ଷ ବର୍ଷ ଧରି ଭାରତ ରଙ୍ଗ ମହୋତ୍ସବର ପ୍ରତିଟି ସଂସ୍କରଣକୁ ନିମନ୍ତ୍ରିତ ହୋଇ ଆସନ୍ତି ପୋଲାଣ୍ଡ ନାଟ୍ୟଦଳ । ତଫାତ୍‌ ଏୟା ଯେ ପ୍ରଥମଥର ପାଇଁ (ଏଥର) ସେମାନଙ୍କ ନାଟକ ମଞ୍ଚସ୍ଥ ହୋଇଥିଲା ଭୁବନେଶ୍ୱରରେ । ‘ସୋନ୍‌କା’ ମଞ୍ଚାୟନରେ ତଥାକଥିତ ‘ନଗ୍ନତା’ ବିରୋଧରେ ଆମର ପ୍ରତିକ୍ରିୟା ମାତ୍ରାଧିକ ନା ନାହିଁ, ସେ କଥାକୁ ସିଧା ଆସିବା ଆଗରୁ ଆସନ୍ତୁ ଆଗ ଆଖି ପକେଇବା ମନସ୍ତତ୍ତ୍ୱ‌ର ପରିଭାଷା ଉପରେ । ବିରୋଧା / ପ୍ରତିବାଦ କାହିଁକି କରାଯାଏ, କେଉଁମାନେ ଏଥିରେ ଅଂଶଗ୍ରହଣ କରନ୍ତି ଏବଂ ସମାନ ସ୍ଥିତିରେ ଅନ୍ୟମାନେ କ’ଣ ପାଇଁ ଏଥିରେ ସାମିଲ ହୁଅନ୍ତି ନାହିଁ । ପାଠକେ, ‘ବିରୋଧ ବ୍ୟବହାର’ ରୀତିମତ ଏକ ଅଧ୍ୟୟନ । ମନୋବିଜ୍ଞାନୀଙ୍କ ମତରେ, ପ୍ରତିବାଦ ପ୍ରେକ୍ଷାପଟରେ ଅଭିଯୋଗ / ଅସନ୍ତୋଷ ହିଁ ଥାଏ । ଅନ୍ୟାୟ ଭାବରେ ନିଜର ଅଧିକାରରୁ / ହକ୍‌ରୁ ବଞ୍ଚିତ ହେବା । ପକ୍ଷପାତିତା / ଅତ୍ୟାଚାର ସ୍ଥିତିରେ ପ୍ରତିବାଦ ଅନେକ ସମୟରେ ସ୍ଵତଃସ୍ଫୂର୍ତ୍ତ । ତେବେ ପ୍ରତିବାଦର ମାର୍ଗ ବିବିଧ । ଜଣେ ଏକା ଏକା ପ୍ରତିବାଦ କରିପାରେ । ପ୍ରତିବାଦ ସଂଘ ଗୋଷ୍ଠୀବଦ୍ଧ ମଧ୍ୟ ହୋଇପାରେ । ବିରୋଧ ସମ୍ପୂର୍ଣ୍ଣ ପ୍ରତୀକାତ୍ମକ / ସାଙ୍କେତିକ ବି ହୋଇପାରେ (ଯଥା–କଳାବ୍ୟାଜ‌ ପିନ୍ଧିବା / ମହମବତୀ ଶୋଭାଯାତ୍ରା) । କିଛି ଲୋକ ଏଇଥିପାଇଁ ନିଜକୁ ପ୍ରତିବାଦରୁ ଦୂରେଇ ମଧ୍ୟ ରଖନ୍ତି: ‘ଏସବୁ ଫାଲ୍‌ତୁ । କିଛି ହେବନାହିଁ ।’ ଥରେ ଥରେ ପ୍ରସଙ୍ଗ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ ଥାଏ, ମାତ୍ର ଉପଯୁକ୍ତ ନେତୃତ୍ୱ ଅଭାବରୁ ପ୍ରତିବାଦ ଦାନା ବାନ୍ଧିପାରେ ନାହିଁ । ଏବେ ଯିବା ମନସ୍ତାତ୍ତ୍ୱିକ ପରିଭାଷାକୁ । ଏକ ସଂକ୍ଷିପ୍ତ ତର୍ଜମାକୁ, ଯାହା ସ୍ପଷ୍ଟ କରିବ ଆମର ବିରୋଧ ବ୍ୟବହାରକୁ ।

 

(୧) ଅନେକ ଭାବୁଥାନ୍ତି ଯେ ସେମାନଙ୍କ ତମାମ ଜୀବନ ଶେଷ ହୋଇଗଲା, ଅଥଚ ଜୀବନକାଳ ଭିତରେ ‘ସାମାଜିକ ଅସ୍ତିତ୍ୱ’ ଟିଏ ସେମାନେ ନିର୍ମାଣ କରିପାରିଲେ ନାହିଁ । ପ୍ରତିବାଦରେ ଯୋଗଦାନ ଏ ଅଭିଳାଷ ପୂରଣ କରିପାରେ । ଲୋକେ ଚିହ୍ନିବେ ! (୨) କେବଳ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳେ ବିକ୍ଷୋଭକୁ ଓହ୍ଲାଇଥାନ୍ତି ଏବଂ ଏମାନଙ୍କର ଆତ୍ମସମ୍ମାନ କମ୍‌ ଥାଏ । (୩) କିଛି ଲୋକ ପ୍ରକୃତରେ କ୍ଷତିଗ୍ରସ୍ତ ହେଉଛନ୍ତି, ଅନ୍ୟାୟର ଶିକାର ପାଲଟୁଛନ୍ତି ବୋଲି ଗମ୍ଭୀର ଭାବରେ ବିଚାରନ୍ତି ଏବଂ ବରଦାସ୍ତ କରିବାର ସୀମା ଟପିଯାଇଛି ବୋଲି ରାସ୍ତାକୁ ଓହ୍ଲାନ୍ତି (ଉଦାହରଣ: ନିୟମଗିରି ଓ ଡଙ୍ଗରିଆ) । (୪) କିଛି ଲୋକ ସବୁବେଳେ ଏକ ‘ଉନ୍ମାଦନା’ ର ଅନ୍ୱେ‌ଷଣରେ ଥାଆନ୍ତି । ମଉକା ମିଳିବା ମାତ୍ରକେ କିଛି ଗୋଟାଏ ନିଆରା କରିବା ପାଇଁ ସେମାନେ ବିକ୍ଷୋଭରେ ଯୋଗ ଦିଅନ୍ତି । (୫) ଆଉ କିଛି ଲୋକ ବରାବର ବାଡ଼ ଉପରେ ବସିଥାନ୍ତି । ସେମାନେ ନିଜେ ଜାଣିନଥାନ୍ତି କ’ଣ ଭୁଲ୍‌ । କ’ଣ ଠିକ୍‌ । ଯଦି ଦୈବାତ୍‌ ଗୋଟାଏ ସୁଯୋଗ ମିଳିଗଲା, ସେମାନେ ବିଚାର ନକରି ଡେଇଁପଡ଼ନ୍ତି । (୬) ମନୋବିଜ୍ଞାନୀଙ୍କ ବିଚାରରେ ଆଉ ଏକ ପ୍ରଜାତି ଅଛନ୍ତି; ଯେଉଁମାନେ ନୀତି, ନୈତିକତା, ଶୃଙ୍ଖଳା ଓ ଅନୁଶାସନର ସର୍ବୋଚ୍ଚ କର୍ତ୍ତା / ନିୟାମକ ବୋଲି ନିଜକୁ ଭାବନ୍ତି । ସେମାନେ ବରାବର ଓର ଉଣ୍ଡୁଥାନ୍ତି ଏବଂ ସାମାନ୍ୟ ସୁଯୋଗ ମିଳିବା ମାତ୍ରକେ ପରିସ୍ଥିତିର ଭରପୂର ଫାଇଦା ନେବା ପାଇଁ ଅଣ୍ଟା ଭିଡ଼ିଦିଅନ୍ତି ।

 

ପାଠକେ, ଆମର ଦୁର୍ଭାଗ୍ୟ ଯେ ବ୍ୟକ୍ତିଗତ ଜୀବନରେ ଘୋର ଅସନ୍ତୁଳନା ଅଶାନ୍ତିର ଶିକାର ଏମିତି ଲୋକେ କୌଣସି ପ୍ରକାର ଚେଷ୍ଟା କରି ରୁଖା ଉପରକୁ ଚଢ଼ିଯିବା ପରେ ସେଇ ଉଚ୍ଚତାରୁ ଅନର୍ଗଳ ଭାଷଣ ଦିଅନ୍ତି; ଯେଉଁଥିରେ ସଂସ୍କୃତି, ଐତିହ୍ୟ, ଶାସ୍ତ୍ର‌ ପୁରାଣ, ପରମ୍ପରା ଓ ଧର୍ମ-ସବୁ ଫେଣ୍ଟାଫେଣ୍ଟି ହୋଇଥାଏ । ବାରମ୍ବାର ‘ଅସ୍ମିତା’ ଶବ୍ଦ ଏମାନେ ବ୍ୟବହାର କରନ୍ତି । ଅଥଚ ଏହା ନିରାଟ ସତ ଯେ, ଏମାନଙ୍କର ‘ନୈତିକତା’ ସ୍ତରକୁ ଯିବାର ଯୋଗ୍ୟତା ନଥାଏ । ଅର୍ଥାତ୍‌, ମିଛମୁଖା ଏମାନେ ପିନ୍ଧିଥାନ୍ତି । ପ୍ରତିବାଦ / ନାରାବାଜି ନାଁରେ ନିଜେ ନିଜେ ଯାହା କୁତୁକୁତୁ ହୁଅନ୍ତି । ବ୍ୟତିକ୍ରମ / ଅସାମଞ୍ଜସ୍ୟ / ନଗ୍ନତା–ଯାହା ବି ଆପଣ କୁହନ୍ତୁ, ‘ସୋନ୍‌କା’ ମଞ୍ଚାୟନରେ ଯେତିକି ନଥିଲା, ତା’ଠୁ କାହିଁ କେତେ ଗୁଣ ଥିଲା ଏମାନଙ୍କ ମୁଣ୍ଡରେ । କିଛି ଲୋକଙ୍କୁ ଅକାରଣ ଅନେକ କିଛି ଅସ୍ଵାଭାବିକ ମନେହୁଏ–ପାର୍କରେ ପୁଅଝିଅଙ୍କ ଯୋଡ଼ି, କଳାତ୍ମକ ସିନେମା, ନାଟକ ଓ ଭାଲେଣ୍ଟାଇନ ଡେ’ ଇତ୍ୟାଦି । ମନସ୍ତତ୍ତ୍ୱବିତ୍‌ଙ୍କ ମତ ଯେ, ଆପଣା ଅଭ୍ୟନ୍ତରର ଅଶାନ୍ତି ପାଇଁ ଉପଚାର ଲୋଡ଼ି, ନିଜର ଅପୂର୍ଣ୍ଣତାମାନଙ୍କୁ ଅତିକ୍ରମିବାର ଆଗ୍ରହରେ ଏମାନେ ନୀତି, ନୈତିକତା ଏବଂ ସଂସ୍କୃତିର ବେତ ଧରି ପୁରୁଣାକାଳିଆ ହେଡ଼ମାଷ୍ଟରଙ୍କ ପରି ସାରା ସଂସାରକୁ ଶାସନ କରିବା ପାଇଁ ବାହାରି ପଡ଼ନ୍ତି, ଯାହା ପ୍ରକୃତରେ ଏକ ବାହାନା ଥାଏ । ସଦ୍ୟ ପ୍ରକାଶିତ ଖବର ଅନୁଯାୟୀ ‘ସୋନ୍‌କା’ ମଞ୍ଚାଭିନୟରେ କେତେ ସେକେଣ୍ଡ ପାଇଁ ଦର୍ଶକ ସାମ୍ନା କରିଥିବା ଜଣେ କଳାକାରଙ୍କ ଅର୍ଦ୍ଧ ଅନାବରଣ ପ୍ରକୃତରେ ୱାଡ୍‌ରୋବ୍‌ର ତ୍ରୁଟି ଥିଲା । ଅର୍ଥାତ୍‌, କଳାକାର ପୋଷାକ ଠିକ୍‌ ପିନ୍ଧି ପାରିନଥିଲେ । ତେବେ ଏକ ଅନିଚ୍ଛାକୃତ ତ୍ରୁଟି ସମ୍ଭବତଃ ଆମକୁ ଅଧିକ ଲଙ୍ଗଳା କରିପକେଇଲା ।

(ପ୍ରମେୟ, ତା ୨୪/୨/୨୦୧୬)

Image

 

ଓଡ଼ିଶା ଜ୍ଞାନ ବିଜ୍ଞାନ ନିଗମ

 

କେତେଦିନ ଧରି ଓଡ଼ିଶା ଜ୍ଞାନ ନିଗମ ଲିମିଟେଡ୍‌ ଉପରେ ଚର୍ଚ୍ଚା ଜୋର୍‌ ଧରିଛି–ବିନା ଟେଣ୍ଡରରେ ସଂସ୍ଥାକୁ ୩ଟି ବିଶ୍ୱବିଦ୍ୟାଳୟର କିଛି କାମ ଦିଆଯିବାକୁ ନେଇ । ପାଠକମାନଙ୍କ ନିମନ୍ତେ ସ୍ପଷ୍ଟ କରୁଛି ଯେ, ‘ଓଡ଼ିଶା କଲେଜ୍‌ କର୍ପୋରେସନ୍‌ ଲିମିଟେଡ଼୍‌’ର ମର୍ମାନୁବାଦ ‘ଓଡ଼ିଶା ଜ୍ଞାନ ନିଗମ ହେଲେ ହେଁ ଆଲୋଚନାକୁ ସାମାନ୍ୟ ଆକର୍ଷଣୀୟ କରିବା ଲକ୍ଷରେ ପ୍ରବନ୍ଧରେ ‘ଜ୍ଞାନ ବିଜ୍ଞାନ ନିଗମ’ ବ୍ୟବହାର କରାଯାଇଛି । ୨୧ ଜୁଲାଇ ୨୦୧୧ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତରଫରୁ ଗେଜେଟ୍‌ରେ ପ୍ରକାଶିତ ହୋଇଥିଲା ଏକ ଇସ୍ତାହାର । ଉଲ୍ଲେଖ ଥିଲା, ଜ୍ଞାନ ଯୁଗରେ ‘ସୂଚନା ସମାଜ ସୂଚନା ବିଜ୍ଞାନ ଉପରେ ନିର୍ଭରଶୀଳ ରାଜନୈତିକ-ସାଂସ୍କୃତିକ କ୍ଷେତ୍ରରେ ୟାର ଆବଶ୍ୟକତା । ତେବେ ସୂଚନା ବିଜ୍ଞାନ ଯେତିକି ଭେଦିବା କଥା ରାଜ୍ୟରେ, ସେତିକି ଭେଦି ପାରିନାହିଁ । କିଛି କ୍ଷେତ୍ରରେ ସଫଳତା ଅଦ୍ଭୁତପୂର୍ବ ମନେ ହୋଇଥିଲେ ହେଁ ଏବେ ବି ଢେର୍ ଲୋକ ସୂଚନା ବିଜ୍ଞାନର ସୁଫଳରୁ ବଞ୍ଚିତ ହୋଇ ରହିଛନ୍ତି, ଯାହା ‘ଡିଜିଟାଲ ଡିଭାଇଡ୍‌’ର କାରଣ ପାଲଟିଛି । ସୂଚନା ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ଏହି ବିଭାଜନକୁ ରୋକିବା ପାଇଁ ପଡ଼ିବ । ସୂଚନା ବିଜ୍ଞାନର ପ୍ରୟୋଗ ଜ୍ଞାନ ଯୁଗରେ ସାମାଜିକ-ଅର୍ଥନୈତିକ କ୍ରାନ୍ତି ବି ଆଣିବ-। ଆମ ଗଣଜୀବନ ଆହୁରି ତୋଫା ହେବ । ସ୍ଵାଧୀନ ଏବଂ ସ୍ଵୟଂଶାସିତ ଜ୍ଞାନ ନିଗମର ପ୍ରତିଷ୍ଠାତା ଭାବରେ ଉଭା ହୋଇଥିଲେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ; କମ୍ପାନୀ ଆଇନ୍‌–୧୯୫୬ ମୁତାବକ ଏହା ପଞ୍ଜୀକୃତ ହୋଇଥିଲା । ବିଜ୍ଞପ୍ତି / ଇସ୍ତାହାର ଅନୁଯାୟୀ ପ୍ରାଧିକୃତ ପୁଞ୍ଜ ଥିଲା ୫୦ କୋଟି ଟଙ୍କା ଯାହା ପ୍ରାଥମିକ ଭାବରେ ୨୦ କୋଟି ବିନିଯୋଗରେ ସୀମିତ ଥଲା । ଜ୍ଞାନ ବିଜ୍ଞାନ ନିଗମର ଅଂଶଧନର ହିସାବ ଦିଆଯାଇଥିଲା ଏମିତି: (୧) ରାଜ୍ୟ ସରକାର / ଉଚ୍ଚଶିକ୍ଷା ବିଭାଗ–୩୦% (୨) ମହାରାଷ୍ଟ୍ର ଜ୍ଞାନ ନିଗମ ଲିମିଟେଡ୍‌–୩୦%, (୩) ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ–୧୦% (୪) ଘରୋଇ ଶିକ୍ଷାନୁଷ୍ଠାନ / ଘରୋଇ ଆଇଟି / ଅଣ ଆଇଟି ଶିଳ୍ପ / ସ୍ୱେଚ୍ଛାସେବୀ ସଂଗଠନ / ବ୍ୟକ୍ତି ବିଶେଷ, ଯେଉଁମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ଏବଂ ଏମ୍‌କେସିଏଲ୍‌ ମିଳିତ ଭାବରେ ମନୋନୀତ କରିବେ–୩୦% ।

ପାଠକେ, ରାଜ୍ୟରେ ଏଇ ନିଗମ ପ୍ରତିଷ୍ଠା ମୂଳରେ ଯେଉଁ ଲକ୍ଷ୍ୟ / ଉଦ୍ଦେଶ୍ୟ ଥିଲା, ସେସବୁ ସଂକ୍ଷେପରେ ଏମିତି–(କ) ଓଡ଼ିଶା ନଲେଜ୍‌ କ୍ଲାଉଡ୍‌ (ଜ୍ଞାନ ମେଘ) ଅର୍ଥାତ୍‌ ପର୍ଯାୟକ୍ରମେ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ଭିତ୍ତିଭୂମି, (ଖ) ଗାଁ ଓ ସହର ଭିତରେ ଡିଜିଟାଲ ଡିଭାଇଡ୍‌ ହ୍ରାସ ପାଇଁ ଉଦ୍ୟମ, (ଗ) ଡିଜିଟାଲ ବିଦ୍ୟାଳୟ ସ୍ଥାପନ, (ଘ) ରାଜ୍ୟବ୍ୟାପି ସୂଚନା ସାକ୍ଷରତା ମିଶନ୍‌, (ଙ) ଉଚ୍ଚ ମାଧ୍ୟମିକ ଏବଂ ବିଶ୍ଵବିଦ୍ୟାଳୟ ପରୀକ୍ଷା ପାଇଁ ଭିତ୍ତଭୂମି ସଂରଚନା, (ଚ) ଡିଜିଟାଲ ବିଶ୍ଵବିଦ୍ୟାଳୟ, (ଛ) ବିଭିନ୍ନ ସରକାରୀ ଚାକିରିରେ ଭର୍ତ୍ତିହେବା ପାଇଁ ଭିତ୍ତିଭୂମି (ଓଏସିସ୍‌), (ଜ) ବୈଷୟିକ ଶିକ୍ଷାରେ ଗୁଣାତ୍ମକ ସୁଧାର ପାଇଁ ଭିତ୍ତିଭୂମି–‘ଓଡ଼ିଶା ୱେଭ୍‌’ । ଇସ୍ତାହାରରେ ବ୍ୟବସ୍ଥା ଥିଲା ଯେ ରାଜ୍ୟର ମୁଖ୍ୟ ଶାସନ ସଚିବ ନିଗମର ଅଧ୍ୟକ୍ଷ ରହିବେ (ଏବେ ଉଚ୍ଚଶିଷା ବିଭାଗର ସଚିବ) । ଦର୍ଶାଯାଇଥିଲା, ସଂସ୍ଥାର ଆର୍ଥକ ଓ ପ୍ରଶାସନିକ ପରିଚାଳନା ବାବଦରେ ସରକାର ଦାୟୀ ରହିବେ ନାହିଁ ଏବଂ ଏକ ପବ୍ଲିକ୍‌ ଲିମିଟେଡ୍‌ କମ୍ପାନୀ ହିସାବରେ ନିଗମ ଏସବୁ ଦାୟିତ୍ଵ ତୁଲାଇବେ ।

ଅର୍ଥାତ୍‌, ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ପବ୍ଲିକ୍‌ ସେକ୍ଟର ଅଣ୍ତରଟେକିଂ ପରି ଏ ନିଗମ କାର୍ଯ୍ୟ କରିବ ନାହିଁ । ପ୍ରକୃତରେ ଏଇ ବ୍ୟବସ୍ଥା ଅନେକାଂଶରେ ଅଜବ ଥିଲା । ୨୮ ଅଗଷ୍ଟ ୨୦୧୨ରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଆଉ ଏକ ଗେଜେଟ୍‌ ନିର୍ଦ୍ଦେଶନାମା ପ୍ରକାଶ ପାଇଲା । ଉଲ୍ଲେଖ ଥିଲା, ରାଜ୍ୟ ଜ୍ଞାନ ବିଜ୍ଞାନ ନିଗମକୁ ଓ.ଏସ୍‌. ସି.ଆଇ.ଟି. ପାଠ୍ୟକ୍ରମ ପରିଚାଳନା ଏବଂ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍‌ ଦେବା ପାଇଁ ସ୍ଵାଧୀନତା ଦିଆଗଲା । ଅର୍ଥାତ୍‌, ଏ ନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଂପୃକ୍ତି ବାଦ୍‌ ପଡ଼ିଲା । ସରକାର ହୃଦୟଙ୍ଗମ କଲେ ଯେ ନିୟନ୍ତ୍ରକ ଭୂମିକା ନ ତୁଲେଇ ପ୍ରଶାସନ ଏଣିକି ଅଣୁଘଟକର ଭୂମିକା ନେବ । ଆମର ଜ୍ଞାନ-ଅର୍ଥନୀତିକୁ ଅଧିକ ଉଦ୍ଭାସିତ କରିବା ସହିତ ସହରାଞ୍ଚଳ, ଗ୍ରାମାଞ୍ଚଳ ଏବଂ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସର୍ବାଙ୍ଗୀନ ଉନ୍ନତିର କାରଣ ହେବ । ଅନ୍ୟାନ୍ୟ ଦାର୍ଶନିକ ତତ୍ତ୍ୱ ସମ୍ବଳିତ ଉପାଦାନ ଉପରାନ୍ତ ଏଇ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା ଯେ ମହାରାଷ୍ଟ୍ର ଜ୍ଞାନ ନିଗମ ସୂଚନା ସାକ୍ଷରତାକୁ ଏକ ଗଣ ଅଭିଯାନରେ ପରିବର୍ତ୍ତିତ କରିସାରିଛି, ଯେଉଁଥିରେ ସାମିଲ୍‌ ହୋଇଛନ୍ତି ୬ ନିୟୁତ ବିଦ୍ୟାର୍ଥୀ (ଛାତ୍ର, ଶିକ୍ଷକ, ସରକାରୀ କର୍ମଚାରୀ, ଗୃହିଣୀ, କୃଷକ, ବୃତ୍ତିଧାରୀ ଏବଂ ବରିଷ୍ଠ ନାଗରିକ ଇତ୍ୟାଦି) । ଯାହା ମାତ୍ର ୧୦ ବର୍ଷ ଭିତରେ ମହାରାଷ୍ଟ୍ରରେ ସମ୍ଭବ ହୋଇପାରିଛି, ଓଡ଼ିଶାରେ ତା’ର ପୁନରାବୃତ୍ତି ହେବ ।

ସେତିକିରେ ସବୁ ସରିଲା ନାହିଁ । ସରକାର ନିଷ୍ପତ୍ତି ନେଲେ ଯେ ତା ୨୮.୦୮. ୨୦୧୪ରିଖ ସୁଦ୍ଧା (ବିଜ୍ଞପ୍ତିର ୨ ବର୍ଷ ପୂର୍ତ୍ତି) ଯେଉଁ ସରକାରୀ / ଅର୍ଦ୍ଧସରକାରୀ କର୍ମଚାରୀମାନେ ନିଜ ଖର୍ଚ୍ଚରେ ଜ୍ଞାନ ବିଜ୍ଞାନ ନିଗମରୁ. ଓ.ଏସ୍‌.ସି.ଆଇ,ଟି, ପାଠ୍ୟକ୍ରମ ପାସ୍‌ କରିବେ, ସେମାନେ ପରବର୍ତ୍ତୀ ପଦୋନ୍ନତ ପାଇଁ ଯୋଗ୍ୟ ବିବେଚିତ ହେବେ । ଅନ୍ୟ ଅର୍ଥରେ, ଓ.ଏସ୍‌.ସି.ଆଇ,ଟି. ସାର୍ଟିଫିକେଟ ନଥି‌ଲେ ତା ୨୮/୦୮/୨୦୧୪ ରିଖ ପରେ ‘କ’, ‘ଖ' ଓ ‘ଗ' ବର୍ଗର ଅଧିକାରୀ ପଦୋନ୍ନତି ପାଇବା କଥା ନୁହେଁ । ଏକ ନିଗମ ନିମନ୍ତେ ଆଗ୍ରହାତିଶଯ୍ୟ ଯେ ଏମିତି ଅଜବ ପ୍ରଗଳ୍‌ଭତାର ରୂପ ନେବ–ତାହା ପୁଣି ସରକାରୀ ଗେଜେଟରେ–ଏହା ଅବିଶ୍ୱସ୍ୟ ମନେ ହେଉଥିଲେ ବି ସତ୍ୟ ଥିଲା ତା ୨୦/୦୨/ ୨୦୧୩ ରିଖରେ ଗଣଶିକ୍ଷା ବିଭାଗ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଯେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ୪,୦୦୦ ବିଦ୍ୟାଳୟକୁ ସୂଚନା ବିଜ୍ଞାନ ସେବା ପ୍ରଦାନ ପାଇଁ ନିଗମର ସାହାଯ୍ୟ ଲୋଡ଼ା ଏବଂ ସେଥି‌ପାଇଁ ବୈଷୟିକ ପରାମର୍ଶଦାତାର ଭୂମିକା ଜ୍ଞାନ ବିଜ୍ଞାନ କର୍ପୋରେସନ୍‌କୁ ଦିଆଗଲା । ପାଠକେ, ଆମ ରାଜ୍ୟରେ ଜ୍ଞାନ ନିଗମର କାର୍ଯ୍ୟଶୈଳୀକୁ ଯିବା ଆଗରୁ ଆସନ୍ତୁ ଆଖି ପକେଇବା ଏମ୍‌. କେ.ସି.ଏଲ୍‌. ନିର୍ମାଣ ଉପରେ । ଏଥିରେ ମହାରାଷ୍ଟ୍ର ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ବିଭାଗର ଅଂଶଧନ-ସର୍ବନିମ୍ନ : ୩୭% । ତେବେ ମଜାର କଥା ହେଉଛି, ଅଗଷ୍ଟ ୨୦୦୧ରେ ପ୍ରତିଷ୍ଠିତ ଏମ୍‌.କେ.ସି.ଏଲ୍‌. ଯେତେବେଳେ ପବ୍ଳିକ୍‌ ଲିମିଟେଡ଼ ମୁଖା ଆଢୁଆଳରେ ଓଡ଼ିଶାରେ ନିଜର ଉପନିବେଶ ଖୋଲିବା ପାଇଁ ଅଣ୍ଟା ଭିଡ଼ିଥି‌ଲା, ସେତେବେଳେ କମ୍ପାନୀ ଖୋଦ୍‌ ମହାରାଷ୍ଟ୍ରରେ ବିତର୍କିତ ହୋଇ ସାରିଥିଲା । ୨୦୧୧-୧୨ରେ ଏମ୍‌କେ.ସି.ଏଲ୍‌. ଦର୍ଶାଇ ଥିଲା ଯେ ଏହାର ବାର୍ଷିକ କାରବାର ୨୭୨ କୋଟି । ତେବେ ବିରୋଧୀମାନେ ଏ ହିସାବ ମାନିବା ପଇଁ ପ୍ରସ୍ତୁତ ନଥିଲେ । ସେମାନଙ୍କ ମତରେ, କମ୍ପାନୀ ତଥ୍ୟ ଲୁଚାଉ ଥିଲା, କାରଣ ଏହାର ବାର୍ଷିକ ବେପାର କେତେ ହଜାର କୋଟିରୁ କମ୍‌ ନଥିଲା । ତାହା ପୁଣି ସରକାରଙ୍କ ସୌଜନ୍ୟରୁ । କୁହାଯାଇଥିଲା, ନିର୍ଦ୍ଧାରିତ ନୀତିର ଉଲଙ୍ଘନ କରି ପ୍ରଭାବଶାଳୀମାନେ ଏମ୍‌ କେ.ସି.ଏଲ୍‌. ରେ ବେଆଇନ୍‌ ଭାବରେ ପୁଞ୍ଜି ବିନିଯୋଗ କରୁଛନ୍ତି, ଯେଉଁମାନଙ୍କ ଭିତରେ ଅଛନ୍ତି ମନ୍ତ୍ରୀ ଓ ଅମଲା । ୟାର ଉଚ୍ଚସ୍ତରୀୟ ତଦନ୍ତ ହେଉ । ନିଗମରେ ସରକାରୀ ପୁଞ୍ଜି ବିନିଯୋଗ ହୋଇଥିଲେ ହେଁ ସୂଚନା ଅଧିକାର ଆଇନ୍‌ରେ କମ୍ପାନୀ ତଥ୍ୟ ଦେଉନାହିଁ । ମଝିରେ ଖବରକାଗଜରେ ପ୍ରକାଶ ପାଇଥିଲା ଯେ ନାଗପୁର ଏବଂ ମୁମ୍ବାଇ ବିଶ୍ଵବିଦ୍ୟାଳୟ ଏମ୍‌.କେ.ସି.ଏଲ୍‌. ସହିତ ସମ୍ପର୍କ ଚ୍ଛିନ୍ନ‌ କରିଛନ୍ତି ଏବଂ ନିଗମର ପାଞ୍ଚକୋଟି ଟଙ୍କା ଦେୟ ଅନୁପଯୁକ୍ତ ସେବା କାରଣରୁ ବାକି ରଖଛନ୍ତି ।

ସମାନ ଅବସ୍ଥା ସୃଷ୍ଟି ହୋଇଥିଲା ଓ.କେ.ସି.ଏଲ୍‌., ଓଡ଼ିଶାରେ ଚେର ମେଲେଇବା ପରେ ପରେ । ଅଭିଯୋଗ ଥିଲା ଯେ ରାଜ୍ୟରେ ‘ଓକାକ୍‌' ପରି ପ୍ରତିଷ୍ଠିତ ସଂସ୍ଥା ଥାଉ ଥାଉ କେଉଁ ବିଶେଷ ଉଦ୍ଦେଶ୍ୟରେ ଜ୍ଞାନ ବିଜ୍ଞାନ ନିଗମର ମଞ୍ଜି ବୁଣାଗଲା ? ଅଭିଯୋଗ ଥିଲା ଯେ ଜ୍ଞାନ ବିଜ୍ଞାନ ନିଗମ ପାଇଥିବା ୧୭୭ କୋଟି ଟଙ୍କାର ସରକାରୀ ପାଣ୍ଠି ନିଜେ ପରିଚାଳନା ନ କରି ଅନ୍ୟ କମ୍ପାନୀମାନଙ୍କୁ ଠିକାରେ ଦେଇଛି । ସ୍କୁଲ୍‌ କୋଅର୍ଡ଼ିନେଟର / କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି / ଦରମାରେ ଅନିୟମିତତାର ଆରୋପ ବି ଥିଲା । ଜଣେ ସୂଚନା ଅଧିକାର କର୍ମୀଙ୍କର ମତ ଥିଲା, ସୂଚନା ବିଜ୍ଞାନ ବାବଦରେ ନିଗମକୁ ଆସୁଥିବା ପାଣ୍ଠିର (୭୫ ଭାଗ କେନ୍ଦ୍ରୀୟ ୨୫ ଭାଗ ରାଜ୍ୟ ସରକାରଙ୍କ ଅର୍ଥ) ଉପଯୁକ୍ତ ବିନିଯୋଗ ହେଉଛି ନା ନାହିଁ, ଏକଥା ଜାଣିବା ପାଇଁ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ଵ ନ ଥିଲା । ବରଂ ଅଜ୍ଞାତ କାରଣରୁ ଓକାକ୍‌ କ୍ଷମତା ହ୍ରାସ ପାଇଲା ଏବଂ ଏସ୍‌.ଆଇ.ଇ.ଟି. ପରି ସଂସ୍ଥାକୁ ବନ୍ଦ କରି ଦିଆଗଲା । କୁହାଯାଇଥିଲା, ରାଜ୍ୟର ୪,୦୦୦ ବିଦ୍ୟାଳୟରେ ଇ-ଶିକ୍ଷା ପାଇଁ ଓକେସିଏଲ୍‌ ଆର.ଏଲ୍‌.ଆଣ୍ଡ.ଏଫ୍‌.ଏଫ୍‌. ପରି ସଂସ୍ଥାକୁ ଠିକା ଦେଇ ଛାତ୍ର ଉତ୍ପୀଡ଼ନ ପାଇଁ ରାସ୍ତା ପରିଷ୍କାର କରିଛି । ମେଧାବୃତ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତାର ଅଭିଯୋଗ ମଧ୍ୟ ହୋଇଥିଲା ।

 

ଆଉ ଜଣେ ସୂଚନା କର୍ମୀ ଭୁବନେଶ୍ଵର ସିବିଆଇ ଅଫିସ୍‌ରେ ଓ.କେ.ସି.ଏଲ୍‌. ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ନିକଟରେ ଅନ୍ୟ ଏକ କାରଣରୁ ଜ୍ଞାନ ବିଜ୍ଞାନ ନିଗମ ଚର୍ଚ୍ଚାକୁ ଆସିବା ପରେ ଓ୍ୱେବ୍‌ସାଇଟ୍‌ରେ ଏକ ଦୁର୍ବୋଧ୍ୟ / ଅସ୍ପଷ୍ଟ କୈଫିୟତ ଦେଇଛି, ଯେଉଁଥିରେ ଉଲ୍ଲେଖ ଅଛି ଯେ ଏହା ଆଦୌ ସରକାରୀ କମ୍ପାନୀ ନୁହେଁ । କେବଳ ଉଚ୍ଚଶିକ୍ଷା ବିଭାଗର ୬୦ ଲକ୍ଷ ଟଙ୍କାର ଅଂଶଧନ ଏଥିରେ ରହିଛି । ପାଠକେ, ବିଗତ ୪ ବର୍ଷ ଭିତରେ ଜ୍ଞାନ ବିଜ୍ଞାନ ନିଗମ ରାଜ୍ୟରେ କେମିତି କ୍ରାନ୍ତି ଆଣିଛି, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ-। ତେବେ ଏକଥା ସତ, ଏଇ ଅଜବ ନିଗମ ପରିସ୍ଥିତିକୁ ଅଧିକ ଗୋଳମାଳିଆ କରି ପକାଇଛି-। ସାଧାରଣ ଲୋକଙ୍କର ଧାରଣା ଜନ୍ମିଛି ଯେ ଜ୍ଞାନ ବିଜ୍ଞାନର ପ୍ରଚାର ପ୍ରସାର ଅପେକ୍ଷା ଗତ ୪ ବର୍ଷ ଧରି ଏହି ନିଗମ ନ୍ୟସ୍ତସ୍ଵାର୍ଥକୁ ବରାବର ଗୁରୁତ୍ୱ ଦେଇ ଆସିଛି । କମ୍ପାନୀ ବାବଦରେ ତଦନ୍ତର ଆବଶ୍ୟକତା ମଧ୍ୟ ରହିଛି ।

(ନିତିଦିନ, ତା ୧୮/୩/୨୦୧୬)

Image

 

ସବୁଜ ବିପ୍ଳବ : ଦ୍ୱିତୀୟ ସଂସ୍କରଣ

 

ବରଗଡ଼ରେ ଆୟୋଜିତ ଏକ କୃଷକ ସମାବେଶରେ ଉଦ୍‌ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସଙ୍ଗ ଥିଲା କୃଷି ଓ କୃଷକ । ଚାଷ ଓ ଚାଷୀର ସ୍ଵାର୍ଥ । ପ୍ରାୟ ୪୫ ମିନିଟ୍‌ ଧରି ଚାଷୀ ଭାଇମାନଙ୍କୁ ପାଠ ପଢ଼ାଇଥିଲେ ଶ୍ରୀ ମୋଦି । ପାରମ୍ପରିକ କୃଷି ପ୍ରଣାଳୀ ଛାଡ଼ି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବାପାଇଁ ପ୍ରବର୍ତ୍ତାଇଥିଲେ । କହିଥିଲେ, ସାରା ଭାରତକୁ ଅନ୍ନ ଯୋଗାଇବା ପାଇଁ ଓଡ଼ିଶା ସମର୍ଥ । ଦେଶ ପ୍ରଥମ ସବୁଜ ବିପ୍ଳବ ଦେଖି‌ ସାରିଛି । ଓଡ଼ିଶା ସମେତ ପୂର୍ବ ଭାରତ ଦ୍ୱିତୀୟ କୃଷି କ୍ରାନ୍ତିର ପ୍ରୟୋଗଶାଳା ହେବ । ପାଠକମାନଙ୍କୁ ସ୍ମରଣ କରାଇଦିଏ ଯେ ପାରାଦ୍ୱୀପଠାରେ ତୈଳ ବିଶୋଧନାଗାର ଲୋକାର୍ପଣର କିଛି ଦିନ ଆଗରୁ ଭା.ଜ.ପା. ସରକାର ଓଡ଼ିଶା ପାଇଁ ଏକ ସୁନ୍ଦର ସ୍ଲୋଗାନ ପ୍ରସ୍ତୁତ କରିଥି‌ଲେ–‘ଓଡ଼ିଶା ପୂର୍ବ ଭାରତର ପ୍ରବେଶ ପଥ ଓ ଶକ୍ତି କ୍ଷେତ୍ର' । ପ୍ରଧାନମନ୍ତ୍ରୀ କହିଥିଲେ, ଭଗବାନ ଯେତେ ପାରିଛନ୍ତି ଓଡ଼ିଶାକୁ ଦେଇଛନ୍ତି । ତଥାପି ଏଠାକାର ଲୋକ ଦରିଦ୍ର । ଉତ୍ତରପ୍ରଦେଶ ପରେ ସବୁଠୁ ଅଧିକ ପାଣି ଓଡ଼ିଶାରେ ଅଛି । ଏଠି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଭଳି ନଦୀ ରହିଛି । ସେ ପୁଣି କହିଥିଲେ, ଭାରତରେ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଲୋଡ଼ା । ଗୋଟିଏ ସମୟରେ ଦେଶକୁ ଖାଦ୍ୟଶସ୍ୟ ଆମଦାନୀ କରିବାକୁ ପଡ଼ୁଥିଲା । ପୂରା ବ୍ୟବସ୍ଥା ଗହମ ଆମଦାନୀ କାର୍ଯ୍ୟରେ ଲାଗିଥିଲା । ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଜବାନ, ଜୟ କିଷାନ' ନାରା ଖାଦ୍ୟଶସ୍ୟରେ ଦେଶକୁ ସ୍ୱାବଲମ୍ବୀ କରିଥିଲା । ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ୨ ଗୁଣ କରିବାପାଇଁ ସଂକଳ୍ପ ନେବାକୁ ହେବ । ତେବେ ଏ ସ୍ଥିତିରେ ପାରମ୍ପରିକ କୃଷି ଆର ଅଧିକ ସହାୟକ ହୋଇପାରିବ ନାହିଁ । ମତ୍ସ୍ୟଚାଷ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦିଆଯିବ । ତା' ସହିତ ରହିବ ମହୁମାଛି ଏବଂ କୁକୁଡ଼ା ପାଳନ । ଫସଲ ଚକ୍ର ନିୟମ ମାନି ଫସଲ ବଦଳାଇ ଚାଷ କରିବାକୁ ପଡ଼ିବ । ନୂତନ ପଦ୍ଧତିର ନମୂନା ଦେବାକୁ ଯାଇ ଶ୍ରୀ ମୋଦି କହିଥିଲେ ଯେ ଚାଷୀ ତା’ର ଜମିକୁ ୩ ଭାଗ କରି ୨ ଭାଗରେ ଚାଷ କରୁ ଏବଂ ହିଡ଼ରେ ଆସବାବ ନିର୍ମାଣଯୋଗ୍ୟ ବୃକ୍ଷରୋପଣ କରୁ । ଏକ ତୃତୀୟାଂଶ ଜମିରେ ପଶୁପାଳନ ଓ କୁକୁଡ଼ା ଚାଷ ପରି ଅର୍ଥକାରୀ ବ୍ୟବସାୟ ହେଉ । ଡାଲି ଜାତୀୟ ଫସଲ ଉପରେ ଗୁରୁତ୍ୱ ଦିଆଯାଉ । ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଝାଡ଼ଖଣ୍ଡରେ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ, “ଭାରତୀୟ କୃଷକ ପଛରେ ପଡ଼ିଛି । ଜଳସେଚନର ଉପଯୁକ୍ତ ବ୍ୟବସ୍ଥା ନାହିଁ । ଭଲ ବିହନ ନାହିଁ, ବିଜୁଳି ନାହିଁ ଏବଂ ଏସବୁ ଉପରେ ଉତ୍ପାଦିତ ଫସଲ ଉଚିତ ଦରରେ ବଜାରରେ ବିକ୍ରି କରିବା ପାଇଁ ସୁବିଧା ନାହିଁ’’ । ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ଼ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ ଦ୍ୱିତୀୟ ସବୁଜ ବିପ୍ଲବ ନିମନ୍ତେ ପ୍ରକୃଷ୍ଟ ରାଜ୍ୟ ତାଲିକାରେ ରହିବେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆସାମ ଏବଂ ଓଡ଼ିଶା ।

 

ପାଠକେ, ଭାରତରେ ପ୍ରଥମ ସବୁଜ ବିପ୍ଲବ (୧୯୬୭–୧୯୭୮) ପ୍ରକୃତରେ ଐତିହାସିକ ଏବଂ କ୍ରାନ୍ତିକାରୀ ଥିଲା ନା ନାହିଁ, ତାହା ବିତର୍କିତ ହୋଇ ରହିଛି । ତେବେ ଏକଥା ସତ ଯେ ସେଇ ସମୟ ଭିତରେ ଭାରତର କୃଷି ଉତ୍ପାଦନ ଯଥେଷ୍ଟ ବଢ଼ିଥିଲା । ପ୍ରଥମ ସବୁଜ ବିପ୍ଳବ ପାଥେୟ କରିଥିଲା ଅଧିକ ଅମଳକ୍ଷମ ବିହନ, ଜଳସେଚନ ଏବଂ ରାସାୟନିକ / କୀଟନାଶକ ପ୍ରୟୋଗକୁ । ଭାରତରେ ଏହା ଆରମ୍ଭ ହେବା ଆଗରୁ ନର୍ମାନ୍‌ ବୋର୍‌ଲଗ୍‌ ମେକ୍ସିକୋରେ ଏହି ପ୍ରକ୍ରିୟା ଆରମ୍ଭ କରିସାରିଥିଲେ । କ୍ରମେ ଏଥିରେ ସାମିଲ ହୋଇଥିଲେ ଭାରତ ଏବଂ ପାକିସ୍ତାନ । ସେତେବେଳର ସ୍ଥିତି ସଂପୂର୍ଣ୍ଣ ଭିନ୍ନ ଥିଲା । ୧୯୬୪ରେ ନେହେରୁଙ୍କ ମୃତ୍ୟୁପରେ ଶାସ୍ତ୍ରୀ ଶାସନ ସମ୍ଭାଳିବା ବେଳକୁ ଭାରତ ବିପର୍ଯ୍ୟୟର ଦ୍ଵାରଦେଶରେ ଠିଆ ହୋଇସାରିଥଲା । ଏହା ଆଗରୁ ବ୍ରିଟିଶ ଶାସନାଧୀନ ଭାରତରେ ୧୯୪୩ରେ ବଙ୍ଗଳା ଦୁର୍ଭିକ୍ଷରେ ପ୍ରାଣ ହରାଇଥିଲେ ୪ ନିୟୁତ ଲୋକ । ୧୯୬୭-୬୮ରୁ ୧୯୭୭-୭୮ ପର୍ଯ୍ୟନ୍ତ ଦୁର୍ଭିକ୍ଷା ଫସଲହାନି ଭାରତର ପିଛା ଛାଡ଼ୁନଥିଲା । ଯେଉଁ ସମୟରେ ଖାଦ୍ୟ ଭାରତ ନିରାପତ୍ତାର ଏଇ ଜଟିଳ ସ୍ଥିତିକୁ ସାମନା କରିଥିଲା, ଠିକ୍‌ ସେଇ ସମୟରେ ଅଭିପ୍ରେତ ଥିଲା ବୋର୍‌ଲଗ୍‌ଙ୍କ ଯାତ୍ରା- ‘ଅଧା ପୃଥିବୀକୁ ଦାନା ଯୋଗାଇବାକୁ’ । ଏହି ଯାତ୍ରା ପ୍ରଲମ୍ବିତ ଥିଲା ଚୀନ ଓ ଆଫ୍ରିକାର କିଛି ଅଞ୍ଚଳକୁ ବି । କୁହାଯାଏ, ବୋଇଙ୍ଗ ୭୦୭ ବିମାନ ଭଡ଼ାହୋଇ ୧୬,୦୦୦ ମେଟ୍ରିକ୍‌ ଟନ୍‌ ଗହମ ଭାରତରେ ପହଞ୍ଚିବା ପରେ କେବଳ ବାକିଥିଲା ଇତିହାସ ସୃଷ୍ଟି ହେବା । ଅଧିକ ଅମଳ ହେଲା, ଭୋକ ହଟିଲା, ଅକାଳକୁ ପ୍ରତିହତ କରାଗଲା, ତଥାପି ପ୍ରଥମ ସବୁଜ ବିପ୍ଳବର ସମାଲୋଚନା କିଛି କମ୍‌ ନଥିଲା ବା ନାହିଁ । ଅର୍ଥାତ୍‌, କେବଳ ଉନ୍ନତ ବିହନ ତା'ର କମାଲ ଦେଖାଇ ନଥିଲା, ପ୍ରଥମ ସବୁଜ ବିପ୍ଳବକୁ ଭାରତରେ ତେଜିଥିଲା ବଡ଼ ନଦୀବନ୍ଧ, କେନାଲ ଏବଂ ମତ୍ରାଧିକ ରାସାୟନିକ ସାରା / କୀଟନାଶକ ପ୍ରୟୋଗ । ଗତ ଶତାବ୍ଦୀର ଷଷ୍ଠ ଦଶକରେ ଆମର ଶସ୍ୟ ଉତ୍ପାଦନ ୧୨ ନିୟୁତ ଟନ୍‌ରୁ ୭୦ ନିୟୁତ ଟନ୍‌କୁ ବଢ଼ିବାବେଳେ ଆମେ ଅନେକ ହରେଇ ବସୁଥିଲେ । ସେସବୁ ଏମିତି : (୧) ଛୋଟ ଚାଷୀ ଅଧିକ ଅମଳକ୍ଷମ ବିହନ, ରାସାୟନିକ ସାର ଏବଂ କୀଟନାଶକ ପ୍ରୟୋଗ କରିବାପାଇଁ ପ୍ରକୃତରେ ଅସମର୍ଥ ଥିଲେ । ସେମାନଙ୍କର ପୁଞ୍ଜି ନଥିଲା । (୨) ଜଳସେଚନ ପାଇଁ ଚିନ୍ତା କଲାବେଳେ ଜଳର ଭବିଷ୍ୟତ ପାଇଁ ଆଦୌ ଗୁରୁତ୍‌ ଦିଆଯାଇନଥିଲା । (୩) ଉଭୟ ରାସାୟନିକ ସାର ଏବଂ କୀଟନାଶକ ଆମ ପରିବେଶ ନିମନ୍ତେ ଭୟଙ୍କର ସାବ୍ୟସ୍ତ ହୋଇଥିଲା । ଗବେଷଣାରୁ ଜଣାପଡ଼ିଛି ଯେ (ନାସାର ଅଧ୍ୟୟନ) ଭାରତର ଜଳସ୍ତର ବର୍ଷକୁ ୦.୩୦ ମିଟର ହାରରେ କମୁଛି । କେବଳ ୨୦୦୨ ରୁ ୨୦୦୪ ଭିତରେ ଦେଶରେ ଖର୍ଚ୍ଚ ହୋଇଛି ୧୦୯ ଘନ କିଲୋମିଟର ପାଣି (୪) ଅଧ୍ୟୟନରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ପ୍ରଥମ ସବୁଜ ବିପ୍ଳବର ଜ୍ଞାନ କୌଶଳକୁ ପଇସା ଖର୍ଚ୍ଚ କରି ପରଖିଥିବା କିଛି କୃଷକ ଅବଶିଷ୍ଟ ଜୀବନ ଧାର ଉଧାରରେ ବୁଡ଼ି ରହିଥିଲେ । (୫) କୃଷିପାଇଁ ଯନ୍ତ୍ରପାତିର ବ୍ୟବହାର ସ୍ଥଳ ବିଶେଷରେ ବେକାରୀ ଏବଂ ସେହି କ୍ରମରେ ବୈଷମ୍ୟର କାରଣ ପାଲଟିଲା । (୬) ଅନେକଙ୍କ ମତରେ ପ୍ରଥମ ସବୁଜ ବିପ୍ଳବ କେବଳ ସଫଳ ହୋଇଥିଲା ପଞ୍ଜାବ, ହରିୟାଣା ଏବଂ କେତେକାଂଶରେ ଉତ୍ତରପ୍ରଦେଶରେ । ଅର୍ଥାତ୍‌, ଭାରତର ଅନ୍ୟାନ୍ୟ ରାଜ୍ୟରେ ଫସଲ ଉତ୍ପାଦନ ବଢ଼ିଥିଲେ ହେଁ ସବୁଜ ବିପ୍ଲବ ସେତେଟା ପ୍ରଭାବଶାଳୀ ହୋଇପାରିନଥିଲା ।

 

ଦ୍ୱିତୀୟ ସବୁଜ ବିପ୍ଳବର ପୃଷ୍ଠଭୂମି ଅନ୍ୟାନ୍ୟ କାରଣରୁ ଭିନ୍ନ । (୧) ଦେଶରେ ଚାଷ ଜମି କମିଛି ଏବଂ ଏହି ପ୍ରକ୍ରିୟା ଆଗକୁ ବଳବତ୍ତର ରହିବ । ଅନ୍ୟ ଅର୍ଥରେ, ଆମକୁ ଚିନ୍ତା କରିବାପାଇଁ ପଡ଼ିବ କେମିତି କମ୍‌ ଜମିରୁ ଉତ୍ପାଦନ ଅଧିକ ହେବ । ମନେ ରଖିବା ପାଇଁ ପଡ଼ିବ ଯେ କେବଳ ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ନୁହେଁ, ଦେଶର ଅନେକ ରାଜ୍ୟର କୃଷି ଉତ୍ପାଦନ ପଞ୍ଜାବ ଓ ହରିୟାଣାର ଉତ୍ପାଦନଠାରୁ ଯଥେଷ୍ଟ କମ୍‌ । ଆଲୋଚ୍ୟ ଉଭୟ ରାଜ୍ୟରେ ହେକ୍ଟର ପିଛା ଗହମ ଉତ୍ପାଦନ ୪,୫୦୦ କିଲୋଗ୍ରାମ୍‌ ହୋଇଥିବା ସ୍ଥଳେ ଅବଶିଷ୍ଟ ଭାରତରେ ଏହା ୩.୦୭୫ କିଲୋଗ୍ରାମ ଏବଂ ବିଶ୍ଵରେ ଏହା ହାରାହାରି ୩୨୫୭ କିଲୋଗ୍ରାମ୍‌ । ସେହିପରି ପଞ୍ଜାବରେ ଧାନ ଉତ୍ପାଦନ ହେକ୍ଟର ପିଛା ୬୦୦୦ କିଲୋଗ୍ରାମ ହୋଇଥିବାବେଳେ ଚୀନ୍‌ରେ ଏହା ୬୭୦୯ କିଲୋଗ୍ରାମ । ଏ ଅସାମଞ୍ଜସ୍ୟକୁ ଦ୍ୱିତୀୟ ସବୁଜ ବିପ୍ଳବରେ ଦୂର କରିବାକୁ ପଡ଼ିବ । (୨) କେବଳ ଚାଷ ଜମି କମିନାହିଁ । ପାଣି ବି ଯଥେଷ୍ଟ କମିଛି । ପ୍ରଥମ ସବୁଜ ବିପ୍ଲବ, ଶିଳ୍ପାୟନ ଏବଂ ପାଣିର ଅପବ୍ୟବହାର ଭୀଷଣ ଅସନ୍ତୁଳନ ସୃଷ୍ଟି କରିସାରିଛି । ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଆମର ନଦୀ । ତେଣୁ ନୂଆ ବିପ୍ଲବ କେବଳ କୃଷି ବିଜ୍ଞାନକୁ ଭିତ୍ତି କରିବା ଯଥେଷ୍ଟ ହେବ ନାହିଁ, ଜଳ ସମ୍ପଦର ସୁଚିନ୍ତିତ ବ୍ୟବହାର ଉପରେ ପ୍ରାଧାନ୍ୟ ଦେବ। ଉଲ୍ଲେଖଯୋଗ୍ୟ ଯେ ଆମର ମଧୁର ଜଳର ୭୦ ପ୍ରତିଶତ ବ୍ୟବହାର ହୁଏ କେବଳ କୃଷିରେ । ଉଦାହରଣ: ସିଞ୍ଚନ ପ୍ରଣାଳୀ ପରି ବିକଶିତ ବ୍ୟବସ୍ଥା ଜଳସେଚନରୁ ମାଧ୍ୟମ ହେବ ଏବଂ କମ୍‌ ପାଣି ବ୍ୟବହାର କରି ଅଧିକ ଫସଲ ଉତ୍ପାଦନ କରିବାପାଇଁ ପଢ଼ିବ । (୩) କୃଷିରେ ରାସାୟନିକ ପ୍ରୟୋଗକୁ ଏକାବେଳକେ ବନ୍ଦ କରିଦେଇ ହେବନାହିଁ । କିନ୍ତୁ ପରିବେଶକୁ ସମାନ ଗୁରୁତ୍ଵ ଦିଆଯିବ ମୃତ୍ତିକାର ସ୍ଵାସ୍ଥ୍ୟ ରକ୍ଷାପାଇଁ ଏକ ସନ୍ତୁଳିତ ଆହାର ଯୋଗାଇ ଦିଆଯିବ, ଯାହା ଉଭୟ ରାସାୟନିକ ଏବଂ ଜୈବିକ ସାରକୁ ନେଇ ସନ୍ତୁଳିତ ହେବ । ରାସାୟନିକ କୀଟନାଶକ ସବୁ ଫସଲରେ ବ୍ୟବହାର ଆବଶ୍ୟକ ନାହିଁ ବୋଲି ଗବେଷଣା ସ୍ପଷ୍ଟ କଲାଣି । ତେଣୁ ବିଜ୍ଞାନସିଦ୍ଧ କୃଷି ପ୍ରାକୃତିକ କୀଟନାଶକର ବ୍ୟବହାର ଉପରେ ଗୁରୁତ୍ୱ ଦେବ । ଏଥିପାଇଁ ଭାରତରେ ଆଵଶ୍ୟକ କଞ୍ଚାମାଲର ଅଭାବ ନାହିଁ । (୪) ମାଟିପାଇଁ କେବଳ ସନ୍ତୁଳିତ ଆହାର ଯଥେଷ୍ଟ ନୁହେଁ, କୃଷି କ୍ଷେତ୍ରରେ ଅଧିକ ଗବେଷଣାର ସମାନ ଆବଶ୍ୟକତା ରହିଛି, ଯାହା ଆଉ ସରକାରୀ କ୍ଷେତ୍ରରେ ସୀମିତ ହୋଇ ରହିବନାହିଁ । (୫) ଏବେ ଜଳବାୟୁ ପରିବର୍ତ୍ତନ ଏବଂ କୃଷି ଉପରେ ଏହାର ପ୍ରଭାବ ଚିନ୍ତାର କାରଣ ପାଲଟିଛି । ଆମକୁ ଏ ପରିବର୍ତ୍ତିତ ଆହ୍ୱାନର ମୁକାବିଲା କରିବାପାଇଁ ପଡ଼ିବ । ଆମେ ଉଭୟ ବିହନ ଏବଂ କୃଷି ପ୍ରଣାଳୀ ଏମିତି ସ୍ଥିର କରିବା ଯାହା ପ୍ରକୃତି ସହିତ ଯୁଝି ପାରିବ । ବର୍ଷା ଅଧିକ ଦିନ ହୋଇପାରେ, ମରୁଡ଼ି ସ୍ଥିତି ଉତ୍ପନ୍ନ ହୋଇପାରେ କିନ୍ତୁ ଫସଲ ସଂପୂର୍ଣ୍ଣ ନଷ୍ଟ ହେବନାହିଁ । ବନ୍ୟା, ବର୍ଷା ଏବଂ ମରୁଡ଼ିକୁ ସହୁଥିବା ଫସଲ ବିକଶିତ ହେବା ଆରମ୍ଭ ହୋଇସାରିଛି । ଏବଂ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । (୬) ଫସଲ ଉତ୍ପାଦନ ଏବଂ ପାଣିପାଗ ସ୍ଥିତିର ସଠିକ୍‌ ପୂର୍ବାନୁମାନ ପାଇଁ ରିମୋର୍ଟ ସେନ୍‌ସିଂ ଜ୍ଞାନକୌଶଳର ବ୍ୟାପକ ଉପଯୋଗ କରାଯିବ । (୭) ଭୂସଂସ୍କାର, ଯାହା ଭାରତରେ ଅଧା ସ୍ୱର୍ଗରେ ରହିଛି- ସେହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । (ଓଡ଼ିଶା ପରି ରାଜ୍ୟରେ ଭାଗଚାଷୀଙ୍କ ପାଇଁ ସୁବିଧା ନଥିବାରୁ ୨୦୧୫ରେ ୧୦୦ ରୁ ଅଧିକ କୃଷକ ଆତ୍ମହତ୍ୟା କରିସାରିଛନ୍ତି ବୋଲି ମତ ପ୍ରକାଶ ପାଇଛି) । (୮) କୃଷି ଋଣ ସହଜ ହେବ ଏବଂ କୃଷିବୀମା ସମନ୍ୱିତ ହେବ । ଆପାଦକାଳୀନ ସ୍ଥିତିରେ କୃଷକମାନଙ୍କୁ କ୍ଷତିପୂରଣ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଯେଗାଇ ଦିଆଯିବ । ଲୋକେ ଚାଷରୁ ମୁହଁ ମୋଡ଼ି ଦେଉଛନ୍ତି । ତେଣୁ ଆମକୁ ଏମିତି କିଛି କରିବାକୁ ପଡ଼ିବ ଯେଉଁଥିରେ କୃଷକ ଚାଷକୁ ବାହୁଡ଼ିବ। (୯) ଖାଦ୍ୟ ଶସ୍ୟର ବିକ୍ରି ପାଇଁ ବିପଣନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ, ଅର୍ଥାତ୍‌ ଅଭାବୀ ବିକ୍ରି ହେବନାହିଁ ।

 

କେନ୍ଦ୍ର ସରକାରଙ୍କ ଚଳିତ ବଜେଟ୍‌ କୃଷକମାନଙ୍କ ପାଇଁ ଅନେକାଂଶରେ ଭଲ ଖବର ଆଣିଛି, କିନ୍ତୁ ଦ୍ୱିତୀୟ ସବୁଜ କ୍ରାନ୍ତିକୁ ମାଟିକୁ ଓହ୍ଲାଇବାକୁ ହେଲେ ଆଗକୁ ଢେର ଅଧିକ କରିବାପାଇଁ ପଡ଼ିବ । ଭାରତର ଅଧା ପରିବାର ଚାଷ ଉପରେ ନିର୍ଭର କରନ୍ତି ଏବଂ ଦେଶର ଅର୍ଥନୈତିକ ବିକାଶକୁ ଅନ୍ତର୍ଭୁକ୍ତୀ କରିବାପାଇଁ ଆଗ ମଜବୁତ୍‌ କରିବାପାଇଁ ପଡ଼ିବ କୃଷି ଅର୍ଥନୀତିକୁ-

(ସମାଜ, ତା ୨୯/୩/୨୦୧୬)

Image

 

କର୍କଟକ୍ରାନ୍ତି : ଯନ୍ତ୍ରଣା ଓ ଆଶା ଚିରହରିତ୍‌

 

ମୁଖଗହ୍ୱର କର୍କଟ ପାଇଁ ମୁମ୍ବାଇରେ ତୃତୀୟ ଥର ଅପରେସନ୍‌ ପରେ ଅକ୍ଟୋବର ୨୦୧୫ରେ ପ୍ରିୟ ବନ୍ଧୁ ତଥା ସାହିତ୍ୟିକ ସାରଦା (ସାରଦା ପ୍ରସାଦ ମିଶ୍ର) ଯେତେବେଳେ ଭୁବନେଶ୍ଵର ଫେରିଥିଲା, ଆମ ଅନେକଙ୍କର ବିଶ୍ଵାସ ଥିଲା–ଏଥର ପ୍ରାୟ ସବୁ ଠିକ୍‌ ହୋଇଯିବ । ପ୍ଲାଷ୍ଟିକ ସର୍ଜରୀ ସଫଳ ଥିଲା ଏବଂ ସାରଦାର ମୁହଁ କ୍ରମଶଃ ସ୍ଵାଭାବିକ ମନେ ହେଉଥି‌ଲା । ମାତ୍ର ୧୫/୨୦ ଦିନ ବିଶ୍ରାମ ପରେ ସାରଦା ସରକାରୀ ଡ୍ୟୁଟିରେ ଯୋଗ ଦେଇଥିଲା । ଡାକ୍ତର ପରାମର୍ଶ ଅନୁଯାୟୀ, ଆଗକୁ ୪ ମାସ ରେଡିଏସନ୍‌ ମଧ୍ୟ ଜାରି ରହିଲା । ସମସ୍ୟା ଥିଲା ଗୋଟିଏ-। ଉଭୟ ପ୍ଲାଷ୍ଚିକ ସର୍ଜରୀ ଏବଂ ରେଡିଏସନ୍‌ ପ୍ରଭାବରେ ସହଜରେ ବୁଝିହେବା ଭଳି କଥାବାର୍ତ୍ତା ସାରଦା କରିପାରୁନଥିଲା । ଫିଜିଓଥେରାପି ନିମନ୍ତେ ପରାମର୍ଶ ସହିତ ଡାକ୍ତର ଧୈର୍ଯ୍ୟ ରଖିବା ପାଇଁ କହିଥିଲେ । ଅବଶ୍ୟ, ଏ ଅସୁବିଧା ଦୂର କରିବା ପାଇଁ ସେ ଦୁଇଟି ବାଟ ବାଛିଥିଲା । (୧) ରାଇଟିଂ ପ୍ୟାଡର ବ୍ୟବହାର, (୨) ଏସ୍‌.ଏମ୍‌.ଏସ୍‌- ମୋବାଇଲରେ । ତେବେ ମଜା କଥା ହେଉଛି, ସାରଦାର ଏସ୍‌.ଏମ୍‌.ଏସ୍‌. ବା ‘ସଂକ୍ଷିପ୍ତ କଥାବାର୍ତ୍ତା ସେବା’ କଦାଚିତ୍‌ ସଂକ୍ଷିପ୍ତ ଥିଲା । ଅନେକ ସମୟରେ ତାହା ମନେ ହେଉଥିଲା ତା' ନିଜ କ୍ଷୁଦ୍ର ଗଳ୍ପର ଏକ ଅଂଶ ପରି । ହଁ, ‘କଥା' ର ଶାରଦୀୟ ସଂଖ୍ୟାରେ ସାରଦା ଲେଖିଥିଲା ଏକ ମର୍ମସ୍ପର୍ଶୀ ଉପନ୍ୟାସ ‘ଜୀବାଶ୍ମ’, ଯାହା କ୍ୟାନ୍ସ‌ର ଉପରେ ଆଧାରିତ ଥିଲା । ପ୍ରକାଶନ ଉତ୍ତାରୁ ସାରାରାଜ୍ୟରେ ଅପୂର୍ବ ଲୋକପ୍ରିୟତା ହାସଲ କରିଥିଲା ଉପନ୍ୟାସଟି । ଏଥିରେ କିଛି ଘଟଣା / ବିବରଣୀ ସାରଦାର ବ୍ୟକ୍ତିଗତ ଜୀବନ ସହିତ ସଂପର୍କିତ ଥିଲା ।

 

ଭୁବନେଶ୍ୱର ଆସିବା ପରେ ପରେ ସାରଦାକୁ ପଢ଼ିବା ପାଇଁ ଦେଇଥିଲି ୨ଟି ବହି- (୧) ସିଦ୍ଧାର୍ଥ ମୁଖାର୍ଜୀଙ୍କ ଚର୍ଚ୍ଚିତ ଏବଂ ୨୦୧୧ରେ ‘ଅଣଗଳ୍ପ' ବର୍ଗରେ ପୁଲିଜର ପୁରସ୍କାରରେ ସମ୍ମାନିତ, ‘ଦି ଏମ୍ପରର ଅଫ ଅଲ୍‌ ମାଲାଡିଜ୍‌’ ଯାହାକୁ ଶେଷ କରିବା ପାଇଁ ସାରଦା ଆଗରୁ ସମୟ ପାଇନଥିଲା । (୨) ଅନୀତା ମୁରଝାନିଙ୍କ 'ଡାଇଂ ଟୁ ବି ମି’ । ଉଭୟ ବହି ବେଶ୍‌ ସମୟ ‘ବେଷ୍ଟ ସେଲର୍‌’ ଚାଲିକାରେ ଥଲେ । ସିଦ୍ଧାର୍ଥଙ୍କ ଗ୍ରନ୍ଥ କ୍ୟାନ୍‌ସର୍‌ ଉପରେ ଏକ ଗବେଷଣା ଥିଲା । ଅନ୍ୟପକ୍ଷରେ ଅନୀତା ତାଙ୍କ ବହିରେ କ୍ୟାନ୍ସର ସହିତ ଆପଣା ଅନୁଭୂତି ଅତିରିକ୍ତ ଏକ ଭିନ୍ନସ୍ତରର ଅନୁଭୂତି ସଂପର୍କରେ ଚମତ୍କାର ଆଲୋଚନା କରିଥିଲେ ।

 

ଅନୀତାଙ୍କ ବାପା-ମା' ଭାରତୀୟ ଥିଲେ । ବ୍ୟାବସାୟିକ କାରଣରୁ ସେମାନେ ରହୁଥିଲେ ହଂକଂରେ, ଯେଉଁଠି ଅନୀତା ଏବଂ ତାଙ୍କ ଭାଇ ମଧ୍ୟ ରହୁଥିଲେ । ୨୦୦୨ରେ ବେକରେ ଏକ ଅସ୍ଵାଭାବିକ ବୃଦ୍ଧି (ଆବୁ) ଲକ୍ଷ୍ୟ କରିଥିଲେ ଅନୀତା । ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ତାହା କ୍ୟାନ୍ସର୍‌ । ତେବେ କ୍ୟାନସର୍‌ ପାରମ୍ପରିକ ଚିକିତ୍ସା ପାଇଁ ସେ ଜମାରୁ ରାଜି ନଥିଲେ । ବାସ୍‌, ତେଣିକି ଆରମ୍ଭ ହେଲା ବିକଳ୍ପ ଚିକିତ୍ସାର ତଲାସ । ଭାରତ ଆସି ପାଖାପାଖି ବର୍ଷେ କାଳ ଏକ ଯୋଗଗୁରୁଙ୍କ ପାଖରେ ସେ ଥିଲେ । ଏସବୁ ଭିତରେ ଡାକ୍ତରୀ ଚିକିତ୍ସା ବିଳମ୍ବ ହୋଇସାରିଥିଲା । ହଂକଂରେ ଏକ କ୍ୟାନ୍‌ସର୍‌ ହସପିଟାଲକୁ ଯେତେବେଳେ ସେ ଗଲେ, ଡାକ୍ତରମାନେ ଜଣାଇ ଦେଇଥିଲେ, ଆଉ ଖୁବ୍‌ ଅଧିକ କିଛି କରିହେବ ନାହିଁ । ଅନୀତାଙ୍କ ଲିମ୍ଫୋମା ସେତେବେଳେ ଦେହସାରା ବ୍ୟାପି ସାରିଥିଲା । ବେକଠୁ ପେଟ ପର୍ଯ୍ୟନ୍ତ ଲେମ୍ବୁ ଆକୃତିର ଆବୁ ଭର୍ତ୍ତି ହୋଇଯାଇଥିଲା । ଫୁସ୍‌ଫୁସ୍‌ରେ ପାଣି ଜମିଯିବା ଯୋଗୁ ନିଃଶ୍ଵାସ-ପ୍ରଶ୍ଵାସ ନେବାରେ କଷ୍ଟ ହେଉଥିଲା ଏବଂ ଘରେ ବି ଅକ୍ସିଜେନ ସିଲିଣ୍ଡର ସେ ବ୍ୟବହାର କରୁଥିଲେ । ଫୁସ୍‌ଫୁସ୍‌ରୁ ନିୟମିତ ବ୍ୟବଧାନରେ ପାଣି କଢ଼ା ହେଉଥିଲା । ଫେବୃଆରୀ ୨, ୨୦୦୬ରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଲା ଏବଂ ସେ 'କୋମା’କୁ ଚାଲିଗଲେ । ଡାକ୍ତରମାନେ ସେଦିନ ସ୍ପଷ୍ଟ କରିଦେଇଥିଲେ ଯେ ଖୁବ୍‌ ବେଶୀରେ ଆଉ ୨/୩ ଦିନ । ଅନୀତାଙ୍କ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେଇଥିଲେ । ପାଠକେ, ଏହାପରେ ଯାହା ଘଟିଥି‌ଲା ତାହା ପ୍ରକୃତରେ ଅବିଶ୍ଵସନୀୟ । ୩୬ ଘଣ୍ଟା ପରେ ଯେତେବେଳେ ଅନୀତା କୋମାରୁ ପ୍ରତ୍ୟାବର୍ତ୍ତନ କଲେ, ସେ ନିଜ ପରିବାର ଓ ଡାକ୍ତରମାନଙ୍କୁ ଜଣାଇଥିଲେ ଯେ ସେତକ ସମୟ ସେ ଏକ ଅପୂର୍ବ ଉଜ୍ଜ୍ଵଳ ଦୁନିଆରେ ଥିଲେ । ଅର୍ଥାତ୍‌, ସେ ନିଜ ଦେହ ବାହାରକୁ ଚାଲିଯାଇଥିଲେ, ଯେଉଁଠି ବିରାଜମାନ କରୁଥିଲା ପରମ ଶାନ୍ତି । ଦୈହିକ ଯନ୍ତ୍ରଣା, ଅବସାଦ ଓ କ୍ଳାନ୍ତିଠୁ ଯଥେଷ୍ଟ ଦୂରରେ ସେ ଇଲାକା ଚିର ଉଦ୍ଭାସିତ ଥିଲା । ସେଇ ରମ୍ୟ ପରିବେଶକୁ ଛାଡ଼ି ନିଜ ଦେହକୁ ଫେରିବାର ସାମାନ୍ୟତମ ଇଚ୍ଛା ଅନୀତାଙ୍କର ନଥିଲା । ମାତ୍ର ସେଇଠି ତାଙ୍କ ସହିତ ସାକ୍ଷାତ ହୋଇଥିବା ନିଜ ବାପା ଏବଂ ଜଣେ ବନ୍ଧୁ (ଯେଉଁମାନେ ଆଗରୁ ପ୍ରାଣତ୍ୟାଗ କରିଥିଲେ) ବୁଝେଇଥିଲେ ଯେ ଏଠିକୁ ଆସିବା ପାଇଁ ଉପଯୁକ୍ତ ସମୟ ହୋଇନାହିଁ, ବରଂ ସେ ନିଜ ଦେହକୁ ଫେରିଯାଇ ନିର୍ଭୟରେ ରହିବା କଥା । ସେମାନଙ୍କ ସୌଜନ୍ୟରୁ ଅନୀତାଙ୍କର ଉପଲବ୍ଧ ହୋଇଥିଲା ଯେ କ୍ୟାନ୍‌ସର୍‌ ମନର ଭୟ ଓ ବିକାର; ଯେଉଁଥିରୁ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ପାଠକେ, ଅନୀତା କୋମାରୁ ଫେରିବାର ୪ ଦିନ ପରେ ତାଙ୍କ ଦେହର ୭୦% ଟ୍ୟୁମର୍‌ ଆଉ ନଥିଲା । ପାଞ୍ଚ ସପ୍ତାହ ପରେ ଯେତେବେଳେ ଡାକ୍ତରଖାନା ଛାଡ଼ିବା ଆଗରୁ ଏକାଧିକ ବିଭାଗର ବରିଷ୍ଠ ଡାକ୍ତର ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କଲେ, ସେମାନେ ପରସ୍ପର ମୁହଁକୁ ଚାହିଁ ହତବାକ୍‌ ହେବା ବ୍ୟତୀତ ଆଉ ଅଧିକ କିଛି କରିପାରିନଥିଲେ । ଅନୀତାଙ୍କ ଦେହରେ କର୍କଟର ଚିହ୍ନବର୍ଣ୍ଣ ଆଉ ନଥିଲା ।

 

ସାରଦାକୁ କହିଥିଲି ଯେ ଏବେ ନୂଆ ଚିକିତ୍ସା ସମ୍ଭବ ହେଲାଣି ଯାହାକୁ ‘ଟାର୍ଗେଟେଡ୍‌ ଥେରାପି' କୁହାଯାଉଛି । ଏହା କେମୋଥେରାପିଠାରୁ ଭିନ୍ନ । ‘ଟାର୍ଗେଟେଡ୍‌ ଥେରାପି’ ନିର୍ଦ୍ଦିଷ୍ଟ ଭାବରେ ଶରୀରର ସେଇ ତତ୍ତ୍ଵମାନଙ୍କ ସହିତ ଯୁଝନ୍ତି, ଯେଉଁମାନେ କ୍ୟାନ୍‌ସର୍‌କୁ ବ୍ୟାପକ କରିବା ପାଇଁ ଚେଷ୍ଟାରେ ଥାଆନ୍ତି । ହର୍‌ମୋନ୍‌ ଥେରାପି, ଇମ୍ୟୁନୋଥେରାପି ଏବଂ ସିଗ୍‌ନାଲ୍‌ ଇନହିବିଟର୍ସ ଏଇ ପର୍ଯ୍ୟାୟଭୁକ୍ତ । ଏ କଥା ମଧ୍ୟ ଜଣାଇଥିଲି ଯେ ଯୁକ୍ତରାଷ୍ଟ୍ରରେ ଅପେକ୍ଷାକୃତ ଦୀର୍ଘ ଏବଂ ଯନ୍ତ୍ରଣାଦାୟକ କେମୋଥେରାପି ବଦଳରେ ସରକାର ପରୀକ୍ଷାମୂଳକ ଭିତ୍ତିରେ ମାସକୁ ଥରେ ଏକ ନୂଆ ଇଞ୍ଜେକ୍ସନ ନେବାପାଇଁ ଅନୁମତି ଦେଇଛନ୍ତି । ଟେକ୍ସାସର ଏକ କ୍ୟାନ୍‌ସର୍‌ ହସପିଟାଲ ଏବଂ ଗବେଷଣା କେନ୍ଦ୍ରରେ ଏମିତି ଘଟିଛି । ରୋଗୀର ଟ୍ୟୁମରରୁ କିଛି ଅଂଶ ପରୀକ୍ଷା ପାଇଁ ନିଆଯାଇଥିଲା ଏବଂ ସେଇ ଆଧାରରେ ପ୍ରସ୍ତୁତ ହୋଇଥିଲା ଇଞ୍ଜେକ୍ସନ । ସାରଦା କେଇଦିନ ତଳେ ସାମୟିକ ଭାବରେ ପୁଣି ଅସୁସ୍ଥ ହୋଇପଡ଼ିଥିଲା, ଯାହା କେତେକାଂଶରେ କର୍କଟଜନିତ ଥିଲା । ଡାକ୍ତରଖାନାରେ ତା ପାଖରେ ବସିଥିବାବେଳେ ପ୍ୟାଡ୍‌ ନେଇ ସେ ଲେଖିଲା ଯେ ସିଦ୍ଧାର୍ଥ ମୁଖାର୍ଜୀଙ୍କ ବହିରେ ଭୋଲଟେୟାରଙ୍କ ଏକ ପ୍ରସିଦ୍ଧ ଭକ୍ତିର ଉଦ୍ଧୃତି ରହିଛି । ‘‘ଡାକ୍ତରମାନେ ସେଇ ଲୋକ, ଯେଉଁମାନେ ରୋଗୀ ପାଇଁ ସେମାନେ ଲେଖିଥିବା ଔଷଧ ବାବଦରେ ଅଳ୍ପ ଜାଣନ୍ତି, ଯେଉଁ ରୋଗ ଭଲ କରିବା ପାଇଁ ବାହାରିଥାନ୍ତି ସେ ରୋଗ ବାବଦରେ ଆହୁରି କମ୍‌ ଜାଣନ୍ତି ଏବଂ ଯେଉଁ ରୋଗୀର (ମଣିଷ ଅର୍ଥରେ) ଉପଚାର ପାଇଁ ଏ ସମସ୍ତ ବ୍ୟବସ୍ଥା–ତା' ଉପରେ ବିଲକୁଲ କିଛି ଜାଣନ୍ତି ନାହିଁ ।” ମୁଁ କହିଲି, ସବୁ ନିରାଶା ଭିତରେ ବି କ୍ୟାନ୍‌ସର୍‌କୁ ଲୋକେ ବାଜିମାତ୍‌ କରୁଛନ୍ତି । ବିଜ୍ଞାନ ହାରିନାହିଁ । ନା, ହାରିଛି ମଣିଷର ଇଚ୍ଛାଶକ୍ତି ।

 

କର୍କଟ କ୍ଷେତ୍ରରେ ଉଚ୍ଚତର ଗବେଷଣା ସ୍ପଷ୍ଟ କରୁଛି ଯେ ୟାକୁ ଆୟତ୍ତାଧୀନ କରିବାକୁ ହେଲେ ଜିନ୍‌ଜଗତରେ ତେରଟି ମୂଳ ରାସ୍ତାର ରହସ୍ୟ ଭେଦିବାକୁ ହେବ, ଯାହା; କ୍ୟାନ୍‌ସର୍‌ର ନିରାକରଣ ପାଇଁ ମଧ୍ୟ ସହାୟକ ହେବ । ସାରଦା ପ୍ୟାଡ଼୍‌ରେ ଲେଖିଥିଲା ଯେ ଅବିକଳ କାହିଁକି କ୍ୟାନ୍‌ସର୍‌ ହୁଏ ଏବଂ କେଉଁ ବିଶେଷ ଜୈବିକ ପ୍ରକ୍ରିୟା ଯୋଗୁଁ ଜୀବକୋଷର ବିକୃତ, ବିଶୃଙ୍ଖଳ ଏବଂ ନାଟକୀୟ ଦ୍ରୁତ ବିଭାଜନ ଘଟେ, ସେ କଥା ଏଯାଏ ବିଜ୍ଞାନ ଜାଣିନାହିଁ । ଅନ୍ୟପକ୍ଷରେ, ଯେଉଁସବୁ କାରଣକୁ ସାଧାରଣ ଅର୍ଥରେ ଆମେ କ୍ୟାନ୍‌ସର୍‌ ସୃଷ୍ଟିକାରୀ ବୋଲି ମନେ କରୁଛୁ, ଯଥା–କମ୍‌ ତନ୍ତୁଯୁକ୍ତ ଖାଦ୍ୟ, ନିରାମିଷ (ବିଶେଷକରି ମାଂସ) ଆହାର, ମୋଟାପଣ, ଖାଦ୍ୟଶସ୍ୟ / ପନିପରିବାରେ ରାସାୟନିକ କୀଟନାଶକ ପ୍ରୟୋଗ–ଏସବୁ ନିର୍ଣ୍ଣୟ ଶତପ୍ରତିଶତ ଗ୍ରହଣୀୟ ବୋଲି ପ୍ରମାଣ ବି ନାହିଁ । ସେ ପୁଣି ସିଦ୍ଧାର୍ଥଙ୍କ ପ୍ରସଙ୍ଗ ଉଠାଇ କହିଲା, ଶରୀରର ସୁସ୍ଥ / ସ୍ଵାଭାବିକ ଜୀବକୋଷମାନେ ନିଜ ବିଭାଜନ ପାଇଁ ଦୀର୍ଘ ସମୟ ନେଉଥିଲେହେଁ କେଉଁ ବିଶେଷ କାରଣରୁ ଷ୍ଟେମ୍‌ସେଲ୍‌ ପରି କ୍ୟାନ୍ସର ସେଲ୍‌ମାନେ ଧ୍ୱଂସ / ବିଲୟର ଶାଶ୍ଵତ ସତ୍ତା ହୋଇ ରହିଥାନ୍ତି, ତାହା ଆଜି ବି ବିସ୍ମୟ ଘେରରେ । (ଗବେଷକମାନଙ୍କ ମତ ଯେ, କିଛି କ୍ୟାନ୍‌ସର୍‌ ରୋଗୀଙ୍କ କ୍ଷେତ୍ରରେ କ୍ୟାନ୍‌ସର୍‌ ସେଲ୍‌ମାନଙ୍କ ବ୍ୟବହାର ଅବିକଳ ଷ୍ଟେମସେଲ୍‌ ପରି ହୋଇଥାଏ । ତଫାତ୍‌ ଏଇଆ: ଷ୍ଟେମ୍‌ସେଲ୍‌ ସଂରଚନା / ସୃଜନାତ୍ମକ ଉଦ୍ୟୋଗ ହୋଇ ରହିଥାଏ, ମାତ୍ର କ୍ୟାନ୍‌ସର୍‌ ସେଲ୍‌ଙ୍କ ଅଭୀପ୍ସା ଥାଏ ଧ୍ୱଂସଲୀଳାରେ ମଗ୍ନ ରହିବା) । ମୁଁ କିଛି ସମୟ ଚୁପ୍‌ ରହିଲି । ସାରଦା ବି । ତା'ପରେ ସେ ପୁଣି ପ୍ୟାଡରେ ଲେଖିଲା, ‘‘ଏସବୁ ସତ୍ତ୍ୱେ ବି କ୍ୟାନ୍‌ସର୍‌ ତା' ଇଲାକାରେ ଅଖଣ୍ଡ ଅମରତ୍ୱରୁ ବଞ୍ଚିତ ହୋଇ ରହିଯିବ । ଥରେ ଥରେ ‘ବିସ୍ମୟ' ବି ସମ୍ଭବ ହେବା ଅପରିବର୍ତ୍ତିତ ରହିବ, ଯାହାର କୂଳକିନାରା କେହି ପାଇବେ ନାହିଁ ।’’ ଏଥର ମୁଁ ହସିଲି ।

(ପ୍ରମେୟ, ତା ୧୮/୩/୨୦୧୬)

 

ବନ୍ଧୁ ଓ ବିଶିଷ୍ଟ କଥାକାର ସାରଦା ପ୍ରସାଦ ମିଶ୍ରଙ୍କ ମହାପ୍ରୟାଣ ଘଟିଥିଲା ତା ୧୭ ଏପ୍ରିଲ ୨୦୧୬ରେ ।

Image

 

ମୃତ୍ୟୁର ଗଣତନ୍ତ୍ର

 

ମୁଖ ଗହ୍ୱର କର୍କଟ ପାଇଁ ଦେଶର ଏକ ପ୍ରତିଷ୍ଠିତ କ୍ୟାନ୍‌ସର୍‌ ହସ୍ପିଟାଲରେ ତିନି ବର୍ଷରେ ତିନି ଥର ଅପରେସନ ଏବଂ ରେଡିଏସନ ପରେ ଯେତେବେଳେ ମୋର ସବୁଠୁ ପ୍ରିୟ ବନ୍ଧୁ (ସାରଦା ପ୍ରସାଦ ମିଶ୍ର) ୨୦୧୫ରେ ଭୁବନେଶ୍ୱର ଫେରି ଆସିଥିଲେ, ତାଙ୍କ ନିଜ ସମେତ ଆମ ସମସ୍ତଙ୍କର ଧାରଣା ଥଲା ଯେ କ୍ୟାନ୍‌ସର୍‌ ଭୟ ଆଉ ନାହିଁ । କ୍ରମଶଃ ସବୁ ସ୍ଵାଭାବିକ ହୋଇଆସିବ । ତେବେ ସେମିତି ହୋଇନଥିଲା । ମାସ କେଇଟା ଭିତରେ ୪ର୍ଥ ଥର ପାଇଁ କ୍ୟାନ୍‌ସର୍‌କୁ ପୁଣି ଠାବ କରାଗଲା, ଯେତେବେଳେ ନିଶ୍ଵାସ ପ୍ରଶ୍ୱାସରେ ବନ୍ଧୁଙ୍କୁ କଷ୍ଟ ହେଲା । କ୍ୟାନସର ପ୍ରଭାବିତ କରୁଥିଲା ତାଙ୍କର ଗଳାକୁ । ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା ବନ୍ଧୁଙ୍କ ବାକ୍‌ଶକ୍ତି ଏଥର ଅଧିକ ପ୍ରଭାବିତ ହୋଇଥିଲା । ଶାରୀରିକ ଯନ୍ତ୍ରଣା ତ ସମସ୍ୟା ଥିଲା, ତେବେ ତା'ଠୁ ଅଧିକ ସ୍ପର୍ଶକାତର ଥିଲା ତାଙ୍କର ମାନସିକ ସ୍ଥିତି । ଯନ୍ତ୍ରଣା, ଭୟ ଏବଂ କ୍ୟାନ୍‌ସର୍‌ ଚିକିତ୍ସାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ବନ୍ଧୁଙ୍କୁ ଅନେକ ସମୟରେ ଏକ ନକାରାତ୍ମକ ସ୍ଥିତିକୁ ନେଇ ଯାଇଥିଲା । ଏଣେ କଥାବାର୍ତ୍ତା କ୍ରମଶଃ କଷ୍ଟକର ଏବଂ ଅସ୍ପଷ୍ଟ ହୋଇ ଆସିବାରୁ ସେ ବ୍ୟବହାର କରୁଥିଲେ ରାଇଟିଂ ପ୍ୟାଡ ଏବଂ ମୋବାଇଲ ଏସ୍‌.ଏମ୍‌.ଏସ୍‌ । କେଇଦିନ ତଳେ ହସ୍ପିଟାଲ କ୍ୟାବିନରେ ବନ୍ଧୁଙ୍କ ସହିତ ଦେଖା ହୋଇଥିଲା । ତାଙ୍କର କେମୋଥେରାପି ଚାଲିଥାଏ । ରାଇଟିଂ ପ୍ୟାଡରେ ସେ ଲେଖିଲେ–‘‘୪ ବର୍ଷ ଧରି ମୁଁ ନିଷ୍ପତ୍ତି ନେଇଥିଲି ଯେ ଏତେ ସୁନ୍ଦର ପୃଥିବୀକୁ ଏତେ ଶୀଘ୍ର ଛାଡ଼ି ଚାଲିଯିବାର ପ୍ରଶ୍ନ ଉଠୁନାହିଁ । ତେଣୁ କ୍ୟାନ୍‌ସର୍‌ ସହିତ ରୀତିମତ ଲଢ଼ିବା ପାଇଁ ପଡ଼ିବ । ତାକୁ ପରାସ୍ତ କରିବା ପର୍ଯ୍ୟନ୍ତ । କିନ୍ତୁ କ୍ୟାନ୍‌ସର୍‌ର ଚତୁର୍ଥ ଆବିଷ୍କାର ଉଭୟ ମୋର ଦେହ ଓ ମନକୁ ଆସାତ କରି ଦେଇଛି । ମତେ କାହିଁ ଲାଗୁଛି, ତିନି ତିନିଥର ଜଟିଳ ଅପରେସନ, ରେଡିଏସନ ଏବଂ କେମୋ କ୍ୟାନସରକୁ ହରେଇ ତ ପାରିନି, ବରଂ ଶକ୍ତିଶାଳୀ କରିଛି । ମନ ଭାଙ୍ଗି ପଡ଼ିଲାଣି” ।

 

ଢେର୍‌ ପଢ଼ାପଢ଼ି କରିଥିବା ମୋର ପିଲାଦିନର ବନ୍ଧୁଙ୍କୁ ଏ ସ୍ଥିତିରେ ନିଜେ କିଛି ବୁଝେଇବା ସହଜ ନୁହେଁ ବୋଲି ମୁଁ ଜାଣିଥିଲି । ତେବେ ସେ ଜୀବନକୁ 'ନା’ କହନ୍ତୁ- ଏକଥା ମୁଁ ଚାହୁଁନଥିଲି । ପଚାରିଲି, ‘କାହାକୁ ପ୍ରକୃତ ଭୟ-ଯନ୍ତ୍ରଣାକୁ ନା ମୃତ୍ୟୁକୁ, ନା ଉଭୟକୁ ?' ବନ୍ଧୁ କିଛି ସମୟ ଚୁପ ରହିଲେ । ମୁଁ ପୁଣି କହିଲି, ଯନ୍ତ୍ରଣା ତ ଜୀବନ ସହିତ ବରାବର ସମାନ୍ତରାଳ ହୋଇ ରହିଛି, ଯଦିଓ ଏହାର ମାତ୍ରାରେ ତାରତମ୍ୟ ଅଛି । ଆଉ ମୃତ୍ୟୁ ? ଆମ ଅଜ୍ଞାତସାରରେ ଦେହ ତ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେଉଛି । ଏ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ଜନ୍ମରୁ ।

 

ପ୍ରସଙ୍ଗକ୍ରମେ ମୁଁ ଆଲୋଚନାକୁ ଆଣିଥିଲି ଡାକ୍ତର ମନୁ କୋଠାରୀ ଏବଂ ଡାକ୍ତର ଲୋପା ମେହେଟ୍ଟାଙ୍କ ପ୍ରସିଦ୍ଧ ପୁସ୍ତକ ‘ଲିଭିଂ ଡାଇଙ୍ଗ’ କୁ । ପାଠକମାନଙ୍କ ନିମନ୍ତେ ସ୍ପଷ୍ଟ କରୁଛି ଯେ ଡାକ୍ତର ମନୁ ଲୀଳାଧର କୋଠରୀ (୧୯୩୫–୨୦୧୪) ଏବଂ ଲୋପାଙ୍କ ଏଇ ପୁସ୍ତକ ପ୍ରକାଶନ ଉତ୍ତାରୁ ଚିକିତ୍ସା ଜଗତରେ ଯେତିକି ଆଲୋଚିତ ହୋଇଥିଲା, ସେତିକି ବିତର୍କିତ ବି ହୋଇଥିଲା । ବିତର୍କିତ ଏଇଥିପାଇଁ ଯେ ବହିର ଲେଖକଦ୍ୱୟ ନିଜ ନିଜ ବିଭାଗରେ ଜଣାଶୁଣା ଡାକ୍ତର ଥିଲେ ହେଁ ବହିରେ ଏମିତି କିଛି କଥା ଲେଖିଥିଲେ ଯାହା ଚିକିତ୍ସା ବିଜ୍ଞାନର ଉପହାସ କରୁଥିଲା । ସେମାନେ ଲେଖିଥିଲେ, ଅତ୍ୟାଧୁନିକ ପଞ୍ଚତାରକା ସ୍ଵାସ୍ଥ୍ୟସେବା ସହିତ ଯନ୍ତ୍ରଣା ଉପଶମର ସାମୟିକ ସମ୍ପର୍କ ହୁଏତ ଥାଇପାରେ, କିନ୍ତୁ ଜଣକୁ ସମ୍ପୂର୍ଣ୍ଣ ରୋଗମୁକ୍ତ କରିବାର–ଏପରିକି ମୃତ୍ୟୁକୁ ସାମୟିକ ଭାବେ ଟାଳି ଦେବାର ସାମାନ୍ୟତମ ସମ୍ପର୍କ ନାହିଁ । ଯଦି ଏମିତି କେହି କହୁଥାଏ ନଚେତ ଭାବୁଥାଏ, ତେବେ ତାହା ପ୍ରମାଦ । ଅନ୍ୟ ପକ୍ଷରେ, ଜୀବନ ପରି ମୃତ୍ୟୁର ଅଖଣ୍ଡ ରାଜତ୍ୱ । ଦୀର୍ଘ ଗବେଷଣାକୁ ଆଧାର କରି ସେମାନେ ସ୍ପଷ୍ଟ କରିଥିଲେ ଯେ ଥରେ ଥରେ ମୃତ୍ୟୁର କାରଣ ଆଦୌ କୌଣସି ଶାରୀରିକ କ୍ଲେଶ, ରୋଗବ୍ୟାଧି ବା ମାନସିକ ଚାପ ନୁହେଁ । ମୃତ୍ୟୁ ତ କେବଳ ଦଲକାଏ ନିର୍ମଳ ପବନ । ବେଶ୍‌ କିଛି କ୍ଷେତ୍ରରେ ମୃତ୍ୟୁ ସହିତ କୌଣସି ରୋଗର ଇତିହାସ ସମ୍ପୃକ୍ତ ନୁହେଁ; ସମ୍ପୃକ୍ତ ନୁହେଁ ବ୍ୟକ୍ତିର ମୃତ୍ୟୁ କାମନା । ମୃତ୍ୟୁ କେବଳ ମୃତ୍ୟୁ । ଚିକିତ୍ସା ବିଜ୍ଞାନୀମାନେ ମୂତ୍ୟୁର କାରଣ ଠାବ କରିପାରନ୍ତି ବୋଲି ଦାବି କରନ୍ତି, ମାତ୍ର ତାହା ପର୍ଯ୍ୟାପ୍ତ ନୁହେଁ । ମୃତ୍ୟୁ ବରଂ ଆପଣା ଇଲାକାରେ ଏକଦମ୍‌ ନିୟନ୍ତ୍ରିତ: ସଂଯତ ଏବଂ ସମୟାନୁବର୍ତ୍ତୀ । ଘଣ୍ଟାର ଚାବି ସହିତ ଏକ ଅନୁବନ୍ଧିତ ପ୍ରକ୍ରିୟା । ତେଣୁ ମଣିଷକୁ ନିରୋଳା ସମୟ କୁହାଯାଇପାରେ, ସମୟର ଉପାଦାନମାନଙ୍କୁ ନେଇ ଗଢ଼ା ହୋଇଥିବା ଏକ ପିଣ୍ଡ କୁହାଯାଇପାରେ ।

 

ତେବେ ଯାହା ନିରାଟ ସତ୍ୟ, ତାହା ହେଉଛି ମଣିଷ ପ୍ରତି କ୍ଷଣରେ ପରିବର୍ତ୍ତନକୁ ସାମ୍‌ନା କରିବା । ସକାଳ ୯ ଟାରେ ଆପଣ ଯେମିତି ନିଜକୁ ଭେଟିଥିଲେ, ରାତି ୯ଟାରେ ସେଇ ସମାନ ମଣିଷ ଆପଣ ନୁହଁନ୍ତି । ଦେହ ତ ଆରମ୍ଭରୁ ନିୟମ ମାନିବା ପାଇଁ ପ୍ରତିଶ୍ରୁତିବଦ୍ଧ-ଅର୍ଥାତ-ଆମେ ସ୍ଵୟଂ ସମୟ । ବନ୍ଧୁ ପ୍ୟାଡରେ ଲେଖିଲେ- ‘ଆଉ ରୋଗ ?’ ମୁଁ କହିଲି, ଡାକ୍ତର କୋଠାରୀ ଏବଂ ମେହେଟ୍ଟାଙ୍କ ମତରେ ଉଭୟ ରୋଗ ଏବଂ ମୃତ୍ୟୁର ରହିଛି ଆପଣା ଗଣତନ୍ତ୍ର । ଏମିତି କେହି ଜଣେ ନାହିଁ, ଯିଏ ନିରୋଗ ହୋଇ ସାରା ଜୀବନ ବଞ୍ଚି ରହିଛି । ଏମିତି ଦେଶ ନାହିଁ, ଯେଉଁଠି ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ରରେ ରୋଗବ୍ୟାଧି ସୀମାବଦ୍ଧ ହୋଇ ରହିଛି । ଉଭୟ ରୋଗ ଏବଂ ମୃତ୍ୟୁ ଏଇ ଦୃଷ୍ଟିରୁ ଆପଣା ବ୍ୟବହାରରେ ଗଣତାନ୍ତିକ । ସୀମା-ସରହଦ /ଧନୀ / ଗରିବ / ପିଲା–ବୁଢ଼ା ବିଚାର କିଛି ନାହିଁ । ଆମ ଚିକିତ୍ସା ବିଜ୍ଞାନରେ ବୈପ୍ଲବିକ ଉପଲବ୍ଧି ସତ୍ତ୍ୱେ ଏମାନଙ୍କର ନିଜସ୍ଵ ରାଜତ୍ୱ ଅବ୍ୟାହତ ରହିଛି । ଏହାର କାରଣ ହେଉଛି, ପ୍ରତ୍ୟେକ ମଣିଷ ମୂଳତଃ ଏକ ମୃତ୍ୟୁ କାମନା କରି ଭୂମିଷ୍ଠ ହୋଇଥାନ୍ତି । ଉପରକୁ ଏହା ଜୀବନର ବିପରୀତ ମନେ ହୋଇପାରେ, ତେବେ ଏହା ହିଁ ଅନ୍ତିମ ସତ୍ୟ । ମୃତ୍ୟୁ ଜୀବନର ଏକ ଅଭିନ୍ନ ଅଂଶବିଶେଷ । ରୋଗବ୍ୟାଧି ମୃତ୍ୟୁର ସଂକେତ ହୋଇପାରନ୍ତି, କିନ୍ତୁ ସେମାନେ ମୃତ୍ୟୁର ଅବିକଳ କାରଣ କଦାପି ହୋଇନପାରନ୍ତି । ଅନେକ ଦୃଷ୍ଟାନ୍ତ ଅଛି, ଯେଉଁଠି ରୋଗ ନିର୍ଣ୍ଣୟ, ରୋଗକୁ ନେଇ ପୂର୍ବାନୁମାନ, ନିଦାନ ନାଁରେ ଯାବତୀୟ ହାଇଟେକ୍‌ ପରୀକ୍ଷାନିରୀକ୍ଷା ଏବଂ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ–ସବୁ ଭୁଲ ପ୍ରମାଣିତ ହୋଇଛି । ଜଣେ ସାରା ଜୀବନ ଏକ ନିର୍ଦ୍ଦିଷ୍ଟ ରୋଗ / ଅସୁସ୍ଥତା ପାଇଁ ସର୍ବୋତ୍ତମ ଚିକିତ୍ସାରେ ରହିପାରେ, ତେବେ ତା’ର ମୃତ୍ୟୁ ଅନ୍ୟ ଏକ ରୋଗ ପାଇଁ ସମ୍ଭବ ହୋଇପାରେ । ଉଭୟ ରୋଗ ଓ ମୃତ୍ୟୁ, ଏମାନଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ସଠିକ୍‌ ତଥ୍ୟ କାହା ପାଖରେ ନାହିଁ । ତେବେ ମୃତ୍ୟୁ ରୋଗର ଅଧୀନ ନୁହେଁ ଏକ ସ୍ଵୟଂସମ୍ପୂର୍ଣ୍ଣ ପ୍ରତିଷ୍ଠାନ । ଆମର ଏମିତି ଧାରଣା ବି ରହିଛି ଯେ ମୂତ୍ୟୁ ସ୍ଵୟଂ ଯନ୍ତ୍ରଣାଦାୟକ, ଯାହା ଆଦୌ ସତ ନୁହେଁ । ବିପରୀତ ହିଁ ସତ୍ୟ । କେବଳ ମୃତ୍ୟୁ ହିଁ ଯନ୍ତ୍ରଣାର ଊର୍ଦ୍ଧ୍ୱକୁ ନେଇ ଯାଉଥିବା ଏକ ପ୍ରକ୍ରିୟା । ଯେଉଁମାନେ କୋମାରୁ ଫେରିଆସନ୍ତି-/ ଡାକ୍ତର ମୃତ୍ୟୁ ଘୋଷଣା କଲା ପରେ ଜୀବିତ ରହନ୍ତି, ସେମାନଙ୍କ ଭିତରୁ ଅନେକଙ୍କ ଅଭିଜ୍ଞତା ଯେ ମୃତ୍ୟୁ ଏକ କୋମଳ ଲଳିତ ସ୍ପର୍ଶ । ଉଦାହରଣ କମ୍‌ ନାହିଁ, ଯେଉଁଠି ବର୍ଷ ବର୍ଷ ଧରି ଡାକ୍ତର ଠାବ କରିଥିବା ଦୂରାରୋଗ୍ୟ ବ୍ୟାଧି ସତ୍ତ୍ଵେ ରୋଗୀ ଅନେକ ବର୍ଷ ବଞ୍ଚିଛି ଏବଂ ଯେଉଁଠି ହାଇଟେକ୍‌ ତଥା ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷାରେ ପାସ୍‌ କରୁଥିବା ଲୋକ ଅଚାନକ ଟଳି ପଡ଼ୁଛନ୍ତି।

 

ପୁଣି କହିଲି, ଡାକ୍ତର କୋଠାରୀଙ୍କ ମତରେ ଦୁର୍ଘଟଣା ଭିନ୍ନ ଦେହର ଅଧିକାଂଶ ପୀଡ଼ା-/ ଯନ୍ତ୍ରଣା ପାଇଁ ଅନେକାଂଶରେ ଆମ ଜୀବନଚର୍ଯ୍ୟା ହିଁ ଦାୟୀ, ବିଶେଷ କରି ଆମର ଖାଦ୍ୟ-। ଦେହ ସହିତ ଖାଦ୍ୟର ସମ୍ପର୍କ ଆଧ୍ୟାତ୍ମିକ ସମ୍ପର୍କ, ଯାହା ଆମେ ପାସୋରି ଦେଉଛୁ । ଆହୁରି ଦୁଃଖଦ ହେଉଛି, ଦେହ ପ୍ରତି ଆମେ ଆଚରଣ କରୁଥିବା ହିଂସା ସହିତ ଯୋଡ଼ି ହୋଇ ରହିଛି ତଥାକଥିତ ଅତ୍ୟାଧୁନିକ ଚିକିତ୍ସା । ଏଣୁ ଦେହ ପ୍ରାକୃତିକ ଭାବେ ଯେ ନିଜକୁ ସୁଧାରିବ, ଏମିତି ଆଶା କ୍ଷୀଣ ହୋଇ ଆସୁଛି ଆଉ ଆଧୁନିକ ଚିକିତ୍ସାରେ ଯାହାର ଘୋର ଅଭାବ ଦେଖାଦେଇଛି, ତାହା ହେଉଛି ହୃଦୟହୀନତା । ଦାର୍ଶନିକତାର ଅଭାବବୋଧ । ଯାହା ବଢ଼ିଛି ତାହା ହେଉଛି ଯାନ୍ତ୍ରିକତା । ଏହା କଦାପି ଏକ ସମାଧାନ ନୁହେଁ ।

 

‘ଜୀବନ ତେବେ କ'ଣ ?' ବନ୍ଧୁ ଏକ ଦାର୍ଶନିକ ପ୍ରଶ୍ନ କରିଥିଲେ । ଆଲୋଚ୍ୟ ପୁସ୍ତକକୁ ଫେରି କହିଲି, ବର୍ତ୍ତମାନ ହିଁ ଜୀବନ; ମୁହୂର୍ତ୍ତ ହିଁ ଜୀବନ । ଏକଥା ବୁଝିବା ପାଇଁ ଗଭୀର ଜ୍ଞାନର ଲୋଡ଼ାନାହିଁ, ନିଜ ଚାରିପାଖକୁ ଥରେ ଆଖି ପକେଇବା ଯାହା ଆବଶ୍ୟକ । ଶାଶ୍ୱତ ଆଉ କେଉଁଠି ନାହିଁ–ହାତପାଆନ୍ତାରେ ଅଛି । ସେଇ ପ୍ରମାଣଯୋଗ୍ୟ ଚିରନ୍ତନୀକୁ ଚିହ୍ନିବାରେ ଆମର ଯାହା ବାକି ଅଛି । କିଛି ନିରୋଳା ବସ୍ତୁ ନୁହେଁ, ସବୁ ଚୈତନ୍ୟ ଭିତରେ ଅନ୍ତଃସ୍ଥ । ଶ୍ଵାସ ପ୍ରଶ୍ଵାସର ପ୍ରତିଟି ମୁହୂର୍ତ୍ତ ହିଁ ପରମ ଆଶୀର୍ବାଦ । ରାତି ୧୦ଟା ବାଜିଥି‌ଲା । ବନ୍ଧୁଙ୍କ ବିଶ୍ରାମ ସମୟ । ନର୍ସ ଦୁଇଥର ସଙ୍କେତ ଦେଇ ସାରିଥିଲେ । ଆମ ଆଲୋଚନା ଶେଷ ହେବା ବେଳକୁ ବନ୍ଧୁ ପ୍ୟାଡରେ ଲେଖିଥିଲେ–‘ସାମାନ୍ୟ ଭଲ ଲାଗୁଛି । ଗଳାର ଯନ୍ତ୍ରଣା ପୂର୍ବାପେକ୍ଷା କମ୍‌' । ମୁଁ ଆଶ୍ଵସ୍ତ ହେଲି । କହିଲି, ୨୫୦୦ ବର୍ଷ ତଳେ ସଫୋକ୍ଲିସ ଲେଖିଥିଲେ, ସମ୍ଭାବନାର ଦ୍ଵାର ସବୁବେଳେ ଉନ୍ମୁକ୍ତ । ତେଣୁ ଭୟ କାହିଁକି ! ଆସନ୍ତା କାଲି ପାଇଁ ଭାବିବା ଅନାବଶ୍ୟକ । ଯାହା ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ବର୍ତ୍ତମାନ–ପରବର୍ତ୍ତୀ ନିଶ୍ୱାସ ପର୍ଯ୍ୟନ୍ତ ଦୂରତ୍ୱ, ବାସ୍‌ !

(ନିତିଦିନ, ତା ୧୫/୪/୨୦୧୬)

Image

 

ଯୁଦ୍ଧ, ଆତଙ୍କବାଦ ଓ ମହିଳା

 

ଗତ ମାର୍ଚ୍ଚରେ ମିଳିତ ଜାତିସଂଘର ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟ ଏକ ସ୍ପର୍ଶକାତର ରିପୋର୍ଟ ପ୍ରକାଶ କରିଛି । ରପୋର୍ଟ ମୁତାବକ ୨୦୧୪ ଏବଂ ୨୦୧୫ରେ ଦକ୍ଷିଣ ସୁଦାନର ସୈନ୍ୟମାନେ କେବଳ ୫୦,୦୦୦ ନାଗରିକଙ୍କୁ ମାରିନାହାନ୍ତି, ଲକ୍ଷଲକ୍ଷଙ୍କୁ ବାସଚ୍ୟୂତ କରିନାହାନ୍ତି, ଅଧିକନ୍ତୁ ସରକାରୀ ପ୍ରୋତ୍ସାହନରେ ଦରମା ବଦଳରେ ଲୁଣ୍ଠନ କରିଛନ୍ତି ଏବଂ ହଜାର ହଜାର ମହିଳା / ବାଳିକାଙ୍କ ପ୍ରତି ବଳାତ୍କାର କରିଛନ୍ତି। ଗୃହ ଯୁଦ୍ଧରେ ଉଭୟ ପକ୍ଷର ସୈନ୍ୟଙ୍କ ତରଫରୁ ସମାନ ଅଭିଯୋଗ ଆସିଥିଲେ ହେଁ ମାନବାଧିକାରର ବର୍ବରୋଚିତ ଉଲ୍ଲଙ୍ଘନ ପାଇଁ ଜାତିସଂଘ ମୁଖ୍ୟତଃ ଦକ୍ଷିଣ ସୁଦାନ ସରକାରଙ୍କୁ ଦାୟୀ କରିଛି । କେବଳ ୟୁନିଟ୍‌ ଷ୍ଟେଟରୁ ସଂଗୃହୀତ ହୋଇଛି ଏମିତି ୧୩୦୦ ବିବରଣୀ (ବଳାତ୍କାର) ଯାହା ଏପ୍ରିଲ ୨୦୧୫ରୁ ସେପ୍ଟେମ୍ବର ୨୦୧୫ ମଧ୍ୟରେ ଘଟିଛି । ଅଧ୍ୟୟନ ମୁତାବକ, ଧର୍ଷଣ ଏବଂ ହତ୍ୟା ସୁଦାନ ପିପୁଲ୍ୱ ଲିବରେସନ୍‌ ଆର୍ମିର ନୀତି ପାଲଟି ସାରିଥିଲା । ଏଣେ ସରକାରଙ୍କ ହୁକୁମ ସ୍ପଷ୍ଟ ଥିଲା–ଯାହା ପାରୁଛ କର, କିନ୍ତୁ ପ୍ରତିପକ୍ଷକୁ ଦମନ କର ।

 

ଦକ୍ଷିଣ ସୁଦାନ ସରକାର ଏହାକୁ ସ୍ଵୀକାର କରିନାହାନ୍ତି । ତେବେ ରିପୋର୍ଟ ଭିତ୍ତିରେ ଏକ ପ୍ରମୁଖ ଆନ୍ତର୍ଜାତିକ ସମ୍ବାଦପତ୍ର ଲେଖିଛି ଯେ ସୁଦାନ ମୁକ୍ତି ବାହିନୀ ଲୁଣ୍ଠନ, ହତ୍ୟା, ଅପହରଣ ଏବଂ ଧର୍ଷଣ ଘଟାଇବାରେ ଏକଦମ୍‌ ସ୍ଵାଭାବିକ ମନେ ହୋଇଛି । ଦକ୍ଷିଣ ସୁଦାନ ରାଷ୍ଟ୍ରପତି କିର୍‌ଙ୍କ ତରଫରୁ ତାଙ୍କର ପ୍ରବକ୍ତା କହିଛନ୍ତି ଯେ ମୁକ୍ତି ବାହିନୀର ୟୁନିଫର୍ମ ପିନ୍ଧି ଅନ୍ୟମାନେ ହୁଏତ ଏ କାମ କରିଥାଇପାରନ୍ତି ! ପାଠକମାନେ ଜାଣନ୍ତି, ପୃଥିବୀର ସବୁଠୁ କମ୍‌ ବୟସ୍କ ଦେଶ ଦକ୍ଷିଣ ସୁଦାନ ଡିସେମ୍ବର ୨୦୧୩ରୁ ଅଗଷ୍ଟ ୨୦୧୫ ପର୍ଯ୍ୟନ୍ତ ଗୃହ ଯୁଦ୍ଧରେ ମାତିଥିଲା । ଯୁଦ୍ଧ ଚାଲିଥିଲା ରାଷ୍ଟ୍ରପତି କିର୍‌ଙ୍କ ‘ଡିଙ୍କା’ ସଂପ୍ରଦାୟ ଏବଂ ତାଙ୍କର ରାଜନୈତିକ ବିରୋଧୀ ମାଚାର୍‌ଙ୍କ ‘ନୋଏର୍‌' ସଂପ୍ରଦାୟ ମଧ୍ୟରେ । ଯୁଦ୍ଧର ଛାଇ ଏଯାଏଁ ସଂପୂର୍ଣ୍ଣ ହଟିନାହିଁ । କୁହାଯାଇଛି, ଅଗଷ୍ଟ ୨୦୧୫ ରେ ଆନ୍ତର୍ଜାତିକ ମଧ୍ୟସ୍ଥତାରେ ଦୁଇ ପକ୍ଷଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହେବା ପରେ ବି ଏମିତି କାଣ୍ଡ ଘଟି ଚାଲିଥିଲା । ଏଇ କ୍ରମରେ ଯାହା ସବୁଠୁ ମର୍ମନ୍ତୁଦ, ତାହା ହେଉଛି ପ୍ରାୟ କ୍ଷେତ୍ରରେ ଅପହରଣ ଏବଂ ବଳାତ୍କାର ଯୋଜନା ମୁତାବକ ହୋଇଛି । ନିରସ୍ତ୍ର ସାଧାରଣ ନାଗରିକମାନଙ୍କୁ ଜାଣିଜାଣି ନିଶାଣ କରାଯାଇଛି, ଯାହା ଆଦୌ ଯୁଦ୍ଧ ସମ୍ପର୍କିତ ନୁହେଁ । ଜଣେ ମହିଳା ବର୍ଣ୍ଣନା କରିଛନ୍ତି କେମିତି ତାଙ୍କ ପିଲାଙ୍କ ଆଗରେ ୫ ଜଣ ସୈନିକ ତାଙ୍କୁ ବଳାତ୍କାର କରିଛନ୍ତି । ଆଉ ଜଣେ ବଖାଣିଛନ୍ତି ଏକ ହୃଦୟ ବିଦାରକ କାହାଣୀ । ମହିଳା ଜଣଙ୍କୁ ଗଛରେ ବାନ୍ଧି ଦିଆଯାଇଥିଲା ଏବଂ ତାଙ୍କ ଆଗରେ ତାଙ୍କ ୧୫ ବର୍ଷର ଝିଅ ସହିତ ବଳାତ୍କାର କରିଥିଲେ ୧୦ ଜଣ ସୈନିକ । ଜାତିସଂଘର ରିପୋର୍ଟରେ ଦର୍ଶାଯାଇଛି, ଯେଉଁମାନେ ସରକାରଙ୍କୁ ବିରୋଧ କରିଛନ୍ତି, ସେମାନଙ୍କ ଭିତରୁ କିଛି ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି, ଖଣ୍ଡଖଣ୍ଡ କରି ହାଣି ଦିଆଯାଇଛି; ଫାଶୀ ଦିଆଯାଇଛି ଏବଂ ଶ୍ୱାସରୁଦ୍ଧ କରି ମାରି ଦିଆଯାଇଛି ।

 

ମନସ୍ତତ୍ତ୍ଵବିତ୍‌ମାନଙ୍କ ମତ ଯେ ଯୁଦ୍ଧବେଳେ ଶତ୍ରୁଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେବାପାଇଁ ବଳାତ୍କାର ବ୍ୟବହୃତ ହୋଇ ଆସିଛି ଏବଂ ସଂଯୋଗକୁ ଯୁଦ୍ଧର ଇତିହାସ ସହିତ ଏହା ସମକାଳୀନ ହୋଇରହିଛି । ସଂଗଠିତ ଯୁଦ୍ଧ ଆମ ସଭ୍ୟତାରେ ଅନ୍ୟୂନ ଦଶହଜାର ବର୍ଷ ପୁରୁଣା, କିନ୍ତୁ ଯୁଦ୍ଧ ଅପରାଧ ଭାବରେ ଯୌନ ନିର୍ଯ୍ୟାତନା ଦଣ୍ଡନୀୟ ହୋଇଛି ଗତ ଶତାବ୍ଦୀର ଶେଷ ଚରଣରୁ । ଇତିହାସରେ ଉଲ୍ଲେଖ ଅଛି, ଯୁଦ୍ଧରେ ବିଜୟୀ ହୋଇଥିବା ପକ୍ଷ ପରାଜିତର ଧନ ସମ୍ପତ୍ତି ଉପରେ ଅଧିକାର ଜାହିର କରିପାରିବ, କିନ୍ତୁ ‘ସମ୍ପତ୍ତି' ଭିତରେ ମହିଳାମାନେ ଯେ ଆସିବେ ଏବଂ ସେମାନଙ୍କୁ ଲୁଣ୍ଠନ କରାଯିବା ବେଶ୍ୟାବୃତ୍ତି / ଯୌନ ଦାସତ୍ଵ ପାଇଁ ବାଧ୍ୟ କରାଯିବ, ଏଇ ନିର୍ମମ ପରମ୍ପରା ଏକ ପୁରୁଷପ୍ରଧାନ ସମାଜ ହିଁ ସୃଷ୍ଟି କରିଛି । ପ୍ରାଚୀନ ଗ୍ରୀସ୍‌ରେ ଯୁଦ୍ଧକାଳୀନ ବଳାତ୍କାର ଯୁଦ୍ଧର ଏକ ସ୍ଵାଭାବିକ ପ୍ରକ୍ରିୟା ବା ଉପ-ଉତ୍ପାଦ ବୋଲି ଗ୍ରହଣ କରାଯାଉଥିଲା । ଏଇ ବିକୃତ ବିଚାରବୋଧ ଊଣା ଅଧିକେ ପ୍ରଲମ୍ବିତ ଥିଲା ଊନବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ । ପରିସ୍ଥିତିରେ ପରିବର୍ତ୍ତନ ଆଣିବାପାଇଁ କ୍ୟାଥୋଲିକ୍‌ ଚର୍ଚ୍ଚ ଚେଷ୍ଟା କରିଥିଲା । ତେବେ ସେଥିରେ ବି ଅନ୍ତର୍ନିହିତ ଥିଲା ବୈଷମ୍ୟ । ମହିଳାମାନଙ୍କୁ ଦୟାକରି ଛାଡ଼ି ଦିଆଯାଉ, କାରଣ ସେମାନେ ଦୁର୍ବଳ-। ସବୁ ସମୟରେ ଲେଖକ ଓ ଦାର୍ଶିନିକମାନେ ଏହାର ପ୍ରତିବାଦ କରୁଥିଲେ, ତେବେ ସେନାବାହିନୀ ଯଥେଷ୍ଟ କ୍ଷମତାଶାଳୀ ଥିଲା । ଯୁକ୍ତି ଦର୍ଶାଯାଉଥିଲା ଯେ ଯୁଦ୍ଧରେ କିଛି ବି ଅନ୍ୟାୟ ନୁହେଁ । ଅର୍ଥାତ୍‌, ପ୍ରତିପକ୍ଷର ସମସ୍ତେ ଶତ୍ରୁ–ସେ ମହିଳା ହୁଅନ୍ତୁ ନଚେତ୍‌ ଶିଶୁ । ଉଲ୍ଲେଖ ଅଛି, ମଧ୍ୟଯୁଗରେ ସୈନିକମାନଙ୍କୁ ନିୟମିତ ବେତନ ମିଳୁନଥିଲା । ସେମାନଙ୍କୁ କୁହାଯାଉଥିଲା ଯେ ଦରମା ବଦଳରେ ବଳାତ୍କାର ଅଛି । ଅନ୍ୟ ଅର୍ଥରେ, ଏହା ପ୍ରତ୍ୟକ୍ଷ ପ୍ରୋତ୍ସାହନ ଥିଲା । ଜଣେ ଐତିହାସିକ ଲେଖିଛନ୍ତି, ୧୯୪୫ରେ ଲାଲଫୌଜ ୮ ବର୍ଷର ବାଳିକାଠୁ ୮୦ ବର୍ଷର ବୃଦ୍ଧାଙ୍କ ପର୍ଯ୍ୟନ୍ତ କାହାକୁ ବାଦ୍‌ ଦେଇନାହାନ୍ତି । ସବୁଠୁ ଅଭାବନୀୟ ହେଉଛି ଏଇ ବର୍ଣ୍ଣନା–ଯେତେବେଳେ ଜର୍ମାନ ମହିଳାମାନଙ୍କ ବଳାତ୍କାର ହେଉଥିଲା, ସୋଭିଏତ୍‌ ମହିଳା ସୈନ୍ୟମାନେ ଏହାର ପ୍ରତିବାଦ କରିନଥିଲେ । ସେମାନେ କୁଆଡ଼େ ଉପଭୋଗ କରୁଥିଲେ ଏ ବୀଭତ୍ସତାକୁ । ତଥ୍ୟ ଅନୁଯାୟୀ, ସୋଭିଏତ୍‌ ସୈନ୍ୟମାନଙ୍କର ଶିକାର ପାଲଟିଥିଲେ ପ୍ରାୟ ଦୁଇ ନିୟୁତ ଜର୍ମାନ ମହିଳା । ଯୁଦ୍ଧକାଳୀନ ଯୌନହିଂସାର ଶିକାର ହୋଇଥିବା କଂଗୋର ଜଣେ ମହିଳାଙ୍କ ଯୁକ୍ତି ହେଉଛି, ବଳାତ୍କାର ଯେ କୌଣସି ଭୟଙ୍କର ବୋମାଠୁ ଅଧିକ ଭୟଙ୍କର । ୨୦୧୪ରେ କଂଗୋରେ ଏମିତି ଦୁଃସ୍ଥିତିକୁ ସାମନା କରିଛନ୍ତି ୨ ଲକ୍ଷ ମହିଳା । ବିଡ଼ମ୍ବନା ହେଉଛି ଯୁଦ୍ଧ ସମୟରେ ଯାହା ଉପରେ କେହି ଗୁରୁତ୍ୱ ଦିଅନ୍ତି ନାହିଁ, ତାହା ହେଉଛି ଯୌନ ହିଂସା । ରିପୋର୍ଟ ମୁତାବକ କଂଗୋରେ ୩ ମାସର ଶିଶୁ ମଧ୍ୟ ବଳାତ୍କାରରୁ ବର୍ତ୍ତି ପାରିନାହିଁ । ଅନ୍ତତଃ ୧୦ବର୍ଷ ତଳେ କଂଗୋରେ ସଂଘର୍ଷ ତ ଶେଷ ହୋଇଛି, କିନ୍ତୁ ଏବେ ବି ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଶିବିରରେ ଚିକିତ୍ସା ପାଇଁ ପହଞ୍ଚୁଛନ୍ତି ବର୍ଷକୁ ୧୫୦୦ ମହିଳା । ଅଥଚ, ନିର୍ଯାତନାର ମାତ୍ରା ଏତେ ଅଧିକ ଯେ ନା ମରାମତି କରି ହେଉଛି ସେମାନଙ୍କ ଦେହକୁ, ନା ମନକୁ ।

 

ଖବର ଅନୁଯାୟୀ ଅଗଷ୍ଟ ୨୦୧୪ରେ ଆତଙ୍କବାଦୀ ସଂଗଠନ ‘ଇସ୍‌ଲାମିକ୍‌ ଷ୍ଟେଟ୍‌' ଉତ୍ତର ଇରାକର ସିଞ୍ଜା'ର ଅଞ୍ଚଳରୁ ହଜାର ହଜାର ମହିଳା ଏବଂ ବାଳିକାମାନଙ୍କୁ ଉଠାଇ ଆଣିଥିଲା ଯୌନ କ୍ରୀତଦାସରେ ପରିଣତ କରିବାପାଇଁ । ଜାନୁଆରୀ ୨୯, ୨୦୧୫ରେ ଇସ୍‌ଲାମିକ ଷ୍ଟେଟ୍‌ ପ୍ରସ୍ତୁତ ଏକ ଦସ୍ତାବିଜ୍‌ (ଯାହା ୨୦୧୬ରେ ଦୃଷ୍ଟିକୁ ଆସିଥିଲା) ପ୍ରମାଣିତ କରିଛି ଯେ ସଂଗଠନର ଧର୍ମ ସମ୍ବନ୍ଧୀୟ ଏକ କମିଟି ଯୌନ କ୍ରୀତଦାସୀମାନଙ୍କୁ କିପରି ବ୍ୟବହାର କରାଯିବ, ତାହାର ଏକ ବିସ୍ତୃତ ନିୟମାବଳୀ ପ୍ରସ୍ତୁତ କରିଛି । ପାଠକେ, ଯୁଦ୍ଧ ଅପରାଧ କୌଣସି ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଆୟତନରେ ସୀମାବଦ୍ଧ ନୁହେଁ । ଏପ୍ରିଲ ୧୯୯୨ରେ ବସ୍‌ନିୟାରେ ୨୦,୦୦୦ ମହିଳାଙ୍କୁ ବଳାତ୍କାର କରାଯାଇଥିଲା । ଏକ ରିପୋର୍ଟ ମୁତାବକ ବସ୍‌ନିୟା, ହର୍ଜଗୋଭିନା ଏବଂ କ୍ରୋଏସିଆରେ ନିର୍ଯାତିତ ମହିଳାମାନଙ୍କୁ ବାଧ୍ୟ କରାଯାଉଥିଲା ଯେ ସେମାନେ ଉତ୍ପୀଡ଼କଙ୍କ ସନ୍ତାନଙ୍କୁ ଜନ୍ମ ଦିଅନ୍ତୁ । ଏମିତି ଘଟଣା କେବଳ ସେଇ ଅଞ୍ଚଳରେ ସୀମିତ ନଥିଲା । ଭିଏତ୍‌ନାମ, ବାଂଲାଦେଶ, କାମ୍ବୋଡ଼ିଆ, ସାଇପ୍ରସ, ସୋମାଲିଆ, ଉଗାଣ୍ଡା ଏବଂ ପେରୁ–ସବୁଠି ସମାନ ଘଟଣା ଘଟିଛି ।

 

‘ଆମ୍‌ନେଷ୍ଟି ଇଣ୍ଟରନେସନାଲ୍‌'ର ମତ ଯେ ଆମ ସମୟରେ ପୃଥିବୀରେ ବି ବଳାତ୍କାରକୁ ରୀତିମତ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ସର୍ବିୟ଼ା ସେନାବାହିନୀ ଗଣ ବଳାତ୍କାର ନିମନ୍ତେ ସ୍ଵତନ୍ତ୍ର କ୍ୟାମ୍ପ ସ୍ଥାପନ କରିଥିଲେ । ପ୍ରତିପକ୍ଷର ମନୋବଳକୁ ଭାଙ୍କିଦେବା ପାଇଁ ବଳାତ୍କାର ପ୍ରକାଶ୍ୟରେ ମଧ୍ୟ ହେଉଥିଲା । ୧୯୭୧ (ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ ପାକିସ୍ତାନୀ ସୈନ୍ୟମାନେ ପ୍ରାୟ ୩ ଲକ୍ଷ ମହିଳାଙ୍କ ଉପରେ ଅତ୍ୟାଚାର କରିଥିଲେ । ସ୍ଵାଧୀନୋତ୍ତର ବାଂଲାଦେଶ ନିର୍ଯାତିତାମାନଙ୍କୁ ‘ବୀରାଙ୍ଗନା’ ଆଖ୍ୟା ଦେଇ ସଂସ୍କାରର ଉଦ୍ୟମ କରିଥିଲା । ତେବେ ତାହା ସଫଳ ହୋଇପାରି ନଥିଲା । ପାଠକେ, ଯାହା ନିକଟ ଅତୀତରେ ଦକ୍ଷିଣ ସୁଦାନରେ ଘଟିଛି, ତାହା ପରିବର୍ତ୍ତିତ ସ୍ଥିତିରେ ନିତିଦିନ କେଉଁଠି ନା କେଉଁଠି ଆମ ଚାରି ପାଖରେ ଘଟୁଛି । ଯୁଦ୍ଧ ଆଉ ଦେଶ ଦେଶ ଭିତରେ ହେଉନାହିଁ, କିନ୍ତୁ ଗୃହଯୁଦ୍ଧ ଏବଂ ଆତଙ୍କବାଦ ଆମ ସମୟର ସାଧାରଣ ପ୍ରକରଣ ପାଲଟିଛି । ଜାତିସଂଘର ସଦ୍ୟ ରିପୋର୍ଟ କିଛି ମାତ୍ରାରେ ଆମକୁ ହଲଚଲ୍‌ କରିପାରେ, କିନ୍ତୁ ଏହା ସମସ୍ୟାର ସମାଧାନ ନୁହେଁ । ସଭ୍ୟତାରେ ୧୦,୦୦୦ ବର୍ଷର ଅଳନ୍ଧୁଲଗା ବିପନ୍ନ ଇତିହାସର ଧାରାକୁ ବଦଳାଇବା ପାଇଁ କଠୋର ଆଇନ ଯେତିକି ଗୁରୁତ୍ଵପୂର୍ଣ୍ଣ, ସମାନ ଗୁରୁତ୍ଵପୂର୍ଣ୍ଣ ଏକ ଉତ୍ତୀର୍ଣ୍ଣ ବ୍ୟକ୍ତିଗତ ଉପଲବ୍ଧି । ନିଜ ଭିତରେ ଆଞ୍ଜୁଳାଏ ଆଲୋକର ଉପସ୍ଥିତି । ସଦ୍ୟ ପ୍ରକାଶିତ ସମ୍ବାଦ ଅନୁଯାୟୀ ଇରାକ୍‌ର ମୋସୁଲ ସହରରେ ଇସଲାମିକ୍‌ ଷ୍ଟେଟ୍‌ (ଆଇ.ଏସ.ଆଇ.ଏସ.) ଦ୍ଵାରା ପ୍ରାୟ ୨୫୦ ମହିଳାଙ୍କୁ ହତ୍ୟା କରାଯାଇଛି । ଏମାନେ ଯୌନଦାସୀ ହେବା ପାଇଁ ମନା କରିଦେଇଥିଲେ ।

(ସମାଜ, ତା ୨୮/୪/୨୦୧୬)

Image

 

ଆଉଥରେ ନିୟମଗିରି

 

ପୁଣିଥରେ ନିୟମଗିରି ଚର୍ଚ୍ଚାକୁ ଆସିଛି । ରାଜ୍ୟ ସରକାର ନିକଟରେ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛନ୍ତି ଯେ ଓଡ଼ିଶା ମାଇନିଂ କର୍ପୋରେସନ୍‌କୁ ନିୟମଗିରିରୁ ବକ୍ସାଇଟ୍‌ ଉତ୍ତୋଳନ ପାଇଁ ଅନୁମତି ମିଳୁ । ଦର୍ଶାଇଛନ୍ତି, ୨୦୧୩ରେ ଏହାର ମୂଳ ବାସିନ୍ଦାମାନଙ୍କ ମତାମତ ଜାଣିବା ପାଇଁ ଅନୁଷ୍ଠିତ ହୋଇଥିବା ଗ୍ରାମସଭା ଠିକ୍‌ଠାକ୍‌ ହୋଇନଥିଲା । ପାଠକମାନେ ଜାଣନ୍ତି ଯେ, ବେଦାନ୍ତ ଆଲୁମିନା ବିଶୋଧନାଗାର ନିମନ୍ତେ ବକ୍ସାଇଟ୍‌ ଉତ୍ତୋଳନ ପାଇଁ ଆଗରୁ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ଅନୁମତି ଦେଇନଥିଲେ । ସେତେବେଳେ ଡଙ୍ଗରିଆମାନଙ୍କ ଆତ୍ମଘୋଷିତ ‘ସିପାହୀ’ ବୋଲାଉଥିବା ରାହୁଳ ଗାନ୍ଧୀଙ୍କର ଏଇ ନିଷ୍ପତ୍ତି ପଛରେ ପରୋକ୍ଷ ହାତ ଥିଲା ବୋଲି ସମସ୍ତଙ୍କର ଧାରଣା ଥିଲା । ଏପ୍ରିଲ୍‌ ୨୦୧୩ରେ ସୁପ୍ରିମକୋର୍ଟ ଅଦେଶ ଦେଇଥିଲେ ଯେ ମାଇନିଂର ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ କଳାହାଣ୍ଡି ଏବଂ ରାୟଗଡ଼ାର ୧୨ଟି ଗ୍ରାମରେ ୧୨ଟି ଗ୍ରାମସଭା ହେଉ । ଏହାରତଦାରଖ ପାଇଁ ନିଯୁକ୍ତ ହୋଇଥିଲେ ଜଣେ ଜିଲ୍ଲା ଜଜ୍‌ ।

 

ଅନେକ ଗାଁରେ ସହଜରେ ପହଞ୍ଚିବା ସେତେବେଳେ ସହଜସାଧ୍ୟ ନଥିଲା (ଏବେ ବି ନୁହେଁ) । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଜୁଲାଇ ଏବଂ ଅଗଷ୍ଟ ୨୦୧୩ରେ ଗ୍ରାମସଭା ହୋଇଥିଲା । ୧୨ରୁ ୧୨ ଗାଁରେ ତଙ୍ଗରିଆମାନେ ଉଭୟ ଆଲୁମିନା ପ୍ରକଳ୍ପ ଏବଂ ବକ୍ସାଇଟ୍‌ ଉତ୍ତୋଳନକୁ ତୀବ୍ର ବିରୋଧ କରିଥିଲେ, ଯାହା କମ୍‌ ଐତିହାସିକ ନଥିଲା । କେନ୍ଦ୍ର ସରକାର ଜାନୁଆରୀ ୨୦୧୪ରେ ଗ୍ରାମସଭା ଫଳାଫଳ ଭିତ୍ତିରେ ପର୍ଯ୍ୟାବରଣ- ସ୍ପର୍ଶକାତର ନିୟମଗିରିରୁ ଖଣିଜ ଉତ୍ତୋଳନ ହୋଇପାରିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣେଇ ଦେଇଥିଲେ । ଏହା ଥିଲା ନିୟମଗିରିର ମୂଳ ବାସିନ୍ଦାମାନଙ୍କ ପାଇଁ ଏବଂ ସାରା ପୃଥିବୀରେ ସେମାନଙ୍କ ଐତିହ୍ୟ ତଥା ଜୀବନଧାରାକୁ ସମ୍ମାନ ଜଣେଇ ଡଙ୍ଗରିଆଙ୍କ କାନ୍ଧ ମିଳେଇ ପ୍ରତିବାଦ ଜଣେଇଥି‌ବା ପ୍ରମୁଖ ମାନବାଧିଜାର ସଙ୍ଗଠନମାନଙ୍କ ସକାଶେ ଉତ୍ସବର ମୁହୂର୍ତ୍ତ । ଆଶା କରାଯାଉଥିଲା, ଏଣିକି ଅନ୍ତତଃ ରାଜ୍ୟ ସରକାର ନୀରବ ରହିବେ । ତେବେ ଦୁର୍ଭାଗ୍ୟ, ସେମିତି ହେଲାନାହିଁ । କୌଣସି ବିଶେଷ, ସମ୍ଭବତଃ ଅଜ୍ଞାତ କାରଣରୁ ରାଜ୍ୟ ସରକାର ପୁଣି ନିୟମଗିରିରେ ମାଇନିଂ ପ୍ରସଙ୍ଗ ଉଠାଇଛନ୍ତି । କେବଳ ମାନବାଧିକାର କର୍ମୀ ନୁହନ୍ତି, ସାଧାରଣ ଲୋକେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରଛନ୍ତି-। ଜଣେ ସ୍ତମ୍ଭକାର ଲେଖିଛନ୍ତି ଯେଉଁ ଗଣତନ୍ତ୍ରରେ ପ୍ରତିବାଦ / ବରୋଧାଭାସ ଯେତେ ବ୍ୟାପକ, ସେଇ ଗଣତାନ୍ତ୍ରିକ ବ୍ୟବସ୍ଥା ସେତେ ସୁସ୍ଥ । ଭାରତରେ ସେମିତି ସ୍ଥିତି ନାହିଁ । ଏଠି ପ୍ରତିବାଦକୁ ଶତ୍ରୁତା ମନେ କରାଯାଉଛି । ରାଷ୍ଟ୍ର ମୁଖାରେ ଗଣତାନ୍ତ୍ରିକ ମୌଳିକ ତଥା ନାଯ୍ୟ ବିରୋଧକୁ ରୋକାଯାଉଛି । ଓଡ଼ିଶାରେ ସମାନ ଅବସ୍ଥା ।

 

ପାଠକେ, ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ପ୍ରାର୍ଥନାକୁ ସିଧାସଳଖ ଗ୍ରହଣ କରିପାର ନାହାନ୍ତି । କୋର୍ଟ କହିଛନ୍ତି, ନିୟମଗିରିରେ ଖଣିଜ ଉତ୍ତୋଳନ ଯୋଗୁଁ ପ୍ରଭାବିତ ହେବାକୁ ଥି‌ବା ସବୁ ପକ୍ଷଙ୍କୁ ନ ଶୁଣି (ବିଶେଷକରି ୧୨ଟି ଗ୍ରାମସଭାକୁ) କୌଣସି ମଧ୍ୟବର୍ତ୍ତୀ ଆଦେଶ ମଧ୍ୟ ଦିଆଯାଇ ପାରିବ ନାହିଁ । ଅର୍ଥାତ୍‌, ସମ୍ପୃକ୍ତ ସମସ୍ତଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଉ । ପ୍ରକାଶ ଥାଉକି, ମାମଲାର ଶୁଣାଣି ବେଳେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ଡଙ୍ଗରିଆମାନଙ୍କ ଓକିଲ ନୂଆ ମାମଲାର ବୈଧାନିକତା ନେଇ ପ୍ରଶ୍ନ ଉଠାଇ ଥିଲେ। ଅନ୍ୟ ପକ୍ଷରେ ଅଜବ ଯୁକ୍ତି ବାଢିଥିଲେ ରାଜ୍ୟ ସରକାରଙ୍କ ଓକିଲ। ତାହା ଏମିତି- ୨୦୧୩ରେ ଅନୁଷ୍ଠିତ ହୋଇଥିବା ଗ୍ରାମସଭା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କୁଆଡ଼େ ପାଳି ନାହାନ୍ତି, ଅର୍ଥାତ୍‌ ସେମାନେ ଡଙ୍ଗରିଆମାନଙ୍କ ସାଂସ୍କୃତିକ ଓ ଧାର୍ମିକ ଅଧିକାର ନିର୍ଣ୍ଣୟ ନକରି ମାଇନିଂ ବିରୋଧରେ ନିଜର ମତ ରଖିଛନ୍ତି, ଯାହା ସେମାନଙ୍କ ଅଧିକାର ବହିର୍ଭୂତ । ଏହା ବାଦ୍‌ ଏବେ ଆଉ ଓଏମ୍‌ସି ଏବଂ ବେଦାନ୍ତର ଆଲୁମିନାର ଯୁଗ୍ମ ବୁଝାମଣା ନଥିବାରୁ ଓଡ଼ିଶା ମାଇନିଂ କର୍ପୋରେସନ୍‌ର ସ୍ଵାର୍ଥ ଦୃଷ୍ଟିରୁ ଯାଚିକାକୁ ନୂଆ ମାମଲା ଭାବରେ କୋର୍ଟ ଗ୍ରହଣ କରନ୍ତୁ । ପାଠକମାନଙ୍କୁ ସ୍ମରଣ କରାଇ ଦିଏ ଯେ ବେଦାନ୍ତ ରିସୋର୍ସେସ୍‌ର ସବ୍‌ସିଡିଆରୀ ଷ୍ଟେର୍‌ଲାଇଟ୍‌ ଏବଂ ଓଏମ୍‌ସିକୁ ନେଇ ଗଠିତ ସ୍ଵତନ୍ତ୍ର ପ୍ରକଳ୍ପର ଆଉ କିଛି ଅର୍ଥ ନାହିଁ । ବେଦାନ୍ତର ଲକ୍ଷ୍ୟ ଥିଲା ଯେ ନିୟମଗିରିରୁ ଅନ୍ୟୁନ ୧୫୦ ନିୟୁତ ଟନ୍‌ ବକ୍ସାଇଟ୍‌ ଯୋଗାଇ ଦିଆଯିବ ଏହାର ଆଲୁମିନିୟମ୍‌ ପ୍ଲାଣ୍ଟକୁ । ତାହା ଇତିହାସ ପାଲଟି ସାରିଛି ।

 

ତଥ୍ୟାଭିଜ୍ଞ ମହଲରେ ଏବେ ଆଲୋଚନା ହେଉଛି ଯେ ରାଜ୍ୟରେ ଶିଳ୍ପାୟନ ବିଶେଷକରି ବୃହତ୍‌ ପ୍ରକଳ୍ପ ସ୍ଥାପନ / ସର୍ବବୃହତ୍‌ ବିଦେଶୀ ପୁଞ୍ଜି ଲଗାଣ ଉପରେ ବର୍ଷ ବର୍ଷ ତୁମ୍ବିତୋଫାନ ପରେ ଖୋଲା ପବନ ସବୁ ଛଦ୍ମବେଶକୁ ଅନାବରଣ କରିସାରିଛି ଏବଂ ପୋସ୍କୋ ରାଜ୍ୟରୁ ଶିବିର ଉଠାଇବା ଆରମ୍ଭ କରିବା ପରେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ସରକାର ନିୟମଗିରିରେ ଟିପ ମାରିଛନ୍ତି- ଓଏମ୍‌ସିକୁ ‘କା’ କରି। ଗତ ଶତାବ୍ଦୀର ଅଶୀ ଦଶକରେ ଗନ୍ଧମାର୍ଦ୍ଦନରେ ହାତମାରି ସରକାର ଫେଲ୍‌ ମାରିଥିଲେ । ତେଣୁ ଆଉ ଗନ୍ଧମାର୍ଦ୍ଦନ କଥା ଉଠୁନାହିଁ-। ନିୟମଗିରିର ତାତି ଯଥେଷ୍ଟ ହୋଇଥିଲେ ହେଁ କୌଣସି କାରଣରୁ ସରକାର ବକ୍ସାଇଟ୍‌ ଉତ୍ତୋଳନ ଲୋଭ ସମ୍ବରଣ କରିପାରୁ ନାହାନ୍ତି । ନିୟମରାଜାଙ୍କୁ ଜିଣିବା ପାଇଁ ଉଦ୍ୟମ ତେଣୁ ଜାରି ରହିଛି । ମଜାକଥା ହେଉଛି, ଯେଉଁ ସମୟରେ ସରକାର ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛନ୍ତି, ଠିକ୍‌ ସେଇ ସମୟରେ ଡଙ୍ଗରିଆ, ଝରଣିଆ ଏବଂ କୁଟିଆ କନ୍ଧମାନେ ମିଳିତ ହୋଇ ପର୍ବ ପାନୁଥିଲେ; ‘ନିୟମପେନୁ'ଙ୍କୁ ପୂଜା କରୁଥଲେ ।

 

ଜନଜାତିଙ୍କ ସ୍ଵାର୍ଥ ପାଇଁ ସମର୍ପିତ ଆନ୍ତର୍ଜାତିକ ସଂଗଠନ ‘ସରଭାଇଭାଲ୍‌ ଇଣ୍ଟରନ୍ୟାସନାଲ୍‌’ ଆରମ୍ଭରୁ ଡଙ୍ଗରିଆମାନଙ୍କ ସାଥୀରେ ରହିଛି ଏବଂ ତମାମ୍‌ ପୃଥିବୀରେ ବେଦାନ୍ତ ସନ୍ତ୍ରାସ ବିରୋଧରେ ଜନମତକୁ ପ୍ରଭାବିତ କରିଛି । ନିକଟରେ ସଂସ୍ଥା ମତ ରଖିଛି ଯେ, କୌଣସି ସ୍ଥିତିରେ ବି ନିୟମଗିରିକୁ ପରାସ୍ତ ହେବାକୁ ଦିଆଯିବନି । ରାଜ୍ୟ ସରକାରଙ୍କୁ ‘ସର୍ଭାଇଭାଲ୍‌’ ନିବେଦନ କରିଛି, ଡଙ୍ଗରିଆମାନଙ୍କ ସ୍ୱାର୍ଥରକ୍ଷା କରାଯାଉ । ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ଆଇନ୍‌ ଅନୁସାରେ ଜନଜାତିଙ୍କର ଏ ଅଧିକାର ଅବଶ୍ୟ ରହିଛି ଯେ ସେମାନେ ନିଷ୍ପତ୍ତି ନେବେ–ସେମାନଙ୍କ ଜମି / ଭିଟାମାଟିକୁ ନେଇ କ’ଣ କରାଯିବ / ପ୍ରଗତିର ନକ୍ସା କ’ଣ ହେବ । ଆନ୍ତର୍ଜାତିକ ସମୁଦାୟଙ୍କ ମିଳିତ ବିରୋଧ ପରେ ନିୟମଗିରିର ମାଇନିଂ ପ୍ରସଙ୍ଗ ଉଠାଇବା କେବଳ ଅଗଣତାନ୍ତ୍ରିକ ଏବଂ ବେଆଇନ୍‌ ନୁହେଁ, ଅନୈତିକ ବି । ଅନ୍ୟ ଏକ ସଂଗଠନର ମତ ଯେ ୮,୦୦୦ ଡଙ୍ଗରିଆ ନିଷ୍ପତ୍ତି ନେଇ ସାରିଛନ୍ତି ‘ନିୟମପେନୁ’ଙ୍କୁ କ୍ଷତାକ୍ତ ହେବାକୁ ଦିଆଯିବ ନାହିଁ । ନିୟମରାଜାଙ୍କ ଅପୂର୍ବ ପ୍ରାକୃତିକ ଶୋଭା, ଝରଣାର କାଚକେନ୍ଦୁ ପରି ପାଣି, ତରୁଲତା ଏବଂ ଜୀବଜଗତକୁ ଅତୁଟ ତଥା ଅସଂକ୍ରମିତ ରଖିବା ପାଇଁ ସେମାନେ ପ୍ରତିଜ୍ଞାବଦ୍ଧ । କୌଣସି ସ୍ଥିତିରେ ପକୃତି ସହିତ ସେମାନଙ୍କର ନିବିଡ଼ ସମ୍ପର୍କକୁ ପ୍ରତିହତ କରିହେବ ନାହିଁ । ୨୦୧୩ରେ ଗ୍ରାମସଭା ଶେଷ ହେବା ପରେ ଲେଖକ ଯାଇଥିଲା ସିର୍କାପଡ଼ିକୁ । ପ୍ରଥମ ଗ୍ରାମସଭା ସେଇଠି ହୋଇଥିଲା । ଛୋଟିଆ ଗାଁ । ପାହାଡ଼ ଉପରେ ।

 

ଢେର୍‌ ଦୂରରେ ଗାଡ଼ି ରଖି ସ୍ଥାନୀୟ ରାଜସ୍ଵ ନିରୀକ୍ଷକଙ୍କ ସହାୟତାରେ ସିର୍କାପୀଡ଼ିରେ ପହଞ୍ଚିବା ସହଜ ନଥିଲା । ପ୍ରାୟ ଦେଢ଼ଘଣ୍ଟା ଅପେକ୍ଷା କରିବା ପରେ ଆମର ଦେଖା ହୋଇଥିଲା ଗାଁ ମୁଖିଆ ଇନ୍ଦ୍ର ସିକକାଙ୍କ ସହିତ । ସେ ଜଙ୍ଗଲଜୁ ଯାଇଥିଲେ । ଆମ ସହିତ କଥା ହେବା ପାଇଁ ପ୍ରସ୍ତୁତ ନଥିଲେ ଇନ୍ଦ୍ର । ତାଙ୍କର ଧାରଣା ଥିଲା, ଆମେ କମ୍ପାନୀ ଏଜେଣ୍ଟ । କାନ୍ଧରୁ ଟାଙ୍ଗିଆ ବି ଉତାରୁ ନଥିଲେ । କୌଣସି ପ୍ରକାରେ ବୁଝାସୁଝା କରିବା ପରେ ଇନ୍ଦ୍ର କହିଥିଲେ–‘ନିୟମଗିରି ସେମାନଙ୍କ ସଂସ୍କୃତିକୁ ବଞ୍ଚେଇ ରଖୁଛି । ଡଙ୍ଗରିଆଙ୍କ ଜୀବନ ପର୍ଯ୍ୟାପ୍ତ ନ ହୋଇପାରେ, ପରବାୟ ନାହିଁ, କିନୁ ଜିଇଁ ଥାଉଁ ଥାଉଁ ନିଜର ଆରାଧ୍ୟ ଦେବତାଙ୍କୁ କେହି ଆକ୍ରମଣ କରିବ, ଏ କଥା ଡଙ୍ଗରିଆ ସହିବାର ପ୍ରଶ୍ନ ଉଠୁନାହିଁ’ ।

(ନିତିଦିନ, ତା ୨୯/୪/ ୨୦୧୬)

Image

 

Unknown

ଚା’ କପ୍‌ରେ ଝଡ଼

 

ଚିଟ୍‌ଫଣ୍ଡ କାରବାରକୁ ପ୍ରୋତ୍ସାହନ ଦେବାରେ ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କ ସଂପ୍ତୃକ୍ତି ବାବଦରେ ଆମେ ଆଗରୁ ଜାଣିସାରିଛେ । କିଛି ନେତା ଗିରଫ ମଧ୍ୟ ହୋଇଛନ୍ତି । ସେମାନଙ୍କ ପ୍ରିୟ ନେତା ଲୋକଙ୍କୁ ଠକିଛନ୍ତି । ଏ କଥା ଲୋକେ ଜାଣିବା ପରେ କିଛିଦିନ ହୋହାଲ୍ଲା ହୋଇଥିଲା । ଅଧିକାଂଶ ସମ୍ବାଦପତ୍ରର ପ୍ରଥମ ପୃଷ୍ଠା ମଣ୍ଡନ କଲା ଚିଟ୍‌ଫଣ୍ଡ ସ୍କାମ୍‌ । ଟିଭିରେ ଆଲୋଚନା ଉଷ୍ମ ହେଲା । ବାସ୍‌, ତାଂପରେ ସବୁ ଥଣ୍ଡା ପଡ଼ିଗଲା ତେଣିକି ସି.ବି.ଆଇ.କୁ ‘କା’ କରି ରାଜନୈତିକ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବା ଜାରି ରଖିଲେ ଏବଂ ପରେ ପରେ କୌଣସି ଅଜ୍ଞାତ, ରହସ୍ୟମୟ କାରଣରୁ ସି.ବି.ଅଇ. ଛାନ୍‌ଭିନ୍‌ ଏକଦମ୍‌ ମାନ୍ଦା ପଡ଼ିଗଲା । ତା’ ଭିତରେ ରାଜ୍ୟ ସରଜାର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଲୋକଙ୍କ ମନ ରଖିବା ପାଇଁ ଏକ କମିଶନ ବସାଇଲେ । ପାଠକମାନେ ଜାଣନ୍ତି ଯେ, ଭାରତରେ ଏଯାଏ ଖୁବ୍‌ କମ୍‌ କମିଶନ ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ସାରିଛନ୍ତି ଓ ରିପୋର୍ଟ ଦେଇଛନ୍ତି । କ୍ୱଚିତ୍‌ କ୍ଷେତ୍ରରେ କମିଶନଙ୍କ ରିପୋର୍ଟ ସଧାରଣ ଲୋକଙ୍କ ପାଖରେ ପହଞ୍ଚିଛି । ତେଣୁ ଏ ଧାରଣା ମଧ୍ୟ ଭାରତରେ ଜନ୍ଜିଛି ଯେ ଅଧିକାଂଶ କମିଶନ କେବଳ ବିଧି ରଖିବା ଲାଗି ଯାହା ତିଷ୍ଠି ରହିଥାନ୍ତି । ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, ଚୂଡ଼ାନ୍ତ ଅନୁସନ୍ଧାନ ଉପରାନ୍ତ ଚିଟ୍‌ଫଣ୍ଡ ସଂସ୍ଥାମାନଙ୍କର ଯେଉଁ ସଂପତ୍ତି ବାଜ୍ୟାପ୍ତ ହେବ, ସେସବୁ ସର୍ବସାଧାରଣରେ ନିଲାମ କରିବେ ଜିଲ୍ଲାସ୍ତରୀୟ ପ୍ରାଧିକୃତ ଅଧିକାରୀ । ସେ ପଇସା ନିବେଶକଙ୍କୁ ପର୍ଯ୍ୟାୟକ୍ରମେ ଫେରେଇ ଦିଆଯିବ । ଯାହା ଖବର, ଏମିତି ପ୍ରକ୍ରିୟା ସାଂକେତିକ ଭାବରେ ଆରମ୍ଭ ହୋଇସାରିଛି । ତେବେ ନିଲାମ ଉତ୍ତାରୁ କେଉଁଠୁ କେତେ ପଇସା ମିଳିଲା, ଆଇନ ପ୍ରତିବନ୍ଧକ ହେଲା କି ନାହିଁ, ଠକେଇର ଶିକାର ହୋଇଥିବା ଲୋକେ କେତେ ଅବିକଳ ପାଇଲେ–ସେ ଖବର କାହା ପାଖରେ ନାହିଁ । ଏହା କେବଳ ଯେ ଓଡ଼ିଶାରେ ଘଟୁଛି, ତାହା ନୁହେଁ । କାରଣ, ସାରଦା ଚିଟ୍‌ଫଣ୍ଡରେ ତୃଣମୂଳ ନେତାଙ୍କ ପ୍ରମାଣିତ ସଂପୃକ୍ତି ପରେ ଗତ ବିଧାନସଭା ନିର୍ବାଚନରେ ମମତାଙ୍କ ଦଳ ବାଜିମାତ୍‌ କରିଛି । ଲେଖକର କହିବାର ଉଦ୍ଦେଶ୍ୟ, ଯେକୌଣସି ଗୁରୁତ୍ଵପୂର୍ଣ୍ଣ ତଥା ସମ୍ବେଦନଶୀଳକୁ ପ୍ରସଙ୍ଗ ଖୁବ୍‌ ଅଧିକ ସମୟ ଧରି ଗୁରୁତ୍ୱ ରଖନ୍ତି ନାହିଁ । ଗଣମନସ୍ତତ୍ତ୍ୱ ଏକ ମୁସ୍କିଲ ପାଠ, ଯାହାର କୂଳକିନାରା ଖୋଦ୍‌ ମନୋବିଜ୍ଞାନୀମାନେ ମଧ୍ୟ ପାଆନ୍ତି ନାହିଁ ।

 

ଏବେ ଖବରକାଗଜରେ ଛାଇଯାଇଛି, ଚିଟ୍‌ଫଣ୍ଡରେ ଓଲିଉଡ୍‌ ତାରକାମାନଙ୍କ ସଂପୃକ୍ତି ୟାର ଏକ ସଂକ୍ଷିପ୍ତ ବିବରଣା ଏମିତି ଦେଇହେବ–(୧) ଯେଉଁ ସମୟରେ ଓଡ଼ିଶାରେ ଚିଟଫଣ୍ଡ ବେପାର ଭଲ ଚାଲିଥିଲା, ଠିକ୍‌ ସେଇ ସମୟରେ କୁଆଡ଼େ ପ୍ରକଟ ହେଲେ (ଆକସ୍ମାତ୍‌) କିଛି ନୂଆ ପ୍ରଯୋଜକ । (୨) ସେମାନେ ଉଭୟ ପ୍ରତିଷ୍ଠିତ ଏବଂ ନୂଆ କଳାକାରମାନଙ୍କୁ ପ୍ରଲୋଭିତ କଲେ । (୩) ପ୍ରଲୋଭନ ଉଚ୍ଚ ପାରିଶ୍ରମିକରେ ଅଭିନୟ ପାଇଁ ଯେତିକି ଥିଲା, ସେତିକି ଉଦିଷ୍ଟ ଥିଲା ସେମାନଙ୍କ ଚିଟ୍‌ଫଣ୍ଡର ବ୍ୟାବସାୟିକ ପ୍ରତ୍ୟକ୍ଷ ପରୋକ୍ଷ ପ୍ରୋତ୍ସାହନ ପାଇଁ । (୪) ଆମ ତାରକାମାନେ ଅର୍ଥ ଏବଂ ଆନୁସଙ୍ଗିକ ଉପଭୋଗର ଲୋଭ ସମ୍ବରଣ କରିପାରିଲେ ନାହିଁ । (୫) ଯେହେତୁ ତାରକାମାନଙ୍କୁ ସବୁ ସଂସ୍କୃତିରେ ଉଚ୍ଚା ଚଉକି ଦିଆଯାଏ ଏବଂ ମଧ୍ୟବର୍ଗ ଏମାନଙ୍କୁ ମହାନ୍‌ ତଥା ନିର୍ଭରଯୋଗ୍ୟ ମନେ କରିଥାନ୍ତି, ତେଣୁ ତାରକାମାନଙ୍କ ପ୍ରୋତ୍ସାହନ ଯୋଗୁଁ ‘ଓସ୍କାର୍‌’ ପରି ଚିଟ୍‌ଫଣ୍‌ ସଂସ୍ଥାଙ୍କ ବ୍ୟବସାୟ ବଢ଼ିଲା । ଅନ୍ୟ ଅର୍ଥରେ, ଲୋକେ ବିଶ୍ଵାସ କରି ଠକିହେଲେ । (୬) ଏବେ ସବୁ ଜଣାପଡ଼ିବା ପରେ ତାରକାମାନଙ୍କ ରଙ୍ଗ ଫିକା । ସେମାନଙ୍କ ପୋଷ୍ଟରରେ କାଳି, ସିନେମା ହଲ୍‌ ଆଗରେ ବିକ୍ଷୋଭ, କୁଶପୁତ୍ତଳିକା ଦାହ ଏବଂ ଗିରଫଦାରି ଦାବି–ଏସବୁ ଜାରି ରହିଛି । (୭) ଅସଲରେ ଯାହା ସେମାନଙ୍କର ହେଉ–ନହେଉ, ଖବରକାଗଜ ଓ ଟିଭି ଚ୍ୟାନେଲ ମନୋରଞ୍ଜନର ଭରପୁର ଖୋରାକ ଯୋଗାଉଛନ୍ତି ।

 

ଏଣେ ଚିଟଫଣ୍ଡ ଏବଂ ପୁଞ୍ଜିନିବେଶକୁ ନେଇ ଠକେଇର ଇତିହାସ କମ୍‌ ଲମ୍ବା ନୁହେଁ । କେତୋଟି ଚର୍ଚ୍ଚିତ ସ୍କାମ୍‌ର ଅତି ସଂକ୍ଷିପ୍ତ ବିବରଣୀ : (୧) ଗତ ଶତାବ୍ଦୀର ୨ୟ ଦଶକରେ ଚାର୍ଲସ୍‌ ପଞ୍ଜି ୪୫ ଦିନରେ ୫୦% ଏବଂ ୯୦ ଦିନରେ (ଜଣେ ଖଟାଉଥିବା ପୁଞ୍ଜିର) ୧୦୦% ମିଳବା ନିଶ୍ଚିତ ବୋଲି ପ୍ରରୋଚିତ କରିଥିଲେ । (୨) ସାରା ହୋ । ୧୯୮୦ । ବୋଷ୍ଟନ । କେବଳ ମହିଳାଙ୍କ ପାଇଁ ତାଙ୍କ ଯୋଜନା ଉଦ୍ଦିଷ୍ଟ ଏବଂ ଯଥେଷ୍ଟ ଲାଭଜନକ ପ୍ରଚାର କରି ପର୍ଯ୍ୟାପ୍ତ ଅର୍ଥ ତୋଷରପାତ ପରେ ସଂପୃକ୍ତ ମହିଳା ଗାଏବ ହୋଇଯାଇଥିଲେ । (୩) ୨୦୦୦–୨୦୦୧ । ହାଇତି। ସରକାର ସମର୍ଥିତ ସମବାୟ ସଂସ୍ଥା ଭାବରେ ମିଥ୍ୟା ପରିଚୟ ଦେଇ ୨୪୦% ନିୟୁତ ଡଲାର ଠକେଇ । (୪) ପର୍ଲମ୍ୟାନ । ୧୯୯୦ । ମହାଶୟ ସଂଗୀତ ବେପାର ସହିତ ପଞ୍ଜି ସ୍କିମ୍‌ରେ ମଧ୍ୟ ମାହିର ଥିଲେ । ୨୦୦୮ରେ କାଗଜପତ୍ରରେ ତିଷ୍ଠିଥିବା ୨ଟି କମ୍ପାନି ନାଁରେ ୩୦୦ ନିୟୁତ ଗିଳିବା ପରେ ୨୦୦୮ରେ ଗିରଫ । (୫) ଜୋର୍ଡାନ ବେଲଫ୍ରଷ୍ଟ । ୧୯୯୦–୧୯୯୫ । ଶହ ଶହ ଚତୁର ଷ୍ଟକ୍‌ ବ୍ରୋକରଙ୍କ ମାଧ୍ୟମରେ ଏକଦମ ଦେବାଳିଆ କମ୍ପାନିର ସେୟାରକୁ କୃତ୍ରିମ ଭାବରେ ବଢ଼େଇ ପର୍ଯ୍ୟାପ୍ତ ଲାଭ ପରେ ୧୯୯୮ରେ ଗିରଫ । (୬) ମାଇକେଲ କେଲି । ଚଳିତ ଶତାବ୍ଦୀର ପ୍ରଥମ ଦଶକରେ ୮୦୦୦ ନିବେଶକଙ୍କୁ ଚାଇନା ସେୟାର ବିକ୍ରି କରି ୫୦୦ ନିୟୁତ ଡଲାର ନେଇଯାଇଥିଲେ । ଅଧିକାଂଶ ସେୟାର ନକଲି ଥିଲା । ଏଇ ଠକମାନଙ୍କ ତାଲିକାରେ ଅନ୍ୟମାନେ ହେଲେ ଓସ୍‌ଭାଲ୍‌ଡ଼ୋ ଏବଂ ଫ୍ରେଡି (କୋଷ୍ଟୋରିକା), ଜେରାଲ୍‌ଡ ପେନ୍‌ (ଫ୍ଲୋରିଡା), ଆଡ୍ରିଆନ୍‌, ମ୍ୟାଡଫ, ଟମ୍‌ ପିଟର୍ସ, ରିଡ୍‌, ମାରିଆ ବ୍ରାଙ୍କା, ଓ୍ୱାଂଗେ ଫେଗୁ ଓ ମାଭ୍ରୋତି ।

 

ପାଠକେ, ଗତ ୮/୧୦ବର୍ଷ ଭିତରେ ଭାରତରେ ପ୍ରାୟ ୧୭୦ ଚିଟ୍‌ଫଣ୍ଡ କମ୍ପାନି କାରବାର କରିଛନ୍ତି, ଯେଉଁଥିରୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତରେ ଅଛନ୍ତି ୪୪ଟି ସଂସ୍ଥା । ତଥ୍ୟ ଅନୁଯାୟୀ, ଓଡ଼ିଶା, ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ଆସାମରେ ମଧ୍ୟବର୍ଗ/ ନିମ୍ନ ମଧ୍ୟବର୍ଗ ଠକେଇର ଶିକାର ହୋଇଛନ୍ତି । ପ୍ରାଥମିକ ଆକଳନ ମୁତାବକ ଠକ କମ୍ପାନିମାନେ ହାତେଇ ସାରିଛନ୍ତି ଅନ୍ୟୁନ ୮୦ ହଜାର କୋଟି ଟଙ୍କା । ୧୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି ଉପରୋକ୍ତ ୪ଟି ରାଜ୍ୟରେ । ଜଣେ ସାମ୍ବାଦିକ ଲେଖୁଛନ୍ତି ଯେ, ୨୦୧୦ କମନଓ୍ୱେଲ୍‌ଥ ଗେମ୍‌ସରେ ସ୍କାମ୍‌ ପରିମାଣ ୯୮ ହଜାର କୋଟି ଟଙ୍କା ଥିବାବେଳେ ସତ୍ୟମ୍‌ କମ୍ପ୍ୟୁଟର୍ସ ସ୍କାମ୍‌ ୨୦୦୯ ରେ ୨୪ ହଜାରେ କୋଟି ଟଙ୍କା ଓ ସାହାରା ଗ୍ରୁପ୍‌ ଠକେଇ ଅତି ବେଶୀରେ ୨୫ ହଜାର କୋଟିରେ ସୀମିତ ଥିଲା। ଚିଟଫଣ୍ଡ ସ୍କାମ୍‌ ସବୁକୁ ଟପିସାରିଛି । ବର୍ଷକୁ ୧୨%ରୁ ୪୦% ସୁଧ ପାଇବା ଅଶାରେ ଅନେକ ନିବେଶକ ବରବାଦ୍‌ ହୋଇସାରିଛନ୍ତି । ଜମିବାଡ଼ି, ବ୍ୟବସାୟ, ସଂପତ୍ତି ବିକ୍ରି ସରିଛି । ପ୍ରଥମେ ପର୍ଯ୍ୟାୟରେ ପୁଞ୍ଜିନିବେଶ କରିଥିବା ଲୋକେ ଅନେକ କ୍ଷେତ୍ରରେ ଲାଭ ପାଇଛନ୍ତି, କାରଣ ସେଇମାନଙ୍କୁ ‘ମୋହରା’ କରି ସ୍ଵାର୍ଥର ବିଷଚକ୍ର ଆଗକୁ ଯାଇଥଲା । ପ୍ରାଥମିକ ବିଶ୍ଲେଷଣ ଏବେ ସୂଚେଇ ସାରିଛି ଯେ ସାରା ରାଜ୍ୟରେ କୌଣସି ବଡ଼ବଡ଼ିଆ, ନେତା, ଶିଳ୍ପପତି, ତାରକାଙ୍କ ନିଜସ୍ଵ ଅର୍ଥ ଚିଟଫଣ୍ଡରେ ଜମାରୁ ଲାଗିନାହିଁ । ସେମାନେ ଅନ୍ୟମାନଙ୍କୁ ପୁଞ୍ଜିନିବେଶ ପାଇଁ ଉସୁକାଇଛନ୍ତି ଏବଂ ସେଥିପାଇଁ ଚିଟଫଣ୍ଡ ସଂସ୍ଥାମାନଙ୍କ ଦ୍ଵାରା ପର୍ଯ୍ୟାପ୍ତ ଅନୁଗୃହୀତ ହୋଇଛନ୍ତି । ଉପଭୋଗର ସମସ୍ତ ରଙ୍ଗୀନ ବ୍ୟବସ୍ଥା ସେମାନଙ୍କ ପାଇଁ କରାଯାଇଛି । ଏବେ ଗଣମାଧ୍ୟମରେ ଛଦ୍ମ ସଫେଇ ଦିଆଯାଉଛି ଯେ, କଳାକାରମାନେ ମେଷ ଶାବକ ପରି ନିରୀହ ଏବଂ ସେମାନେ ଚିଟ୍‌ଫଣ୍ଡ କାରବାର ସଂପର୍କରେ ବିଲକୁଲ୍‌ ଜାଣିନଥିଲେ । ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ।

 

କେଇଦିନ ତଳେ ସି.ବି.ଆଇ,ରେ ଥିବା ଜଣେ ବନ୍ଧୁଙ୍କ ସହିତ ଏ ବାବଦରେ କଥା ହେଇଥିଲି । ସେ କହିଲେ, ପାଖାପାଖି ୯୦ହଜାର କୋଟି ଟଙ୍କା ଠକେଇରୁ କେବଳ ଓଡ଼ିଶା ତ୍ରିପୁରା, ଆସାମ ଓ ପଶ୍ଚିମବଙ୍ଗ ଭାଗ ୩୦ ହଜାର କୋଟି ! ଅବଶିଷ୍ଟ ମୁଖ୍ୟତଃ ଉତ୍ତର-ଭାରତରେ-। ତେବେ ଏହା ପ୍ରାଥମିକ ଆକଳନ । ପରେ ଯଥେଷ୍ଟ ଅଧିକ ମଧ୍ୟ ହେଇପାରେ । ସି.ବି.ଆଇ, ଏଯାଏଁ ଅନ୍ୟୁନ ୮୦ ମୋକଦ୍ଦମା ରୁଜୁ କରିଛି–କେବଳ ଉପରୋକ୍ତ ୪ଟି ରାଜ୍ୟରେ । ସେ ପୁଣି କହିଲେ, ଗତ ୨୦ ବର୍ଷ ଭିତରେ ସାରା ଭାରତରେ ବିଭିନ୍ନ ଠକେଇ / ସ୍କାମ୍‌ର ଶିକାର ହୋଇଛନ୍ତି ପ୍ରାୟ ୬ କୋଟି ଲୋକ । ଆଉ ଠକେଇ ଆୟତନ ଏତେ ବିସ୍ତୃତ ଯେ ସି.ବି.ଆଇ. ସମ୍ଭବତଃ ସବୁ ମାମଲାର ଛାନ୍‌ଭିନ୍‌ ଠିକ୍‌ ଠିକ୍‌ କରିପାରିବ ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଓ ରାଜ୍ୟ ପୁଲିସକୁ ନେଇ ଏହା ଏବେ ଯୌଥ ଉଦ୍ୟମ । ଏଥିରେ ସମସ୍ତେ ଯୋଡ଼ିହୋଇ ଅଛନ୍ତି–ନେତା, ଅଭିନେତା, ଅଫିସର, ସାମ୍ବାଦିକ, ବ୍ୟବସାୟୀ ଏବଂ ବ୍ରୋକର । ପ୍ରସଙ୍ଗକ୍ରମେ ସେ ଓଡ଼ିଶାର ଜଣେ ପୁଲିସ ଅଫିସରଙ୍କ କଥା ଉଠେଇଲେ–ଯିଏ ଏକାଧିକ ଠକ କମ୍ପାନି ନାଁରେ ୫୦୦ କୋଟି ଟଙ୍କା ଚଳୁ କରିବା କଥା ୨୦୧୪ ଶେଷ ଆଡ଼କୁ ପ୍ରକାଶ ପାଇଥିଲା-। ବନ୍ଧୁ କହିଲେ, ଆମ ପ୍ରଚଳିତ ନ୍ୟାୟ ବ୍ୟବସ୍ଥାରେ ଅପରାଧୀର ଅପରାଧକୁ ସାବ୍ୟସ୍ତ କରିବା କାଠିକର ପାଠ । ମୁଁ କହିଲି, ଲୋକଙ୍କଠାରୁ ଟଙ୍କା ନେବାପରେ ଚିଟଫଣ୍ଡ କମ୍ପାନିମାନେ ଜମିବାଡ଼ି, ଘର, ଅଫିସ କୁଆଡ଼େ କିଣି, ସେୟାର ବଜାରରେ ପୁଞ୍ଜାନିବେଶ କରନ୍ତି, କିନ୍ତୁ ଥରେ ସେମାନେ ଧରାପଡ଼ିବା ପରେ ଦେଖାଯାଉଛି ଯେ ଠକିଥିବା ମୋଟ୍‌ ରାଶିର ଏକ ଅତି କ୍ଷୁଦ୍ର ଅଂଶ ସମ୍ପତ୍ତି ନଚେତ୍‌ ବ୍ୟାଙ୍କ ଜମା ଭାବରେ ସେମାନଙ୍କ ପାଖରେ ଉପଲବ୍ଧ । ଏତେ ଟଙ୍କା ଉଭେଇଗଲା କୁଆଡ଼େ ? ଉଦାହରଣ ଦେଇ ମୁଁ ‘ଓସ୍କାର କମ୍ପାନି’ କଥା ଉଠାଇଲି । ପ୍ରାୟ ୬ ଶହ କୋଟି ଟଙ୍କା ଖାଇସାରିବା ପରେ ଏବେ ଛାନ୍‌ଭିନ୍‌ରୁ ପୁଲିସ ମାତ୍ର ୧୦/୨୦ କୋଟି ଟଙ୍କାର ସମ୍ପତ୍ତି ଓ ଜମା ଠାବ କରିଛି । ବନ୍ଧୁ ହସିଲେ କହିଲେ, କେବଳ ଓଡ଼ିଶାରେ ନୁହେଁ, ସାରା ପୃଥିବୀରେ ଏହା ହିଁ ଘଟିଛି । ଲୋକଙ୍କ ଝାଳବୁହା ପଇସା ଲାଗିଛି ଉପଭୋଗରେ, ବିଳାସରେ ଏବଂ ବେନାମି ବିନିଯୋଗରେ । ସରକାର ତେଣୁ ଚିଟଫଣ୍ଡ ସଂସ୍ଥାମାନଙ୍କ ବାଜ୍ୟାପ୍ତ ସମ୍ପତ୍ତି ନିଲାମ କରି ନିବେଶକଙ୍କ ଅର୍ଥ ଫେରେଇବେ, ଏହା ସମ୍ଭବ ନୁହେଁ । ପୁଣି ପଚାରିଲି, ଆଉ ଚଳଚ୍ଚିତ୍ର ତାରକାମାନଙ୍କ ସଂପୃକ୍ତି । ବନ୍ଧୁ କହିଲେ ଚା’ କପ୍‌ରେ ଝଡ଼ । ଆମ ସମୟରେ ଯେକୌଣସି ତାରକାଙ୍କୁ ନିରୋଳା ବ୍ୟବସାୟୀ ନଭାବି ଆମେ ଯେ ସେମାନଙ୍କୁ ଆଦର୍ଶର ମୂର୍ତ୍ତିମନ୍ତ ବିଗ୍ରହ ବୋଲି ବିଚାରୁଛୁ, ଆଇକନ୍‌ ମନେ କରୁଛୁ, ଏହା ହିଁ ଜନଜୀବନରେ ବିଡ଼ମ୍ବନା । ଶ୍ଳେଷ । ଆଉ କିଛିଦିନ ପରେ ଲୋକେ ସବୁ ଭୁଲିଯିବେ ଏଵଂ ସେଇ ତାରକାମାନଙ୍କଠୁ ନୂଆ ହିଟ୍‌ର ଅପେକ୍ଷା ରଖିବେ।

(ପ୍ରମେୟ, ତା ୫/୭/୨୦୧୬)

Image

 

ନାପାମ୍‌ର ନିଆଁ, ଭିଏତନାମର ନୂଆ ଚେହେରା

 

ତା ୧୪.୪.୨୦୧୬ରିଖ । ୧୦ ଦିନିଆ ଭିଏତନାମ୍‌ ଏବଂ ଥାଇଲାଣ୍ଡ ଗସ୍ତରେ ଭିଏତ୍‌ନାମ୍‌ରୁ ଥାଇଲାଣ୍ଡ ବାହାରିବା ବେଳକୁ ହାତରେ ମାତ୍ର ୫/୬ ଘଣ୍ଟାର ବଳକା ସମୟ । ସେତେବେଳେ ଆମେ ହୋ-ଚି-ମିନ୍‌ ସିଟିରେ । ସୀମିତ ସମୟ ଭିତରେ ଗାଇଡ୍‌ ଦୁଇଟି ଜାଗା ଦେଖିଆସିବା ପାଇଁ ପରାମର୍ଶ ଦେଇଥିଲେ–ଓ୍ୱାର୍‌ ରେମ୍‌ନାଣ୍ଟସ୍‌ ମ୍ୟୁଜିୟମ ଓ ସୁ-ସି-ଟନେଲ୍‌ ।

 

ଓ୍ୱାର୍‌ ମ୍ୟୁଜିୟମ ବାବଦରେ ଆଗରୁ କିଛି ପଢ଼ିଥିଲି । ହୋଟେଲରୁ ମ୍ୟୁଜିୟମ ଯିବା ରାସ୍ତାରେ ଗାଇଡ୍‌ ଧାରଣା ଦେଇଥିଲେ ଭିଏତନାମ ଭୋଗିଥିବା ଉପନିବେଶବାଦ ଓ ଭୟଙ୍କର ଯୁଦ୍ଧ ବାବଦରେ । ସଂକ୍ଷେପରେ ସେ ଯାହା କହିଥିଲେ, ତାହା ଥିଲା ପାଖାପାଖି‌ ଏମିତି: ୧୮୫୯ରୁ ୧୮୮୩ ପର୍ଯ୍ୟନ୍ତ ଭିଏତନାମ ଫ୍ରାନ୍ସର ଉପନିବେଶ ହୋଇ ରହିଥିଲା । ୧୯୪୦ରେ ନିୟନ୍ତ୍ରଣ ଆସିଲା ଜାପାନ ହାତକୁ । ୧୯୪୫ରେ ଭିଏତନାମର ରାଷ୍ଟ୍ରନାୟକ, ମହାନ୍‌ ସଂଗ୍ରାମୀ ହୋ-ଚି-ମିନ୍‌ ସ୍ୱାଧୀନତା ଘୋଷଣା କଲେ । ତେବେ ଦୁର୍ଯୋଗକୁ ୧୯୪୬ରେ ପୁଣି ଥରେ ଫ୍ରାନ୍ସ କାବୁ କରିବା ପାଇଁ ଉଦ୍ୟମ କଲା । ପରିଣତି ଥିଲା ସଂଗ୍ରାମ । ଏହାକୁ କୁହାଯାଉଥିଲା ପ୍ରଥମ ଇଣ୍ଡୋ-ଚାଇନା ଯୁଦ୍ଧ । ୧୯୫୪ରେ ଭିଏତନାମ ଦୁଇଖଣ୍ଡ ହୋଇସାରିଥିଲା- ଉତ୍ତର ଓ ଦକ୍ଷିଣ ଭିଏତନାମ । ପରେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଉଭୟଙ୍କ ଭିତରେ ଲାଗିଗଲା ଘମାଘୋଟ ଯୁଦ୍ଧ (ନଭେମ୍ବର ୧୯୫୫ରୁ ଏପ୍ରିଲ ୧୯୭୫) । ଉତ୍ତର ଭିଏତନାମ ପକ୍ଷରେ ଥଲେ ସୋଭିଏତ ୟୁନିୟନ, ଚୀନ ଏବଂ ଅନ୍ୟ କମ୍ୟୁନିଷ୍ଟ ସମର୍ଥକ । ଅନ୍ୟପକ୍ଷରେ, ଦକ୍ଷିଣ ଭିଏତନାମ ସହିତ ଥିଲେ ଯୁକ୍ତରାଷ୍ଟ୍ର ଆମେରିକା, ଫିଲିପାଇନ୍ସ‌ ଏବଂ ଅଣକମ୍ୟୁନିଷ୍ଟ ଗୋଷ୍ଠୀ । ଭିଏଟ୍‌ କଙ୍ଗ ବାହିନୀ (ଭିସି) ଗରିଲା ଯୁଦ୍ଧରେ ନିପୁଣ ଥଲେ । ନର୍ଥ ଭିଏତନାମିଜ୍‌ ଆର୍ମି (ଏନଭିଏ) ଲଢୁଥିଲେ ପାରମ୍ପରିକ ପଦ୍ଧତିରେ । ଯୁକ୍ତରାଷ୍ଟ୍ରର ପ୍ରବେଶ କିନ୍ତୁ ଯୁଦ୍ଧର ସ୍ଥିତିକୁ ପୂରା ବଦଳେଇ ଦେଇଥିଲା । ୧୯୭୬ରେ ଯୁଦ୍ଧ ଶେଷ ଉତ୍ତାରୁ ଉତ୍ତର ଏବଂ ଦକ୍ଷିଣ ଭିଏତନାମ ମିଳିତ ହୋଇ ସୋସିଆଲିଷ୍ଟ ରିପବ୍ଲିକ୍‌ ଅଫ୍‌ ଭିଏତନାମ ହେବାବେଳକୁ ଦେଶ ଏକଦମ୍‌ ଯୁଦ୍ଧ ବିଧ୍ୱସ୍ତ ହୋଇସାରିଥିଲା । କେବଳ ଭିଏତନାମରେ ଯୁଦ୍ଧ ସୀମିତ ନଥିଲା । ପ୍ରଭାବିତ ହୋଇଥିଲା କାମ୍ବୋଡ଼ିଆ ଲାଓସ୍‌ । ପରିସ୍ଥିତି ଏମିତି ଥିଲା ଯେ ସାମରିକ ଏବଂ ବେସାମରିକମାନଙ୍କ ଭିତରେ ତଫାତ୍‌ ଜାଣିହେଉନଥିଲା । ସମସ୍ତେ ଯୁଦ୍ଧରେ ଯେମିତି ସାମିଲ ହୋଇସାରିଥିଲେ ।

 

ଓ୍ୱାର୍‌ ରେମ୍‌ନାଣ୍ଟସ୍‌ ମ୍ୟୁଜିୟମରେ ଆମେ ପହଞ୍ଚି ସାରିଥିଲୁ । ଯୁଦ୍ଧରେ ବ୍ୟବହୃତ ଟ୍ୟାଙ୍କ, ହେଲିକପ୍ଟର, ଅକାମି ହୋଇସାରିଥିବା ଗୁଳିଗୋଳା / ବୋମା, କ୍ଷେପଣାସ୍ତ୍ର, କାରାଗାରରେ ଯୁଦ୍ଧବନ୍ଦୀମାନଙ୍କ ପ୍ରତିରୂପ, ଯୁଦ୍ଧର ଭୟାବହ ସ୍ଥିତି; ବିଶେଷକରି ଆମେରିକୀୟ ଆକ୍ରମଣର ବୀଭତ୍ସତାକୁ ଦର୍ଶାଉଥିବା ହଜାର ହଜାର ଚମତ୍କାର ଫଟୋଗ୍ରାଫ ମ୍ୟୁଜିୟମକୁ ଯେମିତି ଜୀବନ୍ତ କରି ରଖିଥିଲା । ଗାଇଡ୍‌ କହିଲେ, ଆମେରିକାର ଭିଏତନାମୀକରଣ ପିଢ଼ି ପରେ ପିଢ଼ିଙ୍କୁ ବିକଳାଙ୍ଗ କରିଛି । ଯୁଦ୍ଧ ତ ଢେର୍ ଆଗରୁ ଶେଷ ହୋଇଛି, କିନ୍ତୁ ଲାଗୁଛି ଯୁଦ୍ଧର ଛାଇ ଏବେ ବି ଯେମିତି ହଟିନାହିଁ । ସେ ପୁଣି କହିଲେ, ଯୁଦ୍ଧକାଳୀନ କ୍ଷୟକ୍ଷତିରୁ (ମୃତାହତ) ନେଇ ବିଭିନ୍ନ ଆକଳନ ମଧ୍ୟରେ ପାର୍ଥକ୍ୟ ରହିଛି । ୧୯୭୮ରେ ହୋଇଥିବା ଆମେରିକୀୟ ସର୍ଭେ ଅନୁସାରେ ଉଭୟ ପକ୍ଷରୁ (ସାମରିକ ଓ ବେସାମରିକ)’ ମୃତ୍ୟୁସଂଖ୍ୟା ଥିଲା ୧୩ ଲକ୍ଷ । ୧୯୯୫ରେ କରାଯାଇଥିବା ଆଉ ଏକ ସର୍ଭେ ମୁତାବକ (ଯୁକ୍ତରାଷ୍ଟ୍ର କେବଳ ଭିଏତନାମରେ ମୃତ୍ୟୁସଂଖ୍ୟା ଥିଲା ଲକ୍ଷରୁ ୧୧ ଲକ୍ଷ । ଏହାବାଦ୍‌ ଆମେରିକା ଏବଂ ମିଳିତ ବାହିନୀର ମୃତ୍ୟୁ (ସାମରିକ) ସଂଖ୍ୟା ୬୪,୦୦୦ରୁ କମ୍‌ ନଥିଲା । ତେବେ ଭିଏତନାମ ସରକାର ଜାରି କରିଥିବା ତଥ୍ୟା ଅନୁଯାୟୀ, ୧୯୫୫ରୁ ୧୯୭୫ ମଧ୍ୟରେ ପ୍ରାଣ ହରେଇଥିଲେ ୩ ନିୟୁତ ଭିଏତନାମୀ । ଗାଇଡ୍‌ ସେତେବେଳକୁ ଗ୍ୟାଲେରୀରେ ଥିବା ଏକ ବଡ଼ ଫଟୋ ପାଖକୁ ନେଇ ଆସିଥିଲେ, ଯାହା ପର୍ଯ୍ୟବସିତ ଥିଲା ରାସାୟନିକ ଆକ୍ରମଣ ଉପରେ ପାଠକମାନଙ୍କ ପାଇଁ ସ୍ପଷ୍ଟ କରୁଛି ଯେ, ଯୁକ୍ତରାଷ୍ଟ୍ର ଯୁଦ୍ଧ ବହୁଳାଂଶରେ ଏକ ରାସାୟନିକ ଯୁଦ୍ଧ ଥିଲା । ଆନ୍ତର୍ଜାତିକ କଟକଣା ବାହାରେ ରାସାୟନିକ ବ୍ୟବହୃତ ହୋଇଥିଲା ଅତ୍ୟନ୍ତ ନିର୍ମମ ଭାବରେ । ୮ ନିୟୁତ ଲୋକସଂଖ୍ୟାର ଗୋଟିଏ ସହରକୁ ଧ୍ୱଂସ କରିଦେବା ପାଇଁ ମାତ୍ର ୮୫ ଗ୍ରାମ ଡାୟୋକ୍ସିନ ଯଥେଷ୍ଟ ହୋଇଥଲେ ହେଁ ଯୁକ୍ତରାଷ୍ଟ୍ର ଏଜେଣ୍ଟ ପିଙ୍କ, ଏଜେଣ୍ଟ, ଗ୍ରୀନ୍‌ ଏଜେଣ୍ଟ, ପର୍ପଲ୍‌ ଏବଂ ଏଜେଣ୍ଟ ଅରେଞ୍ଜ ବ୍ୟବହାର କରୁଥିଲା, ଯେଉଁଥିରେ ଡାୟୋକ୍ଵିନର ମାତ୍ରା ଥଲା ୪୦ରୁ ୬୫.୬ (ପିପିଏମ୍‌) । ଏସବୁ ପ୍ରୟୋଗ ହୋଇଥିଲା ୧୯୬୧ରୁ ୧୯୭୧ ମଧ୍ୟରେ: ଯାହାକୁ କୁହାଯାଉଥିଲା ‘ରାଞ୍ଚହେଡ୍‌ ଅପରେସନ୍‌’ । ଏଜେଣ୍ଟ ଅରେଞ୍ଜ ଥଲା ସବୁଠୁ ଭୟାବହ । ଆମେରିକୀୟ ବିମାନ ଭିଏତନାମର ଘଞ୍ଚ ମୌସୁମୀ ଜଙ୍ଗଲ ଉପରକୁ ସ୍ପ୍ରେ କରୁଥି‌ଲେ ଏଇ ଜହର, ଗରିଲାମାନଙ୍କୁ ମାରିବା ପାଇଁ । ତେବେ ଏହା ଯୋଗୁଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରଭାବିତ ହୋଇଥିଲେ ୪ ନିୟୁତ ଭିଏତନାମୀ । ଆଉ ଯେଉଁମାନେ କୌଣସିମତେ ବର୍ତ୍ତିଗଲେ, ସେମାନେ ଅବଶିଷ୍ଟ ଜୀବନ ଯନ୍ତ୍ରଣା ସହିତ ବିତେଇଲେ । ଏକ ବଡ଼ ପୋଷ୍ଟର ଆଗରେ ଠିଆ ହୋଇଥିଲେ ଗାଇଡ୍‌, ଯେଉଁଥିରେ ଲେଖାଥିଲା ଯେ ଭିଏତନାମରେ ମରିଥିଲେ ୩ ନିୟୁତ, ଆହତ ହୋଇଥିଲେ ୨ ନିୟୁତ ଏବଂ ୩ ଲକ୍ଷ ନିରୁର୍ଦ୍ଦିଷ୍ଟ ହୋଇଥିଲେ । ଯୁଦ୍ଧ ପରେ ବି ଯୁଦ୍ଧ ଚାଲିଥିଲା । ଆମେରିକା ସେନା ଛାଡ଼ିଯାଇଥିବଲେ ୬ ଲକ୍ଷ ଟନ୍‌ ବୋମା ! ୬.୬ ନିୟୁତ ହେକ୍ଟର ଜମି ବୋମା / ବିସ୍ଫୋରକ ପ୍ରୟୋଗରେ ବିଷାକ୍ତ ହୋଇସାରିଥିଲା ଏବଂ ୯, ୨୮୪ ଜନବସତି ଆଉ ବାସୋପଯୋଗୀ ନଥିଲା । ଦୁର୍ଭାଗ୍ୟ ହେଉଛି, ୧୯୭୫ରୁ ୨୦୦ ୨ ଭିତରେ ୪ ୨, ୧୩୫ ଲୋକଙ୍କ ପ୍ରାଣହାନି ଘଟିଥିଲା ଅଫୁଟା ବୋମା ବିସ୍ଫୋରଣ ଯୋଗୁ । ୬୨, ୧୪୩ ଆହତ ହୋଇଥିଲେ । ଯୁଦ୍ଧରେ ଆମେରିକା ଉପଯୋଗ କରିଥିଲା ୨,୦୭୪ ଟ୍ୟାଙ୍କ, ୧୮୦୦ ଯୁଦ୍ଧବିମାନ / ହେଲିକପ୍ଟର, ୫୬,୦୦୦ ଅନ୍ୟାନ୍ୟ ମିଲିଟାରୀ ଗାଡ଼ି ଏବଂ ପର୍ଯ୍ୟାପ୍ତ ମାରଣାସ୍ତ୍ର ।

 

ଗାଇଡ୍‌ କହିଲେ, ସବୁଠୁ ଭୟାବହ ଥିଲା ନାପାମ୍‌ ବୋମା (ଏଜେଣ୍ଟ ଅରେଞ୍ଜ) । କୁହାଯାଏ–୧୯୬୫ରୁ ୧୯୭୩ ମଧ୍ୟରେ ଭିଏତନାମ ଉପରେ ଯୁକ୍ତରାଷ୍ଟ୍ର ପକେଇଥିଲା ୮ ନିୟୁତ ଟନ୍‌ ନାପାମ୍‌ ଯାହା ୨ୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ନାପାମଠାରୁ ୩ ଗୁଣ ଅଧିକ । ଯୁଦ୍ଧ ଶେଷ ହେବାର ବେଶ୍‌ ବର୍ଷ ପର୍ଯ୍ୟନ୍ତ କ୍ଷୟକ୍ଷତି ଲାଗି ରହିଥି‌ଲା । ଭିଏତନାମ ରେଡକ୍ରସ ଦ୍ଵାରା କରାଯାଇଥିବା ସର୍ଭେ ମୁତାବକ ନାପାମ ପ୍ରଭାବରୁ ଜନ୍ମ ନେଇଥିଲେ ୪ ଲକ୍ଷ ବିକଳାଙ୍ଗ ଶିଶୁ ପର୍ଯ୍ୟାୟକ୍ରମେ ସମୁଦାୟ ମୃତ୍ୟୁସଂଖ୍ୟା ୪.୮ ନିୟୁତକୁ ଛୁଇଁଥିଲା । ନାପାମ୍‌ ପ୍ରତିକ୍ରିୟା ଏତେ ତୀବ୍ର ଏବଂ ଭୟଙ୍କର ଯେ ଏହାର ବିସ୍ଫୋରଣ / ଜ୍ଵଳନ ସ୍ଥାନୀୟ ବାତାବରଣକୁ ଖୁବ୍‌ ଶୀଘ୍ର ଅମ୍ଳଜାନଶୂନ୍ୟ କରିପକାଏ । ସେଇ ସ୍ଥାନ ପୂରଣ କରେ କାର୍ବନ ମନୋକ୍ସାଇଡ୍‌ ଏବଂ କାର୍ବନ ଡାୟୋକ୍ସାଇଡ଼୍‌, ଯାହା ଶ୍ୱାସରୁଦ୍ଧ କରିଦେବା ପାଇଁ ଯଥେଷ୍ଟ । ୧୯୪୨ ରେ ହାର୍ଭାର୍ଡ ବିଶ୍ଵବିଦ୍ୟାଳୟର ଏକ ଗୋପନୀୟ ପରୀକ୍ଷାଗାରରେ ପ୍ରସ୍ତୁତ ହୋଇଥିଲା ‘ଏଜେଣ୍ଟ ଅରେଞ୍ଜ’ ଏବଂ ପ୍ରଥମ ଥର ପାଇଁ ୨ୟ ବିଶ୍ୱଯୁଦ୍ଧରେ ପ୍ରୟୋଗ ହୋଇଥିଲା । ପରେ କୋରିଆ ଏବଂ ଭିଏତନାମରେ । ନାପାମର ଜ୍ଵଳନ ଯନ୍ତ୍ରଣା ମାତ୍ରାଧିକ । ବିଶେଷଜ୍ଞଙ୍କ ମତରେ, ୯୯% କ୍ଷେତ୍ରରେ ମୃତ୍ୟୁ ସୁନିଶ୍ଚିତ। ଫୁଟନ୍ତା ପାଣିର ତାପମାତ୍ରା ୨୧୨ ଡିଗ୍ରୀ ଫାରେନହିଟ୍‌ ହୋଇଥିବାସ୍ଥିଳେ ନାପାମ ଉତ୍ପନ୍ନ ଉତ୍ତାପ ୧୫୦୦ ରୁ ୨୦୦୦ ଡିଗ୍ରୀ ଫାରେନହିଟ୍‌ ।

 

ଗ୍ୟାଲେରୀ ବୁଲିବା ଭିତରେ ଆମେ ଆଉ ଏକ ବଡ଼ ପୋଷ୍ଟରକୁ ଇଙ୍ଗିତ କରିଥିଲୁ । ସେଥିରେ ଲେଖା ଥିଲା ‘‘ଆମେ ଏ ସତ୍ୟକୁ ସ୍ଵୟଂ-ପ୍ରମାଣିତ ବୋଲି ଗ୍ରହଣ କରୁଛୁ ଯେ, ସବୁ ମଣିଷ ସମାନ । ବିଧାତା ସମସ୍ତଙ୍କୁ କିଛି ଅଧିକାର ଦେଇଛନ୍ତି ଯାହା ଅଲଂଘନୀୟ ଏବଂ ଯାହା ଭିତରେ ରହିଛି ଜୀବନ, ସ୍ୱାଧୀନତା ତଥା ସୁଖ-ଶାନ୍ତିର ଅନ୍ୱେଷଣ’’ (ଜୁଲାଇ ୪, ୧୯ ୭୬ରେ ଯୁକ୍ତରାଷ୍ଟ୍ର ଦ୍ଵାରା ଜାରି ଭିଏତନାମ ସ୍ଵାଧୀନତା ସଂକ୍ରାନ୍ତ ଘୋଷଣା) । ଗାଇଡ୍‌ ହସିଲେ । କହିଲେ–କମ୍ୟୁନିଷ୍ଟମାନେ ଦକ୍ଷିଣ ଭିଏତନାମ ଅକ୍ତିଆର କରିବା ପରେ ପରେ ‘ସାଇଗନ୍‌’ର ନାଁ ବଦଳି ଯାଇଥିଲା ହୋ-ଚି-ମିନ୍‌ ସିଟିକୁ । ପ୍ରାୟ ୩ ଘଣ୍ଟା ମ୍ୟୁଜିୟମ ବୁଲି ସୁ-ସି ଟନେଲ୍‌ ଯିବା ବାଟରେ ଗାଇଡ୍‌ କହିଲେ–ଯୁଦ୍ଧବିଧ୍ୱସ୍ତ ଭିଏତନାମ ଗତ ୧୫-୨୦ ବର୍ଷ ଭିତରେ ଲକ୍ଷ୍ୟଣୀୟ ଅଭିବୃଦ୍ଧି ହାସଲ କରିଛି । ବାର୍ଷିକ ଘରୋଇ ଉତ୍ପାଦନ ବୃଦ୍ଧି ହାର ହାରାହାରି ୭ ପ୍ରତିଶତ । ଦାରିଦ୍ର୍ୟ ସୀମାରେଖା ତଳେ ଅତି ବେଶୀରେ ୭.୫% ଏବଂ ବେରୋଜଗାରୀ ୨.୩୧% । ୨୦୧୫ରେ ମୋଟ ରପ୍ତାନି ଥିଲା ୧୬୩ ବିଲିୟନ୍‌ ଡଲାର । ସଂଯୋଗକୁ ରପ୍ତାନିର ବଡ଼ ଭାଗ (୨୧%) ସଂପୃକ୍ତ ଯୁକ୍ତରାଷ୍ଟ୍ର ସହ । କମ୍ୟୁନିଷ୍ଟ ଶାସନ । ଦ୍ୱିତୀୟ ଦଳ ନାହିଁ । ଭିଏତନାମର ଅର୍ଥନୈତିକ ସ୍ଵାସ୍ଥ୍ୟ ବାରି ହୋଇପଡ଼ୁଥିଲା । ଯୁଦ୍ଧ ଉପରାନ୍ତ ବିପର୍ଯ୍ୟସ୍ତ ଅର୍ଥନୀତିରୁ ଭିଏତନାମ ଉଠିଥିଲା ଫିନିକ୍ସ ପରି । ଉଜୁଡ଼ା ଜଙ୍ଗଲ, ଧାନକ୍ଷେତ ପୁଣି ସବୁଜ ହୋଇସାରିଥିଲା । ପ୍ରାୟ ଦେଢ଼ଘଣ୍ଟାର ଯାତ୍ରା ପରେ ଆମେ ସୁ-ସି ଟନେଲ୍‌ ପାଖରେ ପହଞ୍ଚି ସାରିଥିଲୁ ।

(ପ୍ରମେୟ, ତା ୧୦/୫/୨୦୧୬)

Image

 

ଈଶ୍ଵରଙ୍କ ସହର

 

କେଇଦିନ ତଳେ ଏକ ରବିବାର ସକାଳେ ଖବରକାଗଜ ପଢ଼ୁଥବା ବେଳେ ମିଲି (ପତ୍ନୀ) କହିଲା, ‘ମୁଁ ବାପା ବୋଉଙ୍କୁ ସ୍ଵପ୍ନ ଦେଖିଲି । ଆମେ ତାଙ୍କ ସହିତ ତୀର୍ଥ କରିବାକୁ ବାରାଣସୀ ଯାଉଛେ ।’ ଖବରକାଗଜରୁ ମୁହଁ ଉଠେଇ, ଚଷମା ଖୋଲି ଡ୍ରଇଂରୁମ୍‌ର କାନ୍ଥରେ ଟଙ୍ଗା ହୋଇଥିବା ବାପା ବୋଉଙ୍କ ଫଟୋକୁ ଚାହିଁଲି । ଲାଗିଲା, ବୋଉ ମୋ ଆଡ଼କୁ ଚାହିଁ ହସୁଛି । ଉତ୍ତର ଦେଲି, ‘ଭଲ ସ୍ଵପ୍ନ ।’ ମାସରେ ୨/୩ ଥର ମୁଁ ଅନ୍ତତଃ ବୋଉକୁ ସ୍ଵପ୍ନ ଦେଖେ । ମିଲି ଅଲଗା କିଛି କହିବା ପାଇଁ ଚାହୁଁଥିଲା । ତେଣୁ ସିଧାସଳଖ କହିଲା, ‘ବାପା ବୋଉଙ୍କ ଅସ୍ଥି ପ୍ରୟାଗରେ ଏଯାଏ ବିସର୍ଜନ ହୋଇନାହିଁ । ଖୁବ୍‌ ଡେରି ହୋଇଗଲାଣି । ଏସବୁ କିଛି ଠିକ୍‌ କଥା ନୁହେଁ ।’ ମୃତ୍ୟୁ ପରେ ତୀର୍ଥରେ ଶ୍ରାଦ୍ଧ ଏବଂ ଅସ୍ଥି ବିସର୍ଜନ ହେଲେ କ’ଣ ଆଉ ଅଧିକ ହୁଏ, ସେ ବାବଦରେ ଶାସ୍ତ୍ର କ’ଣ କହିଛି ସେସବୁ ଉପରେ ମୋର ବିଶ୍ଵାସ ନଥିଲା । ମୃତ୍ୟୁ ଏକ ଯାତ୍ରାର ପରିସମାପ୍ତି, ଅର୍ଥାତ୍‌ ସ୍ଵୟଂ ଏକ ଶେଷ । ସକଳ ଯନ୍ତ୍ରଣାଠୁ ଦୂରରେ ଏକ ପ୍ରୀତିପଦ ଅବସ୍ଥା । ତେଣୁ ମୃତ୍ୟୁ ପରେ କାହା ଆତ୍ମର ସଦ୍‌ଗତି ପାଇଁ ତୀର୍ଥ ଭ୍ରମଣ ଏବଂ ଶ୍ରାଦ୍ଧ, କୌଣସିରେ ବ୍ୟକ୍ତିଗତ ବିଶ୍ଵାସ ନଥିଲା । ତେବେ ଆଗକୁ ତିନିଦିନ ଛୁଟି ଥିବାରୁ ମୁଁ ବାରାଣସୀ ଯିବା ପାଇଁ ପ୍ରସ୍ତୁତ ହୋଇଥିଲି ।

 

୧୩.୦୫.୨୦୧୬ ତାରିଖ । ଆଗରୁ ବାରାଣସୀ ଆସିନଥିଲି । ପ୍ରୟାଗ ଯିବା ଆଗରୁ ହାତରେ ଗୋଟିଏ ଦିନ ସମୟ ଥିଲା । ହୋଟେଲ ସହାୟତାରେ ଜଣେ ଗାଇଡ୍‌ ଠିକ୍‌ କରି ଆମେ ବାରାଣସୀ ବୁଲି ବାହାରିଥିଲୁ । ବାରାଣସୀ (ବନାରସ ଏବଂ କାଶୀ ଭାବରେ ମଧ୍ୟ ପରିଚିତ) ଏମିତିରେ ଖୁବ୍‌ ଆଧୁନିକ ସହର ନୁହେଁ । କିନ୍ତୁ ରାସ୍ତାରେ ଅସମ୍ଭବ ଭିଡ଼ ଥିଲା । ଗାଇଡ୍‌ କହିଲେ, ପାଖାପାଖି ୭୪ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ସହର ସମୁଦ୍ର ପତ୍ତନଠୁ ୮୧ ମିଟର ଉଚ୍ଚରେ-। ଜେରୁଜେଲମ୍‌ ଏବଂ ଏଥେନ୍‌ସ୍‌ ପରି ଯଥେଷ୍ଟ ପ୍ରାଚୀନ । ପ୍ରତ୍ନତାତ୍ତ୍ୱିକ ଖନନ ଅନୁଯାୟୀ ଖ୍ରୀଷ୍ଟ ଜନ୍ମର ଅନତଃ ୨୦୦୦ ବର୍ଷ ଆଗରୁ ଏହା ଗଢ଼ିଉଠିଛି, ଯଦିଓ ପୌରାଣିକ ତଥ୍ୟ ଅନଯାୟୀ ଏହା ଆହୁରି ପ୍ରାଚୀନ । ବରୁଣ ନଦୀ ଏବଂ ଅସିଘାଟ (ଅସି ଏକ କ୍ଷୀଣ ସ୍ରୋତ ଏବଂ ସ୍ଥାନୀୟ ପ୍ରଶାସନ ଏହାର ପୁନରୁଦ୍ଧାର ଜାରି ରଖିଛନ୍ତି) ନାମ ଅନୁସାରେ ଏହାର ନାଁ ବାରାଣସୀ । ଗଙ୍ଗା କୂଳରେ ୮୦ରୁ କିଛି ଅଧିକ ଘାଟ, ଯାହା ଭିତରେ ପ୍ରସିଦ୍ଧ ଦଶାଶ୍ଵମେଧ, ମଣିକର୍ଣ୍ଣିକା, ହରିଶ୍ଚନ୍ଦ୍ର, ଅସି ଏବଂ ଲଳିତା । କାଶୀ ବିଶ୍ଵନାଥଙ୍କୁ ନେଇ ଏଇ ସହର ଜୀବନ ଓ ମୃତ୍ୟୁର ଅପୂର୍ବ ତୀର୍ଥ । ସାଂସ୍କୃତିକ ଭାରତର ଆଧିାତ୍ମିକ ରାଜଧାନୀ । ତେବେ କେବଳ ହିନ୍ଦୁ ଧର୍ମ ନୁହେଁ, ଇସ୍‌ଲାମ୍‌ ଏବଂ ବୌଦ୍ଧ ଧର୍ମ ପାଇଁ ବାରାଣସୀ କିଛି କମ୍‌ ତାପୂର୍ଯ୍ୟପୂର୍ଣ୍ଣ ନୁହେଁ । ବୃଦ୍ଧତ୍ଵ ପ୍ରାପ୍ତି ପରେ ଗୌତମ ବୁଦ୍ଧ ପ୍ରଥମ ପ୍ରବଚନ (ଧର୍ମଚକ୍ର ପ୍ରବର୍ତ୍ତନ) ସାରନାଥରେ ଦେଇଥିଲେ, ଯାହା ମାତ୍ର ୧୦ କିଲୋମିଟର ଦୂର । ଆଦି ଶଙ୍କରାଚାର୍ଯ୍ୟ ଶୈବ ଉପାସନାକୁ ବିଧିବଦ୍ଧ ଭାବରେ ପ୍ରତିଷ୍ଠିତ କରାଇଥି‌ଲେ ଏଇଠି । ଗୋସ୍ଵାମୀ ତୁଳସୀଦାସ ବାରାଣସୀରେ ରାମ ଚରିତ ମାନସ ଲେଖିଥିଲେ। ଭକ୍ତି ଆନ୍ଦୋଳନର ପୂଜନୀୟ ସନ୍ଥ କବୀର ଓ ରାମଦାସଙ୍କ ଜନ୍ମସ୍ଥାନ ଏଇଠି । ନାନକ ଦେବ ବାରାଣସୀ ଆସିଥିଲେ। ସମ୍ରାଟ ଆକବର ଶିବ ଓ ବିଷ୍ଣୁଙ୍କ ଭବ୍ୟ ମନ୍ଦିର କାଶୀରେ ହିଁ ନିର୍ମାଣ କରିଥିଲେ ଏବଂ ତାଙ୍କ ରାଜତ୍ୱ ଏକ ଉଦାର ସମନ୍ଵୟକୁ ସମ୍ଭବ କରାଇଥିଲା । ତେବେ ଅଷ୍ଟାଦଶ ଶତାବ୍ଦୀରେ ମରାଠୀ ଏବଂ ଭୂମିହାର ଶାସକମାନଙ୍କ ଅମଳରେ ବାରାଣସୀର ଅଧିକାଂଶ ନିର୍ମାଣ ସମ୍ପୂର୍ଣ୍ଣ ହେଲା ।

 

ଗାଇଡ୍‌ ଉଭୟ ହିନ୍ଦୀ ଓ ଇଂରାଜୀରେ ପ୍ରାଞ୍ଜଳ ଭାବରେ କହି ଚାଲିଥିଲେ । ମଝିରେ ମୁଁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ କଥା ପଚାରିଥିଲି–ସହରର ବୌଦ୍ଧିକ ପରମ୍ପରାକୁ ଇଙ୍ଗିତ କରିବା ଉଦ୍ଦେଶ୍ୟରେ । ଗାଇଡ୍‌ କହିଲେ, ବିଭିନ୍ନ ଧର୍ମ ଏବଂ ବୌଦ୍ଧିକ ଭାବ ବିନିମୟର ଅପୂର୍ବ ଇଲାକା ହେଉଛି ବାରାଣସୀ । ମଧ୍ୟଯୁଗରୁ ବୌଦ୍ଧିକତାର ପରମ୍ପରା ଏଠି ପରିପୁଷ୍ଟ । ତେବେ ପର୍ଯ୍ୟଟନ ଆରମ୍ଭ ହୋଇଥିଲା ଷୋଡ଼ଶ ଶତାବ୍ଦୀରୁ ଯାହା ପ୍ରକୃତରେ ବିକଶିତ ହେଲା ଅଷ୍ଟାଦଶ ଶତାବ୍ଦୀରେ । ବନାରସରେ ଆନି ବେସାନ୍ତ ଆରମ୍ଭ କରିଥିଲେ କେନ୍ଦ୍ରୀୟ ହିନ୍ଦୁ ମହାବିଦ୍ୟାଳୟ, ଯାହା ପରବର୍ତ୍ତୀ ସମୟରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ପାଇଁ ମୂଳଦୁଆ ପକାଇଥିଲା (୧୯୧୬) । ସବୁ ଧର୍ମ ଏବଂ ଭାବଧାରାର ଲୋକଙ୍କୁ ଯୋଡ଼ିବା ଆନି ବେସାନ୍ତଙ୍କ ଉଦ୍ଦେଶ୍ୟ ଥିଲା । ତା’ପରେ ଗାଇଡ୍‌ ଉଦ୍ଧାର କରିଥିଲେ ମାର୍କ ଟ୍ଵେନ୍‌ଙ୍କୁ । ସେ ଲେଖିଥି‌ଲେ, ବନାରସ ଇତିହାସଠୁ ପ୍ରାଚୀନ, ପରମ୍ପରାଠୁ ପ୍ରାଚୀନ, କିମ୍ବଦନ୍ତୀଠୁ ପ୍ରାଚୀନ ଏବଂ ଏ ସମସ୍ତଙ୍କୁ ହିସାବକୁ ନେଲେ (ଏମାନଙ୍କଠୁ) ୨ ଗୁଣ ଅଧକ ପ୍ରାଚୀନ ।

 

ଗଙ୍ଗା କୂଳରେ ଆମେ ପହଞ୍ଚିବାର ଅଧଘଣ୍ଟା ଆଗରୁ ଟ୍ରାଫିକ୍‌ ବ୍ୟବସ୍ଥା ଏକଦମ୍‌ ବିପର୍ଯ୍ୟସ୍ତ ଜଣା ପଡ଼ୁଥିଲା । ଗାଇଡ୍‌ କହିଲେ, କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ସହରରେ ଏହା ସାଧାରଣ ଘଟଣା । କେହି ଏଠି ଟ୍ରାଫିକ୍‌ ନିୟମ ମାନନ୍ତି ନାହିଁ । ଉଭୟ ଦେଶ ଏବଂ ଦେଶର ବାହାରୁ ବର୍ଷକୁ ଲକ୍ଷ ଲକ୍ଷ ଯାତ୍ରୀ ଆସନ୍ତି । ସର୍ବାଧିକ ଭିଡ଼ ଅକ୍ଟୋବରରୁ ମାର୍ଚ୍ଚ ଭିତରେ ପର୍ଯ୍ୟଟନର ମୂଳ ଉଦ୍ଦେଶ୍ୟ ଧର୍ମ । ଆଉ ସିଲ୍କ୍‌ ବ୍ୟବସାୟ ବାଦ୍‌ ପର୍ଯ୍ୟଟନ ହେଉଛି ବାରାଣସୀର ଦ୍ୱିତୀୟ ବୃହତ୍ତମ ଶିଳ୍ପ । ନଦୀରୁ ଗଙ୍ଗା ଆରତି ଦେଖିବା ପାଇଁ ଆମେ ବୋଟ୍‌ରେ ବସିଲୁ ଅଧିକାଂଶ ଯାତ୍ରୀ ଆରତି ଦର୍ଶନ ଡଙ୍ଗାରୁ କରନ୍ତି । ଆଗରୁ ୟୁ-ଟ୍ୟୁବ୍‌ରେ ଆରତି ଦେଖିଥିଲି ଏବଂ ଶୁଣିଥିଲି ନରେନ୍ଦ୍ର ମୋଦି ବାରାଣସୀରୁ ଜିତି ପ୍ରଧାନମନ୍ତ୍ରୀ ହେବା ପରେ ଗଙ୍ଗା ଆରତି ଅଧିକ ପ୍ରସିଦ୍ଧ ହୋଇପାରିଛି । ଆରତି ଆରମ୍ଭ ହେବାକୁ କିଛି ସମୟ ବାକି ଥିବାରୁ ଗାଇଡ଼୍‌ କେତୋଟି ପ୍ରମୁଖ ଘାଟ ଆମକୁ ଦୂରରୁ ଦେଖାଇଥିଲେ। ମଣିକର୍ଣ୍ଣିକା ଘାଟରେ ୮/୧୦ ଜଣଙ୍କ ଚିତା ଜଳୁଥିଲା। ଗାଇଡ୍‌ କହିଲେ, କିମ୍ବଦନ୍ତୀ ଅନୁଯାୟୀ ଏଠି ଈଶ୍ଵରଙ୍କ ମଣି ଏବଂ ପାର୍ବତୀଙ୍କ କାନଫୁଲ ଖସି ପଡ଼ିଥିବାରୁ ଘାଟର ନାଁ ମଣିକର୍ଣ୍ଣିକା । ସେ ପୁଣି କହିଲେ, ଅଧିକାଂଶ ଘାଟ ତିଆରି ହୋଇଥଲା ମରାଠା / ସିନ୍ଧିଆ ହୋଲ୍‌କାର୍ / ପେଶୱାଙ୍କ ରାଜତ୍ୱ ସମୟରେ । ତେବେ ଖୁବ୍‌ କମ୍‌ ଘାଟ ଶବ ସତ୍କାର ପାଇଁ ବ୍ୟବହୃତ ।

 

ଗଙ୍ଗା ଆରତି ଆରମ୍ଭ ହେବାର ୧୦/୧୫ ମିନିଟ୍‌ ଆଗରୁ ଦଶାଶ୍ୱମେଧ ଘାଟଠୁ ଆମେ କିଛି ଦୂରରେ ଥିଲୁ । ଚାରିପାଖରେ ଥିଲେ ଶହ ଶହ ଛୋଟବଡ଼ ଡଙ୍ଗା ! ମଟର ବୋଟ । ସାଧବଙ୍କ ବୋଇତ ପରି ସଜ୍ଜା ହୋଇଥିବା ଏକ ପ୍ରକାଣ୍ଡ ଷ୍ଟିମର ବି ଅଟକି ଥିଲା ଖଣ୍ଡେ ଦୂରରେ । ଉଭୟ ଗଙ୍ଗା କୂଳରେ ଏବଂ ନଦୀରେ ଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଅନ୍ଧାରରେ ନଈରେ ଥିବା ଲୋକଙ୍କ ମୁହଁ ଦିଶୁ ନଥିଲା । କିନ୍ତୁ ଘାଟର ଆରତି ମଣ୍ଡପ ସୁନେଲି ଆଲୁଅରେ ଚମତ୍କାର ମନେ ହେଉଥିଲା। ଡିଜେଲ ଇଞ୍ଜିନ୍‌ମାନଙ୍କର ଧୂଆଁ, ଦୂଷିତ ହୋଇ ସାରିଥିବା ଗଙ୍ଗାଜଳର ଦୁର୍ଗନ୍ଧ-ଆରତି ଆରମ୍ଭ ହେବା ପରେପରେ ଅଦ୍ଭୁତ ଭାବରେ ଆପଣାର ନକାରାତ୍ମକତା ହରେଇ ସାରିଥିଲେ । ସମସ୍ତଙ୍କ ଲକ୍ଷ୍ୟ ଥଲା ଆରତୀ ଉପରେ ସାତଜଣ ପୂଜକ ପ୍ରେକ୍ଷାପଟ ଶ୍ଲୋକ ଉଚ୍ଚାରଣ ସହିତ ତାଳ ଦେଇ ଆରତି କରୁଥିଲେ, ଯାହା ସିନେମାର କୋରିଓଗ୍ରାଫରଙ୍କ କମାଲ ପରି ମନେ ହେଉଥିଲା ଗାଇଡ୍‌ କିଛି ଶ୍ଲୋକ ଉଚ୍ଚାରଣ କରି ଦୁଇ ଆଞ୍ଜୁଳା ଗଙ୍ଗା ପାଣି ଆଣି ମୁଣ୍ଡରେ ଛାଟିଲେ ଓ ପିଇଲେ । କହିଲି, ପାଣି ତ ଯଥେଷ ଅପରିଷ୍କାର ! ସେ କହିଲେ, ଠିକ୍‌, କିନ୍ତୁ ଏ ପବିତ୍ର ଗଙ୍ଗାଜଳ । ସ୍ଥାନୀୟ ପ୍ରଥା ଅନୁଯାୟୀ ୧୦ ବର୍ଷରୁ ସାନ ପିଲା, ଅନ୍ତସତ୍ତ୍ଵା ମହିଳା, କୁଷ୍ଠରୋଗୀ ଏବଂ ମଲା ଜନ୍ତୁଙ୍କ ଶରୀର ଓଜନିଆ ବୋଝ ସହିତ ବନ୍ଧାଯାଇ ଗଙ୍ଗାରେ ପକାଯାଏ । ଶବ ସଢ଼େ ଗଙ୍ଗାରେ । କିନ୍ତୁ ଗଙ୍ଗା ଚିର ପବିତ୍ର । ନମାମି ଗଙ୍ଗେ !

 

ପରଦିନ ଆମେ ଯାଇଥିଲୁ ପ୍ରୟାଗ, ଶ୍ରାଦ୍ଧ ଏବଂ ଅସ୍ଥି ବିସର୍ଜନ ପାଇଁ । ବାରାଣସୀଠୁ ଆହ୍ଲାବାଦ ପାଖାପାଖି ୧୨୦ କିଲୋମିଟର । ୨୦୧୩ରେ କୁମ୍ଭମେଳା ହୋଇଥିଲା ପ୍ରୟାଗରେ । ଏବେ ମେଳା ଚାଲିଛି ଉଜ୍ଜୟିନୀରେ (ବୃହସ୍ପତିଙ୍କ ପ୍ରବେଶ ସିଂହରେ) । କିମ୍ବଦନ୍ତୀ ଅଛି- ଦେବ ଦାନବଙ୍କ ମିଳିତ ଉଦ୍ୟମରେ ସମୁଦ୍ର ମନ୍ଥନ ଉପରାନ୍ତ ଉପଲବ୍ଧ ଅମୃତକୁ ଭଗବାନ ବିଷ୍ଣୁ ଦାନବମାନଙ୍ଗୁ ବାଣ୍ଟିବା ପାଇଁ ପ୍ରସ୍ତୁତ ନଥିଲେ । ମାୟା ବଳରେ ସେ ଅଚିରେ ପରିଣତ ହେଲେ ଏକ ସୁନ୍ଦରୀ ତରୁଣୀରେ ଏବଂ ଦାନବଙ୍କଠାରୁ ମୁକ୍ତ ହୋଇ ଅମୃତ ପାତ୍ରକୁ ବ୍ୟବସ୍ଥିତ କରିଥିଲେ ବାହନ ଗରୁଡ଼ଙ୍କ ପୃଷ୍ଠରେ । ଏଣେ ପକ୍ଷୀରାଜ ଭାରସାମ୍ୟ ହରେଇବାରୁ କେଇବୁନ୍ଦା ଅମୃତ ବିକ୍ଷିପ୍ତ ହୋଇ ପଡ଼ିଥିଲା ପ୍ରୟାଗ, ନାସିକ୍‌, ହରିଦ୍ଵାର ଏବଂ ଉଜ୍ଜୟିନୀରେ । ତା’ ପରଠୁ ଏସବୁ ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହୋଇଆସୁଛି । ଗରୁଡ଼ ପୃଷ୍ଠରେ ସ୍ୱର୍ଗକୁ ଅମୃତ ନେଇଯିବା ପାଇଁ ବିଷ୍ଣୁଙ୍କୁ ୧୨ ଦିନ ଲାଗିଥିଲା ଯାହା ପୃଥିବୀରେ ୧୨ ବର୍ଷ ସହ ସମାନ । ପରିବ୍ରାଜକ ହୁଏନସାଂ ତାଙ୍କ ବିବରଣୀରେ (୬୨୯ରୁ ୬୪୫ ଖ୍ରୀଷ୍ଟାବ୍ଦ) କୁମ୍ଭମେଳାର ଉଲ୍ଲେଖ କରିଥିଲେ । ଗାଇଡ୍‌ କହିଲେ, ତଥ୍ୟ ଅନୁଯାୟୀ ୨୦୧୩ରେ ପ୍ରୟାଗ ମେଳାରେ ଯୋଗ ଦେଇଥିଲେ ୧୨୦ ନିୟୁତ ପର୍ଯ୍ୟଟକ । ମେଳା ୨ ମାସ ଧରି ଚାଲିଥିଲା ଏବଂ ସାରା ପୃଥିବୀରେ ସର୍ବବୃହତ୍‌ ସମାଗମର ମାନ୍ୟତା ପାଇଥିଲା ।

 

ଅଢ଼େଇ ଘଣ୍ଟା ପରେ ଆମେ ପ୍ରୟାଗରେ ପହଞ୍ଚି ସାରିଥିଲୁ । ଶ୍ରାଦ୍ଧ ସମୟରେ ପଣ୍ଡିତ ଅନ୍ତତଃ ତିନି ପିଢ଼ିର ପୂର୍ବଜମାନଙ୍କ ଉଦ୍ଧାର ପାଇଁ ମନ୍ତ୍ର ଉଚ୍ଚାରଣ କଲେ । ଶେଷରେ କହିଲେ, ଯଜମାନ, ଆପଣ କହନ୍ତୁ ଯେ ମୋର ବାପା ମା’, ପିତାମହ ପିତାମହୀ, ପ୍ରପିତୀମହ ପ୍ରପିତୀମହୀ–ସମସ୍ତେ ତୀର୍ଥରାଜ ପ୍ରୟାଗରେ ଚିରଦିନ ରହନ୍ତୁ । ତାଙ୍କ ସହିତ ମୁଁ ମନ୍ତ୍ର ଉଚ୍ଚାରଣ କଲି । ସେ କହିଲେ, ଅସ୍ତି ବିସର୍ଜନ ପରେ ପୁଣି ସ୍ଵାନ କରିବେ, ଆପଣଙ୍କର ସମସ୍ତ ପାପ କ୍ଷୟ ହେବ। ତ୍ରିବେଣୀ (ଯମୁନା ଓ ଗଙ୍ଗାର ସଙ୍ଗମ, ସରସ୍ଵତୀ ଅଦୃଶ୍ୟା / ଅନ୍ତଃସଲିଳା) ପୁରାଣ ବର୍ଣ୍ଣିତ ମହାନ୍‌ ତୀର୍ଥ ଗାନ୍ଧୀଙ୍କ ଚିତାଭସ୍ମ ପ୍ରୟାଗରେ ମଧ୍ୟ ବିସର୍ଜନ ହୋଇଥିଲା–ତାଙ୍କ ଆତ୍ମାର ସଦ୍‌ଗତି ପାଇଁ । ମୁଁ ମନେ ମନେ ଭାବିଲି, ଗାନ୍ଧୀ ତ ଜୀବିତାବସ୍ଥାରେ ମୁକ୍ତି ପାଇ ସାରିଥି‌ଲେ।

 

ପ୍ରୟାଗରେ ବାପା ବୋଉଙ୍କ ଅସ୍ଥି ବିସର୍ଜନ କରି ବାରାଣସୀ ବାହାରିବା ବେଳକୁ ସନ୍ଧ୍ୟା ହୋଇ ଆସୁଥିଲା । ଗାଇଡ୍‌ କହିଲେ, ଉଭୟ ବାରାଣସୀ ଏବଂ ପ୍ରୟାଗ ଈଶ୍ଵରଙ୍କର ନିଜ ସହର। ଫେରିବା ବେଳେ ପୋଲ ଉପରୁ ଗଙ୍ଗାଙ୍କୁ ଚାହିଁଲି । ଗାଇଡ୍‌ କହିଲେ, ପ୍ରୟାସ ପରେ ଯମୁନା ଆଉ ଯମୁନା ନୁହେଁ, ଗଙ୍ଗା । କିନ୍ତୁ ଗ୍ରୀଷ୍ମରେ ଗଙ୍ଗା ଏକ କ୍ଷୀଣ ଧାର ହୋଇ ଯାହା ଥିଲା । ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥି‌ଲେ । ଆମକୁ ଗାଡ଼ିରୁ ଓହ୍ଲାଇ ସାରିବା ପରେ ଗାଇଡ୍‌ କହିଲେ, ମୋକ୍ଷଦାୟିନୀ ମା’ ଗଙ୍ଗାଙ୍କୁ ପ୍ରଣିପାତ କରନ୍ତୁ । ନମାମି ଗଙ୍ଗେ ।

(ନିତିଦିନ, ତା ୨୭/୫/୨୦୧୬)

Image

 

ସିନ୍ଧୁ ସଭ୍ୟତା : ଏକ ନୂଆ ପ୍ରକରଣ

 

ଗତ ମେ ୨୫ରେ ପ୍ରସିଦ୍ଧ ‘ନେଚର୍‌’ ପତ୍ରିକାରେ ପ୍ରକାଶିତ ହୋଇଛି ସିନ୍ଧୁ ସଭ୍ୟତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରିପୋଟ । ଆଇ.ଆଇ.ଟି. ଖଡ଼ଗ୍‌ପୁର ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମିଳିତ ଉଦ୍ୟମରେ କରାଯାଇଥିବା ଅଧ୍ୟୟନ (ଭୂତାତ୍ତ୍ୱିକ ଖନନ ଏବଂ ଅନୁଶୀଳନ) ହରପ୍ପା ସଭ୍ୟତା ଉପରେ ନୂଆ ସୂଚନା ଦେଇଛି ଗବେଷଣା ଟିମ୍‌ରେ ଥିଲେ ଅନିନ୍ଦ୍ୟ ସରକାର, ଆରତୀ ଦେଶପାଣ୍ଡେ ମୁଖାର୍ଜୀ ଏବଂ ସେମାନଙ୍କ ସହିତ ଅଉ ୭ ଜଣ ଗବେଷକ । ‘ନେଚର୍‌’ରେ ପ୍ରକାଶିତ ନିବନ୍ଧ ଅନୁସାରେ ଲୋଥାଲ୍‌ (ଗୁଜୁରାଟ), ତୋଲାବିରା (ଗୁଜୁରାଟ) ଏବଂ କାଳିବଙ୍ଗନ୍‌ (ରାଜସ୍ଥାନ) ପରି ପରିଚିତ ସ୍ଥାନରେ ଆବିଷ୍କୃତ ମାଟିପାତ୍ରା / ଭଗ୍ନାବଶେଷର ଅଧ୍ୟୟନ ନିମନ୍ତେ ଗବେଷକ ଦଳ ବ୍ୟବହାର କରିଥିଲେ ଏକ ନୂତନ ପଦ୍ଧତି, ‘ଅପ୍ଟିକାଲ୍‌ ଷ୍ଟିମୁଲେଟେଡ୍‌ ଲୁମିନିସେନ୍ସ’ ବା ‘ଓଏସ୍‌ଏଲ, । ପରୀକ୍ଷଣରୁ ଜଣାପଡ଼ିଛି ଯେ ସିନ୍ଧୁ ସଭ୍ୟତା ପାଖାପାଖି ୮ ହଜାର ବର୍ଷ ପୁରୁଣା, ଯାହା ଆଗରୁ ଖୁବ୍‌ ବେଶିରେ ୫ ହଜାରରୁ ୫ ହଜାର ୫ ଶହ ପ୍ରୀଚୀନ ବୋଲି ଧରି ନିଆଯାଇଥିଲା ।

 

ସେତିକି ନୁହେଁ, ପ୍ରତ୍ନତାତ୍ତିକ ଅଧ୍ୟୟନରୁ ଏକଥା ମଧ୍ୟ ପ୍ରମାଣିତ ହୋଇଛି ଯେ ସିନ୍ଧୁ ସଭ୍ୟତା ବିକଶିତ ହେବା ଆଗରୁ ପ୍ରାକ୍‌ ସିନ୍ଧୁ ସଭ୍ୟତା ମଧ୍ୟ ଗଢ଼ି ଉଠିଥିଲା–ପ୍ରାୟ ଏକ ହଜାର ବର୍ଷ ଧରି । ଭୂଖନନରୁ କେବଳ ମୂତ୍ତିକା ପାତ୍ରର ଭଗ୍ନବଶେଷ ମିଳିନାହିଁ, ସେ ସମୟରେ ଗୃହାପାଳିତ ପଶୁଙ୍କ ଅସ୍ଥିର ଅବଶେଷ, ଦାନ୍ତ ଓ ଶିଙ୍ଗ ମିଳିଛି, ଯାହାର କାର୍ବନ-୧୪ ବିଶେଷଣରୁ ଜଣାପଡ଼ିଛି ଯେ ଏଇ ପ୍ରଚୀନ ସଭ୍ୟତାର ବିଲୟ ମୂଳରେ ନିହିତ ଥିଲା ଜଳବାୟୁ ପରିବର୍ତ୍ତନ ଟିମ୍‌ର ଜଣେ ସଦସ୍ୟ କହିଛନ୍ତି, ସିନ୍ଧୁ ସଭ୍ୟତା ତା’ର ବିକାଶ କ୍ରମରେ ଭାରତର ଏକ ବୃହତ୍‌ ଅଂଶକୁ ବିସ୍ତୃତ ଥିଲା-। ବିଲୁପ୍ତ ହୋଇସାରିଥିବା କିମ୍ବଦନ୍ତୀ ନଦୀ ସରସ୍ଵତୀ (ଘଗର୍‌-ହାକ୍ରା ନଦୀ)ର ତଟ ଏହାର ଅଂଶବିଶେଷ ଥିଲା। ପାଠକମାନଙ୍କ ପାଇଁ ସ୍ପଷ୍ଟ କରୁଛି, ବେଦ ବର୍ଣ୍ଣିତ ଏବଂ ଅଧୁନା ନିରୁଦ୍ଦିଷ୍ଟ ‘ସରସ୍ଵତୀ’ ବାବଦରେ ଗବେଷକମାନଙ୍କର ଭିନ୍ନ ମତ ରହିଛି । ଅନେକଙ୍କର ଧାରଣା, ଏବର ଘଗର୍‌-ହାକ୍ରା ହିଁ (ଭରର-ପଶ୍ଚିମ ଭାରତ ଏବଂ ପକିସ୍ଥାନରେ ଅବସ୍ଥିତ) ସରସ୍ଵତୀ ନଦୀ । ତେବେ ଏହା ଚିରସ୍ରୋତା ନୁହେଁ । କେବଳ ମୌସୁମୀରେ ହିଁ ଏହାର ଅବିର୍ଭାବ । ଅନ୍ୟମାନଙ୍କ ମତ ଯେ ଆଫ୍‌ଗାନିସ୍ଥାନର ହେଲ୍‌ମନ୍ଦ ଉପତ୍ୟକାର ପ୍ରଚୀନ ହେଲ୍‌ମନ୍ଦ ନଦୀ ହ ପୁରାଣ ବର୍ଣ୍ଣିତ ସରସ୍ୱତୀ । ଅନ୍ୟଏକ ମତ ହେଉଛି, ପ୍ରଥମ ମତ ବିଲ୍‌କୁଲ୍‌ ଠିକ୍‌ ନୁହେଁ । ଯଦି ଘଗର୍‌-ହାକ୍ରାର ଏକ ଅଂଶକୁ ସରସ୍ଵତୀ ଭାବରେ ଚିହ୍ନଟ କରାଯାଏ, ତାହା ଭ୍ରାମାତ୍ମକ ହେବ, କାରଣ ବେଦ ରଚନା ପୁର୍ବରୁ ଏହା ଅନ୍ତର୍ହିତ ହୋଇସାରିଛି ।

 

‘ନେଚର’ ରେ ସ୍ଥାନିତ ନିବନ୍ଧରେ ଦର୍ଶାଯାଇଛି ଯେ ସିନ୍ଧୁ ସଭ୍ୟତା ଉପରେ ହୋଇଥିବା ଗବେଷଣା ଏଯାବତ୍‌ ଆଧାର କରୁଥିଲା ବ୍ରିଟିଶ୍‌ ସମୟରେ ହୋଇଥିବା ମହେଞ୍ଜୋଦାରୋ- ହରପ୍ପାର ମୁଖାସ୍ରୋତର ଭୂଖନନକୁ, ଯାହା ଏବେ ବଦଳିସାରିଛି । ଅନ୍ୟାନ୍ୟ ପ୍ରଚୀନ ସଭ୍ୟତା ପରି ସିନ୍ଧୁ ସଭ୍ୟତାର ବିକାଶ କ୍ରମ ବାରି ହୋଇପଡ଼େ । ଏହାର ପ୍ରଥମ ଚରଣ ଆଶ୍ରା କରୁଥିଲା ଗୋଚାରଣ ତଥା ବସତିଭିତ୍ତିକ କୃଷି ଉପରେ, ଯାହା ଖୁବ୍‌ ସଂଗଠିତ ନଥିଲା । ତେବେ ଏହାର ୨ୟ ପ୍ରସ୍ଥ ବେଶ୍‌ ପରିପକ୍ଵ ଥିଲା। କେବଳ ସହରୀକରଣ ନୁହେଁ, ନଗରନିର୍ମାଣ ନଗର ପରିଚାଳନା ସେ କାଳର ପୁଥିବୀରେ ପ୍ରକୃତରେ ଉଲ୍ଲେଖନୀୟ ଥିଲା। ଆରବ ଓ ମେସୋପଟାମିଆଁ ସହିତ ବ୍ୟାବସାୟିକ ସଂପର୍କ ଥଲା । ପ୍ରଚଳିତ ଧାରଣା / ତଥ୍ୟ ମୁତାବକ ମେସୋପଟାମିଆଁ ସଭ୍ୟତା ବିସ୍ତୃତ ଥଲା ଖ୍ରୀପୂ ୫,୫୦୦ରୁ ଖ୍ରୀପୂ ୩,୦୦୦ ପର୍ଯ୍ୟନ୍ତ ଅର୍ଥାତ୍‌, ବର୍ତ୍ତମାନର ଗବେଷଣା ସିନ୍ଧୁ ସଭ୍ୟତାକୁ ଏକ ନୂଆ ଐତିହାସିକ ପରିଚୟ ଦେବ ।

 

ପାଠକେ, ସିନ୍ଧୁ ସଭ୍ୟତାର ବିଲୟ ଅବିକଳ କେମିତି ହେଲା, ସେନେଇ ମୃଦୁ ବିତର୍କ ଥିଲେ ହେଁ ଏକାଧିକ ଅଧ୍ୟୟନ ସ୍ପଷ୍ଟ କରିସାରିଛି ଯେ ଜଳବାୟୁ ପରିବର୍ତ୍ତନ ହିଁ ଏହାର ପ୍ରଧାନ କାରଣ ଥିଲା । ଅଥଚ ଏହା ଆକସ୍ମିକ ନଥିଲା। ଥର୍‌ ମରୁଭୂମି ଏବଂ ହରପ୍ପାର ମୁଖ୍ୟ ବସତିଠୁ ଦୂରରେ ସିନ୍ଧୁ ସଭ୍ୟତାର ଚିହ୍ନ ମିଳିଛି । ଉଭୟ ଅଞ୍ଚଳରୁ ମିଳିଥିବା ଜଳବାୟୁ ସମ୍ପର୍କିତ ସୂଚନା ଅନାବୃଷ୍ଟି ଅତିରିକ୍ତ ଅନ୍ୟାନ୍ୟ କାରଣକୁ ଇଙ୍ଗିତ କରୁଛି । ସବୁଠୁ ବଡ଼ ଅସୁବିଧା ହେଉଛି, ସିନ୍ଧୁ ସଭ୍ୟତା ଗଢ଼ି ଉଠିଥିବା ମୁଖ୍ୟ ଅଞ୍ଚଳମାନଙ୍କର ଧାରାବାହିକ ଜଳବାୟୁ ରେକର୍ଡ଼ ଆମ ପାଖରେ ନାହିଁ । କିନ୍ତୁ ଏକଥା ଜଣପଡ଼ିଛି ଯେ କ୍ରମାଗତ ଅନାବୃଷ୍ଟି ଯୋଗୁ ଯେତେବେଳେ ମୁଖ୍ୟ ବସତି (ଇଲାକା) ଶୁଖିଲା ପାଗକୁ ସମ୍ମୁଖୀନ ହେଉଥିଲା, ସେତେବେଳେ ସ୍ଥାନାନ୍ତରଣ ମଧ୍ୟ ଘଟିଚାଲିଥିଲା-। ସିଦ୍ଧୁ ଏବଂ ଘଗର୍‌-ହାକ୍ରା କୂଳରୁ ଲୋକେ ଅନ୍ୟତ୍ର ଚାଲିଯାଉଥିବଲେ, ଯାହାର ସନ୍ଧାନ ମିଳିଛି ହିମାଳୟ ପାଦଦେଶରୁ, ଗୁଜୁରାଟ ଓ ରାଜସ୍ଥାନରୁ । ତେବେ ବସତିମାନଙ୍କ ମଧ୍ୟରେ ସମ୍ଭବତଃ ସବୁଠୁ ପ୍ରାଚୀନ ହେଉଛି ଭିରାନ୍ନା ବସତି । ଶେଷ ୧୦୦ ବର୍ଷ ଭିତରେ ଘଗର୍‌-ହାକ୍ରା ଅବବାହିକା ଠାରୁ ଗୁଜରାଟ୍‌ର ଅଫ୍‌ କଚ୍ଚ ପର୍ଯ୍ୟନ୍ତ ଛୋଟବଡ଼ ୫୦୦ ବସତି ଆବିଷ୍କାର ସରିଛି, ଯାହା ଭିତରେ ଅଛି ଭାରତର କାଳିବଙ୍ଗନ୍‌, କୁନାଲ, ଭିରାନ୍ନା, ଫରମାନ୍‌, ପିରାୱାଡ଼୍‌ ଏବଂ ପାକିସ୍ତାନର ଜଲିଲ୍‌ପୁର, ମେହେର୍‌ଗଡ଼ ଏବଂ ରହମାନ ଧେରି ସିନ୍ଧୁ ସଭ୍ୟତାର ପ୍ରଥମ ପ୍ରସ୍ତରେ ଏସବୁ ଅଞ୍ଚଳରେ ଜଳାଭାବ ନଥିଲା । ଜଳଜ ଜୀବମାନଙ୍କ ଅବଶେଷ, କଇଁଛ ଖୋଳପା ଏବଂ ମରଁଷି ହାଡ଼ ମିଳିବା ପ୍ରମାଣ କରୁଛି, ସେସବୁ ଅଞ୍ଚଳ ବେଶ୍‌ ଆର୍ଦ୍ର ଥିଲା ।

 

ତେବେ ବିଳମ୍ବିତ ହୋଲୋସେନ୍‌ ପର୍ଯ୍ୟାୟରେ ଏଇସବୁ ଇଲାକା ବର୍ଷାଭାବ ଯୋଗୁ ମରୁଡ଼ିରୁ ସମ୍ମୁଖୀନ ହୋଇଥିଲେ-। (ହାଲୋସେନ୍‌ ଏକ ଭୂତାତ୍ତ୍ୱିକ କାଳଖଣ୍ଡ ଯାହା ନିକଟ ଅତୀତକୁ ସୂଚାଏ ଏବଂ ଯାହା ଆରମ୍ଭ ହୋଇଥିଲା ୧୧,୫୦୦ ବର୍ଷ ଆଗରୁ, ହିମବାହମାନେ ଶୁଖିବା / ସଂକୁଚିତ ହେବା ସମୟରୁ) ଏ ପ୍ରକ୍ରିୟା କିନ୍ତୁ ସ୍ଥାନୀୟ ନଥିଲା । ବରଂ ଭୂମଧ୍ୟସାଗର ଉପକୂଳ ଠାରୁ ମେସୋପଟାମିଆ ପର୍ଯ୍ୟନ୍ତ ଏହାର ପ୍ରମାଣ ଉପଲବ୍ଧ ଏ ଅଞ୍ଚଳର ବାସିନ୍ଦାମାନେ ‘ଅକାଳ’ ସହିତ ଯୁଝୁଥଲେ । ବର୍ଷା କମ୍‌ ହେଉଥିବାରୁ ଗ୍ରୀଷ୍ମ ଅନୁକୂଳ ଫସଲ ଏବଂ ଗହମ ଓ ଧାନ ଉପରେ ଗୁରୁତ୍ଵ କମୁଥିଲା । ଯେହେତୁ ଗ୍ରୀଷ୍ମ ଫସଲ ଅମଳ ତୁଳନାତ୍ମକ ଭାବେ କମ୍‌ ଥିଲା, ଆଗରୁ ସାମୂହିକ ଭାବରେ ଖାଦ୍ୟ ମହଜୁଦ୍‌ ରଖିବା ନିମନ୍ତେ ବ୍ୟବହୃତ ଶସ୍ୟ ଭଣ୍ଡାରମାନଙ୍କର ବ୍ୟବହାର ଯଥେଷ୍ଟ କମି ଆସିଲା । ଅର୍ଥାତ୍‌, ତେଣିକି ଗଣଜୀବନରେ ଦୁର୍ଗତିର ଚିହ୍ନ ବାରି ହୋଇ ପଡ଼ୁଥିଲା ।

 

କୁହାଯାଇଛି, ସର୍ବୋତ୍ତମ ସ୍ଥିତିରେ ସିନ୍ଧୁ ସଭ୍ୟତାର ପ୍ରମୁଖ ସ୍ଥଳୀ / ବସତିଗୁଡ଼ିକରେ ଜନସଂଖ୍ୟା ୬ ନିୟୁତକୁ ଛୁଇଁଥିଲା ଯାହା ସେ ସମୟର ପୃଥିବୀରେ ରେକର୍ଡ଼ ଥିଲା । ସଭ୍ୟତାର ସାମ୍ରାଜ୍ୟ ବ୍ୟାପିଥିଲା ଏକ ନିୟୁତ ବର୍ଗ କିମି ଅଞ୍ଚଳକୁ ଯାହା ଭିତରେ ଥିଲା ବର୍ତ୍ତମାନର ଭାରତ, ପାକିସ୍ଥାନ ଓ ଆଫ୍‌ଗାନିସ୍ଥାନ । ୨୦୧୨ରେ ପ୍ରକାଶିତ ଏକ ଅଧ୍ୟୟନ ମୁତାବକ ଖ୍ରୀପୂ ୩,୦୦୦ ଭିତରେ ଉଭୟ ସମୃଦ୍ଧି ଏବଂ କ୍ଷୟକୁ ସାମ୍ନା କରିଥିଲା ସିନ୍ଧୁ ସଭ୍ୟତା। ଯେତେବେଳେ ନଦୀ ସବୁ ଶୁଖିବା ଆରମ୍ଭ ହେଲା, ବାସିନ୍ଦାମାନେ ପୂର୍ବକୁ ଗତି କରିଥିଲେ, ଗଙ୍ଗା ଅବବାହିକାକୁ- ଯେଉଁଠି ମୌସୁମୀ ଅନୁକୂଳ ଥଲା । ତେବେ ଏଇ ସ୍ଥାନ୍ତାନ୍ତରଣ ବିପୁଳ ଭାବେ ସମୃଦ୍ଧ ଏକ ସଭ୍ୟତାର ଗୋଷ୍ଠୀ ଜୀବନକୁ (ସେ ସମୟର ଆଧୁନିକ ସହରୀ ଜୀବନ) ଭାଙ୍ଗି ଦେଇଥିଲା । ଦଳ ଦଳ ହୋଇ ଲୋକେ ଅନ୍ୟତ୍ର ଚାଲିଯିବା ପରେ ବ୍ୟକ୍ତିଗତ ସ୍ତରରେ ଗୁଜରାଣ ହୁଏତ ମେଣ୍ଟିଯାଉଥିଲା, କିନ୍ତୁ ସହର ସଭ୍ୟତାକୁ ବଞ୍ଚେଇ ରଖିବା ସମ୍ଭବ ନଥିଲା । ସହର ଭାଙ୍ଗିଗଲା ସ୍ଵାଭାବିକ ଭାବରେ ! ଯାହା ରହିଗଲା, ସେସବୁ ଥିଲା ସ୍ଥାନାନ୍ତରିତ ତଥା ବିଖଣ୍ଡିତ କୃଷିଭିତ୍ତିକ ବସତି। ୨୦୧୨ରେ ଚର୍ଚ୍ଚାକୁ ଆସିଥିବା ଏଇ ତତ୍ତ୍ଵ ଏବେ ଅଧିକ ଦୃଢ଼ ହୋଇଛି ।

(ସର୍ବସାଧାରଣ, ତା ୭/୬/୨୦୧୬)

Image

 

ପାଶ୍ଚାତ୍ୟର ମୃତ୍ୟୁ

 

ମାର୍ଚ୍ଚ ୪, ୨୦୧୬ ସଂସ୍କରଣର “ୱାଶିଂଟନ ପୋଷ୍ଟ’’ରେ ପ୍ରକାଶିତ ସ୍ତମ୍ଭକାର ଆପଲ୍‌ବମ୍‌ଙ୍କ ଏକ ଲେଖା (ଇଜ୍‌ ଦିସ୍‌ ଦି ଏଣ୍ଡ ଅଫ୍‌ ଦି ୱେଷ୍ଟ ଆଜ୍‌ ୱି ନୋ ଇଟ୍‌) ଚର୍ଚ୍ଚାକୁ ଆସିଛି-। ଅର୍ଥାତ୍‌, ଆମେ ଜାଣିଥିବା ପାଶ୍ଚାତ୍ୟ ଆସନ୍ନ ମୃତ୍ୟୁକୁ ସାମ୍ନା କରୁଛି। ଆପଲ୍‌ବମ୍‌ ଏଇ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ଯୁକ୍ତରାଷ୍ଟ୍ରର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟିର ସାମ୍ଭାବ୍ୟ ପ୍ରାର୍ଥୀ ଡୋନାଲ୍‌ ଟ୍ରମ୍ପଙ୍କୁ । ଲେଖିକାଙ୍କ ଅନୁମାନ ଯେ, ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବେ ଟ୍ରମ୍ପ । ଏମିତିରେ ହିଲାରୀ କ୍ଳିଣ୍ଟନଙ୍କ ପ୍ରାର୍ଥିତ୍ୱ ଅନେକ କାରଣରୁ ଭଲ ଲାଗିପାରେ-। ତେବେ ନିର୍ବାଚନ ଫଳାଫଳ ଥରେ ଥରେ ଖୁବ୍‌ ଅଜବ ବି ହୋଇଥାଏ । ଏଣେ ଟ୍ରମ୍ପ୍‌ଙ୍କ ଚରିତ୍ର / ସ୍ଵଭାବ କିଛି କମ୍‌ ଅଜବ ନୂହେଁ । ଓବାମା, ବୁଶ୍‌, ରିଗାନ୍‌ ଏବଂ କ୍ଲିଣ୍ଟନଙ୍କ ପରି ମାନସିକତା ତାଙ୍କର ବିଲ୍‌କୁଲ୍‌ ନାହିଁ। ଆମେରିକା ରାଷ୍ଟ୍ରପତି ହୋଇଥିବା ଏମାନେ ସମସ୍ତେ (ଜନ୍‌ସନ୍‌, ନିକ୍‌ସନ ଓ ଟ୍ରୁମ୍ୟାନ ଅନ୍ତର୍ଭୁକ୍ତ) ଦେଶବାସୀଙ୍କ ସମେତ ଏକ ବୃହତ୍ତର ମୂଲ୍ୟବୋଧକୁ ସମ୍ମାନ ଦେଇଥିଲେ, ସାର୍ବଜନୀନ ଭାଗ୍ୟର କଥା କହୁଥିଲେ; ଯାହା ଟ୍ରମ୍ପଙ୍କ କ୍ଷେତ୍ରରେ ଘଟିବାର ସମ୍ଭାବନା ନାହିଁ। ଟ୍ରମ୍ପ ବରଂ ତାଙ୍କ ଭାଷଣରେ ନିର୍ଯାତନା କଥା ଉଠାଇଛନ୍ତି; ଧର୍ମକୁ ନେଇ ବିଭେଦ ପ୍ରସଙ୍ଗ ଉଠେଇଛନ୍ତି । କହୁଛନ୍ତି, ୟୁକ୍ରେନ “ନାଟୋ’’ର ସଦସ୍ୟ ହେଉ ବା ନହେଉ ସେଥିପାଇଁ ସେ ଚିନ୍ତିତ ନୁହଁନ୍ତି । ୟୁରୋପ ବାବଦରେ ତାଙ୍କର ମତ: ୟୁରୋପୀୟ ସମସ୍ୟା ସହିତ ଆମେରିକାର ସମ୍ବନ୍ଧ ନାହିଁ । ସେମାନଙ୍କ ସକାଶେ ଆମେରିକୀୟ ସୈନିକଙ୍କ ମୁଣ୍ଡ ଗଡ଼ିବାକୁ ଦିଆଯିବ ନାହିଁ । ବରଂ ୟୁରୋପ ସମସ୍ୟା / ସଂଘର୍ଷରୁ ଆମେରିକା ମୁକ୍ତ ହେଲେ ବର୍ଷକୁ ନିୟୁତ ନିୟୁତ ଡଲାର ବଞ୍ଚିଯିବ । ଟ୍ରମ୍ପଙ୍କ ଇଚ୍ଛା ଯେ ସେ ରୁଷିଆର ନିକଟତର ହେବେ, ପୁଟିନ୍‌ଙ୍କ ସହିତ ଭଲ ସଂପର୍କ ରଖିବେ (ପୁଟିନ୍‌ଙ୍କ ବିରୋଧରେ ସ୍ଵେଚ୍ଛାଚାର ଅଭିଯୋଗ ଥାଉ ପଛକେ) ଆପଲ୍‌ବମ୍‌ ଲେଖୁଛନ୍ତି, ଧନୀ ଦେଶମାନଙ୍କ ସହ ସଂପର୍କ / ଆମେରିକାର ସହଭାଗିତାକୁ ଟ୍ରମ୍ପ କେବଳ ଅଣଦେଖା କରୁନାହାନ୍ତି, ବରଂ ଅସଲ କଥା ହେଉଛି, ତାଙ୍କୁ ସେ କଳାକୌଶଳ ଆଦୌ ମାଲୁମ ନାହିଁ । ନିଜର ଘରୋଇ ସ୍ଵାର୍ଥ (ରିଅଲ୍‌ ଇଷ୍ଟେଟ୍‌ କାରବାର) ତାଙ୍କ ପାଇଁ ଅଧିକ ମାନେ ରଖେ । ସ୍ତମ୍ଭକାରଙ୍କ ଭୟ ଯେ ଆମ ସମୟରେ ବୈଦେଶିକ ନୀତି ପରି ଗୁରୁତ୍ଵପୂର୍ଣ୍ଣ ଆଲୋଚନା ଟିଭି ପରଦାରୁ ଉଭେଇ ସାରିଛି ଏବଂ ସେଇ ସ୍ଥାନ ଅକ୍ତିଆର କରିଛି ରାଜନୈତିକ ମନୋରଞ୍ଜନ ଯୋଗାଉଥିବା ରିଏଲିଟି ଟିଭି । ଏମିତି ଏକସମୟରେ ଠିକ୍‌ କଥା ଲୋକଙ୍କୁ ବୁଝାଇବା ସହଜ ନୁହେଁ । ପୁଣି କେବଳ ଆମେରିକା ନୁହେଁ, ଆଗକୁ ପାଖାପାଖି ବର୍ଷକ ପରେ ଫ୍ରାନ୍ଵରେ ରାଷ୍ଟ୍ରପତି ନିର୍ବାଚନ । ଏବେ ପ୍ରାର୍ଥୀ ଭାବରେ ଆଗୁଆ ଥିବା ନେସନାଲ ଫ୍ରଣ୍ଟର ମ୍ୟାରି ପେନ୍‌ ଉଭୟ “ନାଟୋ'’ ଏବଂ ‘‘ୟୁରୋପିଆନ ଯୁନିୟନ'’ କୁ ଅଲ୍‌ବିଦା କହିବେ ବୋଲି ଘୋଷଣା କରିସାରିଛନ୍ତି । ସେତିକି ନୁହେଁ, ସେ ଫରାସୀ କମ୍ପାନୀମାନଙ୍କର ଜାତୀୟକରଣ କରିବେ । ବୈଦେଶିକ ପୁଞ୍ଜିନିବେଶକୁ ବିରୋଧ କରିବେ । ଟ୍ରମ୍ପଙ୍କ ପରି ରୁଷିଆ ସହିତ ବିଶେଷ ସଂପର୍କ ସ୍ଥାପନ କରିବା ପାଇଁ ମ୍ୟାରି ବି ଆଗ୍ରହୀ ।

 

ଆପଲ୍‌ବମ୍‌ ଲେଖୁଛନ୍ତି, ବ୍ରିଟେନ ଖୁବ୍‌ ସମ୍ଭବ ଜୁନ୍‌ରେ ୟୁରୋପିଆନ୍‌ ୟୁନିୟନ ଛାଡ଼ିବା ପାଇଁ ଯାଉଛି, ଯାହା ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ । ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ପାଶ୍ଚାତ୍ୟ ବନ୍ଧନ ତୁଟେଇ ଇସ୍ତାନବୁଲ୍‌ ନଚେତ୍‌ ମସ୍କୋ ଆଡ଼କୁ ମୁହାଁଇବା ପାଇଁ ପ୍ରସ୍ତୁତ । ଏମିତି ସ୍ଥିତିରେ କ’ଣ ହେବ ? ଫ୍ରାନ୍ସକୁ ବାଦ୍‌ ଦେଲେ ୟୁରୋପର ବଜାର ଦୁର୍ବଳ ହୋଇପଡ଼ିବ। ବ୍ରିଟେନ ବାଦ୍‌ ପଡ଼ିଲେ ‘‘ନାଟୋ’’ର ସ୍ଥିତି ବି ଖରାପ ହେବ । ଏ ନେଇ କେହି ହୁଏତ ସଙ୍ଗେ ସଙ୍ଗେ ଚିନ୍ତିତ ହେବେ ନାହିଁ, କାରଣ ଟ୍ରମ୍ପଙ୍କ ଭାଷାରେ ବାର୍ଷିକ ନିୟୁତ ନିୟୁତ ଡଲାର ତ ବଞ୍ଚିଯିବ । କିନ୍ତୁ ପାଶ୍ଚାତ୍ୟ ଏକତ୍ୱ, ଆଣବିକ ନିରସ୍ତ୍ରୀକରଣ ଏବଂ ମିଳିତ ସେନାବାହିନୀ ସାରା ପୃଥିବୀରେ ଗତ ୫୦ ବର୍ଷ ଧରି ଯେଉଁ ସ୍ଥିରତା ଆଣିଛି, ତାହା ବିପର୍ଯ୍ୟସ୍ତ ହେବ । ୟୁରୋପ ଏବଂ ଆମେରିକାକୁ ସହାୟକ ହୋଇଥିବା ଅର୍ଥନୈତିକ ବୈଭବ ମଧ୍ୟ କ୍ଷତିଗ୍ରସ୍ତ ହେବ ।

 

‘‘ୱାଶିଂଟନ ପୋଷ୍ଟ’’ରେ ଲେଖା ପ୍ରକାଶ ପାଇବାର କେଇଦିନ ପରେ ଏକ ଭାରତୀୟ ସମ୍ବାଦପତ୍ରକୁ ସାଷାତକାରରେ ଆପଲ୍‌ବମ୍‌ ଜଣାଇଛନ୍ତି ଯେ, ଉପରୋକ୍ତ ମର୍ମରେ ପାଶ୍ଚାତ୍ୟର ମୃତ୍ୟୁ ଖୁବ୍‌ ବେଶୀରେ ୨/୩ଟି ନିର୍ବାଚନ ଦୂରତ୍ଵରେ ଯାହା ରହିଛି । ତାଙ୍କୁ ପଚରା ଯାଇଥଲା ‘ପାଶ୍ଚାତ୍ୟ କହିଲେ ଅବିକଳ ସେ କ'ଣ ବୁଝନ୍ତି’ ? ଉତ୍ତର ଥିଲା: ପାଶ୍ଚାତ୍ୟ ଏକ ଅବଧାରଣା । ଧରାଯାଉ, ୟୁରୋପୀୟ ସୀମା । ଦ୍ୱିତୀୟ ବିଶ୍ଵଯୁଦ୍ଧ ଉପରାନ୍ତ ଯୁରୋପ ଏଇ ସିଦ୍ଧାନ୍ତରେ ପହଞ୍ଚୁଥିଲା ଯେ ଏଣିକି ଆଉ ଯୁଦ୍ଧ ନୁହେଁ । ‘‘ନାଟୋ’’ ଆନ୍ତର୍ଜାତିକ ସ୍ଥିରତା ରଖିବା ପାଇଁ ଏକ ମଜବୁତ୍‌ ସଂଗଠନ ଭାବରେ ଠିଆ ହୋଇଛି । ଆନ୍ତର୍ଜାତିକ ବାଣିଜ୍ୟ ବାବଦରେ ଏକଥା ସ୍ଥିର ହୋଇସାରିଛି ଯେ ଏହା ଉଦାର ହେବ–ନିର୍ଦ୍ଦିଷ୍ଟ ଭାବରେ କାହାର ସ୍ଵାର୍ଥକୁ ସୁହାଇବ ନାହିଁ । ଯଦି ଯୁକ୍ତରାଷ୍ଟ୍ର ଏଇ ଉଦାର ବ୍ୟାବସାୟିକ ବ୍ୟବସ୍ଥାରୁ ବାହାରିଯାଏ ଏବଂ ଅନ୍ୟମାନେ ସେୟା କରନ୍ତି, ତେବେ ଅରାଜକତା ଉତ୍ପନ୍ନ ହେବ । ଟ୍ରମ୍ପଙ୍କ ବାବଦରେ ସେ ପୁଣି କହିଛନ୍ତି, କିଛିଦିନ ତଳେ ତାଙ୍କୁ କେହି ଗୁରୁତ୍ୱ ଦେଉନଥିଲେ । ଜଣେ ଭୀଷଣ ବଦ୍‌ରାଗୀ, ହିଂସ୍ର ଏବଂ ଜାତୀୟ / ଅନ୍ତର୍ଜାତୀୟ ବ୍ୟାପାର ଧାର ଧାରୁନଥିବା ଅତି ସାଧାରଣ ଲୋକ ହିସାବରେ ତାଙ୍କୁ ଗଣାଯାଉଥିଲା । ସେ କେବଳ ବିରୋଧ କରି ଜାଣନ୍ତି, ପ୍ରତିବାଦ ନାଁରେ ପ୍ରତିବାଦ କରନ୍ତି । ବାସ୍‌ ସେତିକି । ତେବେ ପରିସ୍ଥିତିକୁ ଜଟିଳ କରୁଛି ସୋସିଆଲ ମିଡିଆ । କୌଣସି କଥାକୁ ଗମ୍ଭୀର ଭାବରେ ଗ୍ରହଣ କରିବାକୁ ଆଉ ଯେମିତି କେହି ପ୍ରସ୍ତୁତ ନୁହନ୍ତି । ସୁତରାଂ, ଟ୍ରମ ଆଗରେ ଅଛନ୍ତି । ଏହାକୁ ଜଗତୀକରଣର ଏକ ବିଡ଼ମ୍ବିତ ପ୍ରତିକ୍ରିୟା ମଧ୍ୟ କୁହାଯାଇପାରେ । ଲୋକେ ନିଜ ଉପରେ ନିୟନ୍ତ୍ରଣ ହରାଉଛନ୍ତି ବୋଲି ମଧ୍ୟ କହିବାରେ ଭୁଲ୍‌ ନାହିଁ ।

ପାଠକେ, ଠିକ୍‌ ଯେଉଁସବୁ ଘଟଣା / ଉପକ୍ରମକୁ ଲକ୍ଷ୍ୟକରି ପାଶ୍ଚାତ୍ୟର ଅନ୍ତ ଘଟିବାକୁ ଯାଉଛି ବୋଲି ନିକଟରେ ଆପଲ୍‌ବମ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି, ୪ ବର୍ଷ ଆଗରୁ କିଛି ସମାନ ଘଟଣାକ୍ରମରେ ଅଧ୍ୟୟନ ଉପରାନ୍ତ ବ୍ରିଟିଶ ଐତିହାସିକ ନିଆଲ ଫର୍ଗୁସନ୍‌ (ଦି ଗ୍ରେଟ୍‌ ଡିଜେନେରେସନ) କହିଥିଲେ, ଶୀତଳ ଯୁଦ୍ଧ ସମାପ୍ତିର ୨୫ ବର୍ଷ ନପୂରୁଣୁ ଏବଂ ଉଦାର ଗଣତନ୍ତ୍ର ତଥା ମୁକ୍ତ ବଜାର ଅର୍ଥନୀତିର ମହୋତ୍ସବ ମଳିନ ପଡ଼ିବା ଆଗରୁ ପଶ୍ଚିମ ଯୁରୋପ ଏବଂ ଉତ୍ତର ଆମେରିକାର ଆଧିପତ୍ୟ ଫିକା ପଡ଼ିଆସିଛି । ଏମାନେ ଅବକ୍ଷୟଜୁ ସାମ୍‌ନା କଲେଣି । ପାଶ୍ଚାତ୍ୟ ସମାଜର ୪ଟି ମୁଖ୍ୟ ଅନୁଷ୍ଠାନ: ପ୍ରତିନିଧିଭିତ୍ତିକ ସରକାର, ମୁକ୍ତ, ବଜାର / ପୁଞ୍ଜିବାଦ, ଆଇନର ଶାସନ ଏବଂ ମୁଖ୍ୟତଃ ସ୍ଵେଚ୍ଛାକୃତ ସେବାକୁ ଭିତ୍ତି କରିଥିବା ସିଭିଲ ସୋସାଇଟି ଏସବୁ ଭୁଶୁଡ଼ିବା ଆରମ୍ଭ ହୋଇସାରିଛି । ଏଇ ଚାରୋଟି ଅନୁଷ୍ଠାନକୁ ଲେଖକ ସାଂକେତିକ ଭାବରେ ୪ଟି “ବ୍ଲାକ ବକ୍ସ' କହିଛନ୍ତି । ଇଂଲଣ୍ଡ, ଯିଏ ସବା ଆଗ ବ୍ୟକ୍ତିଗତ ଆଭିମୁଖ୍ୟଠୁ ଦୂରେଇ ଉଦାର ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କୁ ସୁଦୃଢ଼ କରିଥିଲା ପରବର୍ତ୍ତୀ ସ୍ଥିତିରେ ଲକ୍ଷ୍ୟଭ୍ରଷ୍ଟ ହୋଇଛି । ଜନମତକୁ ଆଗର ଗୁରୁତ୍ଵ ଆଉ ନାହିଁ । ଫର୍ଗୁସନ୍‌ଙ୍କ ମତ, ଯେତେବେଳେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ମୌଳିକ ପାର୍ଥକ୍ୟ ତରଳିବାରେ ଲାଗିଛି, ସେତେବେଳେ ପାଶ୍ଚାତ୍ୟ ନିଜ ଅର୍ଥନୈତିକ, ସାମାଜିକ ଏବଂ ଅର୍ଥନୈତିକ ଅସ୍ଥିରତା ନେଇ ଅଣନିଃଶ୍ଵାସୀ ହୋଇପଡ଼ିଛି । ତଥାକଥିତ ବିକଶିତ ଅର୍ଥନୀତିମାନଙ୍କର ଅତ୍ୟଧିକ ୠଣ ବୋଝ, ବିପର୍ଯ୍ୟସ୍ତ ବ୍ୟାଙ୍କ ବ୍ୟବସ୍ଥା ଏକ ସଂପ୍ରସାରିତ ଅର୍ଥନୈତିକ ତାରତମ୍ୟ ସ୍ପଷ୍ଟ କଲାଣି ଯେ ମୌଳିକ ଅନୁଷ୍ଠାନମାନ ଉଜୁଡ଼ିବାରେ ଲାଗିଛନ୍ତି । ଫର୍ଗୁସନଙ୍କ ଭାଷାରେ ଅର୍ଥନୀତି ଅବିକଳ ଡାରୱିନଙ୍କ ଜୈବ ବ୍ୟବସ୍ଥା / ପ୍ରାକୃତିକ ଚୟନ ପରି ଯାହା ସଦାବେଳେ ‘‘ସମର୍ଥ’’ ପାଇଁ ପଥ ପରିଷ୍କାର କରେ । ମୂଳ ପାଶ୍ଚାତ୍ୟ ଅନୁଷ୍ଠାନମାନେ ରୁଗ୍‌ଣ ହୋଇପଡ଼ୁଥିବାବେଳେ ଅନ୍ୟତ୍ର ପରିବର୍ତ୍ତିତ ବିଚାରକୁ ଆଶ୍ରା କରିଥିବା ଅନୁଷ୍ଠାନମାନଙ୍କର କ୍ରମବିକାଶ ଲକ୍ଷ୍ୟ କରାଯାଉଛି । ଆମେରିକାର ଋଣ ସଂପର୍କରେ ତାଙ୍କର ମତ ଯେ, ଗୋଟାଏ ପିଢ଼ିର ଅପରିଣାମଦର୍ଶିତା ପାଇଁ ପର ପିଢ଼ିମାନେ ପ୍ରାୟଶ୍ଚିତ କରିବେ । ଟିକସ ବଢ଼ିବ । ଅସନ୍ତୋଷ ବି । ରାଷ୍ଟ୍ର ମନଇଚ୍ଛା ଋଣ କରିବା ଏକ ଅସୁସ୍ଥତା, ଯାହା ପାଶ୍ଚାତ୍ୱକୁ ଗ୍ରାସିଛି । ଆଗ ପରି ଆଇନର ଶାସନ ନାହିଁ । ରାଜନେତାମାନେ କେବଳ ଆଇନ ଉଲ୍ଲଂଘନ କରୁନାହାନ୍ତି, ନୂଆ ନୂଆ ଅଜବ ଆଇନ ପ୍ରଣୟନ କରୁଛନ୍ତି, ଯାହାର ପ୍ରୟୋଗ ସମ୍ଭବ ନୁହେଁ । ଏବେ ଆଇନର ଶାସନ ନୁହେଁ, ବରଂ ଆଇନଜୀବୀଙ୍କ ଶାସନ ଚାଲିଛି । ଏ ସମସ୍ତକୁ ବଳିଛି ସିଭିଲ ସୋସାଇଟିର କ୍ଷୟ । ପାଠକେ, ଫର୍ଗୁସନ ଯାହା ପାଶ୍ଚାତ୍ୟ ସଂପର୍କରେ କହିଛନ୍ତି ସେ ବାବଦରେ ଭାରତୀୟ ବୁଦ୍ଧିଜୀବୀଙ୍କ ମତ ଯେ ୬୮ ବର୍ଷ ସ୍ଵାଧୀନତା ଉପରାନ୍ତ ଭାରତରେ ଅବିକଳ ତାହା ହିଁ ଘଟୁଛି ।

(ପ୍ରମେୟ, ତା ୧୬/୬/୨୦୧୬)

Image

 

ତୁଳସୀଦାସଜୀ, ପ୍ରଣାମ

 

ନିକଟରେ ବିହାର ସ୍କୁଲ ଏକଜାମିନେସନ୍‌ ବୋର୍ଡ଼ ଦ୍ଵାରା ପ୍ରକାଶିତ ପରୀକ୍ଷା ଫଳ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଜମାରୁ ପାସ୍‌ କରିବା ଯୋଗ୍ୟତା ନଥିବା ୩ ଜଣ ବିଦ୍ୟାର୍ଥୀ (କଳାରେ ରୁବି ରାୟ ଓ ବିଜ୍ଞାନରେ ସୌରଭ ଶ୍ରେଷ୍ଠ ଅନ୍ତର୍ଭୁକ୍ତ) ଟପର୍‌ ହୋଇଥବାବେଳେ ଆଉ ୨ ଜଣ (ରାହୁଲ ଓ ଶାଳିନୀ) ସର୍ବଶ୍ରେଷ୍ଠ ୧୦ ଜଣ ଭିତରେ ରହିଥିଲେ । ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଉପୁଜିଥିବା ଏଇ ବିରଳ ତ୍ରୁଟି ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବି.ଏସ୍‌.ଇ.ବି. ନିଯୁକ୍ତ କରିଥିବା କମିଟିକୁ (ଅନୁସନ୍ଧାନ ନିମନ୍ତେ ଗଠିତ) ରଦ୍ଦ କରିଛନ୍ତି ଏବଂ ଟପର୍‌ ତାଲିକାରେ ଥିବା ଉପରୋକ୍ତ ୪ ଜଣ ବିଦ୍ୟାର୍ଥୀଙ୍କ ବିରୋଧରେ ପାଟନାର କୋଟୱାଲି ଥାନାରେ ମାମଲା ରୁଜୁ ହୋଇସାରିଛି । ଦଫା ଲାଗିଛି ଭାରତୀୟ ପିଙ୍ଗଳ କୋଡ୍‌ର ୪୨୦, ୪୬୫, ୪୬୭, ୪୬୮,୪୭୧ ଏବଂ ୧୨୦ (ଖ) । ମାମଲା ଖୋଦ୍‌ ସରକାର ରୁଜୁ କରିଛନ୍ତି । ସେତିକି ନୁହେଁ, ଏଇ ଛାତ୍ରମାନେ ଉର୍ତ୍ତୀର୍ଣ୍ଣ ହୋଇଥିବା ବିଷ୍ଣୁ ରାୟ ମହାବିଦ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ବଚ୍ଛା ରାୟଙ୍କ ବିରୋଧରେ ମଧ୍ୟ ଏଫ.ଆଇ.ଆର୍‌. ରୁଜୁ ହୋଇଛି । ପରୀକ୍ଷାରେ ବିଭ୍ରାନ୍ତି ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବାପରେ କଳା ଓ ବିଜ୍ଞାନରେ ଟପର୍‌ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବି.ଏସ୍‌.ଇ.ବି, ତରଫରୁ ଆଉଥରେ ପରୀକ୍ଷା କରାଯାଇଛି ଏବଂ ଅକୃତକାର୍ଯ୍ୟମାନଙ୍କ ପରୀକ୍ଷା ଫଳ ରଦ୍ଦ ହୋଇଛି । ରୁବି ରାୟ ସ୍ଵାସ୍ଥ୍ୟଗତ କାରଣରୁ ଅବଶ୍ୟ ପରେ ପରୀକ୍ଷା ଦେଇଥିଲେ । ଖବରକାଗଜରେ ପ୍ରକାଶ ପାଇଥିଲା ଯେ, ରୁବି ରାଜନୀତି ବିଜ୍ଞାନକୁ (ପଲିଟିକାଲ୍‌ ସାଇନ୍ସ) ‘ପ୍ରୋଡ଼ିଗାଲ୍‌ ସାଇନ୍ସ’ କହିଛନ୍ତି, ଯାହା ତାଙ୍କ ମତରେ ରାଜନୀତି ବିଜ୍ଞାନ ନୁହେଁ, ବରଂ ସଂଯୁକ୍ତ ରନ୍ଧାବଢ଼ା ସହିତ । ଏଇ ପ୍ରବନ୍ଧ ଲେଖାହେବା ବେଳକୁ ପରୀକ୍ଷା ସ୍କାମ୍‌ରେ ୧୭ ଜଣଙ୍କୁ ବିହାର ପୁଲିସ ଗିରଫ କରିସାରିଥିଲା ଏବଂ ମୁଖ୍ୟମନ୍ତ୍ରୀ ସମୁଦାୟ ପ୍ରକରଣରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ।

 

ପାଠକମାନଙ୍କ ପାଇଁ ସ୍ପଷ୍ଟ କରୁଛି ଯେ, ସୌରଭ ଶ୍ରେଷ୍ଠ ପରୀକ୍ଷାରେ ମୋଟ ୫୦୦ ରୁ ୪୮୫ ରଖିଥିବାବେଳେ ରୁବି ରଖିଥିଲେ ୫୦୦ ରୁ ୪୪୪ । ସୌରଭ ବାବଦରେ ଆଉ ଏକ ଚମକପ୍ରଦ ଖବର ଅଛି । ଗତବର୍ଷ ଦ୍ଵାଦଶ ପରୀକ୍ଷାରେ ସେ କୁଆଡ଼େ ଫେଲ୍‌ ହୋଇଥିଲେ । ରାଜ୍ୟ ସରକାର ଯଦିଓ ଏହା ମାରାତ୍ମକ ତ୍ରୁଟି ବୋଲି ସ୍ଵୀକାର କରିଛନ୍ତି, ତେବେ ଏ କଥା ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି ଯେ, ବିହାରରେ ଦଶମ ଏବଂ ଦ୍ଵାଦଶ ପରୀକ୍ଷା ପରିଚାଳନା ତଥା ମୂଲ୍ୟାୟନ ନିମ୍ନ ମାନର । ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ, କେଇବର୍ଷ ଧରି ଅଭିଯୋଗ ବରାବର ହେଉଛି ଯାହାକୁ କର୍ତ୍ତୃପକ୍ଷ ଅଣଦେଖା କରିଆସୁଛନ୍ତି । ୨୦୧୬ ପରୀକ୍ଷାରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ହସ୍ତକ୍ଷେପ ଯୋଗୁ ଯଦିଓ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ଥିଲା, ତଥାପି ମୂଲ୍ୟାୟନରେ ଦୁର୍ନୀତି ତା’ କମାଲ୍‌ ଦେଖାଇଲା ।

 

ଏଣେ ନିପଟ ମଫସଲରେ ରହୁଥିବା ଏବଂ ଆଦୌ ପ୍ରଭାବଶାଳୀ ପରିବାରରୁ ଆସିନଥିବା ରୁବି ରାୟ କେମିତି ଶୀର୍ଷସ୍ଥାନକୁ ଗଲେ ସେ ପ୍ରକ୍ରିୟା ଅନୁସନ୍ଧାନସାପେକ୍ଷ । ତେବେ ଏଇ କ୍ରମରେ ଯାହା ଗୁରୁତ୍ଵପୂର୍ଣ୍ଣ ତାହା ହେଉଛି ବୈଶାଳୀର ବିଷ୍ଣୁ ରାୟ ମହାବିଦ୍ୟାଳୟର ଭୂମିକା । ପାଠକମାନଙ୍କ ପାଇଁ ଉଲ୍ଲେଖ କରୁଛି, ଗତବର୍ଷ ଏଇ କଲେଜ ଆଉ ଏକ ବିରଳ ରେକର୍ଡ କରିଥିଲା ଯେତେବେଳେ ଶିକ୍ଷାନୁଷ୍ଠାନର ସମସ୍ତ ୧୦୦୭ ବିଦ୍ୟାର୍ଥୀ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ସ୍ଥାନ ପାଇଥିଲେ । ଅର୍ଥାତ୍‌, ଯେଉଁ ଅନୁସନ୍ଧାନ ସରକାର ବର୍ଷକ ତଳୁ କରାଇ ପାରିଥାନ୍ତେ, ତାହା ହୋଇନଥିଲା । ଏବେ ବିହାର ସରକାର ସଂପୃକ୍ତ ମହାବିଦ୍ୟାଳୟର ପ୍ରଶାସନିକ ଅନୁମୋଦନ ପ୍ରତ୍ୟାହାର କରିନେବା ପରେ ଲୋକେ କହୁଛନ୍ତି ଯେ ସେଇଠି ଏକ ର‍୍ୟାକେଟ୍‌ ରୀତିମତ ସକ୍ରିୟ ଥିଲା, ଯାହା ଅନେକଙ୍କ ଜ୍ଞାତସାରରେ ଏବଂ ପୁଷ୍ଠପୋଷକତାରେ ଚାଲୁଥିଲା । ନମ୍ବର ପାଇଁ ମୂଲଚାଲ ହେଉଥିଲା । ଟପର୍‌ ହେବ ତ ୧୫ ଲକ୍ଷ.... ମୋଟେ ପାସ୍‌ କରିବା କଥା ନୁହେଁ, ଯଦି ପାସ୍‌ କରିବାକୁ ଚାହୁଁଛ ୧୦ ଲକ୍ଷ ଦିଅ । ଏଇ ର‍୍ୟାକେଟ୍‌ ଶିଳ୍ପକୁ ସମୃଦ୍ଧ କରିବା ପାଇଁ ଆଗ୍ରହୀ ଅଭିଭାବକଙ୍କ ଅଭାବ ନଥିଲା ।

 

ଖବରକାଗଜରେ ବାହାରିଛି, ରୁବି ରାୟ କାର୍‌ସାଦି ବାବଦରେ ଏତେ କଥା ଜାଣିନଥିଲେ । ପରୀକ୍ଷାରେ ସେ ଫେଲ୍‌ ହେବେ, ଏକଥା ଅବଶ୍ୟ ଜାଣିଥିଲେ ଏବଂ ବାପାଙ୍କୁ ପାସ୍‌ କରେଇ ଦେବାପାଇଁ କହିଥଲେ । “ମୈନେ ତୋ ପାପା ସେ କହା ଥା ପାସ୍‌ କର୍‌ୱା ଦିଜିୟେ । ଉନ୍‌ହୋନେ ତୋ ଟପ୍‌ ହିଁ କରୱା ଦିୟା” । ବି.ଏସ୍‌.ଇ.ବି. ଦ୍ୱାରା ପରିଚାଳିତ ସ୍ଵତନ୍ତ୍ର ପରୀକ୍ଷାରେ ପରୀକ୍ଷକମାନେ ରୁବିଙ୍କୁ କହିଥିଲେ ସନ୍ଥକବି ତୁଳସୀଦାସଙ୍କ ଉପରେ ପଂକ୍ତିଟିଏ ଲେଖିବା ପାଇଁ । ସେମାନଙ୍କୁ ଅନେକ ସମୟ ଅପେକ୍ଷା କରିବା ସହିତ ସ୍ତମ୍ଭୀଭୂତ ହେବାକୁ ପଡ଼ିଥିଲା ଉତ୍ତରରେ, ଯେତେବେଳେ ରୁବି ଲେଖଲେ–‘‘ତୁଳସୀଦାସଜୀ, ପ୍ରଣାମ ।’’ ବାସ୍‌ ସେତିକି । ବୁଦ୍ଧିଜୀବୀମାନଙ୍କ ମତ ଯେ, ପାସ୍‌ କରିବାର ଯୋଗ୍ୟତା ନଥାଇ ଟପର୍‌ ତାଲିକାରେ ଥିବା ବିହାରର ଏଇ ଛାତ୍ରଛାତ୍ରୀଙ୍କ ଅପେକ୍ଷା କାହିଁ କେତେଗୁଣ ଅଧିକ ଦୋଷୀ ହେଉଛି ଆମର ପ୍ରଚଳିତ ଶିକ୍ଷା ବ୍ୟବସ୍ଥା-। ଯାହା ବିହାରରେ ଘଟିଛି, ତାହା କେବଳ ବିହାରର ଭୌଗୋଳିକ ଆୟତନ ଭିତରେ ସୀମାବଦ୍ଧ ନୁହେଁ–କାରଣ ଉଣା ଅଧିକେ ଅନ୍ୟାନ୍ୟ ରାଜ୍ୟରେ ତାହା ହିଁ ଘଟୁଛି । ଏହା ମୂଳରେ ମହାତ୍ତ୍ୱାକାଂକ୍ଷାର ଯେଉଁ ତତ୍ତ୍ୱ କାର୍ଯ୍ୟରତ, ସେଥିରେ ସାମିଲ ଅଛନ୍ତି ଛାତ୍ରଛାତ୍ରୀଙ୍କ ଅଭିଭାବକ । ଗାର୍ଜନ । ଯଦି ଗିରଫ ଉପରାନ୍ତ ରୁବିର ମନ୍ତବ୍ୟ ସତ ହୁଏ, ତେବେ ଏମିତି ଏକ ବିଷ ବଳୟ ନିର୍ମାଣରେ ସାମିଲ ଛାତ୍ରଙ୍କ ବାପାମା’, ମଧ୍ୟସ୍ଥି / ଦଲାଲ, ପରୀକ୍ଷକ ଏବଂ ଶିକ୍ଷା ବ୍ୟବସ୍ଥାର ପ୍ରଶାସନିକ ମଙ୍ଗୁଆଳମାନେ । କୁହାଯାଉଛି, ଏହା ହିଁ କାରଣ ଯେଉଁଥିପାଇଁ ଅଧିକାଂଶ ପାରିବା ଲୋକଙ୍କ ପିଲାମାନେ ମନଦେଇ ପାଠ ପଢୁନାହାନ୍ତି । ସେମାନେ ଜାଣିଛନ୍ତି, ତାହା ଆଉ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି ତୁମର ପଇସା ଅଛି, ପ୍ରଭାବ ଅଛି, ଠିକଣା ଲୋକଙ୍କ ସହିତ ନେଟୱର୍କିଂ ଅଛି, ତେବେ ପରୀକ୍ଷାରେ ଭଲ ନମ୍ବର / ର‍୍ୟାଙ୍କ ପାଇବା ଅସମ୍ଭବ ନୁହେଁ । କାରଣ, ବଜାରରେ ସବୁ ମିଳୁଛି । ଏ କଥା ବି କୁହାଯାଉଛି ଯେ ଇଞ୍ଜିନିୟରିଂରେ ପାସ୍‌ କରିବା ପରେ କିଛିଦିନ ପାଇଁ ଭଲ କମ୍ପାନିରେ ଭଲ ଚାକିରି ପାଇବା ମଧ୍ୟ ବିଚିତ୍ର ନୁହେଁ ।

 

ପାଠକେ । ଶିକ୍ଷାବିତ୍‌ମାନଙ୍କ ମତ, ଆମ ଶିକ୍ଷାବ୍ୟବସ୍ଥାର ଏକ ପ୍ରମୁଖ ଅଂଶରେ ଗ୍ରହଣ ଲାଗିସାରିଛି । ୟାର ଅର୍ଥ ନୁହେଁ ଯେ ମେଧାର ଗୁରୁତ୍ୱନାହିଁ ବା ତମାମ ଶିକ୍ଷାଦାନ / ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ, କିନ୍ତୁ କ୍ରମଶଃ ଧାରା ଦୃଢ଼ ହେଲାଣି ଯେ ଆମ ବ୍ୟବସ୍ଥାରେ ନିରପେକ୍ଷ ପରୀକ୍ଷା ପରିଚାଳନା ଏବଂ ମୁଲ୍ୟାୟନ ଉପରେ ଶତ ପ୍ରତିଶତ ନିର୍ଭର କରିବା ନିର୍ବୋଧତା । ଅନ୍ୟପକ୍ଷରେ, ମନସ୍ତତ୍ତ୍ୱବିତ୍‌ମାନଙ୍କ ବିଚାର, ପିଲାଙ୍କ ପାଠପଢ଼ାରେ ବାପାମା', ଅଭିଭାବକ ଏବଂ ଶିକ୍ଷକମାନଙ୍କର ଯେଉଁ ଅନୁରାଗ ଓ ସକାରାତ୍ମକ ସଂପୃକ୍ତି ରହିବା କଥା, ଆଗ ପରି ତାହା ଆଉ ନାହିଁ । ସମସ୍ତେ ଏକ ଅଜବ ବାସ୍ତବିକତାକୁ ଓହ୍ଲେଇ ଆସୁଛନ୍ତି, ଯେଉଁଠି ଅସଲ ଅଧ୍ୟୟନ ନୁହେଁ, କେବଳ ଉଗ୍ର, ଉଲ୍ଲଂଗ ପ୍ରତିଯୋଗିତାରେ ମିଳୁଥିବା ତାତ୍କାଳିକ ସଫଳତାକୁ ନିର୍ବାଣ ମନେ କରାଯାଉଛି । ପିଲା ଯେତେ ଟ୍ୟୁସନ ହେଉଛି ହେଉ, ପରୀକ୍ଷାରେ ଭଲ ନମ୍ବର ପାଇଁ ଯ଼ଦି ଧରାଧରି ସମ୍ଭବ କରାଯାଉ- କିନ୍ତୁ ପିଲା ସବା ଆଗରେ ରହୁ । ଅଲବତ୍‌ ରହୁ । ପ୍ରତିଯୋଗିତାର ନିଶା ଆମକୁ ଏମିତି ଏକ ଛକକୁ ନେଇଆସିଛି, ଯେଉଁଠି ନିଜ ପିଲାମାନଙ୍କ କ୍ୟାରିୟର ନେଇ ଆମ ଆଶା ମାତ୍ରାଧିକ ବଢ଼ିସାରିଛି । ପିଲାର ଗୁଣ, ଦୋଷ, ଦୁର୍ବଳତା, ପସନ୍ଦ, ନାପସନ୍ଦ ଏସବୁ ଚିନ୍ତା କରିବା ପାଇଁ କାହାର ଆଗ୍ରହ ନାହିଁ । ପରିଣତି ଏୟା ହେଉଛି- ଜଣେ ଆଦୌ ଆଗ୍ରହ ନଥି‌ଲେ ହେଁ ଇଞ୍ଜିନିୟରିଂ ପଢ଼ୁଛି, ଆଇନ ପଢୁଛି । ଅର୍ଥାତ୍‌, ସେ ଚାପଗ୍ରସ୍ତ ହୋଇ ରହୁଛି । ବୃହତ୍ତର ଅର୍ଥରେ ଏଇ ଅସଂଗତ ଧାରା ପ୍ରଭାବିତ କରୁଛି ତା'ର ଜୀବନକୁ । ପିଲାର ନିଜସ୍ଵ ପସନ୍ଦ ଅପସନ୍ଦକୁ ବାପା ମା' / ଅଭିଭାବକ ପ୍ରୋତ୍ସାହନ ଦେବେ, ସେ କ'ଣ ପଢ଼ିବ, ସେଥି‌ପାଇଁ ସ୍ଵାଧୀନତା ଦେବେ, ଏମିତି ମନୋବୃତ୍ତି / ବିଚାରର କ୍ଷୟ ହେବା ଆରମ୍ଭ ହୋଇସାରିଛି । ବାପାମା’ ପିଲାକୁ ନିଃସର୍ତ୍ତ ଭାବରେ ଭଲପାଇବା କଥା, ସେମାନଙ୍କ ସଫଳତା / ବିଫଳତାର ସାଥୀ ହେବା କଥା–ଏସବୁ କିନ୍ତୁ କମିଆସୁଛି। ପିଲାମାନଙ୍କ ପାଠପଢ଼ା ମୂଳରେ ଅଭିଭାବକଙ୍କ ଅନୁପ୍ରେରଣା ବଦଳରେ ସବାର ହୋଇଛି ଆପଣା ସ୍ଵାର୍ଥ, ମହତ୍ତ୍ଵାକାଂକ୍ଷାର ମହାବୋଝ । ଆଉ ଏହାର ପରିଣତି ଆମେ ଭୋଗ କରୁଛେ । ପିଲାଙ୍କ ପଢ଼ାପଢ଼ି କ୍ଷେତ୍ରରେ ଆମ ଅଲକ୍ଷ୍ୟରେ ଏକ ବିନିର୍ମାଣକୁ ହିଁ ଆମେ ପ୍ରୋତ୍ସାହିତ କରିଆସୁଛୁ । ଏଇ ଅବକ୍ଷୟର ସାମାଜିକ ଦିଗ ଯେତିକି ଧୂସର, ମନସ୍ତାତ୍ତ୍ୱିକ ଚକଡ଼ା ସେତିକି ବିପର୍ଯ୍ୟସ୍ତ । ଆଉ ମାନସିକ ସ୍ତରରେ ଆମର ଏଇ ଅସ୍ଵାଭାବିକତା ହିଁ ଶିକ୍ଷା ବ୍ୟବସ୍ଥା ତଥା ଶିକ୍ଷାନୁଷ୍ଠାନମାନଙ୍କୁ ସଂକ୍ରମିତ କରୁଛି । ଅନ୍ୟପକ୍ଷରେ, ପାରମ୍ପରିକ ପାଠପଢ଼ା ବାହାରେ ଯେ ପିଲାମାନେ ଅନ୍ୟାନ୍ୟ ଅନେକ କିଛି କରିବାପାଇଁ ସକ୍ଷମ–ଏକଥା ଆମେ ଜାଣି ଜାଣି ଭୁଲିଯାଉଛୁ । ଗ୍ରେଡ୍‌ ଏବଂ ର‍୍ୟାଙ୍କ ମନସ୍କତା ପିଲାମାନଙ୍କର ସ୍ଵାଭାବିକ, ସୃଜନଶୀଳ ଭୂମିକୁ କ୍ଷତିଗ୍ରସ୍ତ କରିସାରିଲାଣି । ନର୍ସରୀଠାରୁ ଆରମ୍ଭ କରି ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ଏହା ହିଁ ଆମର ପରିସ୍ଥିତି-। ‘‘ଗ୍ରେଡ୍‌ ଗ୍ରବିଂ’’ । ପ୍ରତିଯୋଗିତା ପିଲାଙ୍କ କ୍ଲାସରୁମ୍‌ରୁ ସିଧା ଆସି ପହଞ୍ଚିଛି ଅଭିଭାବକମାନଙ୍କ ସ୍ତରରେ ।

 

ଏକ ପତ୍ରିକାରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଜଣେ ଶିକ୍ଷୟିତ୍ରୀ (ପ୍ରାଥମିକ ସ୍କୁଲ) କ୍ଲାସରେ ପଢ଼େଇବା ବେଳେ ଦିନେ ହଠାତ୍‌ ଶ୍ରେଣୀ ଗୃହକୁ ପ୍ରବେଶ କଲେ ଜଣେ ସଂଭ୍ରାନ୍ତ ମହିଳା । ବିନା ଉପକ୍ରମରେ ସେ ଶିକ୍ଷୟିତ୍ରୀକୁ ତାଙ୍କ ଝିଅର ଗ୍ରେଡ୍‌ କାହିଁକି ଖରାପ ହେଉଛି ବୋଲି ପଚାରିଥିଲେ । (ଝିଅ ଶ୍ରେଣୀରେ ଉପସ୍ଥିତ ଥିଲା) ଶିକ୍ଷୟିତ୍ରୀ ଉତ୍ତର ଦେଲେ ଯେ, ସ୍ଵଭାବରେ ଝିଅଟି ଖୁବ୍‌ ଭଲ, ତେବେ କେଇମାସ ହେବ ପଢ଼ାରେ ସେ ମନ ଦେଉନାହିଁ । ଆଗକୁ ସୁଧୁରିଯିବ ହୁଏତ । ଭଦ୍ର ମହିଳା ଏସବୁ ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ । ଗ୍ରେଡ଼୍‌ ବୁକ୍‌ରେ ଝିଅର ନମ୍ବର ବଢ଼େଇବା ପାଇଁ ସେ ବାଧ୍ୟ କଲେ । କଥା ପ୍ରଧାନଶିକ୍ଷକଙ୍କ ପାଖକୁ ଗଲା । ସଂଯୋଗକୁ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମର୍ଥନ କଲେ । ତେବେ ପରବର୍ତ୍ତୀ ସମୟରେ ପିଲାର ଅଭିଭାବକଙ୍କ ସହିତ ଶିକ୍ଷୟିତ୍ରୀଙ୍କ ସଂପର୍କ ସ୍ଵାଭାବିକ ହୋଇପାରିନଥିଲା । ଏହାର ପ୍ରଭାବ ଟିକି ଝିଅଟି ଉପରେ ମଧ୍ୟ ପଡ଼ୁଥିଲା । ପାଠକମାନେ ଜାଣନ୍ତି ଯେ, ଗତ ୧୦/୧୫ ବର୍ଷ ଧରି ତଥାକଥିତ ସଭ୍ୟ ଶିକ୍ଷିତମାନଙ୍କର ଧାରଣା ଜନ୍ମିଛି, ଯଦି ସେମାନଙ୍କର ପିଲା ପରୀକ୍ଷାରେ ସର୍ବନିମ୍ନ ୯୦% ନରଖୁଛି, ତେବେ ସେ ପାଠପଢ଼ାର କିଛି ଅର୍ଥ ହିଁ ନାହିଁ ।

 

ବିହାର ପରୀକ୍ଷା ସ୍କାମ୍‌ ଆଲୋଚନା ଗଣମାଧ୍ୟମରେ ଜାରି ରହିଥିବାବେଳେ ଖବରକାଗଜରେ ଉତ୍ତର ପ୍ରଦେଶର ୨ ଜଣ ପ୍ରଫେସରଙ୍କ ଜ୍ଞାନ (ଜଣେ ଅର୍ଥନୀତି ଏବଂ ଆଉ ଜଣେ ଇଂରାଜୀ ସାହିତ୍ୟ) ଚର୍ଚ୍ଚାର ବିଷୟ ପାଲଟିଥିଲା । ଇଂରେଜୀ ପ୍ରଫେସର ଜଣକ “ଭାଲ୍ୟୁଏସନ’’ ବନାନ କରିବା ପାଇଁ ଅକ୍ଷମ ଥିଲେ ଏବଂ ଅର୍ଥନୀତି ପ୍ର।ଧ୍ୟାପକ ‘‘ଅଡିଟ୍’’ ସମ୍ବନ୍ଧରେ ଆଦୌ କିଛି ଜାଣିନଥିଲେ । ଆଇ.ଏମ୍‌.ଏଫ୍‌, କହିଲେ ସେ ବୁଝୁଥିଲେ 'ଇଣ୍ଟରନ୍ୟାସ୍‌ନାଲ୍‌ ମନି ଫାଉଣ୍ଡ' । ଏବେ ଆପଣଙ୍କର ଚିନ୍ତା କରିବାର ବେଳ ।

(ପ୍ରମେୟ, ତା ୧୫/୭/୨୦୧୬)

Image

 

ଜୀବନ ଏଇଠି, ଏଇ ମୁହୂର୍ତ୍ତରେ ଅଛି

 

ବୁଦ୍ଧତ୍ୱ ପ୍ରାପ୍ତି ନିମନ୍ତେ ଧ୍ୟାନରେ ବସିବା ବେଳେ ଗୌତମ ଆପଣେଇଥିଲେ ଏକ ଅତ୍ୟନ୍ତ କଠୋର ବିଧାନ । ଖାଦ୍ୟ, ପାନୀୟ, ବିଶ୍ରାମ–ଏସବୁ ସାଧନାର ସୂଚୀରେ ସ୍ଥାନ ପାଇନଥିଲା । ଅର୍ଥାତ୍‌, ଦେହ ଗୌଣ ହୋଇ ସାରିଥିଲା । ‘‘ମୋର ମାଂସ ପଛକେ ଝଡ଼ିପଡ଼ୁ, ରକତ ଶୁଖିଯାଉ, କିନ୍ତୁ ବୁଦ୍ଧତ୍ୱ ପ୍ରାପ୍ତି ପୂର୍ବରୁ ଧ୍ୟାନରୁ ମୁଁ ଆଉ ଉଠିବି ନାହିଁ ।’’ କୁହାଯାଇଛି, ତାହା ସମ୍ଭବ ହୋଇପାରି ନଥିଲା । ଦେହକୁ ଏକଦମ୍‌ ଅଣଦେଖା କରି ବୁଦ୍ଧତ୍ଵର ସନ୍ଧାନ କରିବା ପ୍ରାକୃତିକ ନିୟମର ବିରୁଦ୍ଧାଚରଣ ଥିଲା, ଯାହା ବୁଦ୍ଧ ହୃଦୟଙ୍ଗମ କରିଥିଲେ । ଉଲ୍ଲେଖ ଅଛି, ସୁଜାତାଙ୍କଠାରୁ ଖାଦ୍ୟ ଗ୍ରହଣ ପରେ କ୍ରମେ ସୁସ୍ଥ ହୁଅନ୍ତେ ଗୌତମ ପୁନର୍ବାର ଧ୍ୟାନସ୍ଥ ହେଲେ–ବୋଧିବୃକ୍ଷ ମୂଳରେ । ସେ ଜାଣି ନଥିଲେ, ଅବିକଳ କ'ଣ ଖୋଜୁଛନ୍ତି । ଏକନିଷ୍ଠ ସମାଧି ଉପରାନ୍ତ ତାଙ୍କୁ କ’ଣ ମିଳିବ ? ତେବେ ବୁଦ୍ଧତ୍ୱ ପ୍ରାପ୍ତି ଉତ୍ତାରୁ ତାଙ୍କର ଯେଉଁ ଅନୁପମ ଉପଲବ୍‌ଧି ହୋଇଥିଲା, ତାହା ଥିଲା ବର୍ଣ୍ଣନାତୀତ । ସେ କହିଥିଲେ, ‘‘ଧର୍ମର ଯେଉଁ ମହାର୍ଘ ଅନୁଭବକୁ ମୁଁ ନିଜ ଭିତରେ ଏବେ ସାଉଁଟି ଧରିଛି, ତାହାକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ । ତାହା ଅକଳ୍ପନୀୟ-ଉଦାର ଓ ପ୍ରଶାନ୍ତ ଅନୁଭବ, ଯାହା ଏକାଧାରରେ ଉତ୍ତରିତ ଏବଂ ଲଳିତ । ଯାହାକୁ ତର୍କ ଛୁଇଁ ପାରିବ ନାହିଁ । ମୁଁ ସ୍ପଷ୍ଟ ବୁଝିପାରୁଛି, ସଂସାର ତଥାକଥିତ ଭୌତିକ ସୁଖ ଓ ଇନ୍ଦ୍ରିୟାନୁଭବରେ ସୀମିତ ହୋଇ ରହିଯାଇଛି । ଏବଂ ଏଇମନ୍ତେ ବଞ୍ଚିଥିବା ସକଳ ଲୋକଙ୍କ ପାଇଁ ନିଜ ନିଜ ବନ୍ଧନ ବାହାରେ ଆଉ କିଛି ଆବିଷ୍କାର କରିବା ଖୁବ୍‌ କଠିନ । କାମନା ହିଁ ସମସ୍ତ ଦୁଃଖର କାରଣ, ସର୍ତ୍ତସାପେକ୍ଷ, ଯାହା ନିର୍ମଳ ସୁଖର ପରିପନ୍ଥୀ ।’’

 

ବୁଦ୍ଧଙ୍କ ବିଚାରରେ ଦୁଃଖର ନିଜସ୍ଵ ଭୂମିଟିଏ ନଥାଏ । ସେଇଥିପାଇଁ ଦୁଃଖ ନିୟତ ଆଶ୍ରା କରିଥାଏ ଏକ ଅପୂର୍ଣ୍ଣ କାମନାକୁ । କାମନା ନଥିଲେ, ସର୍ତ୍ତ ନଥିଲେ ଦୁଃଖ ଯନ୍ତ୍ରଣାର କିଛି ଅର୍ଥ ହିଁ ନାହିଁ । କାମନା କେବଳ ଭୌତିକ ଜଗତ ସହିତ ସମ୍ପୃକ୍ତ ନୁହେଁ, ସମାନ୍ତରାଳ ଭାବରେ ଏହା ବିସ୍ତୃତ ଆମର ମନକୁ–କହିପାରନ୍ତି ମନସ୍ତତ୍ତ୍ୱକୁ । ଅନ୍ୟ ପକ୍ଷରେ, ମୁକ୍ତିର ଉଦ୍‌ଭାସିତ ଦିଗ୍‌ବଳୟରେ ସର୍ତ୍ତର ଚିହ୍ନବର୍ଣ୍ଣ ନାହିଁ । ମୁକ୍ତି ଏକ ନିଃସର୍ତ୍ତ ବାସ୍ତବିକତା । ଉଭୟ ଭୌତିକ ସଂସାରରେ ଏବଂ ମାନସିକ ସ୍ତରରେ କିଛି ଆପଣାଛାଏଁ ଉତ୍ପନ୍ନ ହୁଏନାହିଁ, ଆଉ ଜୀବନରେ ସର୍ତ୍ତର ଏଇ ଚକ୍ରକୁ ଚିହ୍ନିବାରେ ହିଁ ମୁକ୍ତିର ବାଟ । କୁହାଯାଏ, ବୁଦ୍ଧଙ୍କ ଏଇ ମୌଳିକ ତଥା ପ୍ରଭାବଶାଳୀ ବିଚାର (ପ୍ରତୀତ୍ୟ ସମୁତ୍ପଦ) ହିଁ ବୌଦ୍ଧ ଧର୍ମର ଆଧାରଶିଳା ପାଲଟିଥିଲା । ବୁଦ୍ଧ ସ୍ଵୀକାର କରୁଥିଲେ, ପ୍ରକୃତିର ନିଜସ୍ଵ ନିୟମ ରହିଛି । ସେଇ ନିୟମସବୁ ଏକ ଅବଧାରିତ ପ୍ରକ୍ରିୟାକୁ ଅନୁସରଣ କରନ୍ତି, ମାତ୍ର ନିୟମମାନଙ୍କୁ କେହି ଈଶ୍ଵର ସୃଷ୍ଟି କରି ନାହାନ୍ତି । ପ୍ରତ୍ୟେକଟି ନିୟମ ସମଗ୍ର, ସ୍ଵୟଂସମ୍ପୂର୍ଣ୍ଣ ଏବଂ ସ୍ଵୟଂ ନିୟନ୍ତ୍ରିତ । ଏଥିପାଇଁ ବିଧାତାଙ୍କ ପରିକଳ୍ପନାର ପ୍ରୟୋଜନ ନାହିଁ । ‘‘ଭଲ’’ ଓ ‘‘ଖରାପ’’ ସୃଷ୍ଟିରେ ଆରମ୍ଭରୁ ବିଦ୍ୟମାନ ଏବଂ ଜଣଙ୍କ କର୍ମ ହିଁ ଠିକ୍‌ କରିଥାଏ ଜଣଙ୍କୁ କ'ଣ ମିଳିବ । ଅର୍ଥାତ୍‌, ଆମେ ଏକାଧିକ କାରଣର ପରିଣତି, ଯାହା ଭିତରେ ରହିଛି ଦେହ, ମନ, ଆମ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକତା । ବୁଦ୍ଧଙ୍କ ବିଚାରର ଏଇ ନିଷ୍କର୍ଷରୁ ଆରମ୍ଭ ହୋଇଥଲା ପରବର୍ତ୍ତୀ ବିଶ୍ଳେଷଣ ଯଥା–କିଛି ବି ନିରନ୍ତର, ଅପରିବର୍ତ୍ତନୀୟ ନୁହେଁ । ସଂସାରରେ ଯାହା ଘଟୁଛି ବୋଲି ଆମେ ମନେକରୁଛୁ ବା ପ୍ରତ୍ୟକ୍ଷ କରୁଛୁ, ସେସବୁ ଘଟିବା ମୂଳରେ ରହିଛି ନିର୍ଦ୍ଦିଷ୍ଟ ସର୍ତ୍ତ । କାରଣ ଉପରେ ନିର୍ଭରଶୀଳତା । ପାଠକେ, ୨୦/୨୫ ବର୍ଷ ତଳେ ଯାହା ଆମ ବିଚାରରେ ତଥାକଥିତ 'ପାପ' ଓ 'ପୁଣ୍ୟ’ ର ବୃତ୍ତରେ ବିଭକ୍ତ ହୋଇ ରହିଥଲା, ସେ ଭିତରୁ ଅନେକ ନିଜର ସ୍ଥିତି / ଚରିତ୍ର ବଦଳେଇ ସାରିଛନ୍ତି ଏବଂ ଏହା ସମ୍ଭବ ହୋଇଛି ପ୍ରତୀତ୍ୟ ସମୁତ୍ପଦ ପ୍ରକ୍ରିୟା ଯୋଗୁଁ–ସ୍ଥୁଳ ବା ସୂକ୍ଷ୍ମ କିଛି ବି ଅପରିବର୍ତ୍ତନୀୟ ନୁହନ୍ତି । ଏକ ଘଟଣାର ସାଂପ୍ରତିକ ସ୍ଥିତି ବା ମାନସିକ ସ୍ତରରେ ଜଣକ ସୁଖ, ଦୁଃଖ ବା ଯନ୍ତ୍ରଣାର ଅନୁଭବ ଅସଲରେ ସାମୟିକ, ଅବିକଳ ସ୍ଵପ୍ନ ପରି । ଶିଶିର ବିନ୍ଦୁ ପରି; ବିଜୁଳି ପରି । ବୌଦ୍ଧ ବିଚାରରେ 'ଶୂନ୍ୟତା' ର ଅର୍ଥ ଏକାବେଳେ ସ୍ଥିତିହୀନତା ନୁହେଁ, ବରଂ ଏହା ଆପେକ୍ଷିକ । କାରଣ / ସର୍ତ୍ତ ଉପରେ ନିର୍ଭରଶୀଳତା ହେତୁ ଉତ୍ପନ୍ନ ହେଉଥିବା ଘଟଣା ଅବା ଅନୁଭବର ମଧ୍ୟ ଏକ ଭୂମି ଅଛି । ତେବେ ତାହା ନିଚ୍ଛକ ସତ୍ୟ ନୁହେଁ, ସମ୍ପୂର୍ଣ୍ଣ ବାସ୍ତବିକତା ନୁହେଁ । ଅପରିବର୍ତ୍ତନୀୟ ବି ନୁହେଁ । ସାମୟିକତା / ନଶ୍ଵରତା, ଅପୂର୍ଣ୍ଣତା ଏବଂ ଅସନ୍ତୋଷ–ଏଇ ତିନୋଟି ହେଉଛି ଆମ ସର୍ତ୍ତସାପେକ୍ଷ ଅସ୍ତିତ୍ଵର ତିନୋଟି ଚିହ୍ନ; ସଂକେତ, ଲକ୍ଷଣ-। କେବଳ ମଣିଷ ନୁହେଁ, ସମଗ୍ର ଜଗତ ପ୍ରତୀତ୍ୟ ସମୁତ୍ପଦର ମହାନିୟମରେ ବନ୍ଧା ।

 

ଅନେକଙ୍କ ମତ ଯେ ବୁଦ୍ଧ ପାର୍ଥିବ ଜୀବନ ପ୍ରତି ବୀତସ୍ପୃହ ଥିଲେ । ଜୀବନକୁ '‘ହଁ” ନ କରି ନିର୍ବାଣକୁ ‘‘ହଁ” କରୁଥିଲେ। ଅର୍ଥାତ୍‌, ବାସ୍ତବିକତାରୁ ଅପସରି ଏକ ପଳାୟନପନ୍ଥୀ ଦର୍ଶନକୁ ପ୍ରୋତ୍ସାହିତ କରୁଥିଲେ । ଏମିତି ଯୁକ୍ତିର ଆଧାର ହିଁ ନାହିଁ । ବୁଦ୍ଧ ଯାହା କରୁଥିଲେ, ତାହା ଛୁଉଁଥିଲା ବର୍ତ୍ତମାନକୁ; ମୁହୂର୍ତ୍ତକୁ । ଜୀବନ ଏଇଠି ଅଛି । ଏଇ ମୁହୂର୍ତ୍ତରେ ଅଛି । ଯଦି ତୁମେ ଜାଣୁଛ ଯେ ସବୁ ପରିବର୍ତ୍ତନର ଅଧୀନ, କିଛି ‘‘ନିରନ୍ତର’’ ହୋଇ ରହିବ ନାହିଁ, ତେବେ କାହାକୁ ଭୟ ? ବନ୍ଧନରୁ, ସର୍ତ୍ତରୁ ଏବଂ ଆପଣା ଅଭ୍ୟନ୍ତରର ଭୟରୁ ମୁକ୍ତ ହୋଇ ବର୍ତ୍ତମାନର ବାସ୍ତବିକତାକୁ ଆପଣେଇ ନିଅ, ମୁହୂର୍ତ୍ତକୁ ସାଉଁଟି ଧରି ତା'ର ଅପ୍ରତିହତ, ଅନାବିଳ ଉଷ୍ମତା ସହିତ ନିଜକୁ ସାମିଲ୍‌ କରିନିଅ । ଗତକାଲି (ଅତୀତ)ର ଅର୍ଥ ନାହିଁ, ଆଗାମୀ କାଲି (ଭବିଷ୍ୟତ) ଅନିଶ୍ଚିତ–କେବଳ ଯାହା ତୁମ ହାତ ପାହାନ୍ତାରେ ଅଛି, ତାହା ବିଶୁଦ୍ଧ ବର୍ତ୍ତମାନ । ବୌଦ୍ଧ ଧର୍ମ ବାସ୍ତବ ଜୀବନକୁ କଦାପି ଅର୍ଥହୀନ ବୋଲି ବିବେଚନା କରିନଥିଲା, ବରଂ ସାରା ସଂସାର ପ୍ରତି ଏକ ସମ୍ବେଦନଶୀଳ ଦୃଷ୍ଟିର କଥା ଉଠେଇଥିଲା । ପ୍ରତୀତ୍ୟ ସମୁତ୍ପଦ ଏକଥା ବି ସୂଚେଇ ଦେଉଥିଲା ଯେ ଶାଶ୍ୱତ ବା ନାସ୍ତିର ଚରମ ପଥ ନ ବାଛି ଜଣେ ମଧ୍ୟମ ମାର୍ଗକୁ ଆପଣେଇବା ସାର ହେବ । ଆଧ୍ୟାତ୍ମିକତା ବାସ୍ତବିକତାଠୁ ପଳାୟନ ନୁହେଁ, ତେବେ 'ଶାଶ୍ୱତ' ନାଁରେ ଏକ ଅପ୍ରମାଣିତ ଇଲାକାର ସନ୍ଧାନ ବି ନୁହେଁ । ତୁମର କୁଆଡ଼େ ଯିବାର ନାହିଁ, କାରଣ ଅସଲ ସୁଖଟି ଆମରି ପରିଧି ଭିତରେ ଆମରି ସହିତ ବରାବର ରହିଛି । ବୁଦ୍ଧତ୍ୱ ହାତ ପାହାନ୍ତାରେ, ତେଣୁ ତାକୁ ସେଇଠି ଆବିଷ୍କାର କରିବା ପାଇଁ ହେବ । ଭେଟିବାକୁ ହେବ । ଦୂରରୁ ଚମତ୍କାର ମନେ ହେଉଥିବା ପାହାଡ଼, ଜଙ୍ଗଲ, ଆମ ପାଖରେ ଥିବା ବୃକ୍ଷଲତା, ପକ୍ଷୀଙ୍କ କାକଳି–ସବୁ ଆମକୁ ବର୍ତ୍ତମାନର ବିବରଣୀ ଶୁଣାଉଛନ୍ତି । ନିର୍ବାଣ ତେଣୁ ସଂସାର ବାହାରେ ନାହିଁ, ସଂସାର ଭିତରେ ରହିଛି । ନିର୍ବାଣ ପାଇଁ ବଦଳେଇବାକୁ ପଡ଼ିବ କେବଳ ଆମ ନିଜକୁ । ଆମେ ସମସ୍ତେ ସମସ୍ତଙ୍କ ସହିତ ସମ୍ପୃକ୍ତ ।

 

ସୁଖ ପାଇଁ କରୁଣାସିକ୍ତ ହେବ ଆମର ହୃଦୟ । ‘‘ସବଳ ଓ ଦୁର୍ବଳ, ଦୃଶ୍ୟ, ଅଦୃଶ୍ୟ–ସଭିଏଁ ଭଲରେ ରହନ୍ତୁ । ସୁଖରେ ରହନ୍ତୁ । ସଂସାରରେ ସମସ୍ତେ ମୁକ୍ତ ହୁଅନ୍ତୁ ମିଥ୍ୟା ଓ ଅହଙ୍କାରରୁ ।’’ ବୁଦ୍ଧ ନିଜ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ମଙ୍ଗଳ ମନାସୁଥିଲେ–ଅବିକଳ ସାମ୍ୟବାଦୀ ପରି । ସେ ଜାଣିଥିଲେ, ଜଣେ କେବଳ ଅନ୍ୟମାନଙ୍କ ସମ୍ପୃକ୍ତିରେ ହିଁ ପରିଚିତ ଓ ପ୍ରସ୍ଫୁଟିତ । ଇପ୍‌ସିତ ମୁକ୍ତି ତେଣୁ ସମ୍ଭବ ଉତ୍ତରିତ ଗଣ ଚେତନାରେ; ଗଣ ଜୀବନରେ । ନିର୍ବାଣ ପରିସ୍ଥିତିକୁ ଅଣଦେଖା କରିବାରେ ନଥିଲା, ବାସ୍ତବ କର୍ମରେ ଥିଲା, ଭଲ ଜୀବନ ପାଇଁ ଭଲ ଯୋଜନା ଏବଂ ଭଲ କାମ କରିବାରେ ଥିଲା ।

 

ସେଇ ଦୃଷ୍ଟିରୁ ନିଜ ପାଇଁ ଏକ ଶୃଙ୍ଖଳା ନିର୍ଦ୍ଧାରଣରେ ଥିଲା; ଅବଶିଷ୍ଟ ପୃଥିବୀ ସହିତ ଯୋଡ଼ି ହେବାରେ ଥିଲା, ଆପଣା ଅହଙ୍କାରକୁ, ସୀମିତତାକୁ ଅତିକ୍ରମି ଏକ ବିଶ୍ୱ ଦୃଷ୍ଟିରେ ଥିଲା । ତେବେ ବୁଦ୍ଧ ଜାଣିଥି‌ଲେ ଯେ ନିଜକୁ ଏଇ ମର୍ମରେ ପରିବର୍ତ୍ତିତ କରିବା ଏକ ସାଧନା ଆଉ ସାଧନା ପାଇଁ ସେ ଆଗ୍ରହ ନିଜ ଭିତରୁ ହି କେବଳ ଆସିବ । ପଣ୍ଡିତମାନଙ୍କ ମତ ଯେ ବୁଦ୍ଧ ସଂସାରକୁ ମନା କରୁନଥି‌ଲେ ସତ, କିନ୍ତୁ ନିର୍ବାଣ ପାଇଁ, ନିଃସର୍ତ୍ତ, ଅନାବିଳ ଆନନ୍ଦ ପାଇଁ ସର୍ତ୍ତ ମାନଙ୍କ ଷଡ଼ଯନ୍ତ୍ରରୁ ମୁକ୍ତ ରହିବା ପାଇଁ ଅବଶ୍ୟ ପ୍ରବର୍ତ୍ତାଉ ଥିଲେ ।

(ନିତିଦିନ, ତା ୮/୭/୨୦୧୬)

Image

 

ଜିହେଜା ଦିଗାଲ୍‌ର ପ୍ରଥମ ଏବଂ ଶେଷ ଖେଳନା

 

କନ୍ଧମାଳରେ ଏସ୍‌ଓଜି ଯବାନ୍‌ଙ୍କ ଗୁଳିମାଡ଼ରେ ପାଞ୍ଚଜଣ ନିରୀହ ଆଦିବାସୀ ଟଳି ପଡ଼ିଛନ୍ତି । ସେମାନଙ୍କ ଭିତରୁ ଜଣେ ୧୩ ମାସର ଶିଶୁ । ସରକାରଙ୍କ ତରଫରୁ ପ୍ରଥମେ କୁହାଯାଉଥିଲା ଯେ ପୁଲିସ୍‌ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ବାଲିଗୁଡ଼ାରୁ ଫେରୁଥିବା ଅଟୋରିକ୍ସା ହଠାତ୍‌ ସେଇ ବାଟଦେଇ ଯିବାରୁ ଏମିତି ଦୁର୍ଘଟଣା ଘଟିଲା, ଯାହା ଦୁର୍ଭାଗ୍ୟପୁର୍ଣ୍ଣ । ତେବେ ଆହତ ହୋଇଥିବା ଅନ୍ୟମାନଙ୍କ ବିବରଣୀରୁ ଏବେ ସ୍ପଷ୍ଟ ହୋଇଛି, ଗୁଳିମାଡ଼ ଗୋଟିଏ ପଟରୁ ହୋଇଥିଲା ଯେଉଁ ପାଖରେ କେବଳ ଯବାନ୍‌ମାନେ ପୋଜିସନ୍‌ରେ ଥିଲେ ଏବଂ ତାତ୍ପର୍ଯ୍ୟପୂର୍ଣ୍ଣ ହେଉଛି, ସେଇ ସମୟରେ ସେ ଅଞ୍ଚଳରେ ମାଓବାଦୀମାନଙ୍କ ପତ୍ତା ନଥିଲା । ପୁଣି ଏମିତି ଏକ ମୁକାବିଲା ବେଳେ ବିଧିମୁତାବକ ସମ୍ପୃକ୍ତ ଅଞ୍ଚଳ / ରାସ୍ତା ସିଲ୍‌ ହୋଇନଥିଲା । ଗୁଇନ୍ଦା ସୂଚନା ମଧ୍ୟ ସମ୍ପୂର୍ଣ୍ଣ ତଥା ଠିକ୍‌ ନଥିଲା । ଅନ୍ୟ ଅର୍ଥରେ, ମାଓବାଦୀ ମନେକରି ସୁରକ୍ଷା ବାହିନୀ ଗୁଳିବର୍ଷା କରିଥିଲେ ଅଟୋ ଉପରକୁ । ଉଭୟ ସରକାରୀ ଓ ବେସରକାରୀ ସୂତ୍ରରୁ ଏକଥା ସ୍ପଷ୍ଟ ହୋଇଯାଇଛି, ମୃତକମାନଙ୍କର ମାଓବାଦୀ କାର୍ଯ୍ୟକଳାପ ସହିତ ସାମାନ୍ୟତମ ସଂପୃକ୍ତି ନଥିଲା। ରାଜନୈତିକ କାରଣରୁ ବିରୋଧୀ ଏହାକୁ ଥଣ୍ଡା ମିଜାଜ୍‌ରେ କରାଯାଇଥିବା ‘‘ନରହତ୍ୟା’’ ବୋଲି ଆକ୍ଷେପ କରୁଛନ୍ତି; ମିଛ ଏନ୍‌କାଉଣ୍ଟର ବୋଲି ଅଭିହିତ କରୁଛନ୍ତି; ଆଦିବାସୀଙ୍କ ଉପରେ ସରକାରଙ୍କ ଜୁଲମ ବୋଲି କହୁଛନ୍ତି । ଏଇ ପରିପ୍ରେକ୍ଷୀରେ କନ୍ଧମାଳ ବନ୍ଦ ସଫଳ ହୋଇଛି । ସି.ଆର୍‌.ପି.ଏଫ.କୁ ତୁରନ୍ତ ପ୍ରତ୍ୟାହାର କରାଯାଉ, କ୍ଷତିଗ୍ରସ୍ତ ପରିବାରଙ୍କୁ ଅଧିକ କ୍ଷତିପୂରଣ ମିଳୁ ଏବଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉ ବୋଲି ଦାବି ହେଉଛି । ରାଜ୍ୟ ସରକାର ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଘଟଣାର ନ୍ୟାୟିକ ତଦନ୍ତ ସହିତ ରାଜ୍ୟ ମାନବାଧିକାର ସେଲ୍‌ ତତ୍ତ୍ଵାବଧାନରେ ସ୍ଵତନ୍ତ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ସରିଛି । ତେବେ ପରିସ୍ଥିତିରେ ସୁଧାର ଆସିନାହିଁ । ଯାହା ଅନେକଙ୍କୁ ବିସ୍ମିତ କରିଛି, ତାହା ହେଉଛି-ପୁଲିସର ଖାମଖିଆଲ ରଣନୀତି (ଆପଣ ହୁଗୁଳା କହିପାରନ୍ତି) ଯାହା ମାଓବାଦୀ ଦମନ ନାଁରେ ମାନବାଧିକାରର ଉଲ୍ଲଙ୍ଘନ କରୁଛି ।

 

ପାଠକମାନଙ୍କ ନିମନ୍ତେ ସ୍ପଷ୍ଟ କରୁଛି ଯେ ମାଓବାଦୀ ମୁକାବିଲାରେ ରାଜ୍ୟରେ ଆଗରୁ ବ ନିରୀହ ଲୋକଙ୍କ ଜୀବନ ଯାଇଛି । ଖବରକାଗଜରେ ପ୍ରକାଶ ପାଇଛି, ୨୦୦୬ ମେ' ୨୮ରେ ରାୟଗଡ଼ାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ନିରୀହ ଆଦିବାସୀ ପ୍ରାଣ ହରାଇ ଥିଲେ । ୨୦୦୮ ନଭେମ୍ବର ୨୨ରେ ଦୁଇଜଣ ସାଧାରଣ ଲୋକ ସି.ଆର୍‌.ପି.ଏଫ୍‌, ଯବାନ୍‌ଙ୍କ ଗୁଳିମାଡ଼ର ଶିକାର ହୋଇଥିଲେ । ୨୦୧୦ ମାର୍ଚ୍ଚରେ କଳିଙ୍ଗନଗର ଏବଂ ରାୟଗଡ଼ାରେ ହୋଇଥିଵବା ଅପରେସନ୍‌ରେ ୧୩ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା । ୨୦୧୧ ଜାନୁଆରୀ ୨୭ରେ କେନ୍ଦୁଝରରେ ଜଣେ ଝିଅ ପୁଲିସ ଗୁଳିର ଶିକାର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ୨୦୧୨ ନଭେମ୍ବର ୧୪ରେ ଗଜପତି ଜିଲ୍ଲାରେ (ମୋହନାର ଭାଲିଆଗୁଡ଼ା) ମାଓବାଦୀ–ପୁଲିସ ଏନ୍‌କାଉଣ୍ଟରରେ ୫ ଜଣ ନିରୀହ ଲୋକଙ୍କ ମୁଣ୍ଡ ଗଡ଼ିଥିଲା । ୨୦୧୫ ଜୁଲାଇ ୨୬ରେ କନ୍ଧମାଳର କୋଟଗଡ଼ଠାରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଧବଳେଶ୍ଵର ନାୟକ ଏବଂ ତାଙ୍କ ପନ୍ନୀ ଭୁବୁଡ଼ି କେରଳରେ ଥିବା ସେମାନଙ୍କ ପୁଅ ସହିତ କଥା ହେବାପାଇଁ ପାହାଡ଼ ମୁଣ୍ଡିଆ ଉପରେ ଚଢ଼ି ଫୋନ୍‌ କଲାବେଳେ (ତଳେ ସିଗ୍ନାଲ୍‌ ନଥିଲା) ସୁରକ୍ଷା କର୍ମୀଙ୍କ ଗୁଳିର ଶିକାର ହୋଇଥିଲେ । ପୁଅ ରାହୁଲ ନାୟକ ଏ ସଂକ୍ରାନ୍ତରେ ଦେଇଥିବା ବୟାନ ମର୍ମସ୍ପର୍ଶୀ ଥିଲା । ସେ କହିଥିଲେ, “ମୋ ମା'ର ଚିତ୍କାର ଏବଂ ବିକଳ କାନ୍ଦଣା । ଫୋନ୍‌ରେ ସ୍ପଷ୍ଟ ଶୁଭୁଥିଲା । ମୋତେ ଲାଗୁଥିଲା, କେହି ଯେମିତି ମା'ର ବଳାତ୍କାର ପାଇଁ ଚେଷ୍ଟା କରୁଛି... ବାପାଙ୍କ ଶେଷ ଧାଡ଼ିକ ଥିଲା–‘ପୁଅ, ମୁଁ ମରିବାକୁ ଯାଉଛି ।’ ୨୦୧୬ ରେ ଏବର କନ୍ଧମାଳ (ଗୁମୁଡୁମାହା ଗାଁ, ପରମ୍‌ପଙ୍ଗା ପଞ୍ଚାୟତ) ଦୁର୍ଘଟଣାକୁ ମିଶାଇ ୧୨ ଜଣ ପ୍ରାଣ ହରାଇ ଥିବା ଅଭିଯୋଗ ଆଣିଛନ୍ତି ଜଣେ ମାନବାଧିକାର କର୍ମୀ । ଏଇ ବର୍ଷ 'ଫେବୃଆରୀ ୨୭ ତାରିଖରେ ନିୟମଗିରିଠାରେ ଜଣେ ଡଙ୍ଗରିଆ କନ୍ଧ ଯୁବକଙ୍କୁ ପୁଲିସ ମାଓବାଦୀ ଭାବି ଗୁଳି କରିଥିଲା । ପ୍ରକାଶ ପାଇଛି ଯେ ୨୦୧୦ ରୁ ୨୦୧୬ ମଧ୍ୟରେ ମାଓବାଦୀ ଦମନ ନାଁରେ ରାଜ୍ୟରେ ଅନ୍ତତଃ ୧୦୦ ଜଣ ନିରୀହ ଲୋକ ମରିଛନ୍ତି । ଏଣେ ସାଉଥି‌ ଏସିଆ ଟେରରିଜମ୍‌ ପୋର୍ଟାଲ ସୂତ୍ର ମୁତାବକ ସାରା ଦେଶରେ ନକ୍ସଲଙ୍କ ସହିତ ଲଢ଼େଇରେ ସର୍ବାଧିକ କ୍ଷତି ସହିଛନ୍ତି ସାଧାରଣ ନାଗରିକ–ଏହା ମାଓବାଦୀଙ୍କ ଆକ୍ରମଣ ହେଉ ବା ସୁରକ୍ଷା କର୍ମୀଙ୍କ ସହିତ ଏନକାଉଣ୍ଟର । ୨୦୦୫ ରୁ ୨୦୧୬ (ଜୁଲାଇ ୩) ପପ୍ୟନ୍ତ ୨୮୯୫ ସାଧାରଣ ନାଗରିକ ପ୍ରାଣ ହରାଇ ଥିବାବେଳେ ସେଇ ସମୟ ଭିତରେ ୨୩୯୧ ମାଓବାଦୀ ଏବଂ ୧୮୨୩ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି । ତଥ୍ୟ ଅନୁସାରେ ୨୦୦୫ରୁ ୨୦୧୬ (ଜୁଲାଇ ୩) ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାଣ ହରାଇଛନ୍ତି ୨୯୬ ଜଣ ସାଧାରଣ ନାଗରିକ ୧୮୮ ମାଓବାଦୀ ଏବଂ ୧୮୫ ସୁରକ୍ଷା କର୍ମୀ / ଯବାନ୍‌ । ଏପ୍ରିଲ୍‌, ୨୦୧୫ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶରେ ମାଓବାଦୀ କାର୍ଯ୍ୟକଳାପ ଲାଗି ରହିଛି । ତେବେ ସର୍ବାଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଅଛନ୍ତି ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ ବିହାର । ବାମପନ୍ଥୀ ସନ୍ତ୍ରାସର ମୁକାବିଲା ପାଇଁ ନିଯୁକ୍ତ ପ୍ରାୟ ୧,୭୦,୦୦୦ ସୁରକ୍ଷା କର୍ମୀ । ସରକାରୀ ରିପୋର୍ଟ ଅନୁସାରେ ଦେଶର ୧୦ଟି ରାଜ୍ୟର ୭୬ ଟି ଜିଲ୍ଲାରେ ନକ୍ସଲ ଗତିବିଧି ଜାରି ରହିଛି । ଏଇ ସମୟ ଭିତରେ ପ୍ରାଣ ହରାଇଛନ୍ତି (ସାରା ଦେଶରେ) ୨୧୯୩ ନକ୍ସଲ, ୧୭୫୩ ଯବାନ୍‌ ଏବଂ ୨୭୫୭ ସାଧାରଣ ନାଗରିକ।

 

ପାଠକେ, ପର୍ଯ୍ୟବେକ୍ଷକମାନଙ୍କ ମତ ଯେ ରାଷ୍ଟ୍ର ନକ୍ସଲଙ୍କ ବିରୋଧରେ ଲଡୁଥିବା ଏ ଯୁଦ୍ଧ ମହଙ୍ଗା ପଡ଼ିଲାଣି । ସନ୍ତ୍ରାସର ମୂଳୋତ୍ପାଟନ ତ ଦୂରର କଥା, ଏଯାଏଁ ଇପ୍‌ସିତ ନିୟନ୍ତ୍ରଣ ମଧ୍ୟ ସମ୍ଭବ ହୋଇନାହିଁ । ୟା ମୂଳରେ ରାଷ୍ଟ୍ର ବିରୋଧରେ ଷଡ଼ଯନ୍ତ୍ର / ଦ୍ରୋହ, ଦେଶରେ ଅସ୍ଥିରତା ଉତ୍ପନ୍ନ କରିବା ପାଇଁ ବିଦେଶୀ ଶକ୍ତିଙ୍କ ପ୍ରଚ୍ଛନ୍ନ ହାତ ଯେତିକି ନାହିଁ, ସେତିକି ରହିଛି ବ୍ୟବସ୍ଥା ବିରୁଦ୍ଧରେ ଅସନ୍ତୋଷ କ୍ରୋଧ । ‘‘ଆଖି ବଦଳରେ ଆଖି’’ ଆମ ପାଇଁ ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଚି କରିଛି । ନିକଟରେ ସୁପ୍ରିମକୋର୍ଟ ମଣିପୁରରେ ୩୫ ବର୍ଷ ଧରି ଲାଗୁ ହୋଇଥିବା ଏ.ଏଫ୍‌.ଏସ୍‌.ପି.ଏ (ସାମରିକ ବାହିନୀ ସ୍ଵତନ୍ତ୍ର କ୍ଷମତା ଆଇନ୍‌) ବାବଦରେ ଶୁଣାଣି ସମୟରେ ପ୍ରଶ୍ନ ପଚାରିଛନ୍ତି ଯେ ଆଇନ୍‌ ଶୃଙ୍ଖଳା ନାଁରେ ଏଇ ଆଇନ୍‌କୁ ଆଉ କେତେବର୍ଷ ବଳବତ୍ତର ରଖାଯିବ ? କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଆଇନ୍‌ ସ୍ଥାନୀୟ ପ୍ରଶାସନକୁ ସାମୟିକ ଭାବେ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଥିଲା (ସେପ୍ଟେମ୍ବର ୮, ୧୯୮୦), ତାହା ଏକ ସ୍ଥାୟୀ ବ୍ୟବସ୍ଥାର ରୂପ ନେଇ ସାରଛି । ୟା ଭିତରେ ମଣିପୁରରେ ଅନ୍ତତଃ ଦୁଇଟି ପିଢ଼ି ସାମରିକ ବାହିନୀର ଛାଇରେ ଜିଇଁ ସାରିଲେଣି । ୩୫ ବର୍ଷ ଭିତରେ କ’ଣ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସତରେ ସୁଧୁରି ନାହିଁ ? ପାଠକମାନଙ୍କ ପାଇଁ ସ୍ପଷ୍ଟ କରୁଛି ଯେ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ମଣିପୁରରେ ଘଟିଥିବା ଅନ୍ୟୂନ ୧୫୦୦ ଅପମୃତ୍ୟୁ ଅଭିଯୋଗର ତଦନ୍ତ ଦାୟିତ୍ୱ ଦେଇଛନ୍ତି, ଯେଉଁସବୁ କ୍ଷେତ୍ରରେ ମୃତ୍ୟୁ ସାମରିକ ବାହିନୀର ବେଆଇନ୍‌ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହୋଇଛି ବୋଲି କୁହାଯାଉଛି । ଶୁଣାଣି ସମୟରେ ସରକାରୀ ଓକିଲଙ୍କୁ କୋର୍ଟ ସେଦିନ ପଚାରିଥିଲେ, ସୁରକ୍ଷା ବଳଙ୍କ ପାଇଁ ସ୍ଵତନ୍ତ୍ର କ୍ଷମତା ଆଇନ୍‌ କ’ଣ ମଣିପୁରରେ ‘‘ଚିରନ୍ତନ’’ ହୋଇ ରହିବ ? ପାଠକମାନେ ଶର୍ମିଳା ଇରମ୍‌ଙ୍କ କଥା ଜାଣନ୍ତି, ଯିଏ ଏଇ ଆଇନ୍‌ ଉଚ୍ଛେଦ ଦାବି କରି ଦୀର୍ଘ ୧୬ ବର୍ଷ ଧରି ଅନଶନରେ ଅଛନ୍ତି ଏବଂ ତାଙ୍କୁ ନାକବାଟେ ନଳୀରେ ଖାଦ୍ୟ ଦିଆଯାଉଛି । ଜମ୍ମୁ ଓ କାଶ୍ମୀରରେ ସେନାଙ୍କୁ ସୁରକ୍ଷା ଦେବାପାଇଁ ଲାଗୁ ହୋଇଥିବା ସ୍ଵତନ୍ତ୍ର ଆଇନ୍‌ ୨୬ ବର୍ଷ ପୂରଣ କରିସାରିଛି । କାଶ୍ମୀର ପ୍ରସଙ୍ଗ ଉଠିଲେ ପାକିସ୍ତାନ କଥା ଆମର ମନେପଡ଼େ ଏବଂ ସମୁଦାୟ ପ୍ରସଙ୍ଗ ସ୍ପର୍ଶକାତର ପାଲଟିଯାଏ । ତେବେ ଆମେ ଭୁଲିଯିବା ଉଚିତ ନୁହେଁ ଯେ ସୁରକ୍ଷା / ନିରାପତ୍ତା ନାଁରେ ସେନାବାହିନୀ କାଶ୍ମୀରରେ ଆତଙ୍କ ଭିଆଉଛି ବୋଲି ଆନ୍ତର୍ଜାତିକ ମାନବାଧିକାର ସଂଗଠନ ଆମ୍‌ନେଷ୍ଚିର ମତ । ଏ ପ୍ରବନ୍ଧ ଲେଖାହେବା ବେଳକୁ କାଶ୍ମୀର ଅଶାନ୍ତ ରହିଛି ଏବଂ ସେନାବାହିନୀ ଓ ପୁଲିସ ଉଗ୍ରବାଦୀ ଏନ୍‌କାଉଣ୍ଟର ନାଁରେ ସୀମା ଅତିକ୍ରମ କରିଛି ବୋଲି ଅଭିଯୋଗ ହୋଇଛି । କେବଳ ମାନବାଧିକାର ସଂଗଠନ ନୁହନ୍ତି, ଭାରତରେ ସାଧାରଣ ନାଗରିକର ମତ ଯେ ସୁରକ୍ଷା ନାଁରେ ରାଷ୍ଟ୍ର ସନ୍ତ୍ରାସର ବାତାବରଣ ସୃଷ୍ଟି ନକରୁ ।

 

ପୁଣି ଫେରୁଛି କନ୍ଧମାଳକୁ । ଜୁଲାଇ, ୨୦୧୫ ରେ କୋଟଗଡ଼ରେ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇ ଥିବା ଭୁବୁଡ଼ି ନାୟକଙ୍କ ଶବକୁ ପୋଷ୍ଟମର୍ଟମ୍‌ ପରେ ପୁଲିସ୍‌ ବହୁ କଷ୍ଟରେ ପରିବାରକୁ ହସ୍ତାନ୍ତର କରିଥି‌ଲା । ଖବରକାଗଜ ସମ୍ବାଦ ଅନୁଯାୟୀ ସୁରକ୍ଷା କର୍ମୀ ଭୁବୁଡ଼ିର ଚୁଟିକୁ କାଟି ଛୋଟ କରି ଦେଇଥିଲେ, ଯାହା ପ୍ରମାଣ କରିବ ସେ ମାଓବାଦୀ କ୍ୟାଡର ବୋଲି । ଆଉ ନିକଟରେ ଏସ୍‌.ଓ.ଜି. ଗୁଳିରେ ଟଳି ପଡ଼ିଥିବା ୧୩ ମାସର ଶିଶୁ ଜିହେଜା ଦିଗାଲ୍‌ ପାଇଁ ନରେଗା ପ୍ରାପ୍ୟ ପାଇବା ପରେ ତା' ବାପା ମା' ସେଦିନ କିଣି ଦେଇଥଲେ ପ୍ଲାଷ୍ଟିକ୍‌ର ଖେଳନାଟିଏ । ତେବେ ଦୁର୍ଭାଗ୍ୟ, ନିଜର ପ୍ରଥମ ଓ ଶେଷ ଖେଳନା ସହିତ ପିଲାଟି ଖେଳିବାର ସୁଯୋଗ ପାଇ ନଥିଲା ।

(ନିତିଦିନ, ତା ୧୬/୭/୨୦୧୬)

Image